Unknown

 

 

 

 

 

 

 

 

 

 

 

ଗଳ୍ପ

ରବି ପଟ୍ଟନାୟକ

 

କୃତଜ୍ଞତା

 

ପ୍ରସିଦ୍ଧ ଔପନାସିକ ବନ୍ଧୁ ଶ୍ରୀଯୁକ୍ତ ବିଭୂତି ପଟ୍ଟନାୟକଙ୍କ ଅବିଶ୍ରାନ୍ତ ପ୍ରରୋଚନା ଓ ଉଦ୍ୟମ ଯୋଗୁଁ ହିଁ ଏ ବହିଟି ଲୋକଲୋଚନକୁ ଆସିବାକୁ ସମର୍ଥ ହୋଇଛି । ମୋର ଅନୁରୋଧ ରକ୍ଷାକାରି ସେ ଏ ବହିଟିର ମୁଖବନ୍ଧ ମଧ୍ୟ ଲେଖିଛନ୍ତି । ତେଣୁ ମୁଁ ତାଙ୍କ ନିକଟରେ ଋଣୀ । ‘ଗ୍ରନ୍ଥମନ୍ଦିର’ର ପରିଚାଳକ ଶ୍ରୀଯୁକ୍ତ ଅଭିରାମ ମହାପାତ୍ର ଏ ବହିର ପ୍ରକାଶନ ଭାର ଗ୍ରହଣ କରିଥିବାରୁ ତାଙ୍କ ନିକଟରେ ମୁଁ କୃତଜ୍ଞ ।

 

ରବି ପଟ୍ଟନାୟକ

Image

 

ଚେରାପୁଞ୍ଜିରେ ବର୍ଷା ନାହିଁ, ଧାନକେଣ୍ଡାରେ ବାସ୍ନା

।। ଏକ ।।

 

ଏ ଗଳ୍ପସଂକଳନର କୌଣସି ଏକ ଗଳ୍ପରେ ଠାଏ ଲେଖକ ଲେଖିଛନ୍ତି, ପାଚିଲେ ସବୁ ଫଳ ଏମିତି ଟୁପ୍‌ଟାପ୍ ହୋଇ ଗଛରୁ ପଡ଼ନ୍ତି । ଏଥିରେ ଏମିତି ବିଚିତ୍ର କଥା ବା କ’ଣ ? କିନ୍ତୁ ସେଇ ସାମାନ୍ୟତମ ଘଟଣାରୁ ନିଉଟନ୍ ପ୍ରମାଣ କଲେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି...ଏକ ଯୁଗାନ୍ତକାରୀ ଆବିଷ୍କାର ।

 

ଗୋଟିଏ ସାମାନ୍ୟ ଘଟଣାରୁ ଯେପରି ଏକ ମହାନ୍ ବୈଜ୍ଞାନିକ ତତ୍ତ୍ଵ ଆବିଷ୍କୃତ ହୋଇପାରେ, ସେହିପରି ଏକ ସାମାନ୍ୟ ଘଟଣାକୁ ଅବଲମ୍ବନ କରି ମଧ୍ୟ ଏକ ଅସାମାନ୍ୟ କ୍ଷୁଦ୍ର ଗଳ୍ପ ଲେଖାଯାଇପାରେ । ଅବଶ୍ୟ ସବୁ ବର୍ଷାବିନ୍ଦୁ ଯେପରି ମୁକ୍ତା ହୁଅନ୍ତି ନାହିଁ, ସବୁ ସାମାନ୍ୟ ଘଟଣା ସେହିପରି ଗଳ୍ପ ହୁଅନ୍ତି ନାହିଁ । ସେଥିପାଇଁ ଗଳ୍ପଟିଏ ଲାଗି ଘଟଣାଟି ନୁହେଁ, ଗଛରୁ ପଡ଼ୁଥିବା ପତ୍ରଟିଏ ଲାଗି ନିଉଟନ୍‌ଙ୍କ ବୈଜ୍ଞାନିକ ଦୃଷ୍ଟିଭଳି ସାଧାରଣ ଘଟଣାଟିକୁ ସାର୍ଥକ ଗଳ୍ପରେ ରୂପାନ୍ତରିତ କରିବା ପାଇଁ ଲୋଡ଼ାହୁଏ ଲେଖକର ଅନ୍ତର୍ଭେଦୀ ଚାହାଣି ।

 

ଗଳ୍ପ ଲାଗି ଏକ ଆକର୍ଷଣୀୟ ଆରମ୍ଭ, ଉତ୍କଣ୍ଠିତ ମଧ୍ୟଭାଗ, ନାଟକୀୟ ପରିସମାପ୍ତି ଆବଶ୍ୟକ–ଏ ତିନି ଲକ୍ଷ୍ମଣ-ରେଖା ଅତିକ୍ରମ କରିଯିବାର ପ୍ରବଣତା ରବି ପଟ୍ଟନାୟକଙ୍କ ଗଳ୍ପରେ ଖୁବ୍ ପ୍ରାଞ୍ଜଳ । ଘଟଣାର ବିସ୍ତାର ଅପେକ୍ଷା ବକ୍ତବ୍ୟର ତୀକ୍ଷ୍‌ଣତା ତାଙ୍କ ଗଳ୍ପଗୁଡ଼ିକୁ ଏକ ନିଜସ୍ୱ ମୌଳିକତାରେ ଉଦ୍‌ଭାସିତ କରିଦିଏ ।

 

ଏଇ ଗଳ୍ପସଂକଳନରେ ପ୍ରଥମ ଗଳ୍ପ ‘ସ୍ଵୟଂଭୁବା’ ସେଇଭଳି ଏକ ସାମାନ୍ୟ ଘଟଣାର ଅସାମାନ୍ୟ କାହାଣୀ ।

 

ସାଂପ୍ରତିକ ସମାଜବ୍ୟବସ୍ଥାର ସ୍ଵାଭାବିକ ନିୟମରେ ଏ ଗଳ୍ପର ନାୟିକା କଲେଜ ଗେଟ୍ ପାଖରେ ରାତି ନଅଟା ପଇଁଚାଳିଶରେ ଧର୍ଷିତା ହୋଇ ଡାକ୍ତରଖାନା ଆସିଲା । କିନ୍ତୁ ସେ ଯେତେବେଳେ ଆତ୍ମସ୍ଥ ହେଲା ପରେ ଜାଣିଲା ଯେ ପୋଲିସର ପରାମର୍ଶରେ ତା’ର ବଦ୍‌ନାମ ହେବା ଭୟରେ ତା’ର ବାପା ଧର୍ଷଣକାରୀମାନଙ୍କୁ ଶାସ୍ତି ଦେବା ପାଇଁ ଥାନାରେ ଏତେଲା ଦେବାକୁ ନାରାଜ, ସେତେବେଳେ ତା’ର ମନ ସମାଜ, ସଂସ୍କୃତି ଓ ଧର୍ମ ବିରୁଦ୍ଧରେ ବିଦ୍ରୋହିଣୀ ହୋଇଉଠିଲା । ସେ ମନେ ମନେ ପୋଡ଼ିଜାଳିଦେଲା କେତେ ପୁରାଣ, ଶାସ୍ତ୍ର, କାବ୍ୟ, ଉପନ୍ୟାସ ।

 

ଯେଉଁ ପୁରାଣ ଶାସ୍ତ୍ର, ଗଳ୍ପ ଉପନ୍ୟାସ ସତ୍ୟକୁ ଗୋପନ କରି ନାରୀକୁ ସମାଜରେ ସତୀ ହୋଇ ରହିବାକୁ ଶିକ୍ଷାଦିଏ, ସେଇ ଶାସ୍ତ୍ର ପୁରାଣ ବିରୁଦ୍ଧରେ ମାନସିକ ବିଦ୍ରୋହ ଧର୍ଷିତା କୁମାରୀକୁ ଫେରାଇଦେଲା ତା’ର ଆତ୍ମଶକ୍ତି ।

 

ଜଷ୍ଟିସ୍ ମହାପାତ୍ରଙ୍କୁ ସେ ଫୋନ୍ କଲା ।

 

ବାସ୍, ଗଳ୍ପଟି ଗତି କରିଗଲା ଅନ୍ୟ ଏକ ବାଙ୍କରେ । ଯେଉଁ କୁମାରୀ କନ୍ୟାର କଳଙ୍କ କାହାଣୀ ଜଣେ ଭାବପ୍ରବଣ ଲେଖକର କଲମରେ ଏକ ରସଘନ ରୋମାଞ୍ଚକର କାହାଣୀ ହୋଇପାରିଥାନ୍ତା, ରବି ପଟ୍ଟନାୟକଙ୍କ ହାତରେ ସେ ହୋଇଗଲା ଏକ ଶକ୍ତିଶାଳୀ ବକ୍ତବ୍ୟ-ପ୍ରଧାନ ଗଳ୍ପ ।

 

‘ତିସ୍‌ରି ପେଗ୍’ ଓ ‘ଦୂର-ଅଦୂର’ ପ୍ରଭୂତି ଗଳ୍ପକୁ ମଧ୍ୟ ଏହି ଶ୍ରେଣୀର ଗଳ୍ପର ଉଦାହରଣ ଭାବରେ ନିଆଯାଇପାରେ ।

 

॥ ଦୁଇ ॥

 

ରବି ପତ୍ତନୟକଙ୍କ ଗଳ୍ପର ଅନ୍ୟତମ ବୈଶିଷ୍ଟ୍ୟ ହେଉଛି ତାଙ୍କର ଭୂତାତ୍ଵିକ ଦୃଷ୍ଟିକୋଣ-। ଖଣି ଭିତରୁ ସେ ମଣିର ସନ୍ଧାନ କରିବାକୁ ଚାହାନ୍ତି । ସେଥିପାଇଁ ମାଟି ଉପରେ ଥିବା ଶ୍ୟାମଳ ବନସ୍ପତି, ତା’ର ପଲ୍ଲବିତ ଶାଖା ପ୍ରଶାଖା, ରଙ୍ଗିନ୍ ଫୁଲ ଫଳ ଦେଖି ସେ ଆତ୍ମବିସ୍ମୃତ ହୁଅନ୍ତି ନାହିଁ, ତାଙ୍କର ଆଖି ଖୋଜିବୁଲେ ମାଟି ଭିତରେ ଥିବା ସେଇ ଗଛର ଚେରକୁ । ଗଛର ଫୁଲ ଫଳ ପତ୍ର ଡାଳ ଅପେକ୍ଷା ତା’ର ଚେର ଖୋଜିବାର ଅନୁସନ୍ଧିଚ୍ଛା ତାଙ୍କୁ ନେଇଯାଏ ସମାଜରେ ପ୍ରଚଳିତ ବହୁ କୁସଂସ୍କାର, ଅନ୍ଧବିଶ୍ଵାସ, ସାମାଜିକ ବୈଷମ୍ୟ ଆଉ ଅସାମାଜିକ ସ୍ଵାର୍ଥପରତା ସହିତ ସଂଗ୍ରାମ କରିବାପାଇଁ । ରେମୋଣ୍ଟିକ ସବୁଜ ଦୃଷ୍ଟି ଧୂସର ବାସ୍ତବତାରେ ଶାଣିତ ହୋଇଉଠେ । କିନ୍ତୁ ଏହି ସାମାଜିକ ବାସ୍ତବବାଦ ତାଙ୍କୁ ବିଦ୍ରୋହ କରେ, ବିପ୍ଳବୀ କରେ ନାହିଁ । ଏହାହିଁ ତାଙ୍କ ଗଳ୍ପର ପ୍ରଧାନ ଶକ୍ତି; ଏହାହିଁ ମଧ୍ୟ ତାଙ୍କ ଗଳ୍ପର ଚରମ ଦୁର୍ବଳତା । ବିଦ୍ରୋହକୁ ସେ ପୌରାଣିକ ମିଥ୍ ଆଉ ଭୌଗୋଳିକ ରୂପକର ରେଶମୀ ଓଢ଼ଣାରେ ଘୋଡ଼ାଇ ରଖିବାକୁ ଭଲପାଆନ୍ତି । ‘ପରଶୁରାମ’ ଗଳ୍ପର ନାୟକ ଭଳି ଏ ଗଳ୍ପ ସଂକଳନରେ ସନ୍ନିବିଷ୍ଟ ‘ପ୍ରଭାସତୀର୍ଥ’ ଗଳ୍ପର ନାୟକ ସୁକାନ୍ତ ସେଥିପାଇଁ ‘ଜନତା’ ନାମକ ସ୍ମୃତିଶକ୍ତିହୀନ ନିର୍ବୋଧ ଏକ ବିଚିତ୍ର ଜୀବର ଜଡ଼ତା ଉପରେ ଆଘାତ କରିବା ପାଇଁ ସଭାମଞ୍ଚ ଉପରକୁ ଗୁଳି ଚଳାଇ ନିଜେ ଅର୍ଦ୍ଧଦଗ୍ଧ ହୋଇଯାଏ ।

 

॥ ତିନି ॥

 

ରବି ପଟ୍ଟନାୟକଙ୍କଭଳି ତାଙ୍କ ଗଳ୍ପଗୁଡ଼ିକ ସଲଜ୍ଜ, ଚୁପ୍‌ଚାପ୍ କିମ୍ବା ନିରୀହ ନୁହଁନ୍ତି । ବରଂ ‘ବାଇଶିପାହାଚ’ ଭଳି ଗଳ୍ପ ପଢ଼ିଲେ ତାଙ୍କ ବୟସ ଅପେକ୍ଷା ସେ ବେଶୀ ବୟସ୍କ ମନେହୁଅନ୍ତି-। ଇଦ୍ରାୟାନୁଭୂତି ମଧ୍ୟରେ ସେ ଏକ ଅତୀନ୍ଦ୍ରିୟ ଜଗତର ସ୍ପର୍ଶ, ଯୌନତା ମଧ୍ୟରେ ସେ ସନ୍ନ୍ୟାସର ସ୍ଵାଦ ଆସ୍ଵାଦନ କରିବାପାଇଁ ଉନ୍ମୁଖ । ଅନ୍ତତଃ ‘ଅନ୍ଵେଷ’ ‘ଅଭିସାରିକା’ ‘ମାନିନୀ’ ‘ସନ୍ଧି’ ପ୍ରଭୃତି ଗଳ୍ପ ଆମକୁ ସେଇ କଥା ସ୍ମରଣ କରାଇଦିଏ ।

 

ପରିବେଶ ସୃଷ୍ଟି କରିବାରେ ସେ ଜଣେ କୁଶଳୀ ମ୍ୟାଜିସିଆନ୍ । ବର୍ଣ୍ଣନାର ଡିଟେଲସ୍ ମଧ୍ୟରେ ସାଧାରଣତଃ ପରିବେଶ ତିଆରି କରାଯାଏ; କିନ୍ତୁ ସେ ଡିଟେଲସ୍‌କୁ ଯାଆନ୍ତିନାହିଁ । ଗୋଟିଏ ଗୋଟିଏ ମିଥ୍ ଓ ରୂପକ ସାହାଯ୍ୟରେ ସେ ଚମତ୍କାର ପରିବେଶ ସୃଷ୍ଟି କରିପାରନ୍ତି ।

 

ତାଙ୍କ ପାଇଁ ଭାଷା ଓଡ଼ିଆ ନୁହେଁ କି ସଂସ୍କୃତ ନୁହେଁ, ବଙ୍ଗଳା ନୁହେଁ କି ଇଂରେଜୀ ମଧ୍ୟ ନୁହେଁ, ଗଳ୍ପର ଭାଷା ତାଙ୍କ ପାଇଁ ଭାବନାର ବାହକ ମାତ୍ର । ସେଥିପାଇଁ ଭାବକୁ ଗତିଶୀଳ କରିବାପାଇଁ ସେ ସ୍ଵଚ୍ଛନ୍ଦରେ ଗଳ୍ପରେ ବଙ୍ଗଳା, ହିନ୍ଦୀ, ସଂସ୍କୃତ, ଇଂରାଜୀ ଶବ୍ଦ ଓ କାବ୍ୟକୁ ମିଶାଇ ଦିଅନ୍ତି, ଯାହା କାନକୁ ଆଦୌ ଝଟ୍‌କା ଲାଗେ ନାହିଁ । ଭାଷାର ଏହି ଅକୃତ୍ରିମତା ତାଙ୍କ ଗଳ୍ପରେ ନୂତନ ଜୀବନ-ଶକ୍ତି ସଞ୍ଚାରିତକରେ ।

 

॥ ଚାରି ॥

 

ଏ ଗଳ୍ପସଂକଳନରେ ସନ୍ନିବେଶିତ ଗଳ୍ପମାନଙ୍କର ମଧ୍ୟରୁ ମୋର ପ୍ରିୟ ଗଳ୍ପ ଦୁଇଟି–‘ଚେରାପୁଞ୍ଜି’ ଆଉ ‘ଧର୍ମାନ୍ତର’ । ଏ ଗଳ୍ପ ଦୁଇଟି ଆକାରରେ ଅନ୍ୟ ଗଳ୍ପମାନଙ୍କ ଅପେକ୍ଷା କ୍ଷୁଦ୍ର; କିନ୍ତୁ ଆବେଦନରେ ଖୁବ୍ ଗଭୀର । ‘ଚେରପୁଞ୍ଜି’ ଏକ ପ୍ରତୀକାତ୍ମକ ପ୍ରେମ-ଗଳ୍ପ । କଳ୍ପନା ଓ ବାସ୍ତବତା ମଧ୍ୟରେ ଥିବା ଦୂରତ୍ଵକୁ ମାପି ଏ ଗଳ୍ପରେ ପ୍ରେମର ଏକ ନୂତନ ଉପଲବ୍ଧି ଓ ଅନୁଭୂତିର ଅଭିଜ୍ଞାନ ଆବିଷ୍କୃତ । ଚେରାପୁଞ୍ଜିରେ ବର୍ଷା ନାହିଁ, ସବୁଜ ତୃଣର ଅରଣ୍ୟ ନାହିଁ । ପ୍ରେମରେ ସ୍ଵପ୍ନ ଭିନ୍ନ କିଛି ରୂପ ନାହିଁ । ପ୍ରେମିକା ଏକ ଟାଙ୍ଗରା ଚେରାପୁଞ୍ଜି !

‘ଧର୍ମାନ୍ତର’ ଏକ ଅନ୍ୟ ମାପର, ଭିନ୍ନ ବାସ୍ତବତାର କାହାଣୀ; ଜଣେ ଧର୍ମଭୀରୁ ନାରୀ ଏବଂ ତା’ର ଧାନଚୋର ସ୍ଵାମୀର ପାପ ଓ ଅନୁତାପର ଗଳ୍ପ । କିନ୍ତୁ ପେଟର ଭୋକ ପାଖରେ ପାପ ଏହି ଗଳ୍ପରେ ପାଚିଲା ଧାନର ବାସ୍ନାଭଳି ସୁବାସିତ ଓ ପବିତ୍ର । ସୁଲି ତା’ ସ୍ଵାମୀର ଧାନକେଣ୍ଡା ଚୋରିର ଅନୁତାପରେ ନିଜେ ଜଳି, ସେଇ ଧାନକେଣ୍ଡାକୁ ରାତାରାତି ମଳି ମକଚି ଉଷେଇଁ ଦେଲା ପରେ ମଧ୍ୟ ଧାନର ବାସ୍ନାକୁ ଲୁଚାଇ ପାରି ନାହିଁ । ଭୋକିଲା ପେଟରେ ଶିଝା ଧାନର ବାସ୍ନା ତା’ ଆଖିରେ ନିଦ୍ରାର ପରିତୃପ୍ତି ଆଣିଦେଇଛି ।

ସେଇ ପାଚିଲା ଧାନକେଣ୍ଡାର ମହ ମହ ବାସ୍ନାରେ ମହକୁଚି ଏ ସଂକଳନରେ ପ୍ରତ୍ୟେକ ଗଳ୍ପ–ସ୍ଵପ୍ନର ସୁରଭି ନୁହେଁ, ଶସ୍ୟର ସୁବାସ !

ତା ୧୪ । ୫ । ୮୨

ବିଭୂତି ପଟ୍ଟନାୟକ

ଭୁବନେଶ୍ଵର-୯

 

 

ସୂଚୀପତ୍ର

 

୧.

ସ୍ଵୟଂଭୁବା

୨.

ଚେରାପୁଞ୍ଜି

୩.

ତିସ୍‌ରୀ ପେଗ୍

୪.

ଦୂର-ଅଦୂର

୫.

ପ୍ରଭାସ ତୀର୍ଥ

୬.

ବାଇଶିପାହାଚ

୭.

ଅନ୍ଵେଷ

୮.

ଅଭିସାରିକା

୯.

ମାନିନୀ

୧୦.

ଧର୍ମାନ୍ତର

୧୧.

ଅପଦାର୍ଥ

୧୨.

ମୁକ୍ତା

୧୩.

ପୂର୍ଣ୍ଣାହୁତି

୧୪.

ଯାଜ୍ଞସେନୀ

୧୫.

ସନ୍ଧି

Image

 

ସ୍ଵୟଂଭୁବା

 

ମୀନାକ୍ଷୀ ଧୀରେ ଧୀରେ ଆଖି ଖୋଲି ଚାହିଁଲା । ତା’ପରେ ଚାରିଆଡ଼କୁ ଆସ୍ତେ ଆସ୍ତେ ଆଖି ବୁଲେଇନେଲା । ବାହାରେ ଆଶ୍ଚର୍ଯ୍ୟ, ସୁନ୍ଦର ସକାଳ । ଖରା ଝଲମଲ କରୁଛି । ଝରକା ସେପାଖରେ ଟେଲିଫୋନ୍ ତା’ର ଉପରେ କଜଳପାତିଟି ବସି ଲାଞ୍ଜ ଝାଡ଼ୁଛି । ଝରକା ଦାଢ଼ରେ କୋତୋଟି ଘରଚଟିଆ କିଚିରିମିଚିରି ଶବ୍ଦ କରୁଛନ୍ତି । ଦଣ୍ଡେ ବି ସ୍ଥିର ନୁହେଁ । ଗୋଟିଏ ସେକେଣ୍ଡ୍‍ ବସୁଛନ୍ତି କି ନାହିଁ ପୁଣି ଆଉ ଥରେ ଫୁର୍‌କିନା ଉଡ଼ିଯାଉଛନ୍ତି । ପୁଣି ଆଉଥରେ ବସୁଛନ୍ତି ଉଡ଼ିଆସି-। ସେମାନଙ୍କଆଡ଼ୁ ମୁହଁ ଫେରାଇନେଇ ସେ ପ୍ରଥମ ଥର ପାଇଁ ଦେଖିଲା ତା’ର ବୋଉକୁ-। ରାତି ଅନିଦ୍ରାରେ କୋଟରଗତ ଚକ୍ଷୁ । ଲୁହ ଶୁଖି ଶୁଖି ଚାରିପଟ ଗହୀରିଆ କଳାଦାଗ । ମୁହଁ ସାରା ଛାପଛାପ । ଧଳାକଳା ବାଳ କେତେଟା ଓଢ଼ଣା ଭିତରୁ ବାହାରିଆସି ପଙ୍ଖା ପବନରେ ଫୁର୍ ଫୁର୍ ଉଡ଼ୁଛନ୍ତି । ଆଖି ଦୁଇଟାରେ କେଉଁ ଅତଳସ୍ପର୍ଶୀ ସାଗରର ଅନ୍ତଃହୀନ ଦୁଃଖର ଲୁହର ମୁକ୍ତାବିନ୍ଦୁ ଢଳଢଳ ହେଉଛି । କିଛି କହିବି ବୋଲି ଓଠ ଦୁଇଟି ଥରି ଥରି ଉଠୁଛି; ଅଥଚ କହିପାରୁନି-

 

ମୀନାକ୍ଷୀ କିଛି ବୁଝିପାରୁନି । କିଛି କହିବାକୁ ଗଲାବେଳକୁ ଗଳାରୁ ଶବ୍ଦ ବାହାରୁ ନାହିଁ । ଶକ୍ତ ଅଠା ଦେଇ କିଏ ଯେମିତି ତା’ ଗଳା ଓ ଓଠ ଦୁଇଟାକୁ ଏକାବେଳକେ ସିଲେଇ କରିଦେଇଛି । ସେ ପୁଣି ଥରେ ଚାରିଆଡ଼କୁ ଚାହିଁଲା । ଏଇଟା ତ ତାଙ୍କ ଘର ନୁହେଁ । ଉଚ୍ଚ ଛାତ । ଚାରିଆଡ଼େ ଏତେ ବଡ଼ ବଡ଼ କାଚର ଝରକା । ପର୍ଦ୍ଦା ଝୁଲୁଛି । ସେ ନିଜ ଖଟକୁ ଦେଖିଲା । ଲୁହାର ଖଟ । ଶୁଭ୍ର ଚାଦର । ପବନରେ ଡେଟଲ, ଫିନାଇଲର ଗନ୍ଧ ।

 

ସେ ଚମକିପଡ଼ିଲା । ସେ ଡାକ୍ତରଖାନାରେ । କିଛି ମନେପଡ଼ୁନି ତା’ର । ଡାକ୍ତରଖାନା କାହିଁକି ? ସେ ଉଠିବାକୁ ଚେଷ୍ଟାକଲା; କିନ୍ତୁ ଦେହରେ ଭୀଷଣ ଯନ୍ତ୍ରଣା । ତଳିପେଟ ତଳକୁ ଏକ ତୀବ୍ର ଯନ୍ତ୍ରଣା ଯେପରି ତା’ର ତାଳୁରୁ ତଳିପା ଯାଏଁ ବୈଦ୍ୟୁତିକ ତରଙ୍ଗପରି ଖେଳିଗଲା । ସେ ଅସ୍ପଷ୍ଟ ସ୍ଵରରେ କେବଳ ଉଚ୍ଛାରଣ କଲା ‘ଉଃ’ । ମୁହଁ ସାରା ପୋଡ଼ୁଛି । ଦୁଇଟା ସ୍ତନରେ ଅସହ୍ୟ ଯନ୍ତ୍ରଣା । ହାତ ଦୁଇଟାରେ ଅସଂଖ୍ୟ ରାମ୍ପୁଡ଼ା ଦାଗ ! ତା’ର ଦୁଇଟି ଗୋରା ଗୋରା ହାତରେ ସେଗୁଡ଼ାକ ମନେହେଉଛି ଯେମିତି ଅସଂଖ୍ୟ ସରୁ ସରୁ ବିଛା ପରି ।

 

ହଠାତ୍ କରି ତା’ର ମନେପଡ଼ିଗଲା ସବୁକଥା । ସେ ଏକ ଅପରିସୀମ ଦୁଃଖଯନ୍ତ୍ରଣାରେ ଚିତ୍କାର କରିଉଠିଲା, ‘‘ବୋଉ ଲୋ !” ସେଇ ଚିତ୍କାର କରିସାରି ସେ ପୁଣି ମୂର୍ଚ୍ଛା ହୋଇଗଲା । ତା’ର ସେଇ ବିକଳ ଚିତ୍କାରର ଧ୍ୱନି ହସ୍‌ପିଟାଲ୍‌ର ଚାରିକାନ୍ଥ ଭିତରେ ପ୍ରତିଧ୍ଵନିତ ହୋଇ ଆହୁରି ଜୋରରେ ଏକ ସମ୍ମିଳିତ ଆର୍ତ୍ତନାଦ ପରି ଆକାଶକୁ ଏକ ହାବେଳି ବାଣପରି ଉଠିଯାଇ ଚାରିଆଡ଼କୁ ଏକ ଯନ୍ତ୍ରଣାର ଆଲୋକରେ କ୍ଷଣକପାଇଁ ଆଲୋକିତ କରି ପୁଣି ଲିଭିଗଲା ।

 

ଝିଅର ଚିତ୍କାର ଶୁଣୁ ଶୁଣୁ ହାଉଳି ଖାଇ ଲଜ୍ଜାସଂକୋଚ ଭୁଲି ହାଉମାଉ କରି କାନ୍ଦିଉଠି କଚାଡ଼ିହୋଇ ପଡ଼ିଲେ ନିଶାମଣି ଦେବୀ । ନର୍ସ ଦଉଡ଼ି ଆସିଲା । ପିତା ଦୀନବନ୍ଧୁ ମଧ୍ୟ ବାହାରପଟୁ ବ୍ୟସ୍ତ ହୋଇ ଦଉଡ଼ିଆସିଲେ । ସାନ ଦାଦା ଦୀପୁ ଦଉଡ଼ିଗଲା ଡିଉଟି ଡାକ୍ତରଙ୍କୁ ଡାକିବାପାଇଁ । ମୀନାକ୍ଷୀର ମାଉସୀ ନିଶାମଣିଙ୍କୁ ଜୋର ଜବରଦସ୍ତି କୁଣ୍ଢେଇନେଇ ବାହାରକୁ ଚାଲିଗଲେ ।

 

ଡାକ୍ତର ପରୀକ୍ଷା କରିସାରି କହିଲେ, ‘‘କିଛି ଭୟ ନାହିଁ । ପ୍ରଥମ ମୂର୍ଚ୍ଛା ଭାଙ୍ଗିଲାପରେ ପୁଣି ଥରେ ଏମିତି ହୋଇଯାଏ । ଏଇଟା ତ ଗୋଟାଏ ସାଇକୋଲଜିକାଲ୍ ସକ୍ । ତେଣୁ ଦୈହିକ ଭାବରେ ଯଦିଓ କିଛି ବିଶେଷ କ୍ଷତି ହୋଇନାହିଁ, ସେ ମାନସିକ ଧକ୍‌କାଟା ବହୁତ ପାଇଛନ୍ତି । ସେଇଟା ଭଲହେବା ସମୟସାପେକ୍ଷ । ବ୍ୟସ୍ତ ହେବେନାହିଁ । ସେ ସନ୍ଧ୍ୟା ସୁଦ୍ଧା ସୁସ୍ଥ ହୋଇଉଠିବେ-।”

 

ମୀନାକ୍ଷୀ ପୁଣି ନିର୍ଜୀବ, ଅସାଡ଼ ଶବଟିଏ ପରି ପଡ଼ିରହିଛି । ସାରା ମୁହଁ କ୍ଷତବିକ୍ଷତ । ଓଠ ଦୁଇଟି ଫୁଲିଯାଇଛି । ଗାଲ ଉପରେ ଦୁଇ ଚାରିଟା ଜାଗାରେ ଦାନ୍ତର ଚିହ୍ନ ଏବେ ବି ସ୍ପଷ୍ଟ । ଗୋଟିଏ ଗାଲରେ ତିନି ଚାରିଟା ଆଙ୍ଗୁଳିର ଦାଗ । କପାଳ ପାଖରେ ସାମାନ୍ୟ କଟିଯାଇଛି । ଗୋଟାଏ ଗୋଲାପ ଫୁଲକୁ କିଏ ଯେମିତି ଦଳି ଚକଟି ଫୋପାଡ଼ିଦେଇଛି । ତା’ର ସୁନ୍ଦର ଗୋଲଗାଲ ମୁହଁଟି ବିକୃତ ହୋଇ ଭୟଙ୍କର ଦିଶୁଛି; କିନ୍ତୁ ସମସ୍ତ ଆଘାତ ସତ୍ତ୍ୱେ ବି ଏକ ଅଦ୍ଭୁତ ଆକର୍ଷଣ ଯେମିତି ତା’ର ସାରା ମୁହଁକୁ ଉଜ୍ଜ୍ୱଳ ଆଭାରେ ବିଭୂଷିତ କରିରଖିଛି ।

 

ନିଃଶ୍ଵାସର ଗତି ବହୁତ ଧୀର । ଜଣାପଡ଼ୁନି ନିଃଶ୍ଵାସ ପ୍ରଶ୍ଵାସ ଚାଲୁଛି କି ନାହିଁ । ଦେହ, ହାତ ସ୍ଥିର ନିସ୍ପନ୍ଦ । ତା’ ମୁହଁକୁ ଥରକପାଇଁ ଚାହିଁଦେଇ ପୁଣି ଥରେ ଏକ ବିକଳ କନ୍ଦଣାରେ ଭାଙ୍ଗିପଡ଼ିଲେ ଏକାଉଣ୍ଟେଣ୍ଟ ଦୀନବନ୍ଧୁବାବୁ । କାନ୍ଥ ଉପରେ ମୁହଁ ରଖି କୋହ ଉପରେ କୋହକୁ ଚାପି ରଖିବାର ବିଫଳ ପ୍ରଚେଷ୍ଟାରେ ସେ ଲଥ୍ କରି ତଳେ ବସିପଡ଼ିଲେ ।

 

ସଢ଼ୁ ପ୍ରିୟନାଥବାବୁ ଦୀନବନ୍ଧୁଙ୍କୁ ତଳୁ ଉଠେଇନେଇ କାନ୍ଧରେ ଆଉଜାଇ ବୁଝାଇବାକୁ ଲାଗିଲେ, ‘‘ଏମିତି ଅଧୈର୍ଯ୍ୟ ହେଲେ ଚଳିବ ! ଧୈର୍ଯ୍ୟ ଧର । ତମେ ଯେବେ ଏମିତି ଭାଙ୍ଗିପଡ଼ିବ, ତେବେ ଅପାକୁ ବୁଝେଇବ କିଏ ? ମୀନୁକୁ ବୁଝେଇବ କିଏ ? ପିଲାମାନେ ଅଛନ୍ତି । ଧୈର୍ଯ୍ୟ ଧର-।”

 

ଦୀନବନ୍ଧୁଙ୍କ ମୁହଁରୁ କେବେଳ ଅସ୍ପଷ୍ଟ କାନ୍ଦଣାର ଶବ୍ଦ ଛଡ଼ା କିଛି ବାହାରୁ ନଥାଏ । ଗୁଳିବିଦ୍ଧ ପଶୁପରି ସେ କେବଳ କେତେଗୁଡ଼ାଏ ବିକୃତ ଯନ୍ତ୍ରଣାକାତର ଶବ୍ଦ କରୁଥାନ୍ତି ମାତ୍ର । ଏତିକିବେଳେ କେବିନ୍ କବାଟ ପାଖରେ ଠକ୍ ଠକ୍ ଶବ୍ଦ ଶୁଭିଲା । ଦୀନବନ୍ଧୁବାବୁ ଲୁହ ପୋଛି ପୋଛି କ’ଣକୁ ଚାଲିଗଲେ । ପ୍ରିୟନାଥ କବାଟ ଖୋଲିଲେ । ପଶିଆସିଲେ ସାଦା ପୋଷାକ-ପରିହିତ ପୁଲିସ୍ ଇନ୍‌ସ୍ପେକ୍ଟର ଅଜିତ ଦାସ । ଇସାରାରେ ଦୀନବନ୍ଧୁବାବୁଙ୍କୁ ପାଖକୁ ଡାକି ତିନିଜଣଯାକ ଗୋଟିଏ କ’ଣକୁ ଚାଲିଗଲେ । ଫିସ୍‌ଫିସ୍ କରି କହିଲେ ଅଜିତବାବୁ, ‘‘ଦେଖନ୍ତୁ ଦିନବନ୍ଧୁବାବୁ, ଆପଣ କ’ଣ ଠିକ୍ କଲେ ଶୀଘ୍ର କହନ୍ତୁ । ଉପରୁ ବହୁତ ପ୍ରେସର୍ ଆସିଲାଣି କେଶ୍‌ଟିକୁ ଉଡ଼େଇଦେବାକୁ । ହେଲେ ସେ ଟୋକା ସବ୍‌ଇନସ୍ପେକ୍କ୍ଟର ଖଣ୍ଡକ ଡାଏରୀରେ ଏଣ୍ଟ୍ରି କରିସାରିଲାଣି । ଏଣେ ଡାକ୍ତରଙ୍କ ରିପୋଟ୍ । ଏ ଡାକ୍ତର ଖଣ୍ଡକ ବି ଏକଜିଦିଆ । ସେ ବି ସେମିତି ରିପୋଟ୍ ଲେଖିସାରିଲାଣି । କାଳେ ଉପରୁ ଚାପ ଆସିବ, ତା’ ଆଗରୁ ସେ ରିପୋଟ୍ ଦେଇପାରେ-। ଆପଣ ମୋ ନିଜ ଲୋକ । ଯେତେ ଯାହା ପ୍ରେସର୍‍ ଆସୁ, ଆପଣ ଯଦି କେଶ୍ ଲଢ଼ିବାକୁ ଚାହାନ୍ତି, ତେବେ ମୋତେ କହନ୍ତୁ ମୁଁ ସେଇ ଅନୁସାରେ ବ୍ୟବସ୍ଥା କରିବି ।”

 

ଦୀନବନ୍ଧୁ ଚୁପ୍‌ଚାପ୍ ଛିଡ଼ାହୋଇ ରହିଛନ୍ତି । ମୁହଁରୁ ତାଙ୍କର କଥା ବାହାରୁ ନାହିଁ । କହିଲେ, ‘‘କୁଳକୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସିଯାଉଛି । ଝିଅଟିର ଭବିଷ୍ୟତ ଅଛି । ଅନ୍ୟାନ୍ୟ ପୁଅ ଝିଅଙ୍କ ଭବିଷ୍ୟତ ଅଛି । ଲଜ୍ଜା ଅପମାନର ସୀମା ନାହିଁ । ଖବରକାଗଜରେ ବାହାରିବ । ସମସ୍ତେ ଜାଣିବେ । ରେପ୍ କେଶ୍‌ର ମୁଖରୋଚକ କାହାଣୀ କେଉଁ ସମ୍ବାଦିକ ବା ସମ୍ବାଦପତ୍ର ବାଦ୍ ଦେବ । ଯେତେ ବେଶୀ ସୁସ୍ଵାଦୁ ଓ କଳ୍ପନାମିଶ୍ରିତ ରଙ୍ଗିନ୍‍ଭାବରେ ଏହା ପ୍ରଚାରିତ ହୋଇପାରିବ, ସେତିକି ସେ ଖବରକାଗଜର କାଟ୍‌ତି ହେବ । ଏମିତି ଏକ କାହାଣୀ ପାଇଁ ତ ସମଗ୍ର ଜନତା ଉନ୍ମୁଖ; କିନ୍ତୁ ତା’ ଭିତରେ ଯେ ଜଣେ ନାରୀର ସମସ୍ତ ଜୀବନ ଓ ତା’ ସହିତ ତା’ର ପରିବାରର ସମସ୍ତ ଲଜ୍ଜା, ମାନ ଯେ ଧୂଳିସାତ୍ ହୋଇଯାଏ, ଏ ଖବର କିଏ ରଖେ । କିଏ ବୁଝେ ? କ’ଣ ସେ କରିବେ ? କିନ୍ତୁ ଏତେ ବଡ଼ ଗୋଟାଏ ଅନ୍ୟାୟ ଓ ଅତ୍ୟାଚାରର କ୍ଷତକୁ କ’ଣ ସେ ଭୁଳିଯିବେ ? ବିନା ବିଚାରରେ, ବିନା ପ୍ରତିବାଦରେ ସେ ଏ ଅନ୍ୟାୟକୁ ମୁଣ୍ଡପୋତି ସହ୍ୟ କରିଯିବେ ? ତାଙ୍କର ଝିଅ ପ୍ରତି କୋଉଟା କର୍ତ୍ତବ୍ୟ ? ତା’ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ ନା ତା’ର ଭବିଷ୍ୟତ ପାଇଁ ଏ ଅନ୍ୟାୟକୁ ମୁଣ୍ଡପାତି ସହିଯିବା ।

 

ସେ ଦୁଇହାତରେ ମୁଣ୍ଡକୁ ଚିପିଧରି କହିଲେ, ‘‘ଅଜିତବାବୁ ! ମୁଁ କିଛି ଚିନ୍ତା କରିପାରୁନାହିଁ । ମୁଁ ପାଗଳ ହୋଇଯିବି ବୋଧେ । ଆପଣମାନେ ଯାହା ଉଚିତ ଭାବୁଛନ୍ତି, ସେଇଆ କରନ୍ତୁ ।”

 

ପ୍ରିୟନାଥବାବୁ ଏତିକିବେଳକୁ ମୁହଁ ଖୋଲିଲେ, ‘‘ଦେଖ ଦୀନୁଭାଇ, ତମେ ଏମିତି ପାଗଳଙ୍କ ପରି ହେଲେ ଚଳିବନାହିଁ । ଝିଅର ବାପା ତମେ । ଯେତେ କଷ୍ଟ ହେଲେ ବି ଏ ଡିସିସନ୍ ତମକୁ ହିଁ ନେବାକୁ ପଡ଼ିବ । ୟାର ନିଷ୍ପତ୍ତି ଆମେ କେମିତି କରିବୁ ?”

 

“ତେବେ କ’ଣ କହୁଛ ଯେ ତମେ ?”

 

“ତମେ ତମ ଅବସ୍ଥାଟା ବିଚାରକରି ଦେଖ । ଅଜିତବାବୁ ପାଖରୁ ଶୁଣିଲଟି ସବୁ ବଡ଼ ବଡ଼ ଲୋକର ପୁଅମାନେ ଏଥିରେ ସଂଶ୍ଳିଷ୍ଟ । ଶାସନର ସର୍ବମୟ କର୍ତ୍ତା, ପାର୍ଟିର ସର୍ବୋଚ୍ଚ କର୍ତ୍ତା ପ୍ରଭୃତି ଏଥିରେ ଜଡ଼ିତ । ତମେ ହେଲ ଜଣେ ତଳିଆ କର୍ମଚାରୀ । ତମେ ତାଙ୍କ ସାଙ୍ଗରେ କେଶରେ ପାରିବ ? ତମର ଟଙ୍କା ଅଛି ? ପୁଲିସ୍‍, ଡାକ୍ତର ସବୁ ତାଙ୍କରି ହାତରେ । କାଲି ସକାଳେ ଦେଖିବ ଯୋଉ ସବ୍‌ଇନସ୍ପେକ୍କ୍ଟର, ଯୋଉ ଡାକ୍ତର, ଏବେ ଏକଥା ଲେଖିଛନ୍ତି, ସେଇମାନେ ହିଁ ତାଙ୍କର ରିପୋଟ୍ ଓଲଟାଇଦେବେ । ତମରି ବିରୁଦ୍ଧରେ ସାକ୍ଷୀ ଦେବେ । ପାରିବ ସେମାନଙ୍କ ସାଙ୍ଗରେ ଲଢ଼ି ? ତା’ପରେ ତମ ଉପରେ ସେମାନଙ୍କର ଆକ୍ରୋଶ ରହିବ । କାଲି ଏଇଠି, ପଅରଦିନ ସେଇଠିକୁ ତୁମକୁ ବଦଳି କରିବେ । ହଇରାଣ କରିବେ । ମିଛରେ ଭିଜିଲାନ୍‌ସ ଲଗାଇବେ । ଏ ଯନ୍ତ୍ରଣାଠୁ ସେ ଯନ୍ତ୍ରଣା ବଳିଯିବ ।

 

ତା’ପରେ ପୁଣି ଝିଅର ଭବିଷ୍ୟତ ଅଛି । ଏକଥା ଲୋକେ ପୁଣି ଭୁଲିଯିବେ । ସେତେବେଳକୁ ଝିଅଟିକୁ ବାହା ଦେଇଦେଲେ ତମର ଛୁଟି; କିନ୍ତୁ କେଶ୍ କଲେ କ’ଣ କଥା ଏବେ ଛିଡ଼ିବ । ସବୁଦିନ ଖବରକାଗଜରେ ବାହାରିବ । ଲୋକେ ଆଉ ଭୁଲିବେନାହିଁ । ଚିରଦିନ ପାଇଁ ଝିଅଟି ଅଭିଆଡ଼ୀ ରହିଯିବ । ତମର ଆହୁରି ଦୁଇ ଦୁଇଟା ବଢ଼ିଲା ଝିଅ ଘରେ । ସେମାନଙ୍କ ଅବସ୍ଥା ଟିକେ ଭବିଛ ? ଏ କଳଙ୍କ କଥା ଶୁଣି ଆଉ କୋଉ ବର ସେମାନଙ୍କୁ ଯୁଟିବ ? ସମସ୍ତଙ୍କ ଭବିଷ୍ୟତ କଥା ବିଚାର କର । ଭଲ କରି ଭାବ । ବନ୍ଧୁ କୁଟୁମ୍ବଙ୍କ ମାନ-ସମ୍ମାନକୁ ପାଣିରେ ପକେଇ କି ଲାଭ ପାଇବ ? ତା’ଛଡ଼ା ଦେଖିବ–ଏଇନେ କେତେ ଲୋକ ତମ ପାଖକୁ ଆସିବେ । କେତେ ଭାବରେ ତମ ଉପରେ ଚାପ ପକେଇବେ । ସବୁକୁ ତମେ ସମ୍ଭାଳିପାରିବଟି ? ମୋ କହିବା କଥା ହେଉଛି, ଯାହା ଘଟିବାର କଥା ଘଟିଯାଇଛି–ତାକୁ ଭୁଲିଯାଅ । ଗରିବ ମାଇପେ ତ ସବୁରିଙ୍କ ଶାଳୀ । ମାନେ ମାନେ ଚୁପ୍‌ଚାପ୍ ରହିଯିବା ଭଲ । କୁଳରକ୍ଷା ହେବ–ଚାକିରି ରକ୍ଷା ବି ହେବ ।”

 

ଏଇସବୁ ଦୃଢ଼ ଯୁକ୍ତିରେ ଦୀନବନ୍ଧୁଙ୍କ ମନ ଟିକିଏ ଚହଲିଗଲା । ତଥାପି ସେ ଚିତ୍କାରି ଉଠିଲେ, ‘‘ବୁଝିଲ ଅଜିତବାବୁ, ସେ ଶଳା ରାକ୍ଷସମାନଙ୍କୁ ସାମ୍ନାରେ ପାଇଲେ ତଣ୍ଟି ଚିପି ରକ୍ତ ପିଇଯିବି । ଖଣ୍ଡ ଖଣ୍ଡ କରି ହାଣିପକେଇବି । ଯାହାହେଉ ପଛେ–ମୋ କୁଳ ଭାସିଯାଉ ପଛେ–ମୁଁ ମୁଁ ମୁଁ... ‘‘କ୍ରୋଧ, ଉତ୍ତେଜନାରେ ପଚାଶ ବର୍ଷ ବୟସ୍କ ଦୀନବନ୍ଧୁଙ୍କ ଦେହ ଇସ୍ପାତ୍ ପରି ଟାଣ ହୋଇଉଠିଲା ।’’

 

ଅଜିତବାବୁ ଧରିପକେଇ କହିଲେ, ‘‘ଆସ୍ତେ, ଆସ୍ତେ ଦୀନବନ୍ଧୁବାବୁ ! ଏତେ ଉତ୍ତେଜିତ ହେଲେ ଚଳିବ । ମୋତେ କ’ଣ ସେମିତି ଲାଗୁନାହିଁ । ମୋ ହାତରେ ପଡ଼ିଥିଲେ ସେ ଶଳାଙ୍କର ଗୋଡ଼ହାତ ଛୋଟା କରିଦେଇ ନଥାନ୍ତି ମୁଁ; କିନ୍ତୁ କ’ଣ କରିବା କୁହନ୍ତୁ ? ନିଜେ ଭାଙ୍ଗି ଚୂରି ଖଣ୍ଡଖଣ୍ଡ ହୋଇଯିବା ସିନା, ତାଙ୍କର କିଛି କରିପାରିବା ନାହିଁ । ଏସବୁ ନିଷ୍ଫଳ ରାଗ । କିଛି ବୋଲି କିଛି ଶକ୍ତି ନାହିଁ ଆମର । ଆଦିବାସୀଟିଏ ହୋଇଥିଲେ ସେ ଏତେବେଳକୁ ସେମାନଙ୍କୁ ଦି’ଗଡ଼ କରି ହାଣି କଟାମୁଣ୍ଡ ଧରି ମୋ ପାଖରେ ପହଞ୍ଚି ସାରନ୍ତାଣି; କିନ୍ତୁ ଆମେ ସେ କଥା କରିପାରିବାନି । ଆମର ସେତିକି ଶକ୍ତି ନାହିଁ । ଆମେ ଖାଲି କୁହୁଳି କୁହୁଳି ଭିତରେ ଭିତରେ ଜଳିପୋଡ଼ି ମରିବା ସିନା, ହୁତ୍ କରି ଜଳିପାରିବା ନାହିଁ । ଆମର ତେଜ ମରିଯାଇଛି, ଯୋଉଦିନୁ ଚାକିରି ଖୁଣ୍ଟରେ ବେକ ବନ୍ଧା ହୋଇଯାଇଛି । ସର୍କସ-ବାଘ ଆମେମାନେ । କୁଳ, ମାନମର୍ଯ୍ୟାଦାର ଓଳିଆ ଭିତରେ ସନ୍ଧି ହୋଇ ରହିଥିବା ମଧ୍ୟବିତ୍ତ ପରିବାର ଆମେ–ଏ କୁଳର ନୁହେଁ କି ସେ କୁଳର ନୁହେଁ । ଛାଡ଼ ସେ କଥା ।

 

ପ୍ରିୟନାଥବାବୁ ଯୋଉ କଥା କହିଲେ ସେ କଥା ମୋ ମନକୁ ପାଇଲା । ଯାହା ସାଙ୍ଗରେ ଲଢ଼ି ପାରିବାନାହିଁ, ତାଙ୍କ ସାଙ୍ଗରେ ଲଢ଼ିବା ଫଳ କ’ଣ ? ପୁଣି ପାଣି ଭିତରେ ଘର କରି କୁମ୍ଭୀରଙ୍କ ସାଙ୍ଗେ କଳି । ସବୁକଥା ଭୁଲିଯାଆନ୍ତୁ । ସହିଯାଆନ୍ତୁ । ଏମିତି କେତେ କଥା ମୁଁ ଦେଖିଲିଣି ମୋ ପଚିଶବର୍ଷ କାଳ ଚାକିରି ଭିତରେ । କେତେ ବଡ଼ବଡ଼ିଆ ଦଣ୍ଡ ପାଆନ୍ତି ହୋ । ଆମେ ଜାଣିନୁ ? ଧର୍ମ ନାହିଁ, ଠାକୁର ନାହିଁ, ଭଗବାନ ନାହିଁ । ପଇସା ଯୋଉଠି, ପ୍ରତିପତ୍ତି ଯୋଉଠି–ଧର୍ମ, ଠାକୁର ଭଗବାନ ସବୁ ସେଇଠି । ହେଉ ହେଲା ତେବେ, ମୁଁ କେଶ୍‌ଟାକୁ ଚାପିଦେଉଛି । ଅବଶ୍ୟ ଏତେ ସହଜରେ ନୁହେଁ । ଶଳାଙ୍କୁ ଟିକେ ନ ଖେଳାଇ ଛାଡ଼ୁନି । କ’ଣ କହୁଛ ପ୍ରିୟନାଥବାବୁ ?”

 

ପ୍ରିୟନାଥ କହିଲେ, ‘‘କ’ଣ କହୁଛ ଦୀନୁ ଭାଇ ? ଅଜିତବାବୁଙ୍କ କଥା ଶୁଣିଲଟି ? ସେ ହେଲେ ପୁରୁଣା ପୋଲିସ୍‍ ଲୋକ । ସବୁ କଥା ଜାଣନ୍ତି । ଆମେ ଅବା କ’ଣ ଜାଣୁ ? ସେ ଯାହା ବିଚାର କରି ରାୟ ଦେଉଛନ୍ତି, ସେଇକଥା କରିବା, କ’ଣ କହୁଛ ?”

 

ଦୀନବନ୍ଧୁ ବହୁତ ସମୟ ଧରି ନିରୁତ୍ତର ରହି ଶେଷକୁ ମୁଣ୍ଡ ଟୁଙ୍ଗାରି ଦେଲେ । ଠିକ୍ ଏତିକିବେଳକୁ ଦରଜାରେ ପୁଣି ଠକ୍‌ଠକ୍ ଶବ୍ଦ ହେଲା । ପ୍ରିୟନାଥ କବାଟ ଖୋଲିଲେ ।

 

“ଦୀନବନ୍ଧୁବାବୁ ଅଛନ୍ତି ?”

 

“ହଁ, କାହିଁକି ?”

 

“ଡାଇରେକ୍ଟର ସାହେବ ଆସିଛନ୍ତି । ତଳେ ଗାଡ଼ିରେ ଅପେକ୍ଷା କରିଛନ୍ତି । ତାଙ୍କୁ କୁହନ୍ତୁ ସେ ଯାଇ ଦେଖାକରିବେ ।”

 

ଅଜିତବାବୁ ଗୋଟାଏ ବିଜ୍ଞ ହସ ହସି କହିଲେ, ‘‘ହେଲା ତ ? ଦେଖିଲେ ତ ଦୀନବନ୍ଧୁବାବୁ ? ମୋ ମୁହଁରୁ କଥା ସରିନାହିଁ, କେମିତି ଆରମ୍ଭ ହୋଇଗଲାଣି । ଇଏ ତ ଡାଇରେକ୍ଟର, ପୁଣି ଦେଖିବେ ଆପଣଙ୍କ ଡେପୁଟି ସେକ୍ରେଟାରୀ, ସେକ୍ରେଟାରୀ, ମନ୍ତ୍ରୀଙ୍କ ପି.ଏ., ଏମ୍.ଏଲ୍.ଏ., ମନ୍ତ୍ରୀ, ସମସ୍ତଙ୍କ ପାଖରୁ ଥରେ ଥରେ ଡାକରା ଆସିବ । ଇଏ ତ ଅୟମାରମ୍ଭ ମାତ୍ର; କିନ୍ତୁ, ହେଇଟି ଗୋଟିଏ କଥା । ପ୍ରଥମରୁ ଜମା ଦବିଯିବେ ନାହିଁଟି । ନ ହେଲେ ଶଳେ ଏକାବେଳେ ଖସିଯିବେ । ବଡ଼ ମାଛ । ସୂତା ଟିକେ ବେଶିକରି ଛାଡ଼ିବେ । ହଇଓ, ପ୍ରିୟନାଥବାବୁ, ଯାଉନା ତାଙ୍କ ସାଙ୍ଗରେ । ସେ ତ ନିର୍ମାୟା ଲୋକ । କେତେବେଳେ କାହାକୁ କ’ଣ କହିଦେବେ ତ, ପୁଣି ଏକାବେଳକେ ନରମ ହୋଇଯିବେ । ତାଙ୍କୁ ଜମା ଏକୁଟିଆ ଛାଡ଼ିବେ ନାହିଁ କୋଉଠିକୁ । ହେଇଟି, ଦୀନବନ୍ଧୁବାବୁ, ଏମିତି ଅବସ୍ଥାରେ କେବେ ଆପଣ ଏକୁଟିଆ ଯିବେନାହିଁ । ନ ହେଲେ, ଜାଣିନାହାନ୍ତି ଏମାନଙ୍କୁ । କଥାରେ କଥାରେ ଗୋଟାପଣ ଗିଳିଯିବେ ଆପଣଙ୍କୁ । ହଉ, ନମସ୍କାର ।

 

ଅଜିତ ଦାସ କେବିନ୍ କବାଟ ଖୋଲି ସନ୍ତର୍ପଣରେ ଅନ୍ୟ ବାଟଦେଇ ଚାଲିଗଲେ । ଦୀନବନ୍ଧୁ ଓ ପ୍ରିୟନାଥ ଓହ୍ଲାଇ ଆସି ଆଗେଇଗଲେ ରାସ୍ତା ଉପରେ ପାର୍କ କରି ରହିଥିବା ଧଳା ଫିଆଟ୍ କାର୍ ଆଡ଼କୁ ।

 

ପ୍ରାୟ ଦିନ ଦୁଇଟା ବେଳକୁ ମୀନାକ୍ଷୀର ଚେତା ଫେରିଲା । ଇଞ୍ଜେକ୍‌ସନ ଓ ପିଲ୍‌ର ପ୍ରଭାବରେ ଦେହର ଯନ୍ତ୍ରଣା ବହୁତ ଊଣା ହୋଇଯାଇଛି । ନିଜକୁ ଟିକିଏ ହାଲୁକା ମନେକରୁଛି ସେ-। ସକାଳର ସେ ଛଟପଟ ଭାବଟା ଆଉ ନାହିଁ । ସେ ଶାନ୍ତ ହୋଇଯାଇଛି । ପୁଣି ଥରେ ସେ ଆଖି ମେଲି ଚାରିଆଡ଼କୁ ଚାହିଁଲା । ଝରକା ଉପରେ କିଏ ପର୍ଦ୍ଦା ଟାଣିଦେଇ ଯାଇଛି । ପର୍ଦ୍ଦା ଓ ଝରକା ଫାଙ୍କ ଭିତର ଦେଇ ଦେଖାଯାଉଛି ଦୋତାଲା କାନ୍ଥର ଫାଳେ । ସେଇଠି ଅପରାହ୍‌ଣର ଆଲୋକ ପ୍ରତିଫଳିତ ହୋଇଛି । ସେ ପାଖରେ କିଏ ଜଣେ ଶାଢ଼ି ଶୁଖେଇଛି । ନାଲି ନାଲି ଫୁଲଥିବା ଶାଢ଼ିଟିଏ । ଟେଲିଫୋନ ତା’ର ଦେଖାଯାଉନି । ସକାଳର ଚଢ଼େଇଗୁଡ଼ାକ କେଉଁଆଡ଼େ ଉଡ଼ିଗଲେଣି । ଚାରିଆଡ଼ ଖାଁ ଖାଁ ଲାଗୁଛି । ଅଦ୍ଭୁତ ଭାବରେ ନିର୍ଜ୍ଜନ ଓ ନିସ୍ତବ୍‌ଧ ।

 

ସେ ପୁଣି ଥରେ ତା’ କୋଠରିର ଚାରିକାନ୍ଥ ଓ ଖଟ ଉପରେ ଆଖି ବୁଲେଇ ଆଣିଲା । ଯଦିଓ ଯନ୍ତ୍ରଣା କମିଯାଇଛି, ଦେହଟା ପଥର ପରି ଓଜନିଆ ଓଜନିଆ ଲାଗୁଛି । ଇଚ୍ଛାକରି ବି ଗୋଡ଼ ଟେକି ହେଉନି । ହାତ ବୁଲେଇ ହେଉନି ।

 

ସେ ଧୀରେ ଧୀରେ ମନେପକେଇବାକୁ ଚେଷ୍ଟାକଲା ଘଟଣାଗୁଡ଼ିକୁ । କେବେକାର ଘଟଣା ? କାଲିର ? ପଅର ଦିନର ? ନା କେଉଁ ଅନନ୍ତ ଯୁଗ ଆଗରୁ ଘଟିବାର ଘଟଣା ? ମନେପଡ଼ୁନି । ଆଜି କି ବାର ? କି ତାରିଖ ? କୋଉ ବର୍ଷ ? କିନ୍ତୁ ସେଦିନ ଘଟଣାଟି ଘଟିଥିଲା ଠିକ୍ ରାତି ନଅଟା ପଇଁଚାଳିଶ ମିନିଟରେ । ଶେଷ କ୍ଲାସ୍‌ଟା ସାରୁ ସାରୁ ଟିକିଏ ରାତି ହୋଇଗଲା । ସେ କ୍ଲାସ୍ ସାରି ତରତର ହୋଇ ଫେରିଆସି କଲେଜ ଗେଟ୍ ପାଖରେ ଛିଡ଼ାହୋଇ ରିକ୍‌ସା ଖୋଜୁଛି, ଏତିକିବେଳେ ହଠାତ୍ କାହାର ବଳିଷ୍ଠ ହାତ ତା’ର ପାଟି ଉପରେ ଚାପିହୋଇଗଲା । ସେ କିଛି ବୁଝିବା ଆଗରୁ ଦେଖିପାରିଲା ଗେଟ୍ ସେପାଖରେ ଥୁଆହୋଇଛି ଗୋଟିଏ କାର୍ । ବୁଝିସାରି ଧସ୍ତାଧସ୍ତି କରିବା ଆରମ୍ଭ କଲାବେଳକୁ କାର୍ ଭୁବନେଶ୍ଵର ସହର ସୀମା ଟପିସାରିଥିଲା । ତା’ପରେ ସେଇ ଅନ୍ଧାର ଭିତରେ ଟଣାଓଟରା, ଚିତ୍କାର, ପୁଣି ତଳେ ପଡ଼ିଯିବାର ଶବ୍ଦ । ଚାରିଜଣ ବଳିଷ୍ଠ ପୁରୁଷ, ତା’ର ହାତଗୋଡ଼ ଜାକି ଧରି ବସିଥା’ନ୍ତି । ଗାଲମୁଣ୍ଡାରେ ଗୋଟାଏ ପ୍ରଚଣ୍ଡ ଚଟକଣା ଖାଇସାରିଲା ପରେ ଆଉ ବିଶେଷ ଜ୍ଞାନ ରହିନଥିଲା । ସେ ନିର୍ଜୀବ ହୋଇ ପଡ଼ିଥାଏ ଚାରିକାତ ମେଲାଇ । ସେଇ ଅନ୍ଧାର ତାରାଭରା ରାତ୍ରିରେ ସେ କେବେଳ ଶୁଣୁଥାଏ ଫର୍‌ଫାର୍ ଶାଢ଼ି ଚିରାର ଶବ୍ଦ, ଫଟ୍‌ଫାଟ୍ ଶାୟା ଦଉଡ଼ି ଛିଣ୍ଡିବାର ଶବ୍ଦ, ଚର୍‌ଚାର୍ ବ୍ଲାଉଜ୍ ଓ ବ୍ରା ଖୋଲିବାର ଶବ୍ଦ । ତା’ପରେ ସେ ପ୍ରଥମଥର ପାଇଁ ଦେଖିଲା ଦୁଇଟି ଜ୍ଵଳନ୍ତ ଚକ୍ଷୁ–ରାତିର ଅନ୍ଧକାରରେ ସେ ବାଘର ଆଖି ଦେଖିନି; କିନ୍ତୁ ମନେହେଲା ସତେ ଯେମିତି କି ମହାବଳ ବାଘ ତାକୁ ମାଡ଼ିବସି ଖୁମ୍ପି ଖାମ୍ପି, ଝୁଣିଝାଣି ତା’ର ମାଂସ ଖାଉଛି, ତା’ର ରକ୍ତ ଶୋଷୁଛି । ତା’ପରେ ଯେମିତି ଜଣେ କିଏ ଗୋଟାଏ ତପ୍ତ ଲୁହାର ଶଳାକା ତା’ ତଳିପେଟ ପାଖରେ ଫୋଡ଼ିଦେଇଗଲା ଖୁବ୍ ଜୋରରେ । ସେତିକିବେଳେ ସେ ଥରକ ପାଇଁ ଚିତ୍କାର କରି ରହିଯାଇଥିଲା ସେମିତି । ବିସ୍ଫାରିତ ନୟନରେ । ତା’ପରେ ତା’ର କିଛି ମନେ ନାହିଁ । ସେ ପଡ଼ି ରହିଥାଏ ନିର୍ଜୀବ, ନିଃସାଡ଼, ନିସ୍ପନ୍ଦ ଭାବରେ । ତା’ପରେ ତା’ର ଆଖି ବୁଜି ହୋଇଗଲା । ସେ ବୁଡ଼ିଗଲା ଏକ ଗଭୀର ଅନ୍ଧକାରର ସୁଡ଼ଙ୍ଗ ଭିତରେ–ସେ ଖାଲି ଖସୁଥାଏ, ତଳକୁ ତଳକୁ ତଳକୁ...

ହଠାତ୍ ଏକ ବିସ୍ଫୋରଣ ପରି ସେଇ ଯନ୍ତ୍ରଣାଦାୟକ ଅନୁଭୂତି ତା’ ଦେହରେ ପ୍ରତ୍ୟେକ ଅଣୁକଣାରେ ବିସ୍ପୋରିତ ହୋଇଉଠିଲା । ଅସହ୍ୟ ବେଦନାବୋଧ ଓ ଯନ୍ତ୍ରଣାରେ ତା’ ଦେହ ଥରିଉଠିଲା । ତଳିପାରୁ ଯେମିତି ସମସ୍ତ ରକ୍ତସ୍ରୋତ ହଠାତ୍ ଉଜାଣି ଯମୁନାପରି ତା’ର ତାଳୁ ଉପରକୁ ବହିଆସିଲା ଏକ ତୀବ୍ର ବେଗରେ । ସେଇ ଜୁଆରର ଢେଉରେ ତା’ର ଦୁଇଟି ଗଭୀର ଆଖିର ମୁହାଣ ଚଞ୍ଚଳ ହୋଇଉଠିଲା ଲୁହର ଅବିଶ୍ରାନ୍ତ ବହମାନ ଧାରାରେ । ସେ ନିଃଶବ୍ଦରେ ପଡ଼ିରହିଥାଏ ସେଇପରି । ଅବିଶ୍ରାନ୍ତ ଭାବରେ ବହୁଥାଏ ଲୁହର ଧାରା । ଦୁଇ ଆଖିର ବନ୍ଧ ଭାଙ୍ଗି ପ୍ରବଳ ବନ୍ୟାର ସ୍ରୋତ ତା’ର ଗଣ୍ଡଦେଶର ପ୍ରାନ୍ତର ପ୍ଳାବିତ କରି ତକିଆ ବିଛଣାର ଜନପଦକୁ କେତେବେଳେ ଯେ ଉବୁଟୁବୁ କରିଦେଇଛି ତା’ର ଖିଆଲ ନାହିଁ ।

କେତେବେଳ ଏମିତି କଟିଛି ସେ ଜାଣେନା । ପୁଣି ଥରେ ସେ ମେଲି ଚାହିଁଲାବେଳକୁ ସେ ଶାନ୍ତ ହୋଇଆସିଲାଣି । ଲୁହର ବଦଳରେ ଯେମିତି ସାରା ଦେହରୁ ନିଆଁର ଅସହ୍ୟ ଉତ୍ତାପ ଉଠୁଛି । ପ୍ରଚଣ୍ଡ ନିଆଁରେ ତା’ର ଦେହ, ତା’ ବିଛଣା, ଖଟ, କାନ୍ଥ, ଘର ସବୁ ଯେମିତି ଜଳୁଛି ହୁତ୍‌ହୁତ୍ ହୋଇ । ତଥାପି ସେ ପଡ଼ିରହିଥାଏ ବିଛଣାରେ । ଯାଉ ଜଳିଯାଉ, ପୋଡ଼ିଯାଉ, ସବୁ ଧ୍ଵଂସ ହୋଇଯାଉ; କିନ୍ତୁ ସେଇ ନିଆଁ ଭିତରେ ଜଳିବା ଅବସ୍ଥାରେ ସେ ଅନୁଭବ କରୁଥାଏ ଏତେ ଜ୍ଵଳନ, ଏତେ ଉତ୍ତାପ ସତ୍ତ୍ୱେ ବି ତା’ର କିଛି ଗୋଟାଏ ଅଂଶ ଯେପରି ଜଳୁନାହିଁ । ପ୍ରଖର ନିଆଁର ଉତ୍ତାପରେ ସେ ଯେପରି ଆହୁରି ବେଶୀ ଝଟକିଉଠୁଛି–ଉଜ୍ଜ୍ୱଳ, ତୀକ୍ଷ୍ଣ ଲାଲ ବର୍ଣ୍ଣରେ । ସେ ତାକୁ ଜାଣିପାରୁନାହିଁ, ବୁଝିପାରୁନାହିଁ; ଅଥଚ ତାକୁ ଅସ୍ଵୀକାର କରିପାରୁନାହିଁ । ସେଇ ରକ୍ତବର୍ଣ୍ଣର ଉଜ୍ଜ୍ୱଳ ଆଲୋକ ଯେମିତି ତା’ର ଦେହ ଭିତରେ ଧୀରେ ଧୀରେ ପ୍ରବେଶ କରି ତା’ର ଜ୍ଵଳନ୍ତ ଜୀବକୋଷଗୁଡ଼ିକ ଶୀତଳ ଜଳ ସିଞ୍ଚନ କରି ଆଣିଦେଉଛି ଏକ ଗଭୀର ପ୍ରଶାନ୍ତି ।

ସେ ଏଥର ଗଭୀର ଶାନ୍ତିରେ ନିଃଶ୍ଵାସ ନେଇ ଆଉଥରେ ଚାରିଆଡ଼କୁ ଚାହିଁଲା । ଗୋଧୂଳିର ଆଲୋକ କେତେବେଳୁ ଅନ୍ଧାର ଭିତରେ ଆତ୍ମଗୋପନ କରିବାକୁ ଚେଷ୍ଟା ଆରମ୍ଭ କଲାଣି । ଏତିକିବେଳେ ସେ ଅନୁଭବ କଲା କିଏ ଯେମିତି ତା’ ପାଖରେ ବସିଛି । ସେ ଆସ୍ତେ କରି ମୁହଁ ଫେରେଇ ଦେଖିଲା ବନ ମାଉସୀ ତା’ ମୁଣ୍ଡ ପାଖରେ ଇଜିଚେୟାରରେ ଶୋଇପଡ଼ିଛନ୍ତି । ସେ ଧୀରେ ଧୀରେ ଡାକିଲା, ‘‘ମାଉସୀ, ମାଉସୀ !” ବନ ମାଉସୀ ଚମକି ପଡ଼ି ଉଠିବସିଲେ–“କ’ଣ ହେଲା ମା’ ? କଷ୍ଟ ଲାଗୁଛି ?”

“ନା ମାଉସୀ, ପାଣି ପିଇବି ।” ପାଣି ପିଇସାରି ପଚାରିଲି, ‘‘ବୋଉ କାହିଁ ?”

“ବୋଉ ପରା ଏଇନେ ଦି’ଘଣ୍ଟା ହେଲା ଯାଇଛି । କାଲିଠୁ ରାତି ଅନିଦ୍ରା ତା’ଛଡ଼ା ଏଇଠି ଯୋଉ କାନ୍ଦବୋବାଳି ଛାଡ଼ିଲା, ବାଧ୍ୟହୋଇ ତାକୁ ଘରକୁ ପଠେଇଦେଲୁ । ଯେତେହେଲେ ଗୋଟାଏ ମାନମହତ କଥା । ଦାଣ୍ଡଘାଟରେ ପଡ଼ିଲେ ଲୋକ କ’ଣ କହିବେ ?”

 

“ସେମାନେ କ’ଣ ଏପର୍ଯ୍ୟନ୍ତ ଧରାପଡ଼ିନାହାନ୍ତି ?”

 

“ଦେଖ୍ ମା, ତୁ ତ ପାଠପଢ଼ୁଆ ଝିଅ । ତୋତେ ଆଉ କ’ଣ ମୁଁ ବେଶୀ ବୁଝେଇବି । ସେମାନେ ସବୁ ହେଲେ ବଡ଼ଲୋକଙ୍କ ପିଲା–ସେମାନଙ୍କ ସାଙ୍ଗରେ ଲଢ଼ିକରି କ’ଣ ଆମେ ପାରିବୁ-? ତା’ଛଡ଼ା...”

 

ମୁହଁରୁ କଥା ଛଡ଼ାଇ ନେଇ ମୀନାକ୍ଷୀ ପ୍ରଶ୍ନକଲା–“ବାପା କାହାନ୍ତି ? ସେ କ’ଣ କହୁଛନ୍ତି-?”

 

“ସେ ବି ତ ମା’ କାନ୍ଦିକାଟି, ରାଗି-ମାଗି ଅସ୍ଥିର ହେଉଥିଲେ । କେଶ୍ କରିବେ ବୋଲି ଜିଦ୍ ଧରିଲେ । ବହୁତ ବୁଝାବୁଝି କଲାରୁ ସେ ଏବେ ଟିକିଏ ରାଜି ହୋଇଛନ୍ତି । ତୋର ତ ଭବିଷ୍ୟତ ଅଛି । ତୁ ତ ପୁଣି ବାହାହେବୁ । ଦି’ଦିଟା ଭଉଣୀ ଅଛନ୍ତି ତୋର । ସମସ୍ତଙ୍କ କଥା ଭାବିବାକୁ ପଡ଼ିବ ତ ।”

 

ରାଗରେ ଉଠିବସିଲା ମୀନାକ୍ଷୀ–ତଥାପି ଏତେ ବଡ଼ ଅନ୍ୟାୟର କ’ଣ ଶାସ୍ତି ହେବନାହିଁ-? ଏମିତି ସେମାନେ ଅତ୍ୟାଚାର କରି ଚାଲିଥିବେ–ଆଉ ଆମେ ସହିଯିବା ।”

 

“ଆଲୋ, ଆସ୍ତେ, ଆସ୍ତେ–ଏତେ ବଡ଼ପାଟିରେ କଥା କହନା । କେତେ କଷ୍ଟରେ କଥାକୁ ଲୁଚେଇ ରଖାହୋଇଛି । ଏଯାଏ ପ୍ରଘଟ ହୋଇନି । ତୁ ପୁଣି ନିଜେ ପ୍ରଚାର କରିବୁ ନା କ’ଣ ?”

 

ମୀନାକ୍ଷୀ ତୀକ୍ଷ୍ଣ ସ୍ଵରରେ ଜବାବ ଦେଲା, ‘‘ହଁ, ମୁଁ ପ୍ରଚାର କରିବି ।”

 

“ଆଲୋ, ଆଲୋ, ଏତେ ରାଗୁଛୁ କାହିଁକି ? ମୁଁ ଜାଣିଛି, ଏଥିରେ ରାଗିବାର କଥା; କିନ୍ତୁ ପରିସ୍ଥିତିକୁ ଚାହିଁ ସବୁ ସହିଯିବା ଭଲ । କ’ଣ ଆଉ କରିବା କହ । ନିଜ ମାନ-ସମ୍ମାନ ନିଜେ ନ ଜଗିଲେ ଆଉ କିଏ ଜଗିବ କହ ? ସବୁ କଥା ବୁଝ, ବିଚାର କର । ଏମିତି ଉତଳା ହୁଅନା ।”

 

ମୀନାକ୍ଷୀ ମନେ ମନେ କି ଚିନ୍ତା କରୁଥିଲା କେଜାଣି, ଉତ୍ତର ଦେଲାନାହିଁ ।

 

ରାତି ସାଢ଼େ ଏଗାରଟା । ଜଷ୍ଟିସ୍ ଅବିନାଶ ମହାପାତ୍ର ଗୋଟାଏ କେଶ୍‍ର ବିବରଣୀ ପଢ଼ୁଥିଲେ । ହଠାତ୍ ଟେଲିଫୋନ୍ ଶବ୍ଦରେ ତାଙ୍କର ଅଭିନିବେଶ ଭାଙ୍ଗିଗଲା । ବିରକ୍ତହୋଇ ପଚାରିଲେ, ‘କିଏ ?’ ‘‘ମୁଁ ସାର୍‍, ଟେଲିଫୋନ୍‍ ଅପରେଟର କହୁଛି । ଭୁବନେଶ୍ଵରରୁ ଟ୍ରଙ୍କ୍‍କଲ୍ ।” ଅବିନାଶ ମହାପାତ୍ର ଭ୍ରୂକୁଞ୍ଚିତ କଲେ–ଏତେବେଳେ ଭୁବନେଶ୍ଵରରୁ ଟ୍ରଙ୍କ୍‍କଲ୍ କଲା କିଏ ? ‘‘ହଁ, ମୁଁ କହୁଛି–ଅବିନାଶ ମହାପାତ୍ର ।”

 

“ମୁଁ ଅଧ୍ୟାପିକା ମୀନାକ୍ଷୀ ମହାନ୍ତି । କେବିନ ନମ୍ବର ୯ । ଭୁବନେଶ୍ଵର ହସ୍‍ପିଟାଲରୁ କହୁଛି । ମୋତେ ଚାରିଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପୁଅ ଗତ ରାତିରେ ହରଣଚାଳ କରିନେଇ ରେପ୍ କରିସାରି, ମୃତ ଭାବି ରାସ୍ତାଉପରେ ପକେଇଦେଇ ଯାଇଥିଲେ । ଭଗବାନଙ୍କ କୃପାରୁ ଜଣେ ପୁଲିସ୍ ସବ୍‌ଇନସ୍ପେକ୍ଟର ଦୈବାତ୍ ସେଠାରେ ମୋତେ ଦେଖି ହସ୍‌ପିଟାଲକୁ ନେଇଆସିଥିଲେ । ବର୍ତ୍ତମାନ ମୋର ବାପା, ବନ୍ଧୁ, କୁଟୁମ୍ବ ସମସ୍ତେ ଲୋକଲଜ୍ଜାର ଭୟରେ, ବଡ଼ଲୋକଙ୍କ ଭୟରେ ମୋତେ ବଳିଦେବାକୁ ପ୍ରସ୍ତୁତ । ଆପଣ ଦୟାକରି ଶୀଘ୍ର ଆସନ୍ତୁ । ମୋତେ ବଞ୍ଚାନ୍ତୁ । ମୋତେ ବଞ୍ଚାନ୍ତୁ । ସାର୍, ମୋତେ ଏଥିରୁ ଉଦ୍ଧାର କରନ୍ତୁ । ସାର୍ !”

 

“ହାଲୋ, ହାଲୋ...” ଟେଲିଫୋନ୍ ରଖିବାର ଶବ୍ଦ କେବଳ ତାଙ୍କ କାନରେ ବାଜିଲା ।

 

ଅବିନାଶ ସ୍ତବ୍‌ଧ ହୋଇ ରହିଗଲେ କିଛି ସମୟ । କିଏ ଥଟ୍ଟା କରୁନି ତ । ଝିଅଟା ପାଗଳୀ ନୁହେଁ ତ ? ତଥାପି ଏକ ଅଜଣା କୌତୂହଳବଶତଃ ସେ ଗେରେଜ୍ ଭିତରକୁ ଯାଇ ଗାଡ଼ି କାଢ଼ିଲେ । ଗାଡ଼ିର ଶବ୍ଦ ଶୁଣି ମିସେସ୍ ମହାପାତ୍ର ଶୋଇବାଘରୁ ଉଠିଆସି ପଚାରିଲେ, ‘‘ଏତେ ରାତିରେ କୁଆଡ଼େ ଯାଉଛ ?” ଅବିନାଶ କିଛି ଉତ୍ତର ନ ଦେଇ କହିଲେ, ‘‘ଗାଡ଼ିରେ ବସ ।” ତା’ପରେ ସେ ଗାଡ଼ି ଗେଟ୍ ବାହାରକୁ ନେଇ ଗେଟ୍ ବନ୍ଦକରି ଗାଡ଼ିରେ ଷ୍ଟାର୍ଟ ଦେଲେ ।

 

ଏକାବେଳେ ଏତେଗୁଡ଼ାଏ କଥା କହିଦେଇ ଧଇଁଧଇଁ ହୋଇଯାଇଥିଲା ମୀନାକ୍ଷୀ । ଏକେ ତ ଦେହ ଦୁର୍ବଳ । ପୁଣି ଏମିତି ଏକ ଉତ୍ତେଜନା । ସେ କୌଣସିମତେ ଘୁଷୁରି ଘୁଷୁରି ଆସି ବିଛଣାରେ ଶୋଇପଡ଼ିଲା ।

 

ଲଜ୍ଜା ! ସମାଜ ତ ନାରୀର ଦୁଇ ଜଙ୍ଘ ଭିତରେ ଲଜ୍ଜାକୁ ବାନ୍ଧିଦେଇଛି ! ସେ ଶୁଣିଥିଲା କୁଆଡ଼େ ବାହାଘର ପରେ ବରଘରେ ଏହି ଉପଲକ୍ଷେ ଏକ ଲଜ୍ଜାହୋମ ହୁଏ, ଯୋଉଥିରେ କନ୍ୟା ବରକୁ ତା’ର ଲଜ୍ଜା ଦାନକରେ । ଗତ ରାତି ଏଗାରଟାବେଳେ ତା’ର ସେଇ ହୋମ ହୋଇଯାଇଛି । ସେଇ ହୋମରେ ସେ ଚିରଦିନ ପାଇଁ ଆହୁତି ଦେଇ ଆସିଛି ତା’ର ଲଜ୍ଜାକୁ । ଆଉ ଭୟ କ’ଣ ? ଡର କ’ଣ ?

 

ସେ ପାଖରେ କୁନୀ ମାଉସୀ ଶୋଇଛି ଇଜିଚେୟାର ଉପରେ । ଝୁନୁ କି ଚୁନୁ କେହି ଆସିନାହାନ୍ତି । ତାଙ୍କୁ ବୋଧହୁଏ ବାରଣ କରାଯାଇଛି । ଅପାର ଏ କଳଙ୍କର କଳିମା ସେମାନଙ୍କୁ ସ୍ପର୍ଶ ନ କରୁ । ଅଥଚ ତା’ର ଦୋଷ କ’ଣ ? ତା’ର କଳଙ୍କ କ’ଣ ? ଅତ୍ୟାଚାରିତା ହେବା କ’ଣ ଏକ ଗ୍ଳାନି–ଏକ କଳଙ୍କ ? ଆଶ୍ଚର୍ଯ୍ୟ ! ସେଥିପାଇଁ କ’ଣ ବାପା ବି ରାଜି ହୋଇଗଲେ ମୋତେ ବଳିଦେବାକୁ । ସେ ଯଦି ଝିଅ ନ ହୋଇ ପୁଅ ହୋଇଥାନ୍ତା । ସେ କ’ଣ ଏତେ ସହଜରେ ତାକୁ ବଳିଦେଇପାରିଥାନ୍ତେ; କିନ୍ତୁ ସେ ବା କ’ଣ କରିବେ ? ସହସ୍ର ସହସ୍ର ବର୍ଷ ଧରି ଯୋଉ ନୀତି ଆଦର୍ଶରେ ଏ ସମାଜ ଗଢ଼ାହୋଇଛି–ସେଇ ଆଦର୍ଶ ଅସ୍ଥିମଜ୍ଜାଗତ ଗୋଟାଏ ଦୁର୍ବଳ ପୁରୁଷ କେମିତି ଅଣ୍ଟାଭିଡ଼ି ଛିଡ଼ାହେବ ତା’ର ବିରୁଦ୍ଧରେ । ଯୋଉ ସମାଜ ନାରୀକୁ ସବଳା ହେବା ଶିଖାଏନା–ଅବଳା ହୋଇ ଅତ୍ୟାଚାରିତ ହେଲେ, ଧର୍ଷିତା ହେଲେ ସେ ତାଙ୍କୁ ଘୃଣା କରେ କାହିଁକି-? ଆଜି ପର୍ଯ୍ୟନ୍ତ କୌଣସି ନାରୀ ୟା ବିରୁଦ୍ଧରେ ପ୍ରତିବାଦର ସ୍ୱରଉତ୍ତୋଳନ କରିନାହିଁ କାହିଁକି-? କାରଣ ତା’ ଆଗରେ ଆଦର୍ଶ ସୀତା । ବିନା ଦୋଷରେ ବଳି ହେବାର ଆଦର୍ଶ । କଳଙ୍କରୁ ମୁକ୍ତ ହେବାକୁ ତାକୁ ଅଗ୍ନିପରୀକ୍ଷା ଦେବାକୁ ପଡ଼େ, ନିର୍ବାସିତା ହେବାକୁ ପଡ଼େ; କିନ୍ତୁ ବିନା ପ୍ରତିବାଦରେ-

 

କିନ୍ତୁ ନା, ସେ ସେମିତି ଏଇ ମାନବିକତାହୀନ, ନିଷ୍ଠୁର ଏକଦେଶଦର୍ଶୀ ଆଦର୍ଶର ଯୂପକାଷ୍ଠରେ ନିଜକୁ ବଳିଦେଇ ପାରିବନାହିଁ । ସେ ପ୍ରତିବାଦ କରିବ । ସେ ହାରିଯିବ; କିନ୍ତୁ ଇତିହାସର ପୃଷ୍ଠାରେ ଅନ୍ତତଃ ପ୍ରଥମଥର ପାଇଁ ଲେଖା ହେବ ବିପ୍ଳବର ଏ ଅଗ୍ନିଧ୍ୱନି–ଯା’ର ସ୍ଫୁଲିଙ୍ଗ ଦିନେ ସାରା ବିଶ୍ଵକୁ ଛାଇଯିବ ।

 

ଅଦ୍ଭୁତ ଏ ସମାଜ । ନାରୀକୁ ସମକକ୍ଷ କରି ଗ୍ରହଣ କରିବାରେ ଅସୀମ କୁଣ୍ଠା । ସେ ତାକୁ ‘ଦେବୀ’ କରି ଗଢ଼ିପାରେ; କିନ୍ତୁ ସମକକ୍ଷା ନୁହେଁ । ହିନ୍ଦୁସମାଜରେ ତେଣୁ ନାରୀର ଦୁଇଟି ରୂପ । ‘ଦେବୀ’ ଓ ଯୌନ ପ୍ରତୀକ ‘ଦାସୀ’ । ପୃଥିବୀର ଅଧିକାଂଶ ଧର୍ମରେ ନାରୀ କେବଳ ‘ଦାସୀ’ ମାତ୍ର । ସେଥିପାଇଁ ଖ୍ରୀଷ୍ଟିୟାନ ଧର୍ମରେ କୌଣସି ନାରୀ ଧର୍ମଯାଜକ ନାହାନ୍ତି–ମୁସଲିମ୍ ଧର୍ମରେ ଏପର୍ଯ୍ୟନ୍ତ କୌଣସି ନାରୀ ମୋଲ୍ଲାର ଆସନ ପାଇନାହିଁ । ନାରୀ ଧର୍ମ ପ୍ରଚାର କଲେ ଧର୍ମ ଅପବିତ୍ର ହୋଇଯିବ । ଈଶ୍ଵରଙ୍କ ବାଣୀ, ଈଶ୍ଵରଙ୍କ ପୁତ୍ରଙ୍କ ବାଣୀ ନାରୀକଣ୍ଠରେ କିପରି ଶୋଭା ପାଇବ ? ସେମାନେ ଯେ ପୁରୁଷ, ଈଶ୍ଵର ପୁରୁଷ, ତାଙ୍କ ପୁତ୍ର ବି ପୁରୁଷ; କିନ୍ତୁ ଯୋଉ ନାରୀ ତାକୁ ଧାରଣ କରିଛି, ଜନ୍ମ ଦେଇଛି, ସେଇ ଈଶ୍ଵରପୁତ୍ରକୁ ସ୍ତନ୍ୟଦାନ ଦେଇ ଜୀବନ ଦାନ କରିଛି, ତା’ର ପ୍ରଥମ ଗୁରୁ ହିସାବରେ ତାକୁ ପ୍ରଥମ ବାକ୍‌ଦାନ ଦେଇଛି; ସେ କିଛି ନୁହେଁ । ସେ କେବଳ ‘ଦାସୀ’ ମାତ୍ର । ଈଶ୍ଵରପୁତ୍ର ମହାନ୍; କିନ୍ତୁ ତାଙ୍କର ମାତା ଦାସୀ–ଦାସୀ–କ୍ରୀତଦାସୀ । ସେ ଆଜି raped । ଏମିତି ବହୁ ନାରୀ, ସବୁଦେଶରେ ସବୁ ସମୟରେ ଧର୍ଷିତା ହୁଅନ୍ତି । ଏଥିପାଇଁ ଆଜିକାର ପୁରୁଷ ଯେତେ ଦାୟୀ ନୁହେଁ, ସେତିକି ଦାୟୀ ସମାଜର ବଡ଼ପଣ୍ଡା ବୋଲାଉଥିବା ଶାସ୍ତ୍ରୀ, ପଣ୍ଡିତ, ମୋଲ୍ଲା, ପାଦ୍ରୀଗଣ । ଈଶ୍ଵରଙ୍କ ବାଣୀନାମରେ ଅଗଣିତ ଧର୍ମଗ୍ରନ୍ଥ ସାହାଯ୍ୟରେ ସେମାନେ ନାରୀକୁ ଏକ ଦ୍ଵିତୀୟ ଶ୍ରେଣୀ ନାଗରିକ ଭାବରେ ଚିତ୍ରିତ କରି ଆସିଛନ୍ତି । ସେଇ ଶିକ୍ଷା ଦେଇଆସିଛନ୍ତି । ସେଇ ଶିକ୍ଷାର ପ୍ରଭାବରେ ଯୁଗ-ଯୁଗଧରି ପୁରୁଷର ମନସ୍ତତ୍ତ୍ୱ ପ୍ରଭାବିତ ହୋଇଛି । ତା’ର ଜୀବନଦର୍ଶନ ଗଠିତ ହୋଇଛି ଏବଂ ନାରୀର ଜୀବନଦର୍ଶନ ମଧ୍ୟ ଠିକ୍‍ ସେମିତି ଭାବରେ ଯୁଗ-ଯୁଗଧରି ଗଠିତ ହୋଇଆସିଛି । ସେ ନିଜକୁ ମଣିଷ ବୋଲି କେବେ ଭବିପାରିନାହିଁ–ତାକୁ ଭାବିବାର ସୁଯୋଗ ବା ଶିକ୍ଷା ଦିଆଯାଇନାହିଁ । ସହସ୍ର ସହସ୍ର ବର୍ଷର ଏ ଅନ୍ଧ କୁଶିକ୍ଷା କ’ଣ ଏତେ ଶୀଘ୍ର ଯିବ ? ରେପ୍ ପାଇଁ ଆଇନ ଦରକାର ନାହିଁ, ପୋନାଲକୋର୍ଡ଼ର ଦର୍କାର ନାହିଁ; ତା’ର ପ୍ରଥମ ପଦକ୍ଷେପ ଅଗଣିତ ଧର୍ମଶାସ୍ତ୍ରକୁ ପୋଡ଼ି-ଜାଳି ଦେଇ ନୂତନ ଧର୍ମଗ୍ରନ୍ଥର ପ୍ରଚାଳନ ।

 

ବୈଦିକ ଯୁଗର କଥା ବିଶେଷ ଭାବରେ ଜଣାନାହିଁ; କିନ୍ତୁ ହିନ୍ଦୁସମାଜର ପୁଣ୍ୟ ପବିତ୍ର ମହାନ୍ ଧର୍ମଗ୍ରନ୍ଥ ରାମାୟଣ ଓ ମହାଭାରତରେ ନାରୀର ସ୍ଥାନ କେଉଁଠି ? ଯେଉଁ ମହାମୁନି ବ୍ୟାସଦେବ ଭଗବାନ ଶ୍ରୀକୃଷ୍ଣଙ୍କ ମୁହଁରେ କୁହାଇଛନ୍ତି ‘‘ଈଶ୍ଵର ସର୍ବଭୂତାନାଂ ହୃଦ୍ଦେଶେଽର୍ଜ୍ଜୁନ ତିଷ୍ଠିତି”, ‘‘ଯୋ ମାଂ ପଶ୍ୟତି ସର୍ବତ୍ର ସର୍ବଞ୍ଚ ମୟି ପଶ୍ୟତି” ତାଙ୍କରି ମୁହଁରେ ପୁଣି କୁହାଇଛନ୍ତି, ‘‘ମାହଂ ପାର୍ଥ ବ୍ୟପାଶ୍ରିତ୍ୟ ଯେଽପି ସ୍ୟୁଃ ପାପଯୋନୟଃ, ସ୍ତ୍ରିୟୋ ବୈଶ୍ୟସ୍ତଥା, ଶୂଦ୍ରାସ୍ତେଽପି ଯାନ୍ତି ପରାଂ ଗତିଂ । ସ୍ତ୍ରୀ ଏଠାରେ କେବଳ ଏକ ତୃତୀୟ ଶ୍ରେଣୀର ଅଧମା । ସ୍ତ୍ରୀ ‘ବ୍ରାହ୍ମଣ’ ହୋଇପାରେନା । ପୁଣି ଆହୁରି ଅର୍ଜ୍ଜୁନ ମୁହଁରେ କୁହାଇଛନ୍ତି ‘‘ଅଧର୍ମ୍ମାଭିଦ୍ଭଦାତ୍ କୃଷ୍ଣ ପ୍ରଦ୍ୟୁଷନ୍ତି କୁଳସ୍ତ୍ରିୟଃ, ସ୍ତ୍ରୀଷୁ ଦୁଷ୍ଟାସୁ ବାର୍ଷ୍ଣେୟ ଜାୟତେ ବର୍ଣ୍ଣସଙ୍କରଃ” । ସତେ ଯେପରି ସ୍ଵୀମାନେ ହିଁ ଦୋଷୀ-। ସେମାନେ ହିଁ ଦୁଷ୍ଟା, ତାଙ୍କରି ଯୋଗୁରୁ ହିଁ ବର୍ଣ୍ଣସଙ୍କର ଜାତ ହୁଅନ୍ତି । ପୁରୁଷର କିଛି ଭୂମିକା ନାହିଁ-। ପୁଣି ସେତିକିରେ ଶେଷ ନୁହେଁ–ଭଗବାନ ଶ୍ରୀକୃଷ୍ଣଙ୍କର ମଧ୍ୟ ସେହି କ୍ଷୋଭ, ସେହି ଆଶଙ୍କା-। ସେ କର୍ମ ନ କଲେ ‘‘ଉତ୍‌ସୀ ଦେୟରିମେ ଲୋକା ନ କୁର୍ଯ୍ୟାଂ କର୍ମଚେଦହଂ, ସଂକରସ୍ୟ ଚ କର୍ତ୍ତାସ୍ୟାମୁପହନ୍ୟାମିମଃ ପ୍ରଜାଃ ।”

 

ଏଇଆ ହେଲା ଆମର ଭଗବାନ ଶ୍ରୀକୃଷ୍ଣଙ୍କର ବାଣୀ । ଏଇ ଗୀତା ପଠିତ ହୋଇଆସିଛି କେଉଁ ଯୁଗ-ଯୁଗଧରି ଏବଂ ଆଜି ମଧ୍ୟ ଭାରତବର୍ଷର କୋଟି କୋଟି ଘରେ ପୂଜିତ ହୁଏ ଭଗବାନଙ୍କ ମୁଖନିଃସୃତ କଥାମୃତ ଭାବରେ । ଏଠାକାର ପୁରୁଷମାନେ ଯେ କଥାକଥାକେ ଭଗବାନ ଶ୍ରୀକୃଷ୍ଣଙ୍କ ପରି ସ୍ତ୍ରୀମାନଙ୍କୁ ଦୋଷ ଦେବେ, ଏଥିରେ ଆଉ ବିଚିତ୍ର କ’ଣ ?

 

ଏଇ ବିଶ୍ଵାସ ହେଲା ଆମ ଧର୍ମ, ଆମ ସମାଜର ମୂଳଭିତ୍ତି । ଆଉ ଭଗବାନ ଶ୍ରୀକୃଷ୍ଣଙ୍କ ଷ୍ଟେନୋ ବୋଲାଉଥିବା ମହାଜ୍ଞାନୀ, ମହାପ୍ରାଜ୍ଞ, ମହାଯୋଗୀ ବେଦବ୍ୟାସଙ୍କର ଅସଲ ଚରିତ୍ରଟି କ’ଣ ? ନିଜର ଭ୍ରାତୃବଧୂଙ୍କୁ ସମ୍ଭୋଗ କରି ନିଯୋଗ ପୁତ୍ର ଦେଇପାରନ୍ତି ସେ । ଶ୍ରୀମଦ୍‌ଭଗବତରେ ଉଲଗ୍ନା ଗୋପୀମାନଙ୍କର ନିଖୁଣ ବର୍ଣ୍ଣନା ସେ ଦେଇପାରନ୍ତି, ନାଚିବାର ଭଙ୍ଗୀରେ ତନୁଶ୍ରୀ ଆନ୍ଦୋଳନର ଟିକିନିଖି ବିବରଣୀ ଦେଇପାରନ୍ତି । ଶ୍ରୀକୃଷ୍ଣଙ୍କ ରମଣକ୍ରିୟାର ପ୍ରତ୍ୟେକ କାମୋଦ୍ଦୀପକ ଭଙ୍ଗୀର ବିଶ୍ଳେଷଣ କରିପାରନ୍ତି । (“ବାହୁପ୍ରସାର ପରିରମ୍ଭ କରାଳକୋରୁ ନୀବୀସ୍ତନାଲଭନ ନର୍ମ ନଖାଗ୍ରପାତୈଃ × × × ରତି ପତଂ ରମୟାଂଚକାର ।”) ଦ୍ରୋପଦୀର କୁଚ ନାଭି ନିତମ୍ବର ନିଖୁଣ ବର୍ଣ୍ଣନା ଦେଇ ପାରନ୍ତି । ଏକ ମହାଯୋଗୀ ପୁରୁଷ ଏପରି ଭାବରେ କାମକଳାର ବିଭିନ୍ନ ଭଙ୍ଗୀ, ନାରୀଦେହର ନିଖୁଣ ବର୍ଣ୍ଣନା ଦେଇପାରିଲେ କିପରି ? ନିର୍ଲିପ୍ତ ପୁରୁଷ ମହାଯୋଗୀ ଶ୍ରୀକୃଷ୍ଣଙ୍କୁ ଗୋପୀମାନଙ୍କ ସହିତ ରମଣ କରାଇପାରିଲେ କିପରି ? ତାଙ୍କର ସମସ୍ତ ବର୍ଣ୍ଣନାରେ ନାରୀ କେବଳ ଏକ Sex symbol-ଯୌନତାର ପ୍ରତୀକ ।

 

ପୁଣି ସେ କେବଳ ଯୁବତୀ ନାରୀର ବର୍ଣ୍ଣନାରେ କ୍ଷାନ୍ତ ହୋଇନାହାନ୍ତି । ଏପରିକି ତ୍ରୟୋଦଶ ବର୍ଷୀୟା ଅପ୍ରାପ୍ତବୟସ୍କା କନ୍ୟାମାନଙ୍କର ଶରୀରବର୍ଣ୍ଣନାରେ ମଧ୍ୟ କମ୍ ଦକ୍ଷତା ଦେଖାଇନାହାନ୍ତି: ‘‘ହସ୍ତିନୀ ପୁରତଃ କଚିଦ୍ ଯୟୌ ପୁଷ୍ପୌଧବୀକ୍ଷୟା, ତାଂ ଚୈବ ଭୀତୋ ବାଚୈକା କନ୍ୟା ବିଲ୍ଵଫଳସ୍ତନୀ । ପୁଷ୍ପାବଚୟମିଚ୍ଛଂନ୍ତ୍ୟଃ ସର୍ବାଶ୍ଚ ତା’ କନ୍ୟକାଃ, ସାର୍ଦ୍ଧତ୍ରୟୋଦଶାବ୍‌ଦାସ୍ତା ଯୌବନାଦ୍ଭେ‌ଦ ଚଞ୍ଚଳାଃ ।”

 

ଏପରି ଏକ କାମୁକ ପୁରୁଷର କାବ୍ୟକୁ ଆମେ ଆମର ପରମ ପୁରୁଷାର୍ଥ ଭଳି ଯୁଗ-ଯୁଗଧରି ଗ୍ରହଣ କରିଆସିଛୁ ।

 

ଆଉ ମହାକବି ବାଲ୍ମୀକି ? ତାଙ୍କର ମହାକାବ୍ୟରେ ନାରୀର ବର୍ଣ୍ଣନା ତ ଆହୁରି ଜୀବନ୍ତ-। ଜରତା ବେଶ୍ୟାଠାରୁ ସୀତାଙ୍କର ଶରୀରବର୍ଣ୍ଣନା ଓ ରାମସୀତାଙ୍କର ବନବିହାରର କାମକଳା ଓ ରମଣକ୍ରିୟାର ଦୃଶ୍ୟ ବର୍ଣ୍ଣନା କ’ଣ ତାଙ୍କର ଯୌନତାର ପରିଚିୟ ଦିଏନାହିଁ ? ରାମାୟଣର ଛତ୍ରେ ଛତ୍ରେ ନାରୀଦେହର ନିଖୁଣ ବର୍ଣ୍ଣନା ରହିଛି । ମହାମୁନି ବାଲ୍ମୀକି କେବଳ ଯୋଗବଳରେ ନାରୀର ଏତେ ସୂକ୍ଷ୍ମ ବର୍ଣ୍ଣନା ଜାଣିପାରିଥିଲେ ?

 

ବସ୍ତୁତଃ ମହାକବି ବାଲ୍ମୀକି ଓ ବ୍ୟାସଦେବ କବି ଭାବରେ ନିଶ୍ଚିତ ଶ୍ରେଷ୍ଠ; କିନ୍ତୁ ତାଙ୍କୁ ଆଦର୍ଶ ବୋଲି ଗ୍ରହଣ କରାଯାଇପାରେନା । ସେମାନେ ଆଦର୍ଶ ପୁରୁଷ ହୋଇପାରନ୍ତି; କିନ୍ତୁ ଆଦର୍ଶ ମାନବ ନୁହଁନ୍ତି । ଯୋଉ ମଣିଷ, ମଣିଷଜାତିର ଅର୍ଦ୍ଧାଧିକ ସଂଖ୍ୟକ ଗୋଷ୍ଠୀକୁ ନିକୃଷ୍ଟ ଭାବରେ ଚିତ୍ରିତ କରିପାରେ, ସେମାନେ ଆଦର୍ଶ ମାନବ ବୋଲି କହିବ କିଏ ?

 

ଏଇ ଆମର ପରମ୍ପରା । ଏଇ ପରମ୍ପରାରେ ବର୍ଦ୍ଧିତ କରୁଣାମୟ ବୁଦ୍ଧ କହିଲେ, ନାରୀସଙ୍ଗ ତ୍ୟାଗକର । ମହାଜ୍ଞାନୀ ଜୀନ କହିଲେ, ନାରୀମାନଙ୍କୁ ପରିତ୍ୟାଗ କର । ମହାପ୍ରେମମୟ ଶ୍ରୀରାମକୃଷ୍ଣ କହିଲେ ‘କାମିନୀ’ ତ୍ୟାଗ କର । ଗୋଟିଏ ମହାନ୍ ଅଙ୍ଗକୁ ବାଦ୍ ଦେଇ ମଣିଷଜାତି ଯେ କେମିତି ଉନ୍ନତି କରିବ, ତା’ର ଉପାୟ ତ କେହି କହିଯାଇନାହାନ୍ତି । ପରିତ୍ୟାଗ ଓ ଉପେକ୍ଷା ଗ୍ରହଣର ଅନ୍ୟ ନାମ । ସାମଗ୍ରିକ ଭାବରେ ମଣିଷଜାତିର ଉନ୍ନତି ସମସ୍ତଙ୍କୁ ନେଇ ହେବା ଦରକାର । ଅଥଚ ସହସ୍ର ସହସ୍ର ବର୍ଷ ଧରି ଏହି ମହାସତ୍ୟଟିକୁ ସମସ୍ତେ ଉପେକ୍ଷା କରି ଆସିଛନ୍ତି ଆଜିଯାଏ ।

 

ଆମର ଭାରତବର୍ଷର ଯେତେ କାବ୍ୟ, ପୁରାଣ, କବିତା, ଗଳ୍ପ, ଉପନ୍ୟାସ, ଲେଖାଯାଇଛି, ସବୁଥିରେ ଏଇ ପରମ୍ପରାର ସ୍ଵାକ୍ଷର ବିଦ୍ୟମାନ । ଭକ୍ତକବି ଜୟଦେବଙ୍କ ‘ଗୀତଗୋବିନ୍ଦ’ ତ ବାତ୍ସ୍ୟାୟନଙ୍କ କାମସୂତ୍ରର ଏକ ଲଳିତ ପଦାବଳୀ ମାତ୍ର । କେବଳ ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ରମଣକ୍ରିୟା ବୋଲି ବର୍ଣ୍ଣିତ ହୋଇଥିବାରୁ ଏହା ‘ପର୍ଣ୍ଣୋଗ୍ରାଫି’ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ପଡ଼ିପାରିନାହିଁ । ଭଗବାନଙ୍କ ନାମରେ, ଧର୍ମ ନାମରେ ସବୁ କିଛି ସୁନ୍ଦର ସ୍ପୃହଣୀୟ । ଶ୍ରୀକୃଷ୍ଣ ଗୋପୀମାନଙ୍କୁ ନେଇ ଲୀଳା କରିପାରନ୍ତି; କିନ୍ତୁ ସେମାନଙ୍କୁ ବୁଦ୍ଧି ଓ ଜ୍ଞାନର ଉପଦେଶ ଦେଇପାରନ୍ତି ନାହିଁ । ତେଣୁ ବର୍ଷ ବର୍ଷ ଯୁଗ ଯୁଗ ଧରି ଏଇ କାମୁକ ପରମ୍ପରାରେ ବଢ଼ି ଆସିଥିବା ଆଜିକାର ଉତ୍ତରଦାୟାଦ ପୁରୁଷମାନଙ୍କଠାରୁ ଆମେ ଆଉ କ’ଣ ଆଶା କରିବା ? ଏକ ନିର୍ଦ୍ଦିଷ୍ଟ ବିଶ୍ଵାସରେ କଣ୍ଡିସନ୍‌ଡ, ବ୍ରେନ୍‌ୱାସ୍‌ଡ୍‍, ରୋବଟ୍‌ମାନେ ହିଁ ତ ଆଜିକାର ପୁରୁଷ । ମହାମୁନି, ମହାଯୋଗୀ ଖୋଳ ପିନ୍ଧି ନିଜର ନିର୍ଲଜ୍ଜ ପୁରୁଷତ୍ଵର ପଶୁତ୍ଵକୁ ଲୁଚାଇ ରଖିଥିବା ପୁରୁଷ ଯଦି ଆମର ଆଦର୍ଶ ହୁଏ, ତେବେ ନାରୀଜାତି ଯେ ଚିରଦିନ ପାଇଁ ଏକ ‘ଦାସୀତ୍ଵ’ର ଭୂମିକା ଗ୍ରହଣ କରିବାକୁ ବାଧ୍ୟ ହେବ, ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ?

 

ଆଉ ନାରୀମାନେ ? ହଜାର ହଜାର ବର୍ଷର ବନ୍ଦିଶାଳା ଭିତରେ ବନ୍ଦ ରହିଥିବା କେତେଗୁଡ଼ିଏ ମସ୍ତିଷ୍କବିହୀନ ପ୍ରାଣୀ ମାତ୍ର । ସେମାନଙ୍କୁ ବ୍ରେନ୍‌ୱାସ୍ କରାଯାଇଛି, ସେମାନେ ଅବଳା, ସେମାନେ ବୁଦ୍ଧିହୀନା, ବିନାଶ୍ରୟେ ନ ବର୍ତ୍ତନ୍ତି କବିତା-ବନିତା-ଲତା । ଆଜି ତାଙ୍କର ଭାବନାର ଶକ୍ତି ବି ନାହିଁ । କେବଳ ଜଣେ ପୁରୁଷର ଅଙ୍କଶାୟିନୀ ହେବା, ତା’ର ଚିରଜୀବନ ଦାସତ୍ଵ କରିଯିବା ହିଁ ତାଙ୍କ ଜୀବନର ଉଦ୍ଦେଶ୍ୟ । ପୁରୁଷର ବହୁ ଉଦ୍ଦେଶ୍ୟ ଥାଇପାରେ; କିନ୍ତୁ ନାରୀ ଗୋଟିଏ । ପୁରୁଷର କାମାଭିଳାଷ ମେଣ୍ଟାଇବାର ଗୋଟିଏ ଜୀବନ୍ତ ବସ୍ତୁମାତ୍ର । ଆଃ, କେବେ କି କୋଉ ନାରୀର ମନରେ ଥରକ ପାଇଁ ନିଜ ପାଇଁ ଚିନ୍ତା କରିବାର ସ୍ଫୁଲିଙ୍ଗଟିଏ ଜଳନ୍ତା ନାହିଁ ?

 

ଆଜିର ଶତାବ୍ଦୀ ବୈଜ୍ଞାନିକମାନଙ୍କର ଶତାବ୍ଦୀ ! ସମତାର ପୃଥିବୀ । ଏହି ବିଜ୍ଞାନ ଯୁଗରେ ବି କ’ଣ ପୁରୁଷ ସେମିତି ପରମ୍ପରାର ଅନ୍ଧବିଶ୍ଵାସରେ ଅନ୍ଧ ହୋଇ ରହିଥିବ ? ଆଜିର ବିଜ୍ଞାନ କହେ, ନାରୀ ପୁରୁଷର ସବୁ ଗୁଣରେ ସମକକ୍ଷା । କେତେକ କ୍ଷେତ୍ରରେ ସେମାନେ ପୁରୁଷଙ୍କଠାରୁ ଅଧିକ ପ୍ରଭାବଶାଳୀ । ଆଜିର ବିଜ୍ଞାନ ପ୍ରମାଣ କରିଛି ନାରୀମାନଙ୍କଠାରୁ ପୁରୁଷ ହିଁ ଅଧିକ କାମୁକ । ତେବେ ସ୍ତ୍ରୀକୁ sex symbol ଭାବରେ ଗ୍ରହଣ କରିବା ଏକ ଅନ୍ଧବିଶ୍ଵାସ ନୁହେଁ ତ କ’ଣ ? ନିଜର ରୁଗ୍‌ଣ ମାନସିକତାକୁ ଅସ୍ଵୀକାର କରି ବସ୍ତୁକୁ ଦୋଷ ଦେବାର ଲାଭ କ’ଣ ? ମଦରେ ଦୋଷ ନାହିଁ । ସେ ତ ସ୍ଵାଭାବିକ ଗୁଣସମ୍ପନ୍ନ । ତାକୁ ପିଇବାରେ ଯୋଉ ମାନସିକ ଆବେଗ ରହିଛି, ସେଇଟା ମଣିଷର ସହଜାତ ଗୁଣ । ସେଇ ଗୁଣକୁ ନିୟନ୍ତ୍ରିତ ନ କରି ମଦ ଖରାପ ବୋଲି କହିବାଟା ଏକ ହାସ୍ୟାସ୍ପଦ କଥା । ମଦ କ’ଣ ଡାକୁଛି ମୋତେ ପାନକର ବୋଲି । ସେମିତି ନିଜର କାମୁକତାକୁ ଦୋଷ ନ ଦେଇ ନାରୀଟିକୁ ଦୋଷ ଦିଆଯାଇଛି କାହିଁକି ? ନିଜର ଦୋଷକୁ ଅସ୍ଵୀକାର କରି ତାକୁ ଘୋଡ଼େଇ ଅପର ଉପରେ ଦୋଷ ଲଦିଦେଇ ଖସିଯିବାର ପଳାୟନ ମନୋବୃତ୍ତି ।

 

ଏଇ ସତ୍ୟକୁ ଉପଲବ୍‌ଧି କରାଇବାକୁ ଜଣେ ମହାପୁରୁଷ ନୁହେଁ, ଜଣେ ମହାନାରୀର ଉଦ୍ଭବ ହେଲେ ଯାଇଁ ସମ୍ଭବ ହେବ । ଈଶ୍ଵର କ’ଣ ସବୁବେଳେ ଧର୍ମ ସଂସ୍ଥାପନା ଲାଗି କେବଳ ପୁରୁଷ ରୂପରେ ହିଁ ଅବତାର ଗ୍ରହଣ କରିବେ–ନାରୀ ଭାବରେ ନୁହେଁ ? ନାରୀ କ’ଣ ଈଶ୍ଵରଙ୍କ ସୃଷ୍ଟି ନୁହେଁ ? ସେ କ’ଣ ମଣିଷ ନୁହେଁ ?

 

ଭଣ୍ଡ, ପ୍ରତାରକ, ମହାମୁନି, ମହାପୁରୁଷର ଦଳ । ଛି ଛି । ଘୃଣାରେ ମୀନାକ୍ଷୀର ଦେହ ଶୀତେଇ ଉଠିଲା । ଏମାନଙ୍କୁ ପୁଣି ନାରୀମାନେ ଯୁଗ ଯୁଗ ଧରି ପୂଜାକରି ଆସିଛନ୍ତି ! ଇସ୍ ।

 

ମୀନାକ୍ଷୀ ଦେହରେ ଏକ ଅଜଣା ଉତ୍ତେଜନା । ଅପୌରୁଷେୟ ସମ୍ଭୋଗର ଏକ ତୀବ୍ର ଶିହରଣ । ସତେ କ’ଣ କେହି ମହାନାରୀ ଉଦ୍ଭବ ହେଉଛି ତା’ ଦେହରେ ! ଇଏ କ’ଣ ତା’ର ପ୍ରସବ ବେଦନା ? ତାକୁ ମନେହେଲା ଶହ ଶହ ଲକ୍ଷ ଲକ୍ଷ ନାରୀ ତା’ ଚାରି ପାଖରେ ଛିଡ଼ା ହୋଇ ଚିତ୍କାର କରି କହୁଛନ୍ତି ‘‘ପୋଡ଼ିଦେ ମୀନାକ୍ଷୀ ପୋଡ଼ିଦେ ଯେତେ ସବୁ ରାମାୟଣ, ମହାଭାରତ, ଗୀତା, ପୁରାଣ, ଭାଗବତ । ଜାଳିଦେ ଯେତେ କାବ୍ୟ, କବିତା, ଉପନ୍ୟାସ । ଚିତା ପ୍ରସ୍ତୁତକରି ରଖିଛୁ ଆମେ । ସତୀଦାହର ଚିତା, ଅଗ୍ନି ପରୀକ୍ଷାର ଚିତା । ସେଇ ଚିତାରେ ରଖିଦେ ଯେତିକି ଧର୍ମଗ୍ରନ୍ଥ, ସ୍ମୃତି, ପୁରାଣ ସବୁ । ସେଇ ଅଗ୍ନିପରୀକ୍ଷା ଭିତରୁ ଶୁଦ୍ଧ ସୁବର୍ଣ୍ଣଭଳି ଯେତିକି ରକ୍ଷା ପାଇ ଝଟକି ଉଠିବ, ସେତିକି ହେବ ସମଗ୍ର ମାନବ-ସମାଜର ଭବିଷ୍ୟତର ଉନ୍ନତିପାଇଁ ପାଥେୟ । ଯେତିକି ଅନ୍ୟାୟ ନୀତି ନିୟମ ଆଦର୍ଶର ପଚାସଢ଼ା କୁଟା ଗଦା ସବୁ ଜଳିପୋଡ଼ି ଧ୍ଵଂସ ହୋଇଯାଉ । ଭସ୍ମ ହୋଇଯାଉ ଯେତିକି ଅନ୍ଧବିଶ୍ଵାସ–ଅନ୍ଧ ପରମ୍ପରା–ଅନ୍ଧ ଐତିହ୍ୟ । ଯୁଗ ଯୁଗର ଅତ୍ୟାଚାର, ଅନ୍ୟାୟ, ପାପର ଦୀର୍ଘଶ୍ଵାସ ଆଜି ଟର୍ଣ୍ଣାଡ଼ୋ ପରି ବହିନେଇଯାଉ ଏଇ ଚିତାଗ୍ନିର ସ୍ଫୁଲିଙ୍ଗକୁ–ସମଗ୍ର ଗ୍ରାମ, ଜନପଦ, ପ୍ରାନ୍ତର, ଦେଶରୁ ଦେଶାନ୍ତର, ମହାଦେଶରୁ ମହାଦେଶ–ସମଗ୍ର ପୃଥିବୀ ବକ୍ଷରେ ଜାଳିଦେଉ ମଣିଷ ଜାତିର ଏହି ଦୀର୍ଘ ପାଞ୍ଚହଜାର ବର୍ଷର କଳଙ୍କମୟ ଅଧ୍ୟାୟକୁ ।”

 

କାହାର ପାଦ ଶବ୍ଦରେ ତନ୍ଦ୍ରା ଭାଙ୍ଗିଗଲା ମୀନାକ୍ଷୀର । ଜଣେ ବୃଦ୍ଧ ଭଦ୍ରବ୍ୟକ୍ତି ଆଗେଇ ଆସିଲେ ତା’ ଆଡ଼େ । ପଛେ ପଛେ ଜଣେ ବୃଦ୍ଧା ଭଦ୍ରମହିଳା ।

 

“ତମେ ମୀନାକ୍ଷୀ ମହାନ୍ତି ?”

 

ମୀନାକ୍ଷୀ ତାଙ୍କ ଆଡ଼କୁ କେବଳ ଚାହିଁ ରହି ମୁଣ୍ଡ ହଲେଇଲା । ତନ୍ଦ୍ରା ତା’ର ଏପର୍ଯ୍ୟନ୍ତ କଟିନାହିଁ ।

 

“ମୁଁ ଜଷ୍ଟିସ୍ ଅବିନାଶ ମହାପାତ୍ର । ଏ ମୋର ସ୍ତ୍ରୀ ।”

 

ଏକ ଅଭାବନୀୟ ପରିସ୍ଥିତିରେ ହଠାତ୍ ପ୍ରଥମଥର ପାଇଁ ଭାଙ୍ଗିପଡ଼ିଲା ମୀନାକ୍ଷୀ । ସେ କଇଁ କଇଁ ହୋଇ ଜୋରରେ କାନ୍ଦିଉଠିଲା ଦୁଇହାତରେ ମୁହଁ ଚାପି । ଅବିନାଶ ତା’ ମୁଣ୍ଡରେ ହାତ ରଖିଲେ, ‘‘କାନ୍ଦ ନାହିଁ ମା–ଭୟ ନାହିଁ ।’’ ମିସେସ୍ ମହାପାତ୍ର ତା’ ମୁଣ୍ଡକୁ ନିଜ କୋଳକୁ ଆଉଜାଇ ନେଇ ଧୀରେ ଧୀରେ ଲୁହ ପୋଛିଦେଇ କହିଲେ, ‘‘କାନ୍ଦନା ମା’–କାନ୍ଦ ନା । କହିଲିପରା ଆଉ ତୋର ଭୟ ନାହିଁ ।”

 

ସବୁ କଥା ଶୁଣିସାରି ଅବିନାଶବାବୁ ଓ ତାଙ୍କ ସ୍ତ୍ରୀ ବିଦାୟ ନେଲାବେଳକୁ ଆକାଶ ପରିଷ୍କାର ହୋଇଆସିଲାଣି । ଗୋଟାଏ କାଉ ଦୋତାଲା ଉପରେ ବସି କା’ କା’ ରାବ ଛାଡ଼ିଲାଣି ।

 

ଅବିନାଶ ମୀନାକ୍ଷୀ ମୁଣ୍ଡରେ ହାତ ରଖି ପଚାରିଲେ, ‘‘ଯୋଉ ବିଶ୍ଵାସ ନେଇ ତୁ ମୋ ପାଖରେ ଏ କଥା କହିପାରିଛୁ, ସେଇ ବିଶ୍ଵାସ ନେଇ ତୁ ସାରା ଜୀବନ ଏମିତି ଚଳିପାରିବୁ ତ ? ଏଇ ନୂତନ ଦେଶର ନୂଆ ମାନଚିତ୍ର ତିଆରି କରିବାରେ ଯେତେ କଷ୍ଟ, ଯେତେ ଦୁଃଖ, ଯେତେ ବେଦନା ସବୁକୁ ତୁଚ୍ଛକରି, ନୂଆ ବାଟ ଗଢ଼ିପାରିବୁ ତ ?”

 

ମୀନାକ୍ଷୀ ସ୍ଥିର ଗଳାରେ ଉତ୍ତରଦେଲା ‘‘ପାରିବି ସାର୍, ପାରିବି ।”

 

ମୀନାକ୍ଷୀର କପାଳ ଉପରେ ଗୋଟାଏ ଦୀର୍ଘ ଚୁମ୍ବନ କରି ମିସେସ୍ ମହାପାତ୍ର କହିଲେ, ‘‘ତୁ ନିଶ୍ଚେ ପାରିବୁ ମା’–ନିଶ୍ଚେ ପାରିବୁ ।”

Image

 

ଚେରାପୁଞ୍ଜି

 

ପୁରୁଷ ଯେତେବେଳେ ପ୍ରଥମ ପ୍ରେମ କରେ, ସେଇ ନାରୀଟିର ନାମଟା ପ୍ରତି ତା’ର ଥାଏ ଏକ ଅହେତୁକୀ ଆକର୍ଷଣ ଓ ମୋହ । ପ୍ରେମିକାର ନାମ ଯୋଉଠି ଅକସ୍ମାତ୍ ଦେଖିଲେ ହଠାତ୍ କରି ତା’ ଦେହରେ ଏକ ଶିହରଣ ଖେଳିଯାଏ । ସେଇ ନାମରେ ଜୋତା ଦୋକାନଟିଏ ହେଉ ପଛେ ! ଆଉ ଯଦି ସେଇ ପୁରୁଷଟି ଜଣେ କବି, ଶିଳ୍ପୀ ବା ସଙ୍ଗୀତଜ୍ଞ ହୋଇଥାଏ, ତେବେ ତା’ର ସେଇ ପ୍ରେମିକା ଛଡ଼ା ଆଉ ଗୋଟାଏ ପ୍ରତି ତା’ର ସେମିତି ଅହେତୁକୀ ଆକର୍ଷଣ ରହିଥାଏ । ସେଇଟା ନିଜର ସୃଷ୍ଟ ଗୋଟାଏ ନାମ ପ୍ରତି । ପ୍ରେମିକାର ନାମ ପ୍ରତି ନୁହେଁ । ସେଇଥିପାଇଁ ତା’ର ପ୍ରେମିକାକୁ ସେ ନୂତନ ଭାବରେ ନାମକରଣ କରେ ତାରି କଳ୍ପନାସମ୍ଭୂତ ନାମରେ । ଦୁଇଟିଯାକ ପ୍ରତି ତା’ର ଆକର୍ଷଣ ସମାନ । ସେଇଥିପାଇଁ ହିଁ ପ୍ରେମିକ ଶିଳ୍ପୀ, ସମ୍ରାଟ ସାଜାହାନ ସ୍ତ୍ରୀର ନାଁ ବଦଳାଇ ରଖେ ମମତାଜ୍, କବି ଜାହାଙ୍ଗୀର ମେହେରୁନ୍ନିସାକୁ ରୂପାନ୍ତରିତ କରେ ନୁରଜାହାନ୍ ଭାବରେ । ଆଉ ସେଇଥିପାଇଁ ହିଁ ବୋଧହୁଏ ଯେତେକ କବି, ଲେଖକ ତାଙ୍କର ଗଳ୍ପ କବିତାରେ ପ୍ରେମିକାର ନାଁ ଦିଅନ୍ତି ଅସାଧାରଣ, ଗତାନୁଗତିକ ନାମର ବାହାରେ ।

 

ମଲ୍ଲିକା, ମୁଁ ତମକୁ ସମ୍ବୋଧନ କରିଥିଲି ଏଇ ନାଁରେ; କାରଣ ଏଇ ନାମଟା ପ୍ରତି ମୋର ଦୁର୍ବାର ଆକର୍ଷଣ ଥିଲାବୋଲି । ମୋତେ କାହିଁକି କେଜାଣି ଅଦ୍ଭୁତ ଭାବରେ ଭଲ ଲାଗେ ଏଇ ନାଁଟା । ହୁଏତ ତମର ଏଇ ନାଁ କଥା ମନେ ଥିବ କି ନା କେଜାଣି ? ଦୀର୍ଘ ପଚିଶ ବର୍ଷର ବ୍ୟବଧାନ ପରେ ଏଇ ଆରୋପିତ ନାମର ଦାଗ ତମର ମନ ଭିତରେ ଥିବ କି ନା କେଜାଣି ? ଝିଅମାନେ ଏମିତି ଏମିତି ତାଙ୍କ ପ୍ରେମିକକୁ ନା ଦିଅନ୍ତି କି ନାହିଁ ମୁଁ କେବେ ପଚାରି ଦେଖିନାହିଁ । ବୋଧହୁଏ ନୁହେଁ, ଯଦି ସେମିତି ହୋଇଥାନ୍ତା, ତମେ ନିଶ୍ଚୟ ମୋତେ ତମରି ମନ ଅନୁଯାୟୀ ନାଁଟିଏ ଦେଇଥାଆନ୍ତ । ସେ କଥା କାହିଁ ତ ମୋର ମନେପଡ଼ୁନି ! ମୁଁ କ’ଣ ସତରେ ଭୁଲି ଯାଇଛି, ନା ତମେ ମୋତେ ପ୍ରକୃତରେ ସେମିତି କିଛି ନାଁ ଦେଇ ନ ଥିଲ ?

 

ମଲ୍ଲିକା ! ତମପାଖକୁ ଏଇ ଚିଠି ଲେଖିବାରେ ମୋର କିଛି ଉଦ୍ଦେଶ୍ୟ ନାହିଁ । ଲେଖୁଛି ବୋଲି ଯେ ତମ ଠିକଣାରେ ଏଇଟାକୁ ଡାକଘରେ ନେଇ ପକେଇବି ତା’ ବି ଠିକ୍ ନାହିଁ । ଆଉ ଲେଖିଲେ ବି ଯେ ତମେ ପାଇବ ତା’ର ବି କୋଉ ନିଶ୍ଚିତତା ଅଛି ? କାରଣ ତମର ଅସଲ ଠିକଣାଟା ମୁଁ ବହୁତ ଦିନରୁ ହଜେଇ ଦେଇଛି ।

 

ଚିଠି ଲେଖୁଛି ହଠାତ୍ ମନହେଲା ବୋଲି । ବୋଧହୁଏ ଅସତର୍କ ମୁହୂର୍ତ୍ତର ଦୁର୍ବଳତା । ବିସ୍ମୃତ ଦିନର ସ୍ମୃତିକୁ ରୋମଛନ କରିବା ମଣିଷର ସହଜାତ ପ୍ରବୃତ୍ତି । ଅଥବା ଏଇ ନାମଟି ପ୍ରତି ମୋର ଅଯୌକ୍ତିକ ଦୁର୍ବଳତା ଯୋଗୁଁ; କାରଣ ଏଇ ନାମଟି ସହିତ ମୋର କୈଶୋର ପ୍ରେମର ଅନୁଭୂତି ଏବେ ବି ଠିକ୍ ସେମିତି ଜଡ଼ିତ ରହିଛି ବୋଲି ତମେ ମନେପଡ଼ିଗଲ । କେବଳ ଯୋଗାଯୋଗ । ତମେ ମୋର ମନେପଡ଼ନାହିଁ । ନାଁଟି ମନେପଡ଼େ ବୋଲି ତମେ ମନେପଡ଼ ।

 

ଏଇ ପଚିଶି ବର୍ଷ ବ୍ୟବଧାନ ଭିତରେ ବି ଯଦି ହଠାତ୍ ଏଇ ଚିଠିଟି ତମେ ପାଇଯାଅ, ତମେ ନିଶ୍ଚୟ ରାଗରେ ଜଳିଉଠିବ, ନୁହଁ କି ? ନାତି ନାତୁଣୀ ଦେଖି ସାରିଲା ପରେ ବି ତମର ‘ଇଗୋ’ରେ ନିଶ୍ଚୟ ଆଘାତ ଦେବ ମୋର ଏଇ କଥାଗୁଡ଼ିକ ।

 

ଆଉ ଜାଣ ମଲ୍ଲିକା, ଏଇ ନାଁଟି ପ୍ରତି ମୋର ସ୍ତ୍ରୀର ମଧ୍ୟ ଭୀଷଣ ରାଗ । କେତେଥର ହୁଏତ ମୋ ଲେଖାରେ ବା ମୁହଁରେ ଏଇ ନାଁଟା ଶୁଣି ତା’ର ବିଶ୍ଵାସ ହୋଇଯାଇଛି, ଏଇ ନାମରେ କୌଣସି ନାରୀକୁ ମୁଁ ନିଶ୍ଚୟ ଭଲପାଏ ବୋଲି । ପ୍ରଥମେ ପ୍ରଥମେ ଗୋପନରେ, ପରେ ପ୍ରକାଶ୍ୟରେ ଆମ ଗାଁରେ ପଚାରି ବୁଝିଛି । ମୋର ସ୍କୁଲ ଜୀବନର ଓ କଲେଜ ଜୀବନର ବନ୍ଧୁବାନ୍ଧବୀମାନଙ୍କୁ ପଚାରିଛି । ସବୁ ଜାଗାରେ ସନ୍ଧାନ ନେଇଛି; କିନ୍ତୁ କେହି ଦେଇପାରିନାହାନ୍ତି ଏଇ ମଲ୍ଲିକାର ସନ୍ଧାନ । ଏବେ ବି ତା’ର ସନ୍ଦେହ ଯାଇନାହିଁ ।

 

କିନ୍ତୁ ସତରେ ସେମିତି କିଏ ଥିଲେ ସିନା କହିବ ? ମୁଁ ନିଜେ ବି କ’ଣ କହିପାରିବି ? ‘ମଲ୍ଲିକା’ ଏକ ସ୍ଵପ୍ନ । ମୁଁ ସେଇ ସ୍ଵପ୍ନକୁ ହିଁ ଭଲପାଏ । ଏଇ ସ୍ଵପ୍ନକୁ ହିଁ ଭଲ ପାଇବାରେ ଗୋଟାଏ ବିଶେଷତ୍ୱ ରହିଛି । ତମର କୈଶୋର ଅଛି, ଯୌବନ ଅଛି, ପ୍ରୌଢ଼ତ୍ଵ ଅଛି, ଜରା ଅଛି, ମୃତ୍ୟୁ ଅଛି; କିନ୍ତୁ କଳ୍ପନାର ଏଇ ‘ମଲ୍ଲିକା’ ସବୁଦିନେ ସେମିତି ଚିରନ୍ତନ, ଶାଶ୍ଵତ ମୋ ପାଇଁ । ତା’ଛଡ଼ା ଏଇ ମଲ୍ଲିକା କେବଳ ମୋର ନିଜସ୍ୱ । ତା’ ଉପରେ ଆଉ କାହାରି ଅଧିକାର ନାହିଁ । ତେଣୁ ତା’ ମୋ ଭିତରେ ଦ୍ଵନ୍ଦ୍ଵ ନାହିଁ, ଈର୍ଷା ନାହିଁ–କଳହ ନାହିଁ । କେବଳ ଏକ ଚିରନ୍ତନ ପ୍ରେମାନୁଭୂତି–ଆମ ଦୁହିଁଙ୍କ ଭିତରେ ।

 

ବୋଧହୁଏ ଏଇ ସ୍ଵପ୍ନର ‘ମଲ୍ଲିକା’ ପାଇଁ ମୁଁ ତମପରି ଏକ ବାସ୍ତବତାର ମଲ୍ଲିକାକୁ ପ୍ରତ୍ୟାଖ୍ୟାନକରି ପଳେଇଆସିଛି । ତମେ ମୋତେ ପାଗଳ କହିପାର ବା ଅପ୍ରକୃତିସ୍ଥ କହିପାର । ହୁଏତ ତମ କଥା ଠିକ୍; କାରଣ ତା’ ନ ହୋଇଥିଲେ ତମପରି ସୁନ୍ଦରୀ, ବୁଦ୍ଧିମତୀ, ଶିକ୍ଷିତା ଧନିକନ୍ୟାର ଅଯାଚିତ ପ୍ରେମକୁ ପ୍ରତ୍ୟାଖ୍ୟାନ କରିବାର ଶକ୍ତି ମୋ ପରି ଜଣେ ସାଧାରଣ ମଧ୍ୟବିତ୍ତ ଯୁବକ ହୃଦୟରେ ଆସିଲା କେମିତି ? ମାତାଲ ଯେମିତି ମଦ ନିଶାରେ କ୍ଷମତାଶୀଳ ଲୋକକୁ ବି ମୁହେଁ ମୁହେଁ ଜବାବ ଦିଏ ପରିମାଣକୁ ଭ୍ରୂକ୍ଷେପ ନ କରି–ମୁଁ ବି ବୋଧହୁଏ ସେମିତି ନିଶାଗ୍ରସ୍ତ ଥିଲି ସେତେବେଳେ । କେବଳ ସେତେବେଳେ କାହିଁକି ଆଜି ପର୍ଯ୍ୟନ୍ତ । ସେଇଥିପାଇଁ ତ ତମକୁ ଛାଡ଼ିଆସି ଏବେ ସୁଦ୍ଧା ବି ମୋର ପଶ୍ଚାତ୍ତାପ ନାହିଁ କି ଅନୁଶୋଚନା ନାହିଁ । ମୁଁ ନିଜକୁ ଜମା ଦୋଷୀ ବୋଲି ଭାବି ପାରୁନାହିଁ !

 

ନା–ଏହା ମୋର ମାନସିକ ବିକାର ନୁହେଁ–ପ୍ରତ୍ୟକ୍ଷ ଅନୁଭୂତି । ଶତକଡ଼ା ଅନେଶତ ଲୋକ ଯୁଗ ଯୁଗ ଧରି ଯାହା କରିଆସୁଛନ୍ତି, ତା’ ଷ୍ଟାଟିଷ୍ଟିକେଲ ସତ୍ୟ ହୋଇପାରେ; କିନ୍ତୁ ସବଜେକ୍ଟିଭ୍ ସତ୍ୟ ନୁହେଁ । ପ୍ରତ୍ୟେକ ମଣିଷ ଜଣେ ବ୍ୟକ୍ତି । ତା’ରି ଅନୁଭୂତ ସତ୍ୟ ହିଁ ତା’ ନିକଟରେ ଜୀବନ୍ତ । ଅପରୋକ୍ଷ ଅନୁଭୂତିର ସତ୍ୟ ଜଡ଼ ପଦାର୍ଥମାନଙ୍କ କ୍ଷେତ୍ରରେ ହୁଏତ ସାଧାରଣ ସତ୍ୟ ଭାବରେ ପରିଗଣିତ ହୋଇପାରେ; କିନ୍ତୁ ମାନସିକ ସ୍ତରରେ ବୈକ୍ତିକ ସତ୍ୟ ହିଁ ବ୍ୟକ୍ତି କ୍ଷେତ୍ରରେ ଅସଲ ସତ୍ୟ । ଏଥିରେ ଆଉ ଜେନେରାଲ ଇଜେସନ ଚଳେନା ।

 

ମଲ୍ଲିକା ! ମୁଁ ମୋର ଏଇ ସତ୍ୟ ନିକଟରେ ଅଙ୍ଗୀକୃତ । ଆଚ୍ଛା, ତମେ ଚେରାପୁଞ୍ଜି ଦେଖିଛ ? ତମକୁ ଛାଡ଼ିଆସିଲା ପରଠୁ ମୁଁ ତମର କିଛି ଖବର ରଖିନି । ତମେ କୋଉଠି ବାହାହୋଇଛ ? କୋଉଠି ରହିଛ ? କେତେ ଜାଗା ବୁଲିଛ ? ତମର ପିଲାପିଲି, ସ୍ଵାମୀର ଖବର କିଛି ବୋଲି କିଛି ଜାଣେନା । ତେଣୁ ଧରିନେଉଛି ତମେ ଦେଖିନା ବୋଲି । ଯଦି ଦେଖି ବି ଥାଅ, ତେବେ ଆହୁରି ଭଲ । ମୋ କଥା ନିଶ୍ଚୟ ତମେ ଠିକ୍ ଭାବରେ ଅନୁଭବ କରିପାରିବ ।

 

ମୁଁ ଏଇ ଅଞ୍ଚଳକୁ ପଳେଇଆସିଲା ବେଳକୁ ଏଇ ଜାଗାଟା ପ୍ରତି ଖୁବ୍ ଆକର୍ଷିତ ହୋଇଥିଲି ମନେ ମନେ । ପିଲାଦିନେ ଭୂଗୋଳ ପଢ଼ୁ ପଢ଼ୁ ଯେତେବେଳେ ହଠାତ୍ ମନଟା କାହିଁ ସୁଦୂରକୁ ଅଚାନକ ଚାଲିଯାଏ, ସେତେବେଳେ କଳ୍ପନାରେ ଭାସି ଯାଉଥିଲା ଏଇ ଜାଗାଟିର କଥା ।

 

ପ୍ରାୟ ପାଞ୍ଚ ହଜାର ଫୁଟର ମାଳଭୂମି । ପୃଥିବୀର ସର୍ବୋଚ୍ଚ ବୃଷ୍ଟିପାତର ଜାଗା । ସୁଦୂର ବଙ୍ଗୋପସାଗରରୁ ବଙ୍ଗଳା ଦେଶର ଉପର ଦେଇ ଘନକୃଷ୍ଣ ମେଘମାଳା ଭାସି ଭାସି ଆସି ଯୋଉଠି ତା’ର ଜଳଭାର ଅଜାଡ଼ିଦେଇ ବିଶ୍ରାମ ନିଏ । ଭାବିଥିଲି, ଏମିତି ଏକ ଜାଗାରେ, ନିଘଞ୍ଚ ଅରଣ୍ୟର ଅଭ୍ୟନ୍ତରରେ ମୁଁ ଗଢ଼ିବି ମୋ ପାଇଁ ଏକ ଛୋଟ କୁଟୀର । ରାତିଦିନ ମେଘକନ୍ୟାମାନଙ୍କର ଉଦ୍ଦାମ ନୃତ୍ୟ ଭିତରେ, ତାଙ୍କର ଅବିଶ୍ରାନ୍ତ ନୂପୁରର ଛନ୍ଦ ଭିତରେ ମୁଁ ନିଜକୁ ହଜାଇ ଦେବି । ମକରକ୍ରାନ୍ତିର ଚିରହରିତ୍‌ବନର ଚିରନ୍ତର ସବୁଜିମା ଭିତରେ, ମୋର ନିଜସ୍ୱ ରଙ୍ଗକୁ ଏକାବେଳକେ ମିଶେଇ ଦେଇ ନିଶ୍ଚିହ୍ନ ହୋଇଯିବି । ପାହାଡ଼ୀ ଝରଣାର ଦୁର୍ବାର ଗତିସ୍ରୋତର ଉଦ୍ବେଳିତ ତରଙ୍ଗ ଭିତରେ, ଗଭୀର ଜଳସ୍ରୋତର ଗମ୍ଭୀର ନିର୍ଘୋଷ ଭିତରେ, ମୁଁ ନିଜକୁ ଆବିଷ୍କାର କରିବି । କେତେବେଳେ ନୀଳଆକାଶର କୋଳରେ କେତେବେଳେ ଅବା ସବୁଜ ଧରିତ୍ରୀର କୋଳରେ ମୁଣ୍ଡଦେଇ ଶୋଇପଡ଼ି ଭୁଲିଯିବି ମୋର ପଥଚଲାର କ୍ଳାନ୍ତି । ଭାବୁଥିଲି ପୁରୀ ସମୁଦ୍ରର ବାଲୁକାବେଳାରେ ଛିଡ଼ାହୋଇ ଯୋଉ ଆକାଶ କାହିଁ କେତେଦୂର ମନେହୁଏ, ସେଇ ଆକାଶ ହୁଏତ ନିଶ୍ଚୟ ଚେରାପୁଞ୍ଜିର ଗହଳ ଅରଣ୍ୟଙ୍କ ଶୀର୍ଷରେ ସବୁଜ ଶେଯରେ ନୀଳମେଘ ପରି ଶୋଇପଡ଼ିଥିବ; ଆଉ ମୁଁ ସବୁଜ ଅରଣ୍ୟରେ ଛିଡ଼ାହୋଇ ନୀଳ ଆକାଶ ଭିତରେ ମୁଣ୍ଡ ରଖି ତା’ ଭିତରକୁ ଅନେଇ ଦେଖିବି ପୁରୀ ରାଇଜର ଦେଶକୁ–ସ୍ଵର୍ଗର ଦେବତାକୁ, ଇନ୍ଦ୍ରର ସିଂହାସନକୁ ।

 

କିନ୍ତୁ ସ୍ଵପ୍ନ ଭାଙ୍ଗିଗଲା । ଚେରାପୁଞ୍ଜିର ରାଜପଥ ଉପରେ ଛିଡ଼ାହୋଇ ମୁଁ ବିଶ୍ଵାସ କରିପାରିଲିନାହିଁ । ଚେରାପୁଞ୍ଜି ଏକ ମରୁଭୂମି । ଟାଙ୍ଗରା ପଥରର ଚଟାଣ ଲମ୍ବିଯାଇଛି ମାଇଲ ମାଇଲ ଧରି । ମଝିରେ ମଝିରେ ଛୋଟ ଛୋଟ ଥୁଣ୍ଟା ମୁଣ୍ଡିଆ । ଖାଲି ମଝିରେ ମଝିରେ ଅରାଏ ଘାସ ଛଡ଼ା କୋଉଠି ଅରଣ୍ୟର ଚିହ୍ନବର୍ଣ୍ଣ ନାହିଁ । ଏତେ ବର୍ଷା–ଅଥଚ ସାମାନ୍ୟତମ ଅରଣ୍ୟ ନାହିଁ । ମୁଁ ଭାବିଲି ବୋଧହୁଏ ଭୁଲ କରିଛି । ଚେରାପୁଞ୍ଜିର ଚାରିଆଡ଼େ ବୁଲି ବୁଲି ମୁଁ ଖୋଜି ବୁଲିଲି ମୋର ସେଇ ସ୍ଵପ୍ନର ଅରଣ୍ୟକୁ; କିନ୍ତୁ ନା, କୋଉଠି କିଛି ନାହିଁ । କେବଳ ମରୁଭୂମିର ଓଏସିସ୍‌ପରି ନାଳ କୂଳେ କୂଳେ ବୁଦାଗଛ ମାତ୍ର । ଆଉ ସେଇ ନୀଳପଦ୍ମ ଘୁଞ୍ଚି ଘୁଞ୍ଚି ଗଲାପରି ଆହୁରି ଉପରକୁ ଉଠିଯାଇଛି ସେ । ଆହୁରି ବହୁ ଉଚ୍ଚରୁ ଛିଡ଼ାହୋଇ ମୋତେ ଖତେଇହୋଇ ଚାହିଁଛି । ମୋର ହାତ ପାଆନ୍ତାରେ କେବଳ ରଙ୍ଗହୀନ ବିବର୍ଣ୍ଣ ଆକାଶ ।

 

ବହୁ ସମୟ ଧରି ମୁଁ ବିସ୍ମୟରେ ବିମୂଢ଼ ହୋଇ ରହିଗଲି ।

 

ସ୍ଵପ୍ନଭଙ୍ଗର ହତାଶା ମୋତେ କରିଦେଲା ସ୍ତବ୍‌ଧ ଓ ନିର୍ବାକ୍ ।

 

ଆଉ ଠିକ୍ ସେତିକିବେଳେ ହିଁ ହଠାତ୍‍କରି ମୋର ମନେପଡ଼ିଲା ତମ କଥା ।

 

ପ୍ରେମିକା, ତମେ ଏକ ଚେରାପୁଞ୍ଜି । ପ୍ରେମିକର ପ୍ରେମର ଅବିଶ୍ରାନ୍ତ ବର୍ଷଣ ସତ୍ତ୍ୱେ ବି ତମେ କେବଳ ଏକ ନୀରସ, ଶୁଷ୍କ, ଟାଙ୍ଗର ମରୁଭୂମି ।

Image

 

ତିସ୍‌ରୀ ପେଗ୍

 

ଗୃହିଣୀଙ୍କ କଡ଼ା ନିର୍ଦ୍ଦେଶ ‘‘ଗୃହ ମଧ୍ୟରେ ମଦ୍ୟପାନ ନିଷିଦ୍ଧ ।”

 

ପିଲାମାନେ ଅଛନ୍ତି । ସବୁ ଖରାପ ଅଭ୍ୟାସ ଶିଖିବେ । ମୁଁ ଯେ ନିହାତି ମଦ୍ୟପ ସେ କଥା ନୁହେଁ; କିନ୍ତୁ ହୁଏତ କୌଣସି ଛୁଟି ପୂର୍ବଦିନର ଅଳସ ରାତ୍ରକୁ ସଜୀବ କରିବାପାଇଁ କିମ୍ବା କୌଣସି ଅହେତୁକ ଆନନ୍ଦର ମୁହୂର୍ତ୍ତକୁ ଦୀର୍ଘାୟିତ କରିବାପାଇଁ ହଠାତ୍ ବହୁତ ଇଚ୍ଛାହେଲେ ଦୁଇ ତିନି ପେଗ୍ ହୁଇସ୍କିର ସାହାଯ୍ୟ ନେଇଥାଏ । ଏହା ଏକ ଅଭ୍ୟାସରହିତ ଅଭ୍ୟାସ । ଓଡ଼ିଶା ବାହାରେ ଥିଲାବେଳେ କିଛି ଅସୁବିଧା ହେଉନଥିଲା । ଯେକୌଣସି ବାର୍ ହାଉସରେ କିମ୍ବା କ୍ଲବରେ ଦୁଇତିନି ଘଣ୍ଟା କଟେଇ ଫେରିବା ସହଜଜନକ; କିନ୍ତୁ ଭୁବନେଶ୍ଵର ? ଅତ୍ୟଧିକ ପରିଚିତ ଓ ମାତ୍ରାଧିକ୍ୟ ଶୁଚିବାୟୁଗ୍ରସ୍ତ ନାଗରିକମାନଙ୍କ ଭିତରେ ଏକ ଅଳସ ବିଳାସ ନିଶ୍ଚିତ ରୂପରେ ଏକ ଚରିତ୍ର ସଂହାରର ଅସ୍ତ୍ର ଭାବରେ ରୂପାନ୍ତରିତ ହୋଇଯାଏ । ତା’ଛଡ଼ା ଉପରିସ୍ଥ ହାକିମ ତଥା ଅଧସ୍ତନ ସରକାରୀ କର୍ମଚାରୀଙ୍କ ଭିଡ଼ଭିତରେ ଏକ ପ୍ରକାର ‘ଗର୍ହିତ କର୍ମ’ ନିଜକୁ ପ୍ରସାରଣ କରିବା ପରିବର୍ତ୍ତେ ସଙ୍କୁଚିତ କରିଦିଏ । ସେଥିରେ ଆନନ୍ଦ ଅପେକ୍ଷା ବିସ୍ଵାଦ, ସମ୍ପ୍ରସାରଣ ଅପେକ୍ଷା ସଂକୋଚନ, ବିଲୟ ଅପେକ୍ଷା ସତର୍କତା ହିଁ କେବଳ ।

 

ଏଠାକୁ ଆସିବାର ବର୍ଷେ ପର୍ଯ୍ୟନ୍ତ ଏଇ ଆନନ୍ଦର ପୁନରାବୃତ୍ତି କରିବାର ସୁଯୋଗ ମିଳିନଥିଲା । ତେଣୁ ବହୁତ ଅନୁନୟ, ଅନୁରୋଧ ସତ୍ତ୍ୱେ ଏଥର କିଛିଦିନ ହେଲା ଗୃହିଣୀଙ୍କର ସଦୟ ସ୍ଵୀକୃତି–“ଯଦି ହେବ, ତେବେ ରାତ୍ରି ଦଶଟା ପରେ ଏବଂ ପିଲାମାନେ ଶୋଇଲାପରେ ।” ଶ୍ରୀମତୀ ଯେ ଏକାବେଳେ ଗ୍ରାମ୍ୟ ମହିଳା ଏକଥା କେହି ଯେମିତି ମନେନକରନ୍ତି । ସେ ମଧ୍ୟ କଦବା କ୍ଵଚିତ୍ ତାଙ୍କର ଜିନ୍‌ଓଲାଇମ୍ କର୍ଡିଏଲ ଗ୍ଲାସ୍‍ଟି ଧରି ମୋତେ ସଙ୍ଗଦାନ କରନ୍ତି । ଆଃ, ସତରେ ଆପଣମାନେ ଚମକିପଡ଼ିଲେଣି । ‘ମଧ୍ୟବିତ୍ତ ନୈତିକତା’ର ଚେର ଯେ କେତେ ଗଭୀର ଓ ତା’ର ବନ୍ଧନ ଯେ କେତେ ଦୃଢ଼ ସେ କଥା ସଠିକ୍ ଭାବେ ନିର୍ଣ୍ଣୟ କରିବା ଅସମ୍ଭବ ।

 

ମଦ୍ୟପାନ ପୁଣି ମହିଳା ! କଳିଯୁଗ ଯେ ସତରେ ଆସିଗଲା ଏଇ ସିଦ୍ଧାନ୍ତରେ ଏଇ ମିଡ଼ିଓକ୍ରିଟି ସମ୍ପ୍ରଦାୟମାନଙ୍କର ତଳେ ମାତ୍ର ଦ୍ଵିମତ ନାହିଁ ।

 

ଓ୍ୱାଇନ୍ ଓ ଜିନ୍‍କୁ ମହୁଲି କିମ୍ବା ତାଡ଼ି ସହିତ ସମତୁଲ କରି ମହୁଲିଜନିତ ଦୃଶ୍ୟକୁ ଏକ ଭଦ୍ରପରିବେଶ ଭିତରେ ସନ୍ନିବିଷ୍ଟ କରି ସେଇ ବିଳାସୀ ଭଦ୍ରମହିଳାଙ୍କ ସମ୍ପର୍କରେ ନାନା ଅବାଞ୍ଛନୀୟ; କିନ୍ତୁ ମୁଖରୋଚକ କାହାଣୀ ସୃଷ୍ଟି କରିବାର ଅଜସ୍ର କଳାକାର ଏ ଦେଶରେ ବିଦ୍ୟମାନ । ବ୍ୟକ୍ତିକୁ ସ୍ଵତନ୍ତ୍ର ଭାବରେ ନିଜସ୍ୱ ଜୀବନ ବିତାଇବାର ଅଧିକାର ଏ ଦେଶର ସମାଜ-ସଚେତନ (?) ନାଗରିକ ଏକାବେଳକେ ଦେବାକୁ ନାରାଜ । ନା, ବ୍ୟକ୍ତି-ସ୍ଵାତନ୍ତ୍ର୍ୟତା ନାମରେ ଉଚ୍ଛୃଙ୍ଖଳତାକୁ ଉତ୍ସାହିତ କରିବା ମୋର ଉଦ୍ଦେଶ୍ୟ ନୁହେଁ; କିନ୍ତୁ ନିଜସ୍ୱ ଗୃହର ଚାରିକାନ୍ଥର ପରିଧି ଭିତରେ ସାମାନ୍ୟ ନିର୍ଦ୍ଦୋଷ ବିଳାସିତା କ’ଣ ଏତେ ଅସ୍ପୃହଣୀୟ ?

 

ପ୍ରଥମ ପେଗ୍ ପରେ ମୁଁ ଏଇକଥା ଚିନ୍ତା କରୁଥିଲି । ମୁଣ୍ଡଟା ୟାପରେ ବେଶ୍ ପରିଷ୍କାର ହୋଇଯାଏ । ବାହାରେ ଦଶମୀ ଚନ୍ଦ୍ରର ନାତ୍ୟୁଜ୍ଜ୍ୱଳ ଜ୍ୟୋତ୍ସ୍ନା ସୃଷ୍ଟି କରିଛି ଏକ ଫୋସଫରେସେଣ୍ଟ୍ ଊର୍ଣ୍ଣନାଭ । ରାସ୍ତାଘାଟ କ୍ରମଶଃ ନିର୍ଜନ ହୋଇଆସୁଛି । ବଂଲୋ ଟାଇପ୍ କ୍ଵାର୍ଟରର ବାଡ଼ ସେପାଖେ ପିଚୁ ରାସ୍ତାରେ ହଠାତ୍ କେଉଁ ରିକ୍‌ସାବାଲାର ଟିଂ ଟିଂ ଶବ୍ଦ କଲେ ନିର୍ଜନତାର ପିଠିରେ ଦୁଇଚାରିଟା ତବ୍‌ଲାର ବୋଲ୍ ମାରି ହଜିଯାଇଛି । ପବନରେ କର୍ମକ୍ଳାନ୍ତ ନାଗରିକମାନଙ୍କର ସୁଷୁପ୍ତି ଭିତରୁ କ୍ରମଶଃ ନିଗିଡ଼ି ଆସୁଥିବା କ୍ଳାନ୍ତି ସବୁ ଧୀରେ ଧୀରେ ଜମାଟ ବାନ୍ଧି ଆସୁଛି । କ୍ଳାନ୍ତ ପବନ ତେଣୁ ମନ୍ଥର । କ୍ଵାର୍ଟର ପଛପାଖ ଲାଇନ୍‌ଓର କୁଡ଼ିଆ ବାନ୍ଧି ଚା’ ଦୋକାନଟିଏ କରିଥିବା ମଧୁ ବଡ଼ଜେନା ଦୋକାନର ଲୋକାଲ୍ ସେଟରେ ହଠାତ୍ କରି ‘ଆଞ୍ଚଳିକ ସଙ୍ଗୀତ’ର ଲହରୀ ଉଚ୍ଚ ସ୍ଵରରେ ଭାସି ଆସିଲା ବହଳ ନୀରବତାର ଲହୁଣୀ ଉପରେ ଶବ୍ଦର ଛୁରୀ ଦାଗ କାଟି କାଟି ।

 

ଅଭିନିବେଶ ଭାଙ୍ଗିଗଲା ତତ୍‌କ୍ଷଣାତ୍ । ପରିବେଶଟା ନଷ୍ଟ ହୋଇଗଲା ବୋଲି ବିରକ୍ତ ଆସିଲା ଯଥେଷ୍ଟ । କାଲି ଏନ.ଏ.ସି.କୁ କହି ଏ କୁଡ଼ିଆ ଭାଙ୍ଗିବାକୁ ପଡ଼ିବ । ସ୍ଥାନ ଅସ୍ଥାନରେ ଏ ଗୁମୁଟି ଓ କୁଡ଼ିଆ ପରିବେଶକୁ ଯେତିକି ଅସ୍ଵାସ୍ଥ୍ୟକର କରୁଛନ୍ତି, ମାନସିକ ଶାନ୍ତି ମଧ୍ୟ ବ୍ୟାହତ କରୁଛନ୍ତି ତା’ଠାରୁ ବେଶୀ । ସଙ୍ଗୀତର ରସ ଗ୍ରହଣ ବୋଧହୁଏ ଆଜିକାଲି ଏକକ ଭାବରେ ସମ୍ଭବପର ନୁହେଁ । ତେଣୁ ସମଗ୍ର ସାହିର ଲୋକଙ୍କୁ ବାଧ୍ୟତାମୂଳକଭାବରେ ସଙ୍ଗୀତ ଶୁଣାଇବାକୁ ଏବେ ସମସ୍ତେ ବ୍ୟଗ୍ର । ନ ଶୁଣି ଉପାୟ ନାହିଁ ।

 

ଗାୟକ କଳାକାରଙ୍କ ସ୍ଵର ମନ୍ଦ ନୁହେଁ । ତେବେ ସ୍କେଲଟା ଅପେକ୍ଷାକୃତ ଉଚ୍ଚ । ଭଜନଟିକୁ ‘ବୀରରସ’ରେ ନ ଗାଇଲେ ଶ୍ରୋତାଙ୍କ କଠିନ ହୃଦୟ ମଧ୍ୟରେ ପ୍ରବେଶର ସମ୍ଭାବନା କ୍ଷୀଣ ଥିବାରୁ ବୋଧହୁଏ ଏଇ ପ୍ରୟାସ । ଭଜନଟିରେ ଜଣେ ଭକ୍ତ ଭଗବାନଙ୍କୁ ତାଙ୍କର ପୂର୍ବକୃତିର ରେଫରେନସ୍ ଦେଇ ତାଙ୍କପ୍ରତି ସେହିପରି ଅନୁଗ୍ରହ ପ୍ରଦର୍ଶନ କରିବାକୁ ଭଗବାନଙ୍କୁ ଅନୁରୋଧ କରୁଛନ୍ତି ।

 

ପ୍ରାଚୀନ କବିମାନେ, ବିଶେଷତଃ ଓଡ଼ିଶାରେ ଅଧିକାଂଶ ପ୍ରାଚୀନ କବି ତାଙ୍କର ପ୍ରାର୍ଥନାରେ ଦୁଇଟି ଘଟଣାର ରେଫରେନସ୍ ଦେଇଥାନ୍ତି । ଗୋଟାଏ ହେଲା ‘ଚକ୍ର ପେଶି ନକ୍ର ନାଶି’ ଓ ‘ମୃଗୁଣୀକୁ ଘୋର ବନରୁ ରକ୍ଷା’; କିନ୍ତୁ ଏ ଦୁଇଟି ଘଟଣାକୁ ବିଶ୍ଳେଷଣ କରି ମୁଁ ଭାବୁଛି ବୋଧହୁଏ ହାତୀ ଓ ମୃଗୁଣୀ ଅପେକ୍ଷା କୁମ୍ଭୀରଟି ହିଁ ବେଶୀ ଭାଗ୍ୟବାନ୍ । ସ୍ଵୟଂ ଭଗବାନ ନିଜ ହାତରେ ଯାହାକୁ ନିଧନ କରିଛନ୍ତି–ତାଙ୍କର ସ୍ପର୍ଶ ଦେଇଛନ୍ତି, ସେ କ’ଣ ଅନିବାର୍ଯ୍ୟ ମୃତ୍ୟୁ ହାତରୁ କିଛିକ୍ଷଣ ପାଇଁ ବର୍ତ୍ତିଯାଇଥିବା ଜନ୍ତୁଟିର ଅପେକ୍ଷା ବେଶ୍ ପୁଣ୍ୟବାନ୍ ନୁହେଁ ? ସେହି ଦୃଷ୍ଟିରୁ ଦେଖିଲେ ମନେହୁଏ ପୃଥିବୀରେ ଥରକୁ ଥର ଅବତାର ଗ୍ରହଣ କରି ଯୋଉ ଦୁଷ୍ଟମାନଙ୍କୁ ସେ ଦଳନ କରିଛନ୍ତି, ସେମାନଙ୍କୁ ବଳି ଭକ୍ତ ବୋଧହୁଏ ସେ ସମୟରେ କେହି ନ ଥିଲେ । ଆପାତଦୃଷ୍ଟିରେ ଦାମ୍ଭିକ ଓ ଅଭିମାନୀ ଅତ୍ୟାଚାରୀ ସେଇ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ପାଶ୍ଚାତରେ ନିଶ୍ଚିତ ଭାବରେ ରହିଥିଲା ଭଗବାନଙ୍କ ପ୍ରତି ଏକ ରାଜସିକ ଭକ୍ତିର ଅହଂକାର । ବୈକୁଣ୍ଠରେ ଥାଆନ୍ତୁ, ତାଙ୍କୁ ଆସିବାକୁ ହିଁ ପଡ଼ିବ–ଦର୍ଶନ ଦେବାକୁ ପଡ଼ିବ–ସେମାନଙ୍କର ପାର୍ଥିବ ଶରୀରଟିକୁ ସ୍ଵହସ୍ତରେ ଧ୍ଵଂସ କରି ତାଙ୍କୁ ମୁକ୍ତି ଦେବାକୁ ପଡ଼ିବ ।

 

ସେଇ ସବୁ ଶକ୍ତିମାନ୍ ଅହଂସର୍ବସ୍ଵ ପରୁଷମାନେ ଏତେ ପ୍ରବଳ ଭାବରେ ମନ୍ଦ ଯେ ତାଙ୍କୁ ବିନାଶ କରିବାପାଇଁ ତାଙ୍କଠାରୁ ବଳିୟାନ୍ ‘ଭଲ’କୁ ଓଟାରିଆଣିବାକୁ ସମର୍ଥ । ଏହିପରି ‘ଭଲ’ ଠିକ୍ ମତର ବିପରୀତାର୍ଥବୋଧକ ‘ଭଲ’ ନୁହେଁ; ଭଲ ଓ ମନ୍ଦକୁ ସମଭାବରେ ଗ୍ରହଣ କରି ପାରୁଥିବା ଓ ତା’ଠାରୁ ଊର୍ଦ୍ଧ୍ଵରେ ଥିବା ଏକ ସର୍ବଶକ୍ତିମାନ୍ ପ୍ରିନ୍‌ସିପ୍ଲ ବା ଅତିଭୌତିକ ଚେତନା ଯେ ନିଜକୁ ଯେମିତି ଭାବରେ ହେଲେ ପ୍ରକାଶ କରିପାରେ ।

 

ପୁରାଣର ଗୋଟିଏ ଜିନିଷ ଆଶ୍ଚର୍ଯ୍ୟ ଲାଗେ । ନିଜସ୍ୱ ସାଧନାର ବଳରେ ଅଭୂତପୂର୍ବ ନିଷ୍ଠାବଳରେ ଯୋଉ ବ୍ୟକ୍ତି (ରାକ୍ଷସ ବା ଅସୁର ନାମରେ ନାମିତ) ପାର୍ଥିବ ଜଗତର ସମସ୍ତ ସୁଖ-ସ୍ଵାଚ୍ଛନ୍ଦ୍ୟ ପାଇବାର ‘ବର’ ଏକ ଅତୀନ୍ଦ୍ରିୟ ଚେତନାର ବ୍ୟକ୍ତି (ଦେବତା ନାମରେ ନାମିତ)ଠାରୁ ହାସଲ କରି ପାଇଥାଏ (ହୁଏତ ତାଙ୍କର ଅନିଚ୍ଛା ସତ୍ତ୍ୱେ) । ସେ ସେଇ ଶକ୍ତିର ବିନିଯୋଗ କଲାବେଳକୁ, ତାଙ୍କୁ ‘ବର’ ଦେଉଥିବା ବ୍ୟକ୍ତିମାନେ ମଧ୍ୟ ତାଙ୍କୁ ନିୟନ୍ତ୍ରିତ କରିବାକୁ ଅସମର୍ଥ ହୋଇଥାନ୍ତି । ଯଦି ‘ଦେବତା’ ଓ ‘ରାକ୍ଷସ’ମାନଙ୍କୁ ଭଲ ଓ ମନ୍ଦର ନିକିତିରେ ତଉଲ କରି ଦେଖାଯାଏ, ତେବେ ସେମାନେ ସମାନ ହେବେ ନାହିଁ । ରାକ୍ଷସ ଦେବତାଠାରୁ ଗରୀୟାନ ହୋଇଥାଏ ।

 

ମୋର କିନ୍ତୁ ମନେହୁଏ ରାକ୍ଷସ ଓ ଦେବତା ଦୁଇଜଣ ବ୍ୟକ୍ତି ଭାବରେ ସମାନ । କେବଳ ଲକ୍ଷ୍ୟଗତ ପାର୍ଥକ୍ୟ । ଜଣେ ମଣିଷ ତା’ର ‘ଅହଂ’ ପରିତ୍ୟାଗ କରି, ଶରଣାଗତ ହୋଇ ଏକନିଷ୍ଠ ଭାବରେ ପ୍ରାର୍ଥନା କରି ଦେବତା ହୁଏ, ବୈକୁଣ୍ଠ ପାଏ । ବିନା ଚେଷ୍ଟାରେ ବି ସେଠାରେ ଇଚ୍ଛା ଅନୁରୂପ ପାର୍ଥିବ ସମ୍ଭୋଗର ବିଳାସ ପାଏ; କିନ୍ତୁ ଅନ୍ୟ ମନୁଷ୍ୟଟି ‘ଅହଂ’କୁ ପରିତ୍ୟାଗ ନ କରି, ନିଜର ପୁରୁଷକାରବଳରେ ଏଇ ପୃଥିବୀରେ ତା’ର ଭୋଗକୁ ପରିପୂର୍ଣ୍ଣ କରିବାକୁ ଚାହେଁ । କାହାରି ଦୟାରୁ ସେ କିଛି ଗ୍ରହଣ କରିବାକୁ ଚାହେଁନା । ସେ ଦୟା ଚାହେଁନା, ‘ବର’ ଚାହେଁ–ଏଇ ପୃଥିବୀରେ ରହିବାକୁ । ଏଇ ପୃଥିବୀରେ ଉପଭୋଗ କରିବାକୁ, ନିଜର ଇଚ୍ଛାରେ, ନିଜସ୍ୱ ବ୍ୟକ୍ତି-ସ୍ଵାତନ୍ତ୍ର୍ୟରେ–ନିଜସ୍ୱ ବାହୁବଳରେ; ସିଂହ ଯେପରି ଅନ୍ୟ କାହାରି ଉଚ୍ଛିଷ୍ଟ ଶିକାରକୁ ଗ୍ରହଣ କରେ ନାହିଁ; ସେଇ ହୁଏ ରାକ୍ଷସ ବା ଅସୁର । ବୈକୁଣ୍ଠକାମୀ ବ୍ୟକ୍ତିଠାରୁ ପୃଥିବୀକାମୀ ବ୍ୟକ୍ତିଟିର ଗୁଣାତ୍ମକ ଭାବରେ ବିଶେଷ ପ୍ରଭେଦ ବା କାହିଁ ? କେବଳ ଦେହ ଓ ମନର ଫରକ । ପୃଥିବୀକାମୀ ବ୍ୟକ୍ତିଟିର କାମନା ଦୈହିକ ଓ ବୈକୁଣ୍ଠକାମୀ ବ୍ୟକ୍ତିଟିର କାମନା ମାନସିକ; କିନ୍ତୁ କାମନା ସମାନ–ଉପଭୋଗ ସମ୍ଭୋଗ ବିଳାସ । ସେଇଥିପାଇଁ ଏକ ତପସ୍ୟାରତ ଋଷି ଉପରେ ଜଣେ ରାକ୍ଷସ ରାଜା ଯେମିତି ଅତ୍ୟାଚାର କରିପାରେ, ଦେବରାଜ ଇନ୍ଦ୍ର ମଧ୍ୟ ସେମିତି ଅତ୍ୟାଚାର କରିପାରନ୍ତି । ତେଣୁ ଦେବତା ଓ ରାକ୍ଷସକୁ ଭଲ ଓ ମନ୍ଦ ରୂପରେ ଚିତ୍ରିତ କରିବା ଅର୍ଥହୀନ ।

 

ଅତଏବ ଦେବତା ହେବା ପାଇଁ ଚେଷ୍ଟା କରିବାଠାରୁ ଅସୁର, ଏକେବାରେ ପରଫେକ୍ଟ ଅସୁରଟିଏ ହେବା ମୋ ମତରେ ଶ୍ରେୟସ୍କର । ସେଥିରେ ମୁକ୍ତିର ସମ୍ଭାବନା ବେଶୀ; କିନ୍ତୁ ଦେବତା ହେଲେ ମୁକ୍ତିର ସମ୍ଭାବନା ସୁଦୂରପରାହତ । କିଛି ସମୟ ସ୍ଵର୍ଗରେ ରହି ପୁଣ୍ୟ କ୍ଷୟ ହେଲା ମାତ୍ରକେ ପୁନର୍ବାର ପୁନଃ ପ୍ରବେଶ ମର୍ତ୍ତ୍ୟକୁ । ନୋ, ନେଭର୍ । ଅସୁର ହୁଅ । ଏଇ ପୃଥିବୀରେ ମଉଜ କର । ଠାକୁରଙ୍କ ହାତରେ ମୃତ୍ୟୁ ବରଣ କରି ମୁକ୍ତି ପାଇଯାଅ । ନ ପୁନରାବର୍ତ୍ତତେ ।

 

ଦ୍ଵିତୀୟ ପେଗ୍ ଶେଷ ହେବାକୁ କିଛି ବାକି ।

 

ଆଚ୍ଛା, ମୁଁ କାହିଁକି ଏମିତି ଆବୋଲତାବୋଲ ଭାବୁଛି । ଲୋକେ କହନ୍ତି ଏକୁଟିଆ ମଦ୍ୟପାନ କରିବା ଅର୍ଥ ଲୋକଟିକୁ ମଦ୍ୟ ପାନ କରିବାକୁ ଆରମ୍ଭ କଲାଣି । ମୋର କ’ଣ ସେମିତି ଅବସ୍ଥା ଆସିଗଲାଣି ? ସତେ କ’ଣ ମଦ୍ୟ ମୋର ବ୍ୟକ୍ତିତ୍ଵକୁ ଗ୍ରାସ କରିବାକୁ ଆରମ୍ଭ କଲାଣି ? ନା ସମ୍ଭବ ନୁହେଁ । ଦୀର୍ଘ ପଚିଶ ବର୍ଷ କାଳ ଏମିତି ସାମୟିକ ପାନ ଯେତେବେଳେ ମୋତେ ନୈମିତ୍ତିକ ପାନସ୍ତରକୁ ଓହ୍ଲେଇ ଆଣି ପାରିନାହିଁ; ଏବେ ଯେ ପାରିବ ତା’ର ସାମର୍ଥ୍ୟ କାହିଁ ?

 

ଯେକୌଣସି ନିଶା ଖାଇବାରେ ବୋଧହୁଏ ଏକ ନୈସର୍ଗିକ କାରଣ ରହିଛି । ଏ ଦୈହିକ ଉତ୍ତେଜନା ବା ବିସ୍ମୃତି ପାଇଁ ନୁହେଁ, ନିଜକୁ ଭୁଲିଯିବାରେ ନିଜକୁ ହଜାଇଦେବାରେ ମଣିଷର ସହଜାତ ପ୍ରବୃତ୍ତି ତାକୁ ଏ ସବୁ କରିବାକୁ ଉତ୍ସାହ ଦିଏ, ପ୍ରରୋଚିତ କରେ ତା’ର ସମ୍ପୂର୍ଣ୍ଣ ଅଗୋଚରରେ । କିଏ ପ୍ରେମରେ ନିଜକୁ ହଜାଏ, କିଏ ପରିବାର ଭିତରେ ନିଜକୁ ହଜାଏ, କିଏ ସାହିତ୍ୟରେ, କଳାରେ, ସ୍ଥାପତ୍ୟରେ ନିଜସ୍ୱ ଧନ୍ଦାରେ, ଗବେଷଣାରେ ଇତ୍ୟାଦି କୋଉଥିରେ ନା କେଉଁଥିରେ ମଣିଷ ନିଜକୁ କିଛି ସମୟ ହଜାଇବାକୁ ବାଧ୍ୟ । ଏଇ ହଜିବାର ମୁହୂର୍ତ୍ତ ଯେ କ୍ଷଣସ୍ଥାୟୀ, ଏଇ କଥା ବୁଝି କେହି ବ୍ୟକ୍ତି ଏକ ଅପରିସୀମ, ଅଜ୍ଞେୟ କିନ୍ତୁ ଅନୁଭବ-ଉପଲବ୍‌ଧ ଏକ ଐଶ୍ଵରୀକ ଆନନ୍ଦ ଭିତରେ ନିଜକୁ ଚିରସ୍ଥୟୀ ଭାବରେ ହଜାଇଦେବାର ପ୍ରୟାସ କରନ୍ତି ଜୀବନ ଧରି । ‘ସମାଧି’ ସେଇ ହଜିବାର ମୁହୂର୍ତ୍ତ । ସଜ୍ଞାନ ଭାବରେ ନିଜକୁ ବିଲୟ କରି ଏକ ନବ ଚେତନାର ଆନନ୍ଦରେ, ନିଜକୁ ନିଜ ଭିତରେ ହଜାଇ ପୁଣି ଖୋଜି ପାଇବାରେ ଆନନ୍ଦ ହିଁ ‘ସମାଧି’ର ଆନନ୍ଦ ।

 

ଆଚ୍ଛା, ମଣିଷ ନିଜକୁ ଭୁଲିବାକୁ ଚାହେଁ କାହିଁକି ? ଖୁସିରେ ବି ସେ ନିଜକୁ ଭୁଲିଯିବାର ଓ ଦୁଃଖରେ ବି ସେ ନିଜକୁ ଭୁଲିଯିବାର ଚେଷ୍ଟାକରେ । ସତରେ କ’ଣ ସେ ଜଣେ ପରଦେଶୀ ଲୋକଟିଏ ବାଟ ଭୁଲି ପୃଥିବୀକୁ ଚାଲିଆସିଛି ? ପୃଥିବୀକୁ ସେ ଭଲପାଏ; କିନ୍ତୁ ବେଳେବେଳେ କେମିତି ତା’ର ‘ନିଜ ଦେଶ’ ପାଇଁ ମନଟା ଉଚ୍ଚାଟ ହୁଏ । ସେ ଅନ୍ୟମନସ୍କ ହୋଇ କ୍ଷଣକ ପାଇଁ ହେଲେ ବି ଭୁଲିଯାଏ ଏ ଜାଗତିକ ପୃଥିବୀକୁ । ସେଇ କ୍ଷଣକ ଭିତରେ ସେ ବଞ୍ଚିରହେ ତା’ର ‘ଜନ୍ମମାଟି’ରେ । ଯୋଉଠୁ ତା’ର ଚେର ଲମ୍ବିଛି ଏଇ ପୃଥିବୀ ପର୍ଯ୍ୟନ୍ତ ।

 

ସେ କ୍ଷଣିକ ମୃତ୍ୟୁ ହିଁ ତା’ର ପୃଥିବୀରେ ବଞ୍ଚିବାର ପ୍ରାଣରସ । ଲକ୍ଷ୍ନୌ ହୋଇଥିଲେ ଏତେବେଳକୁ ମଣ୍ଟୁ ମୁଖୋପଧ୍ୟାୟ କହିଥାନ୍ତା–“କି ଦାଦା, ଜ୍ଞାନ ଦିଚ୍ଛେନ୍ ?”

 

କମଲ ଶର୍ମା ତା’ର ଲମ୍ବା ଲମ୍ବା ବାଳକୁ ଥରେ ଦି’ଥର ଝାଡ଼ିଦେଇ ନବାବୀ କାଏଦାରେ କୁର୍ଣ୍ଣସ୍ କରି କହିଥାନ୍ତା ‘‘କ୍ୟୁଁ, ବଡ଼େ ସା’ବ୍, ଆଜ୍ ଦୋହିଁ ପେଗ୍ ମେଁ ଡୁବ୍ ଗୟେ ।” ମିଆଁ ରୋଶନ୍ ଅଲ୍ଲି, ତା’ର ପାଲଟା ଜବାବ୍ ଦେଇଥାନ୍ତା ‘‘ନାହିଁ, ଶର୍ମାଜୀ, ଜନାବ୍‍କା ନିଶା ତୋ ଅଭି ଶର୍‌ପର୍ ହୈ-। ତିସରୀ ମେଁ ୟେ ଦିଲ୍ ତକ୍ ଉତର୍ ଆୟେଗି, ତଭି ଦେଖ୍‌ନା ।”

 

ହୋ ଯାୟ ତିସ୍‌ରୀ । ହେଉ କ୍ଷତି କ’ଣ ?

 

“ନିଶା ମନ୍ ମେ” ହୋତା ହୈ ଗୁରୁ, ନା ଶିର୍ ମେ, ନା ଦିଲ୍ ମେ, ନା ବଦନ୍ ମେ । ଆଉ କିଏ ଜାଣେ ମନଟା କୋଉଠି ଅଛି ?

 

ସତରେ, ଦେହଟା କେତେ ନିରୀହ । ଜଡ଼ଟାଏ ତ । କିଛି ଜାଣେନା ସେ, କିଛି ବୁଝେନା-। ଅଥଚ ମନର ପ୍ରତ୍ୟେକ ଚଞ୍ଚଳତା ତା’ ଦିହରେ ପ୍ରତିସ୍ପୁରିତ ହୁଏ । କ୍ରୋଧ ହୁଏ ମନରେ, ହଠାତ୍ ମାଂସପେଶୀ ଟାଣ ହୋଇଗଲା, ଚକ୍ଷୁ ଲାଲ ହୋଇଗଲା, ମୁହଁ ବିକୃତ ହୋଇଗଲା, ଜିଭ ଅନର୍ଗଳ ଉଚ୍ଚସ୍ଵରରେ ଶବ୍ଦ ଛାଡ଼ିବାକୁ ଆରମ୍ଭ କଲା; କିନ୍ତୁ ଦେହର କିଛି ରାଗ ନାହିଁ, ବିଦ୍ଵେଷ ନାହିଁ । କାମନା ହେଲା ମନ ଭିତରେ; କିନ୍ତୁ ଦେହର ସମସ୍ତ ଲୋମ ଟାଙ୍କୁରି ଉଠିଲେଣି । ବିଭିନ୍ନ ଗ୍ରନ୍ଥିରୁ ବିଭିନ୍ନ ରସ ନିର୍ଗତ ହେବା ଆରମ୍ଭ ହୋଇଗଲାଣି । ‘‘ଦେହର କ୍ଷୁଧା” ବୋଲି ଯୋଉ କୁହାଯାଏ, ସେଇଟା ଏକାବେଳକେ ମିଥ୍ୟା । ଦେହର କିଛି ବୋଲି କ୍ଷୁଧା ନାହିଁ । ମନର କ୍ଷୁଧା ହିଁ ସତ୍ୟ । ମନ ଏକ ଆଶରୀରୀ ପଦାର୍ଥ । ସେ ଚାହେଁ ଉପଭୋଗ ପାଇଁ ଏକ ଆଧାର । ସେଇ ଆଧାରଟି ହିଁ ଶରୀର-। ସେଇ ଆଧାର ମାଧ୍ୟମରେ ହିଁ ସେ ନିଜକୁ ପ୍ରକାଶିତ କରେ ।

 

ତେବେ ‘‘ବାଦଶାଓଁ, ମନ୍‌କି ନିବାସ କହାଁ ପର୍ ?” କୋଉଠି ରହିଛି ମନ ? ଶରୀର ଭିତରେ ତ ? ଓତପ୍ରୋତ ଭାବରେ ଜଡ଼ିତ ? ନା–ମସ୍ତିଷ୍କର କେଉଁ ଏକ ସୂକ୍ଷ୍ମତନ୍ତ୍ରୀ ଭିତରେ ତା’ର ନିବାସ ? ଯେ ଆଶରୀରୀ, ତା’ର ପୁଣି ନିବାସ କ’ଣ ? ଘର କ’ଣ ?

 

ଆଖି ବୁଜି ବୁଜି ଆସୁଛି । ଉତ୍ତେଜନା ଏଥର ସ୍ତିମିତ ହୋଇ ଦେହର ଗ୍ରନ୍ଥିକୁ ଶିଥିଳ କରିଦେଉଛି । କଥା ଅସ୍ପଷ୍ଟ ହୋଇଆସୁଛି । ଦେହ ଅବଶ, ମନ ବି ଧୀର ଧୀରେ ତା’ର ସଂହତି ହରାଇ ଅସଂଲଗ୍ନ ହୋଇଆସୁଛି । ସବୁ କିଛି ଅସ୍ପଷ୍ଟ ହୋଇଆସୁଛି; କିନ୍ତୁ ତଥାପି ଜଣେ କିଏ ସ୍ପଷ୍ଟ ଦେଖିପାରୁଛି ତ । ସେ ଜାଣିପାରୁଛି ଶରୀରଟା ଅବଶ ହୋଇଗଲାଣି । ମନଟା ଅସ˚ଲଗ୍ନ ହୋଇଗଲାଣି । ତା’ର କିନ୍ତୁ ନିଘା ନାହିଁ । ସତର୍କ ପ୍ରହରୀ ପରି ସଦା ଜାଗ୍ରତ କିଏସେ ସେ ?

 

ମୁଁ । ମୁଁ

 

ହଁ, ମୁଁ ତ ଦେଖୁଛି । ମୁଁ, ହଁ ଜାଣିପାରୁଛି ମୋର ମନର ଅସ˚ଲଗ୍ନତା, ମୋ ଦେହର ଅବଶତା ।

 

କିନ୍ତୁ କିଏ ସେ ଏଇ ମୁଁ ।

 

ଚାରିଆଡ଼େ ଶୂନ୍‍ଶାନ୍ । ନିଶୂତି । ନିର୍ଜନତା । ନୀରବତା; କିନ୍ତୁ କାନ ପାଖରେ ଅନୁରଣିତ ହୋଇଛି ଏକ ଅଶୁଣା, ଅନାହତ ଶବ୍ଦର ଅବିଶ୍ରାନ୍ତ ଝଙ୍କାର–ମୁଁ ଉଁ ଉଁ ଉଁ...ମୁଁ ଉଁ ଉଁ ଉଁ ।

 

ବେଡ଼୍‍ ଲାଇଟ୍ ଲିଭାଇଦେଇ ମୁଁ ଅନ୍ଧକାର ଭିତରେ କିଛି ସମୟ ଚୁପ୍‌ଚାପ୍ ବସି ରହିଲି-। ଝରକା ଫାଙ୍କ ଦେଇ ହଠାତ୍ କରି ପଶିଆସି ମେଞ୍ଚାଏ ଜ୍ୟୋତ୍ସ୍ନା ବିଛେଇ ହୋଇପଡ଼ିଲା । ବେଡ଼୍‍ ସାଇଡ୍‍ ଟେବୁଲ୍‍ ଉପରେ ଥିବା ଗ୍ଲାସ୍ ଭିତରେ; ତୃତୀୟ ପେଗ୍ ହୁଇସ୍କିର ଅବଶିଷ୍ଟା˚ଶ ଉପରେ ପ୍ରତିଫଳିତ ହେଲା ମଧ୍ୟରାତିର ନିଶବ୍ଦ ଚନ୍ଦ୍ରାଲୋକ । ପୀତାଭ ପାନୀୟ ନୀଳ ଜ୍ୟୋତ୍ସ୍ନାର ବିନ୍ଦୁ ବିନ୍ଦୁ ରାଶିକୁ ଦ୍ରବୀଭୂତ କରି ଢଳଢଳ ହେଉଛି ନିଜର ନିଶାରେ ନିଜେ ବିଭୋର ହୋଇ ।

 

ଏକାନିଃଶ୍ଵାସରେ ସେତକ ଶେଷ କରିଦେଇ ମୁଁ ଝରକା ପାଖକୁ ଆସି ରେଲି˚ ଫାଙ୍କ ଦେଇ ବାହାରକୁ ଉବୁକି ଚାହିଁଲି । ଏକ ଅପରୂପ ଅସ୍ପଷ୍ଟ ଆଲୋକରେ ପୃଥିବୀ ଜୀବନ୍ତ ହୋଇଉଠିଛି ସାମଗ୍ରିକ ଭାବରେ । ତା’ର ବରଫାବୃତ ଗିରିଶୃଙ୍ଗ, ଧୂଧୂ ବାଲିଚର ମରୁଭୂମି, ସବୁଜ ଅରଣ୍ୟ, ନଦନଦୀ, ସାଗର, ମହାସାଗରର, ବିଭିନ୍ନ ବୃକ୍ଷଲତା, ଅସଂଖ୍ୟ ପ୍ରକାର ପ୍ରାଣୀମାନଙ୍କ ସମାହାରରେ ସେ ପରିପୂର୍ଣ୍ଣା ନାରୀଟିଏ ପରି ବିକଶିତ । ରୂପ, ରସ, ଗନ୍ଧର ଇନିଫିନିଟି ପ୍ରକାରର ପରମ୍ୟୁଟେସନ୍ କମ୍ବିନେସନରେ ଗଠିତ ଲକ୍ଷ କୋଟି ପ୍ରାଣୀର ବର୍ଣ୍ଣିଳ ପ୍ରକାଶରେ ସେ ଆତ୍ମସମାହିତା ।

 

କିନ୍ତୁ ସେ ଜଡ଼ ନା ଜୀବନ୍ତ ।

 

କେତେବେଳେ ସେ ଜଡ଼, ପୁଣି କେତେବେଳେ ସେ ଜୀବନ୍ତ । ଜଡ଼ ଓ ଜୀବନ ଭିତରେ ସୀମାରେଖା କେତେ ଅସ୍ପଷ୍ଟ ! କିନ୍ତୁ ସତରେ ପୃଥିବୀ ଏକ ଚେତନାହୀନ ବସ୍ତୁ ମାତ୍ର । ଶରୀର ଯେପରି ମନର ବିଭିନ୍ନ ଚଞ୍ଚଳତାର ପ୍ରକାଶର ସ୍ଥୂଳ ମାଧ୍ୟମ, ପୃଥିବୀ ମଧ୍ୟ ସେହିପରି ଏକ ମହାମନର ପ୍ରକାଶର ଆଧାର । ପୃଥିବୀର ଶରୀରର ଭିତର ଓ ବାହାର ଓତପ୍ରୋତ ଭାବରେ ସଂଶ୍ଳିଷ୍ଟ ହୋଇ ରହିଛି ଏକ ମହାଜୀବନ । ସେହି ଜୀବନ ଯେତେବେଳେ ଯୋଉଠି, ଯେମିତି ଭାବରେ ପ୍ରକାଶିତ ହେବାକୁ ଚାହୁଁଛି ପୃଥିବୀର ସେହି ସେହି ଅଂଶରେ ସେମିତି ରୂପ ପରିବର୍ତ୍ତନ ଘଟିଛି–ଏକ ଅଶରୀରୀ ଚେତନାର ସ୍ଥୂଳ ମାଧ୍ୟମ ରୂପରେ ।

 

ଜୀବନ ତେବେ କ’ଣ ‘ମହାମନ’ର ଅନ୍ୟନାମ ?

 

ବ୍ୟକ୍ତିଗତ ମନର ବିଭିନ୍ନ ଅନୁଭୂତି ଯେପରି ପ୍ରକାଶିତ ହୁଏ, ଶରୀରର ବିଭିନ୍ନ ମାଂସପେଶୀର ସଞ୍ଚାଳନରେ, ଯେମିତି ‘ମହାମନ’ର ଅହେତୁକୀ ଇଚ୍ଛା କ’ଣ ଏମିତି ପୃଥିବୀର ଶରୀରରେ ସବୁଜ ଅରଣ୍ୟଠାରୁ ଆରମ୍ଭ କରି ଧୂ-ଧୂ ମରୁଭଭୂମିରେ ପରିସ୍ପୁଟିତ ହୁଏ ? ଲକ୍ଷ ଲକ୍ଷ ଚଳମାନ, ଗତିଶୀଳ ପ୍ରାଣିଜଗତ କ’ଣ ସେଇ ‘ଅତିମାନସ’ର ବିଚ୍ଛୁରିତ ପ୍ରତିବିମ୍ବର ବର୍ଣ୍ଣିଳ ଇନ୍ଦ୍ରଧନୁ-?

 

ପୃଥିବୀ, ନିଜ ଗତିପଥରେ ଅବିଶ୍ରାନ୍ତ ପରିଭ୍ରମଣଶୀଳ ଏକ ଗୋଲାକାର ଜଡ଼ପିଣ୍ଡ ନୁହେଁ–ଏକ ଚିନ୍ମୟ ଚେତନାର ପ୍ରକାଶର ଆଧାର । ତା’ର ପ୍ରତି କଣିକାରେ ନିହିତ ରହିଅଛି ଏକ ପ୍ରବଳ କିନ୍ତୁ ଖିଆଲୀ ‘ଇଚ୍ଛାଶକ୍ତି’ । ସେଇ ଆଧାରଭୂତ ‘ଇଚ୍ଛାଶକ୍ତି’ର ଇଚ୍ଛାରେ ହିଁ ପରିଚାଳିତ ହେଉଅଛି ତା’ର ରୂପ, ରସ, ଗନ୍ଧର ବିଭିନ୍ନ ପରିପ୍ରକାଶ ।

 

ସେଇ ଇଚ୍ଛାଶକ୍ତି କ’ଣ ସେହି ମହାମନ ? ଜୀବନ ? ଅତିମାନସ ? ମନର ଖୋଳପା ଛଡ଼ାଇ ତା’ ଭିତରୁ ବୀଜଟିଏ କ୍ଷଣିକ ଆଗରୁ ଯେମିତି ଅନୁରଣିତ ହେଉଥିଲା ମୁଁ ମୁଁ ବୋଲି, ପୃଥିବୀର ବହିରାବରଣ ଭେଦକରି, ଅତିମାନସର ସୂକ୍ଷ୍ମ କିନ୍ତୁ ବଳିଷ୍ଠ ଅବଗୁଣ୍ଠନ ଉନ୍ମୁକ୍ତ କରି, ସେହିପରି କେଉଁ ଜ୍ୟୋତିର୍ମୟ ଚେତନା ତା’ ଭିତରେ ରହି ବଜ୍ରନିନାଦରେ ଘୋଷଣା କରୁଛି ତା’ର ଚିରନ୍ତନ ଅସ୍ତିତ୍ଵକୁ–“ମୁଁ ସେଇ ଇଚ୍ଛାମୟ, ଲୀଳାମୟ ଏକ ଏବ ଅଦ୍ଵିତୀୟ ମନ ।”

 

ମୁଁ ଜ୍ୟୋତ୍ସ୍ନାର କିରଣ ଭିତରେ କାନ ପାତି ଶୁଣିବାକୁ ଚେଷ୍ଟାକଲି ସେଇ ଶବ୍ଦହୀନ ସ୍ଵରର ଅଲ୍‍ଟ୍ରାସୋନିକ୍‍ ତରଙ୍ଗମାଳାକୁ । କିନ୍ତୁ ଏ କ’ଣ ? ଯାହାର ସ୍ଵରକୁ ମୋର କାନ ଦେଇ ଶୁଣିପାରୁନାହିଁ, ସମସ୍ତ ଦେହର ଅଣୁକଣା ଭିତରେ ମୁଁ ଅନୁଭବ କରୁଛି ସେଇ ଅଶ୍ରୁତପୂର୍ବ ନାଦର ଝଙ୍କାରକୁ । ମହାସମୁଦ୍ରର ଅସଂଖ୍ୟ ଲହରୀମାଳାର କ୍ଷୁଦ୍ର କ୍ଷୁଦ୍ର ଶବ୍ଦ ଯେପରି ମିଳିତ ଭାବରେ ସୃଷ୍ଟିକରେ ତା’ର ମହା ଗର୍ଜନ–ସେମିତି ଏଇ ବିଶ୍ଵର କୋଟି କୋଟି ଅଣୁକଣା ଭିତରୁ ନିର୍ଗତ ଅସଂଖ୍ୟ ‘ମୁଁ’ର ଅସ୍ପଷ୍ଟ ଧ୍ୱନି ମିଳିତ ହୋଇ ନିନାଦିତ ହେଉଅଛି ଏକ ଉଚ୍ଚକିତ ‘ମୁଁ’ର ମହାଧ୍ୱନିରେ-। ନା...ନା–ତା’ର ବିପରୀତ ବୋଧହୁଏ । ସେଇ ପ୍ରଗାଢ଼ ଗମ୍ଭୀର ମହାଶବ୍ଦ ବୋଧହୁଏ ଅସଂଖ୍ୟ ସୂର୍ଯ୍ୟର ଦୀପ୍ତି ପରି ବିସ୍ଫୋରିତ ହୋଇ ନିନାଦିତ ହେଉଅଛି ଲକ୍ଷ ଲକ୍ଷ କୋଟି କ୍ଷୁଦ୍ର କ୍ଷୁଦ୍ର ‘ମୁଁର ବିନ୍ଦୁରେ ।

 

ମୋତେ କ’ଣ ସମ୍ପୂର୍ଣ ନିଶା ଲାଗିଗଲାଣି ?

 

ମୁଁ କ’ଣ ପୂରା ମାତାଲ୍ ହୋଇଗଲିଣି ?

 

ନା, ତ...ଏମିତି ହେବାର କଥା ନୁହେଁ–ମାତ୍ର ତିନିଟା ପେଗରେ । ରୋଶନ୍ ଅଲ୍ଲିର କଥା କ’ଣ ସତ ? ତିସ୍‍ରୀ ପେଗ୍‍ କ’ଣ ସତରେ ମୁଣ୍ଡର ନିଶାକୁ ଓଟାରି ଆଣିଛି ହୃଦୟ ଭିତରକୁ ? ସବୁ ଅନୁଭବ–ନିଶାର ବୋଧହୁଏ ନିର୍ଦ୍ଦିଷ୍ଟ ବାଟ ଏଇଟା । ସେ ନିଶା ଇନ୍ଦ୍ରିୟର ଗଳିରୁ ଭୁଆଁ ବୁଲି ବୁଲି ମସ୍ତିଷ୍କର ରାଜରାସ୍ତାର ମର୍କ୍ୟୁରୀ ଲେମ୍ପର ଉଜ୍ଜ୍ୱଳ ଆଲୋକରେ ନିଜର ପରିସ୍ଥିତିକୁ ଉପଲବ୍‍ଧି କରି ହୃଦୟର ରାଜପ୍ରାସାଦ ଭିତରେ ନିଜକୁ ନିଜେ ଅନୁଭବ କରେ ।

 

“ପିନା ହାରାମ୍ ହୈ ନା ପିଲାନା ହାରାମ୍ ହୈ

ମଗର୍ ପି କର୍ ହୋଶ୍‍ ମେ ଆନା ହାରାମ୍‍ ହୈ ।”

 

ଏ ନିଶା ଲାଗିଥାଉ । ଆଉ ଯେମିତି ହୁଶ୍ ନ ଆସୁ ।

Image

 

ଦୂର-ଅଦୂର

 

ମୁଁ ଠିକ୍ ଜାଣେ ଚାରିଟା ଏକଚାଳିଶ ମିନିଟରେ କଅଁଳା ବାଛୁରୀ ପରି ଖରାଟା ଫକ୍ କରି ଡିଆଁମାରି ଝରକା ଭିତରଦେଇ ମୋ ଟେବୁଲ୍‍ ଉପରେ ଆସି ପଡ଼ିବ । ଏଇଟା ଶୀତ ଦିନର, ମାନେ ନଭେମ୍ବରଠାରୁ ଜାନୁଆରୀ ମାସ ମାଧ୍ୟମରେ ନିତ୍ୟନୈମିତ୍ତିକ ଘଟଣାଟିଏ ।

 

ନବତଳ ପ୍ରାସାଦର ପଶ୍ଚିମମୁଖୀ ସାହିର ଏକଣିଆ ଘର ଟିକକରେ ମୋର ଅବସ୍ଥାନ–ସକାଳ ଦଶଟାରୁ ସନ୍ଧ୍ୟା ପାଞ୍ଚଟା । କେବେ କେବେ ଡେରି ହୋଇଯାଏ । ଏଇ ନବତଳ ପ୍ରାସଦରେ ହାରେମ୍ ନାହିଁ ସତ; କିନ୍ତୁ ସମ୍ରାଟ୍ ଅଛନ୍ତି । ପ୍ରତ୍ୟେକ ତାଲାରେ ଜଣେ ଜଣେ ସମ୍ରାଟ୍ । ତାଙ୍କର ନିଜସ୍ଵ ସାମ୍ରାଜ୍ୟ ରହିଛି–ରହିଛି ପ୍ରଭୃତ୍ୱ ।

 

କିନ୍ତୁ ମୁଁ ସେଇ ଖରା କଥା କହୁଥିଲି । ହଠାତ୍ କରି ସେଇ ନରମ ସୁନେଲି ରଙ୍ଗର ଖରା ଝର୍କାର ଫାଙ୍କରେ ଅଧେ ଲୁଚି ବାକି ଅଧିକ ବିଛେଇ ହୋଇଯାଏ ମୋ ଟେବୁଲ୍‍ ଉପରେ । ତା’ର ପହୁଞ୍ଚିବା କ୍ଷଣି ସଙ୍ଗେ ସଙ୍ଗେ କୋଠରିଟା କେମିତି ଗୋଟଏ ନୈସର୍ଗିକ ଆଲୁଅରେ ଉଜ୍ଜ୍ୱଳ ହୋଇଉଠେ । ଧଳା ଧଳା କାନ୍ଥଗୁଡ଼ାକ ଗୋଲାପି ହୋଇଯାଆନ୍ତି ଡାଇରେକ୍ଟର ମାଥୁର ସାହେବଙ୍କ ଦୁଇ ବର୍ଷର ଛୋଟ ଝିଅଟିର ଗୋଲାପି ଗୋଲାପି ରଙ୍ଗର ଗାଲ ପରି । ଫାଇଲ୍ ଥାକ, ରେକ୍, ଟେବୁଲ୍‍, ଚେଆର୍‍, ବୁକ୍‍ ସେଲ୍‍ଫ୍ ସବୁ ପାଲଟିଯାଆନ୍ତି ଏକ ପ୍ରାଣବନ୍ତ ସଜୀବତାରେ । ଫାଇଲ୍ ଉପରେ ହାତ ଅଟକିଯାଏ । ଏକ ଅଦ୍ଭୁତ ଚେତନାର ଶିହରଣ ସାରାଦେହରେ ଖେଳିଯାଇ ମୋତେ କ୍ଷଣକ ପାଇଁ ଭୁଲାଇ ଦିଏ ମୋର ବର୍ତ୍ତମାନ ପରିସ୍ଥିତିକୁ–ମୋର ବାସ୍ତବିକତାକୁ । ସବୁ କିମିତି ଗୋଳମାଳିଆ ହୋଇଯାଏ । ଆନମନା ହୋଇଯାଏ । ଚେଆର୍‍ ଉପରୁ ଉଠିଯାଇ ଝରକା ପାଖରେ ଛିଡ଼ା ହୋଇଯାଏ ନିଜ ଅଜାଣତରେ । ସେଇ ଖରା ଯେମିତି ମୋତେ ଆକର୍ଷଣ କରିନେଇଯାଏ ତା’ ପାଖକୁ । ତା’ରି କୋଳ ଭିତରେ ମୋତେ ପୂରେଇ ନେଇ, ସହସ୍ର ବାହୁ ଦେଇ ମୋତେ ଆଲିଙ୍ଗନ କରି ଧୀରେ ଧୀରେ ମିଳେଇ ଦେଇଯାଏ ତା’ ଭିତରେ । ଏଇ ବିଲୟ ଭିତରେ ଆତ୍ମପୀଡ଼ନର ଜ୍ଵାଳା ନାହିଁ–ଅଛି ଏକ ମଧୁମୟ ସ୍ପର୍ଶ ।

 

କବାଟ ପାଖରେ ଦୀନବନ୍ଧୁ ଚପ୍ରାସୀର ଅଳସ ପଦଶବ୍ଦରେ ତନ୍ଦ୍ରା ଭାଙ୍ଗେ । ମୁଁ ଜାଣେ ସେ କବାଟ ବନ୍ଦ କରିବାକୁ ଆସିଛି । ପାଞ୍ଚଟା ବାଜିଗଲାଣି । ଘରକୁ ଫେରିବାର ସମୟ ହୋଇଗଲାଣି । ଆହୁରି କିଛି ସମୟ ସେମିତି ତନ୍ମୟ ହୋଇ ଛିଡ଼ାହେବାକୁ ଇଚ୍ଛାଥିଲେ ବି ବାଧ୍ୟରେ ପଡ଼ି ଫେରିଆସେ । ମୋତେ ବି ତ ଫେରିବାକୁ ପଡ଼ିବ ।

 

ମୋର କାହିଁକି ଏମିତି ହୁଏ କେଜାଣି ? କାହିଁ ଦୀନବନ୍ଧୁ ଚପ୍ରାସୀର ଏମିତି କେବେ ଖିଆଲ ହେବା ଦେଖିନାହିଁ; କିମ୍ବା ଆମ ଅଫିସର ବଡ଼ବାବୁ ଗୌରାଙ୍ଗବାବୁ, କିମ୍ବା ବାକି ସବୁ କିରାଣୀ ଅଧସ୍ତନ ଅଫିସର କିମ୍ବା ଚପ୍ରାସୀମାନଙ୍କ ଭିତରେ ବି ମୁଁ କେବେହେଲେ ଏଇପରି ଏକ ଅବସ୍ଥା ଲକ୍ଷ୍ୟ କରିନାହିଁ । ହୁଏତ ମୁଁ ଏକ ବ୍ୟତିକ୍ରମ; ଅଥବା ତାଙ୍କର ଦୈନନ୍ଦିନ ଜୀବନଯାତ୍ରା ସହିତ ମୋର ନିବିଡ଼ ପରିଚୟ ନାହିଁ ବୋଲି ଏଇ ‘ଖଣ୍ଡ-ସମାଧି’ର ଅସ୍ତିତ୍ଵକୁ ମୁଁ ଦେଖିପାରି ନାହିଁ–ଜାଣି ପାରିନାହିଁ ।

 

ଖରା ଦେଖିବା ତ କିଛି ନୂଆ କଥା ନୁହେଁ । ମୁଁ ଆଜକୁ ଚଉରାଳିଶି ବର୍ଷ ଧରି ଏଇ ଖରା ଦେଖି ଆସୁଛି; ଅଥଚ ଝରକା ଫାଙ୍କରେ ସାମାନ୍ୟ ଚିରୁଳାଏ ଖରା ହଠାତ୍ ଏମିତି ମୋ ମନକୁ ଅନ୍ୟମନସ୍କତାର ଭଉଁରି ଭିତରେ ଡୁବେଇ ଦେଇ ନିଜ ଅସ୍ତିତ୍ଵକୁ ମଧ୍ୟ ଆତ୍ମବିସ୍ମୃତ କରିଦେଉଛି କିପରି ? ପୃଥିବୀର ସବୁ ଜିନିଷ ବୋଧହୁଏ ଏଇପରି । ସେଥିପାଇଁ ଲୋଡ଼ା ମାନସିକ ପ୍ରସ୍ତୁତି, ଗୋଟାଏ ଅପ୍ରତ୍ୟାଶିତ ଶୁଭକ୍ଷଣ । ଏଇ ଦୁଇଟିର ସମନ୍ଵୟ ଘଟିଲେ ଗୋଟାଏ ନିହାତି ସାଧାରଣ ଘଟଣାଟିଏ ମଣିଷକୁ ଅତିଭୌତିକ ସ୍ତରକୁ ନେଇଯାଏ, ସାମାନ୍ୟ ବସ୍ତୁଟିଏ ହଠାତ୍‍ ଏକ ଅଦ୍ଭୁତ ଅସାଧାରଣତ୍ଵରେ ବିସ୍ଫୁରିତ ହୋଇଉଠେ । ନହେଲ ଆପଲଟିଏ ତ ଗଛରୁ ପଡ଼ୁଛି । ପାଚିଲେ ତ ସବୁ ଫଳ ଏମିତି ଟୁପ୍ ଟାପ୍ ହୋଇ ଗଛରୁ ପଡ଼ନ୍ତି । ଏଥିରେ ଏମିତି ବିଚିତ୍ର କଥା ବା କ’ଣ ? କିନ୍ତୁ ସେଇ ସାମାନ୍ୟତମ ଘଟଣାରୁ ନିଉଟନ୍‍ ପ୍ରମାଣ କଲେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି, ଏକ ଯୁଗାନ୍ତକାରୀ ଆବିଷ୍କାର ।

 

ସବୁ ସାଧାରଣ କଥା ଏମିତି ଭାବରେ ଅସାଧାରଣ । ସୂର୍ଯ୍ୟ ତା’ ଅକ୍ଷ ଚାରିପଟରେ ବାରଟି ଗ୍ରହକୁ ସାଙ୍ଗରେ ନେଇ ବୁଲୁଛି । ପ୍ରତ୍ୟେକ ଗ୍ରହ ନିଜ ନିଜ ଅକ୍ଷ ପଥରେ ଘୂରୁଛନ୍ତି । ଲକ୍ଷ ଲକ୍ଷ ବର୍ଷ ଧରି ଏଇ ରୁଟିନ୍‌ବନ୍ଧା ଜୀବନରେ ତାଙ୍କର ବ୍ୟତିକ୍ରମ ନାହିଁ । ଫୃଥିବୀ ଘୂରୁଛି । ଘୂରୁ ଘୂରୁ ତା’ ଦେହରେ ଋତୁର ପରିବର୍ତ୍ତନ ଘଟୁଛି । ଗୋଟିକ ପରେ ଗୋଟିକ ଋତୁ । ସେଥିରେ ବି ବ୍ୟତିକ୍ରମ ନାହିଁ । କିଏ ଯେମିତି ସମସ୍ତଙ୍କୁ ଗୋଟାଏ ଗୁଳାରେ ବାନ୍ଧିଦେଇଛି । ସେ ଗୁଳା ଉପରୁ ଅବାଟରେ ଖସି ଯିବାର ଉପାୟ କାହାରି ନାହିଁ ।

 

ଦିନ ହେଉଛି । ରାତି ହେଉଛି ।

 

ନା, କିଛି ବୋଲି କିଛିରେ ସାମାନ୍ୟତମ ଅଦଳ ବଦଳ ନାହିଁ ।

 

କିଏ ଜାଣିନି ଏ କଥା ? କିନ୍ତୁ ଏଇ ଜଣାଶୁଣା କଥାଗୁଡ଼ାକ ପୁଣି ଅଜଣା ହୋଇଯାଆନ୍ତି ଟିକିଏ ନିରେଖି ଚାହିଁଲେ । ଟିକିଏ ନିଜକୁ ଚାହିଁ ପ୍ରଶ୍ନ ପଚାରିଲେ । ସତରେ କ’ଣ ଯୁଗକୁ ଯୁଗ ଚାଲିଥିବ ଏମିତି ? ତା’ର କ’ଣ ଆରମ୍ଭ ନ ଥିଲା ? ତା’ର କ’ଣ ଶେଷ ନାହିଁ ? ଯଦି ଆରମ୍ଭ ଥିଲା–ତେବେ ତା’ ପୂର୍ବରୁ କ’ଣ ଥିଲା ? କେଉଁଥିରୁ ଏ ପୃଥିବୀ, କେଉଁଥିରୁ ଏ ଜଳବାୟୁ, ପର୍ବତ, ନଦନଦୀ, ଗଛପତ୍ର, ପଶୁପକ୍ଷୀ–ଶେଷକୁ ଏଇ ମଣିଷ । ପୁଣି ମଣିଷ ଭିତରେ ବ୍ୟକ୍ତିଟିଏ । ‘ମୁଁ’ । ନିଜ ଭିତରୁ ଚମକିପଡ଼ି ଉଠିପଡ଼ିଥିବା ଚେତନାଟିଏ ଛିଗୁଲାଇ ହୁଏ–କିଏ ତୁ ? କିଏ ତୁ ?

 

ନିଜ ଆତ୍ମବିଶ୍ଵାସରେ ସ୍ଥିର ନିଶ୍ଚିତ ମଣିଷଟିଏ ବାଉଳି ପାଇଯାଏ । ତା’ର ପରିବାର, ସ୍ତ୍ରୀ, ପୁତ୍ର, ମା, ବାପା, ଭାଇ, ଭଉଣୀ, ବନ୍ଧୁ ପରିଜନର ସ୍ଥିର ଜଳ ଚହଲିଯାଏ । ତା’ର ଚାକିରି, ଧନ, ଆଶା, ଆକାଙ୍‌କ୍ଷା ଗୋଳିଆଗୋଳି ହୋଇ ତାକୁ ଠେଲିଦିଏ ଏକ ଅନିଶ୍ଚିତତାର ଗଭୀର ସମୁଦ୍ର ଭିତରକୁ । ଶକ୍ତ ମାଟିର ଆଶ୍ରୟ ନ ପାଇ ସେ ଏକ ଅଜଣା ଆଶଙ୍କାରେ ଆଉଟି ପାଉଟି ହୁଏ, ସୀମାହୀନ ଅନ୍ଧକାର ଭିତରେ, ଅପରିସୀମ ଶୂନ୍ୟତାର ବ୍ୟାପ୍ତି ଭିତରେ ସେ ଭୟରେ ଶିହରି ଉଠେ–ନିଜର ଅସ୍ତିତ୍ଵକୁ ରକ୍ଷାକରିବାକୁ ପ୍ରାଣ ବିକଳରେ ଚିତ୍କାର କରେ । ଛଟପଟ ହୋଇ ବାହାରିଆସିବାକୁ ପ୍ରାଣପଣ ଚେଷ୍ଟା କରେ ।

 

ସେଇ କ୍ଷଣକ ମୁହୂର୍ତ୍ତ । ସେଇ ମୁହୂର୍ତ୍ତକର ଅନୁଭୂତି ତା’ର ଚାରିଦିନର ଯନ୍ତ୍ରଣା । ସେ ପୁଣି ମାଟି ଉପରକୁ ଫେରିଆସେ । ଦେଖେ ସବୁ ଠିକ୍ ଅଛି । ତା’ ସହର, ଗଳି ତା’ ଘର ସବୁ ଠିକ୍‍ ରହିଛି । କିଛି ଭାଙ୍ଗିରୁଜି ଯାଇନି । ତା’ର ବାପା, ମା, ବନ୍ଧୁ-ପରିଜନ, ସ୍ତ୍ରୀ-ସନ୍ତାନ ସମସ୍ତେ ଠିକ୍ ଅଛନ୍ତି । ସେ ନିଶ୍ଚିନ୍ତ ହୁଏ । ନା, କିଛି ବଦଳି ନାହିଁ । ସବୁ ଠିକ୍ ଚାଲିଥିବ ଏମିତି । ନିଜକୁ ସାହସ ଦିଏ, ଆତ୍ମବିଶ୍ଵାସ ଫେରିଆସେ ।

 

ସେଇ ମୁହୂର୍ତ୍ତକର ଅନୁଭୂତିର ଅସରନ୍ତି ଗଳି ଭିତରକୁ ହଠାତ୍‍କରି ପଶି ଯାଇଥିବା ରାସ୍ତାକୁ ସେ ଭୁଲିବାକୁ ଚେଷ୍ଟାକରେ । ଜାଣିଶୁଣି ଛିଣ୍ଡାଇ ଫୋପାଡ଼ି ଦିଏ ସେଇ ନୂତନ ଦେଶର ମାନଚିତ୍ରଟିକକୁ । ସେ ପୁଣି ସାଧାରଣ ହୋଇଯାଏ ।

 

ସବୁ ମଣିଷ ଏମିତି ସାଧାରଣ ହୋଇ ରହିବାକୁ ଭଲପାଆନ୍ତି । ମୁଁ ବି ଭଲପାଏ; କିନ୍ତୁ କେଜାଣି କାହିଁକି ଜଣେ କିଏ ମୋର ଅନିଚ୍ଛାସତ୍ତ୍ୱେ ବି ଟାଣି ଟାଣି ନେଇ ସେ ଗଳି ମୁହଁର ରାସ୍ତାରେ ଠେଲିଦେଇଯାଏ । ଗଳି ଦରଜା ଡେଇଁଲେ ହିଁ ସମୁଦ୍ର । ସମୁଦ୍ର ଓ ଗଳି କବାଟ ଭିତରେ ସାମନ୍ୟତମ ଦୂରତ୍ଵ । ଦୂରତ୍ଵ ନାହିଁ କହିଲେ ହିଁ ଚଳିବ । ଏକ ପାଦ । ଆଉ ସେତକ ସମୟପାଇଁ ମୁଁ ହୁଏ ଅସାଧାରଣ ।

 

ଚାରିଟା ଏକଚାଳିଶ ମିନିଟ୍‌ରୁ ପଞ୍ଚଟା ଭିତରେ କ୍ଷଣକ ପାଇଁ ‘ଅସାଧାରଣ’ ହୋଇଥିବା ଚେତନାଟିଏ ପୁଣି ବ୍ୟକ୍ତି ରୂପରେ ନବତଳ ପ୍ରାସାଦରୁ ଓହ୍ଲାଇ ଆସେ ଏକ ରୂପରେ ‘ବ୍ୟକ୍ତି’ ଭାବରେ, ଆଉ ଶହ ଶହ ମଣିଷର ଗୋଠ ଗହଳି ଭିତରେ ହଜିଯାଏ–‘ଜନତା’ର ନୈର୍ବ୍ୟକ୍ତିକ ରଙ୍ଗ ଭିତରେ ମିଶିଯାଏ–ଦୂରର ସବୁଜ ବନର ସବୁଜିମା ଭିତରେ ଗୋଟାଏ ନିର୍ଦ୍ଦିଷ୍ଟ ଦୈର୍ଘ୍ୟ ପ୍ରସ୍ଥ ଘେନି ମୁଣ୍ଡଟେକି ରହିଥିବା ଗଛଟିର ଅସ୍ତିତ୍ଵ ମିଶିଗଲାପରି । ପାଖକୁ ଦେଖିଲେ ଅସୀମ ଖଣ୍ଡ ବିଖଣ୍ଡିତ ବହୁ ସସୀମ ରୂପର ନିର୍ଦ୍ଦିଷ୍ଟତାରେ ପ୍ରତିଭାତ ହୁଏ; କିନ୍ତୁ ଦୂରକୁ ଚାହିଁଲେ ସସୀମ ପୁଣି ବିସ୍ତୃତ ହୋଇଯାଏ ଏକ ସାମୂହିକୀ ଏକତ୍ଵର ଅସୀମତାର ବ୍ୟାପ୍ତିରେ ।

 

“କ’ଣ ହୃଷୀକେଶ, ଚିନ୍ତାମଣି, ସୁବ୍ରତ, ଚତୁର୍ବେଦୀ, ତ୍ରିପାଠୀ...ଓଗେର...ଭଲ ଅଛନ୍ତି ?”

 

ଶୁଖିଯାଇଥିବା ଚେରସବୁ ହଠାତ୍ ଗଜୁରି ଉଠନ୍ତି । ବଢ଼ି ଚାଲନ୍ତି ଅଣନିଃଶ୍ଵାସୀ ଗତିରେ, ମାଟି ଭିତରକୁ, ତଳକୁ ତଳକୁ, ବାନ୍ଧି ରଖିବାକୁ । ଆଉ ଖସିଯାଇପାରିବ ନାହିଁ ।

 

ଦେଶର ଚେର ।

 

ପ୍ରଦେଶର ଚେର ।

 

ସହରର ଚେର ।

 

ଗାଁର ଶାଖା ଚେର ।

 

ଜାତିର ଚେର ।

 

ସାହିର ଚେର ।

 

କୁଟୁମ୍ବର ଚେର ।

 

ପରିବାରର ଚେର ।

 

ସବୁ ଚେର ଏକାବେଳେକେ ଗଜୁରିଉଠି ବାନ୍ଧିରଖନ୍ତି ‘ବ୍ୟକ୍ତି’ଟିକୁ ତତ୍‍କ୍ଷଣାତ୍ ମୁହୂର୍ତ୍ତକ ମଧ୍ୟରେ । ମେଜିକ୍‌ପରି ପୁଣି ସେଇ ଗଛ ଉପରେ ସାଙ୍ଗେ ସାଙ୍ଗେ ପତ୍ର କଅଁଳନ୍ତି । ଫୁଲ ଫୁଟନ୍ତି ।

 

ଘରଟିଏ ତୋଳା ହେବ ।

 

ଗାଡ଼ିଟିଏ କିଣା ହେବ ।

 

ସ୍ତ୍ରୀଙ୍କ ପାଇଁ ଶାଢ଼ି, ଗହଣା ।

 

ଝିଅ ପାଇଁ ଭଲ ଜୋଇଁଟିଏ ।

 

ପୁଅ ପାଇଁ ଚାକିରିଟିଏ ।

 

ନିଜ ପାଇଁ ପ୍ରମୋଶନ ।

 

ଆକାଶର ବୁକୁ ଉପରେ ମାଇଲ୍‍ ମାଇଲ୍ ଧରି ଲମ୍ବିଥିବା ବର୍ଷଣମୁଖର କଳା ଘୁମର ମେଘ ଭିତରେ ନିବିଡ଼ ଭାବରେ ସଂଜୀବୀତ ଜଳକଣା ହଠାତ୍ ବିଚ୍ଛିନ୍ନ ହୋଇ ଖସିପଡ଼ନ୍ତି ବିନ୍ଦୁ ବିନ୍ଦୁ ବର୍ଷାରୂପରେ । ସେ ବିନ୍ଦୁ କେବଳ ନିମ୍ନମୁଖୀ–ପାତାଳମୁଖୀ ।

 

“କ’ଣ ଶିବ, ଅରୁଣ, ପ୍ରଭାତ, ମିଶ୍ର, ମହାନ୍ତି, ପଟ୍ଟନାୟକ ଓଗେର...ବାବୁ ? ଚାଲି ଚାଲି-? ଏତେ ବର୍ଷ ଚାକିରି ଗଲାଣି । ବଡ଼ ଅଫିସର ହେଲେଣି । ଗାଡ଼ି ଖଣ୍ଡେ କିଣୁ ନାହାନ୍ତି ।”

 

ହରିବାବୁ, ହରିଚରଣ ପଣ୍ଡା, ଜିଲା-ବାଲେଶ୍ଵର, ଥାନା ସୋରୋ, ଗାଁ–ନଈକୂଳ–ବ୍ରାହ୍ମଣ ସାହି । କ୍ଵାଟର ନ˚ ୨୮ । ଟାଇପ୍‍ ଫୋର୍ । ଇଉନିଟ୍ ୱାନ୍ । ଗ୍ରେଡ଼୍ ୱାନ୍ ଆସିଷ୍ଟେଣ୍ଟ୍ । ଫାଇନାନସ୍ ଡିପାର୍ଟମେଣ୍ଟ । ଦୂରବୀକ୍ଷଣ ଯନ୍ତ୍ରର ଏକ ବିନ୍ଦୁରେ ସେ ବର୍ତ୍ତମାନ ସୀମିତ । ସେଇ ବୃତ୍ତରେ ଲକ୍ଷ୍ୟ ରଖି ମୁଁ ଏଥର କହିଲି–

“ଦରମା କ’ଣ ଅଣ୍ଟୁଛି ? ଯୋଉ ମହରଗ କାଳ–”

“ହଁ, ନୁହେଁ ତ ଆଉ କ’ଣ ?

ଦୂରବୀକ୍ଷଣ ଯନ୍ତ୍ର ଏଥର ଅନ୍ୟଆଡ଼କୁ ମୁହାଁଇଲା । କର, ଯାଉଛି । ମୋର ସମସାମୟିକ । ଫିଆଟ୍ ଗାଡ଼ି–ନିଜେ ଚଳଉଛି । ହସି ଦେଇ ଚାଲିଗଲା । ହାତ ହଲେଇ ଦେଇ– । ନିଜସ୍ଵ ଗୌରବବୋଧରେ ନିଜେ ଉତ୍‌ଫୁଲ୍ଲିତ ହୋଇ ।

ଶୁଭେନ୍ଦୁ କର । ଜିଲା–କଟକ, ଥାନା–ଜଗତସିଂହପୁର ।

ରାସ୍ତାର ଦୁଇ ପାଖରେ ଅଗଣିତ ଲୋକର ଭିଡ଼ । ମୁଁ ବେଶୀ ଭାଗ ଲୋକଙ୍କୁ ଚିହ୍ନେନା-। ସେମାନଙ୍କୁ ମୁଁ ନିର୍ଦ୍ଦିଷ୍ଟ କରିପାରୁନି । ଦୂରବୀକ୍ଷଣ ଯନ୍ତ୍ର ଅଚଳ । ସେମାନଙ୍କୁ ମୁଁ ଏଥର ଦେଖିପାରୁଛି ଏକ ସାମୂହିକୀ ରୂପରେ । ମଣିଷ, ଅଗଣିତ ମଣିଷ । କେବଳ ମଣିଷ ।

ହରିବାବୁ ମିଶି ଯାଉଛି । କର ମିଶି ଯାଉଛି ।

ସଚିବାଳୟ ମାର୍ଗ । ବସଷ୍ଟେଣ୍ଡ । ସୂଚନାଭବନ । ଲୋକ । ଲୋକ । ଲୋକ । ମଣିଷ ହଜିଯାଉଛି ‘ଜନତା’ର ଭିତରେ । ନିର୍ଦ୍ଦିଷ୍ଟ ମିଶି ଯାଉଛି ଅନିର୍ଦ୍ଦିଷ୍ଟତାରେ । ସସୀମ ମିଶିଯାଉଛି ଅସୀମତାରେ ।

 

ସାଧାରଣ ଅସାଧାରଣ ଭିତରେ ବ୍ୟବଧାନ ଟିକକ କେତେ କ୍ଷୁଦ୍ର ସତେ !

 

ସସୀମ ଓ ଅସୀମ ଭିତରେ ବ୍ୟବଧାନ କେତେ କଳ୍ପନିକ ସତେ !

 

ରାସ୍ତା କଡ଼ର ଝଙ୍କାଳିଆ ଗଛମୂଳର ତ୍ରିନାଥ ମେଳା ମଣ୍ଡପ ଉପରୁ ଜଣେ କିଏ ଗଞ୍ଜୋଡ଼ ଭକ୍ତ ଗଞ୍ଜେଇ ନିଶାରେ ଭୋଳ ହୋଇ ବିଳିବିଳେଇ ଉଠିଲା–“ଭାବକୁ ନିକଟ ସେ ଯେ ଅଭାବକୁ ଦୂର ।”

Image

 

ପ୍ରଭାସ ତୀର୍ଥ

 

ସୁକାନ୍ତ ପାର୍କ ଭିତରକୁ ପଶିଲା । ବେଶୀ କେହି ଲୋକ ନାହାନ୍ତି । ଗୋଟିଏ ଗଛମୂଳେ ଭିକାରୀ ଦମ୍ପତିଟିଏ । ଗଛମୂଳେ ଛିଣ୍ଡା ମଇଳା ଲୁଗାପଟା ମେଞ୍ଚା ହୋଇ ପଡ଼ିଛି । ଗଛ ତଳକୁ ତିନୋଟି ବେଢଙ୍ଗିଆ ପଥରର ଚୁଲି । ଅଧା କଳା । ପାଖରେ ମାଟିହାଣ୍ଡି–ଖଣ୍ଡିଏ କି ଦି’ଖଣ୍ଡ ଫଟା ସିଲଭର ବାସନ । ଭିକାରୀ ନୁହଁନ୍ତି ବୋଧେ । ଫୁଲବାଣୀ କି ନୟାଗଡ଼ ପାଖରୁ କୋଉ ଗାଁରୁ ଚାଲି ଆସି ସହର ଭିତରେ ବସା ବାନ୍ଧିଥିବା ମୂଲିଆ ଦମ୍ପତି ହୋଇପାରନ୍ତି । ପାର୍କର ଗୋଟିଏ କ’ଣ ପାଖରେ ସିମେଣ୍ଟ ବେଞ୍ଚ ଉପରେ ଦି’ଚାରିଟା ଟୋକା । ସ୍କୁଲ ପିଲା ବୋଧହୁଏ । ତାଙ୍କ ଭିତରୁ ଜଣେ କିଏ ଛୋଟିଆ ଟ୍ରାନ୍‌ଜିଷ୍ଟରଟାଏ ଧରିଛି । କ୍ରିକେଟ୍ କମେଣ୍ଟରୀ ଚାଲିଛି ବୋଧହୁଏ ।

 

ବେଳ ପ୍ରାୟ ଗୋଟାଏ ହେବ । ପାର୍ଟି ଅଫିସରୁ ସେ ଚାଲିଆସିଛି । ଆଉ ଯିବାକୁ ଇଚ୍ଛାହେଉନାହିଁ । ଚାକୁଣ୍ଡା ଗଛମୂଳ ସିମେଣ୍ଟ ବେଞ୍ଚଟା ଉପରେ ସେ ଥକ୍‌କାହୋଇ ବସିପଡ଼ିଲା । ସ୍ଵପ୍ନ ତା’ର ଭାଙ୍ଗିରୁଜି ଧୂଳିସାତ୍ ହୋଇଯାଇଛି । ‘ଆଦର୍ଶବାଦ’, ‘ଦେଶ ସେବା’, ‘ଜନତାର ସେବା’–ଇସ୍ କେତେ ଫମ୍ପା, ନିରର୍ଥକ ଶବ୍ଦଗୁଡ଼ିଏ ।

 

ଗତ ଦୁଇ ବର୍ଷ ଧରି ଆନ୍ଦୋଳନର ଅଗ୍ରଭାଗରେ ରହିଆସିଥିଲା । କେତେ ଜାଗାରେ ଲୁଚିଛପି, ଅଖିଆ, ଅପିଆ, ରାତିସାରା ନିଦ ନାହିଁ, ଘୂରି ବୁଲିଛି । ପ୍ରଚାର କରିଛି ବିପ୍ଳବର ବାଣୀ । ବିଶ୍ଵାସ କରିଥିଲା ଏଇ ସବୁ ସ୍ଳୋଗାନଗୁଡ଼ିକ । ଏକ ଜୀବନ୍ତ ବିଶ୍ଵାସ । ‘ଦାରିଦ୍ର୍ୟ ଦୂର କରିବୁ’, ‘ବେକାରୀକୁ ଭତ୍ତା ଦେବୁ, ଲାଭଖୋର ମୁନାଫାଖୋର କଳାବାଜାରୀଙ୍କୁ ଗୁଳିକରି ମାରିବୁ, ‘ଦରବୃଦ୍ଧି ରୋକିବୁ’ । କେତେ କେତେ ମେନିଫେଷ୍ଟୋ । ପ୍ରଥମ କରି ତା’ର ରାଜନୀତି ଜୀବନ । ତେଣୁ ସେ ଭାବିଥିଲା ଏଇକଥାଗୁଡ଼ିକ ଧ୍ରୁବସତ୍ୟ ବୋଲି । ସେ ଜାଣି ନାହିଁ ଯେ ଏଇ ସବୁ କଥାଗୁଡ଼ିକ ଦୀର୍ଘ ଦୁଇଶହ ବର୍ଷ ଧରି ପୃଥିବୀର କୌଣସି ନା କୌଣସି ସ୍ଥାନରେ ପ୍ରାୟ ସବୁସମୟରେ ପୁନରାବୃତ୍ତି ହୋଇଆସିଛି । ତା’ର ମହତ୍ତ୍ଵ ପୁନରାବୃତ୍ତିରେ ହିଁ କାର୍ଯ୍ୟକାରିତାରେ ନାହିଁ । ଯିଏ ଦଳ ଗଢ଼େ, ସେ ଏଇ କଥା କହି ନିଜର ଦେଶବାସୀକୁ ଠକେ–ନିଜକୁ ବଡ଼ କରେ ।

 

ଲକ୍ଷ ଲକ୍ଷ ଲୋକର ବିଶ୍ଵାସର ମୂଳଭିତ୍ତି ଉପରେ ନିଜର ହାତୀଦାନ୍ତର ମିନାର ଗଢ଼େ ରାଜନୀତିଜ୍ଞ ।

 

ଏକୋଇଶ ବାଇଶ ବର୍ଷର ପିଲାଟିଏ । ତୃତୀୟ ବାର୍ଷିକ ଶ୍ରେଣୀରେ ପଢ଼ିଲାବେଳକୁ କଲେଜ ଛାଡ଼ି ଏଇଥିରେ ମାତିଛି । ଦେଶକୁ ଗଢ଼ିବୁ, ଦେଶବାସୀର ଦୁଃଖ ଦୂର କରିବୁ । ଏଇ ବୟସରେ ତ ଏଇମିତି କିଛି ସ୍ଵପ୍ନ ସମସ୍ତଙ୍କର ଥାଏ; କିନ୍ତୁ ଏଇ ସ୍ଵପ୍ନଗୁଡ଼ିକ ଯେତେବେଳ ପ୍ରଥମ ବାସ୍ତବତାର ଆଘାତରେ ଭାଙ୍ଗି ରୁଜି ଯାଏ, ସେତେବେଳେ ତା’ର ଦ୍ରଷ୍ଟା ଯୋଉ ନିର୍ମମ ଯନ୍ତ୍ରଣା ଭୋଗେ–ସେ କଥା କିଏ ବୁଝେ ! ଗୋଟାଏ ଅପାପବିଦ୍ଧ ଦେବତାକୁ କେମିତି ଏକ ଅସୁରରେ ପରିଣତ କରିଦିଏ ସେଇ ଯନ୍ତ୍ରଣା, ତା’ର ଖବର ବା କିଏ ରଖୁଛି ?

 

କଥାଗୁଡ଼ାକ ମନେକଲା ବେଳକୁ ରାଗ, ଘୃଣା ଓ ବିଦ୍ଵେଷରେ ସାରାଦେହ ତା’ର ଥରିଉଠୁଛି । ପାର୍ଟି ପ୍ରେସିଡେଣ୍ଟ ଶଙ୍କର ପଣ୍ଡା ।

 

“ଆରେ ବାବୁ, ତମେ ନୂଆ ରାଜନୀତି କରୁଛ–ସେ କଥା ଏଇଲେ ବୁଝିପାରିବ ନାହିଁ । ଗତ ପଚିଶ ବର୍ଷର ଅଭିଜ୍ଞତାରୁ ମୁଁ କହୁଛି ଶୁଣ, ‘ରାଜନୀତି’ ହେଲା ଏକ ବ୍ୟବସାୟ । ଏକ ପେଶା-। ତା’ ସାଙ୍ଗରେ ଦେଶପ୍ରେମ, ଜାତି ପ୍ରେମ, ସାଧୁତା, ନିଃସ୍ଵାର୍ଥପରତା–ଏଗୁଡ଼ାକ ମିଶାଇବ ନାହିଁ-। ଏଗୁଡ଼ାକ ହେଲା ସେଇ ବ୍ୟବସାୟର ଖାଲି ଭେକ । ଲୋକ ଚାକିରି କରି, ବ୍ୟବସାୟ କରି ପେଟ ପୋଷୁଛନ୍ତି । ଆମେ ସେମିତି ଏଇ ରାଜନୀତି କରି ପେଟ ପୋଷୁଛୁ । ସେ ବ୍ୟବସାୟର ମୂଳଧନ ହେଲା ତମର ବାକ୍‌ଚାତୁରୀ, କୂଟକପଟ ବୁଦ୍ଧି । ଯୋଉ ମହନୀୟ ଗୁଣ ସହିତ ରାଜନୀତିକୁ ସାଧାରଣ ଲୋକେ ଅଙ୍ଗାଙ୍ଗୀଭାବରେ ଜଡ଼ିତ କରି ସେଗୁଡ଼ିକୁ ସତ୍ୟ ବୋଲି ଭାବନ୍ତି–ତାକୁ ହିଁ ବିକି ରାଜନୀତିର ଧନ୍ଦା ଚାଲେ ।”

 

କିନ୍ତୁ କେତେଦିନ ଆପଣ ଚଳେଇ ଯିବେ ଏଇ ମିଥ୍ୟାଚାର, କପଟାଚାରକୁ ? ଜନସାଧାରଣକୁ କ’ଣ ଆପଣ ଏତେ ମୂର୍ଖ ଭାବିଛନ୍ତି । ଆସନ୍ତା ନିର୍ବାଚନକୁ–

 

“ଆହା, ମଣିଷ ସମ୍ବନ୍ଧରେ ଗୋଟିଏ ଅସଲ ସତ୍ୟ ତମକୁ କହି ରଖେ । ପୃଥିବୀର ସାଧାରଣ ମଣିଷ ଭିତରକୁ ଶତକଡ଼ା ଅନେଶତ ଭାଗ ନିଜ କଥା ନିଜେ ବୁଝିବାକୁ ଚାହାନ୍ତି ନାହିଁ । ସେମାନେ ଚାହାନ୍ତି ଅନ୍ୟ କେହି ତାଙ୍କରି ସବୁ ପ୍ରୋବ୍ଲେମର ଦାୟିତ୍ଵ ନେଉ । ସେଥିପାଇଁ ତ ପୁରୋହିତ, ଧର୍ମଯାଜକ, ରାଜା, ଜମିଦାର, ରାଜନୀତିଜ୍ଞ ଦରକାର ପଡ଼େ । ସେଇ ଏକ ଭାଗ ଯୋଉମାନେ ଏଇ ଦାୟିତ୍ଵକୁ ଜାଣିଶୁଣି ମୁଣ୍ଡକୁ ନିଅନ୍ତି–ସେମାନଙ୍କ ଭିତରୁ ରାଜନୀତିଜ୍ଞ ଜଣେ । ସେ ଜାଣେ ଯେ ସେ କେବେହେଲେ କୌଣସି ପ୍ରଶ୍ନର ସମାଧାନ କରିପାରିବ ନାହିଁ । ଆଉ ସେ କଥା ମଧ୍ୟ ଜାଣେ ଯେ ତା’ଛଡ଼ା ସାଧାରଣ ମଣିଷ ଚଳି ପାରିବ ନାହିଁ । ଆମେ ଯେତେ ରାଜନୀତିଜ୍ଞ; ସେ ଯେକୌଣସି ଦଳର ହୁଅନ୍ତୁନା କାହିଁକି, ଆମେ ସବୁ ଏକ ଗୋଷ୍ଠୀର । କାରଣ ଆମେ ଜାଣୁ ଆମ ଛଡ଼ା ଆଉ କେହି ଆସିବେ ନାହିଁ । ଆମ ଦଳ ଏଥର ଆସିଲେ; ଆରଥରରୁ ଆରଦଳ ଆସିବ । କିନ୍ତୁ ଏ କଥା ନିଶ୍ଚିତ ଯେ ତା’ ପରଥରକୁ ଆମେ ହିଁ ଆସିବୁ । ଯୋଉମାନେ ଆମକୁ ବାହାର କରିଥିଲେ ସେଇମାନେ ହିଁ ଆମକୁ ପୁଣି ଥରେ ପାଛୋଟି ଆଣିବେ । ମଣିଷର ଏଇ ଦୁର୍ବଳତା ଟିକକର ସୁଯୋଗ ଆମେ ନେଉଁ । ତେଣୁ ତୁମେ ନିଶ୍ଚିତ ଥାଅ; ଯେତେ ଚୋରି କଲେ ବି, ଯେତେ ମିଥ୍ୟାଚାର କଲେ ବି ଆମର ବିନାଶ ନାହିଁ । ‘ଜନତା’ ଏକ ଅଦ୍ଭୁତ ଜୀବ । ସେ ଗୋଟାଏ ସ୍ମୃତିଶକ୍ତିହୀନ, ନିର୍ବୋଧ କିନ୍ତୁ ବଳିଷ୍ଠ ପଶୁଟିଏ । ହଠାତ୍ କରି ସବୁ ମାତିଯାଏ–ସବୁ ଭାଙ୍ଗିଚୂରି ଦେଇଯାଏ; କିନ୍ତୁ ପରକ୍ଷଣକୁ ପୁଣି ଶାନ୍ତ । ଭୁଲିଯାଏ ତା’ର ଏକଦା ମତ୍ତତାର କଥା ।”

 

ସୁକାନ୍ତ କିନ୍ତୁ ଏସବୁ କଥା ମାନିନେଇନଥିଲା । ତା’ର ଅନ୍ତର ଭିତରକୁ କିଏ ଜଣେ ଯେମିତି ଭୀଷଣ ପ୍ରତିରୋଧ କରୁଥିଲା ଏଇ କଥାଗୁଡ଼ିକର । ସେ ତାକୁ ଭାଷା ଦେଇପାରୁ ନଥିଲା ସତ୍ୟ; କିନ୍ତୁ ଅନୁଭବ କରି ପାରୁଥିଲା ସେଇ ପ୍ରତିରୋଧର ତୀବ୍ରତାଟିକକୁ । ସେ ଅନୁଭବ କରି ପାରୁଥିଲା ତାରି ଭିତରେ ସେଇ ମୂଲ୍ୟବୋଧର ଅସ୍ତିତ୍ଵକୁ–ସତ୍ୟତା, ସାଧୁତା, ନିର୍ଲୋଭତା, ନିଃସ୍ଵାର୍ଥପରତା ଓ ପରୋପକାରର ଏକ ଅଦ୍ଭୁତ ଚାପ । ସମସ୍ତ ଛଳନା, ମୁଖା ଭିତରେ ସେ ଚିହ୍ନି ପାରୁଥିଲା ସେମାନଙ୍କର ଉପସ୍ଥିତିକୁ । ଗୋଟାଏ ଅସଲ ସତ୍ୟର ହିଁ ନକଲ ହୋଇପାରେ । ନକଲର ନକଲ ଅସମ୍ଭବ । ‘ସାଧୁତା’ ଅଛି ବୋଲି ତ ଲୋକେ ‘ସାଧୁତା’ର ମୁଖା ପିନ୍ଧନ୍ତି । ‘ପରୋପକାର’ର ଅସ୍ତିତ୍ଵ ଅଛି ବୋଲି ଲୋକେ ‘ପରୋପକାରୀ’ର ଛଦ୍ମବେଶ ଧରନ୍ତି ।

 

କିନ୍ତୁ ଏକୁଟିଆ କ’ଣ ସେ ପାରିବ ? ପଣ୍ଡା, ମହାନ୍ତି, ଦାସ୍, ମିଶ୍ର, ପଟ୍ଟନାୟକ, ତ୍ରିପାଠୀ, ନାୟକ, ରାଉତ, ମାଝୀ, ସିଂହ–ସବୁ ନେତାଙ୍କର ସ୍ୱରୂପ ସେଇ ଏକା । ଯାତ୍ରା ରାଜପୋଷାକ ପିନ୍ଧା ‘ରାଜା’ଟି ପୋଷାକ ଖୋଲିଲେ ହିଁ ଜଣାପଡ଼େ ଅମୁକ ସାହିର ‘ହରେକୃଷ୍ଣ’ ବୋଲି । ସେ ଯେତେ ସେମାନଙ୍କୁ ରାଜନୀତିର ଗ୍ରୀନ୍‌ରୁମ୍ ଭିତରେ ଦେଖୁଛି, ସେତିକି ସେମାନଙ୍କୁ ବୁଝି ପାରୁଛି–ଆଉ ସେତିକି ସେତିକି ସେ ଦୁଃଖ, ଗ୍ଳାନି, ବ୍ୟର୍ଥତା, କ୍ରୋଧ ଓ ଅସହାୟତାରେ ଧୀରେ ଧୀରେ ନିପୀଡ଼ିତ ହୋଇଯାଉଛି । ବିଷାକ୍ତ ଅଙ୍ଗାରକାମ୍ଳ ବାଷ୍ପ ଯେମିତି ଧୀରେ ଧୀରେ ମଣିଷକୁ ଅଣନିଃଶ୍ଵାସୀ କରି ଦେଇ ତାକୁ ଶେଷକୁ ହତ୍ୟା କରେ ଏଇ ରାଜନୀତିକ ବାୟୁମଣ୍ଡଳ ଭିତରେ ତା’ର ସେଇ ଶୁଦ୍ଧ ପୁରୁଷଟି ସେମିତି ଧୀରେ ଧୀରେ ଅଣନିଃଶ୍ଵାସୀ ହୋଇଯାଉଛି ।

 

କ’ଣ ତା’ର ପ୍ରତିକାର ? ସେ କ’ଣ ରାଜନୀତି ସମରର ଅଗଣିତ ରଥୀ ମହାରଥୀମାନଙ୍କ ଭିତରେ ଅସହାୟ ଅଭିମନ୍ୟୁଟିଏ ?

 

ସୁକାନ୍ତକୁ କାନ୍ଦମାଡ଼ିଲା । ନିଜ ଅସହାୟତା ଓ ବ୍ୟର୍ଥତାରେ ସେ କାନ୍ଦିବାକୁ ଆରମ୍ଭ କଲା–ସେଇ ସିମେଣ୍ଟ ବେଞ୍ଚ ଉପରେ । କେତେ ସମୟ ଧରି ସେ ନୀରବରେ ଅଶ୍ରୁବର୍ଷଣ କରି ଚାଲିଛି ତା’ର ନିଜର ଖିଆଲ ନାହିଁ । ସମସ୍ତ ରୁଦ୍ଧ ଅଭିମାନ ଅପାରଗପଣିଆ ଯେମିତି ଲୁହ ହୋଇ ତା’ ଭିତରୁ ବାହାରିଆସି ତାକୁ ହାଲୁକା କରି ଦେଉଛି ।

 

ସନ୍ଧ୍ୟା କେତେବେଳୁ ହୋଇଗଲାଣି । ସେ ହଠାତ୍‍ ସମ୍ବିତ୍‍ ଫେରିପାଇଲା । ନିଜର କାନ୍ଦିବାରେ ପୁଣି ନିଜେ ସେ ଲଜ୍ୱିତ ହେଲା । ସେ ମାଇକିନିଆଙ୍କ ପରି କାନ୍ଦୁଛି । ଛି ଛି ଛି ! ଯୋଉ ବୀର ପୁରୁଷ ଦୁଇ ବର୍ଷ ଧରି ବାଟ ଅବାଟ ନ ମାନି, ବାଘ ଭାଲୁକୁ ନ ଡରି ଜଙ୍ଗଲରେ ଘୂରି ଘୂରି ବୁଲୁଛି, ପୋଲିସ୍‍ ସାଙ୍ଗରେ ଲଢ଼େଇ କରିଚି–ସେ ପୁଣି କାନ୍ଦୁଛି ? ସେଇ ଆତ୍ମୋତ୍ସର୍ଗର ଫଳରେ ହିଁ ତ ଆଜି ତାରି ଦଳ ଶାସନ କ୍ଷମତାରେ । ଏକଛତ୍ରବାଦୀ ଶାସନ ବିରୁଦ୍ଧରେ ବିଜୟ ଆସଛି ତାରି ପରି କେତେଜଣଙ୍କ ଐକାନ୍ତିକ ନିଷ୍ଠା, ବିଶ୍ଵାସ, ତ୍ୟାଗ ଫଳରେ । ତା’ହେଲେ ସେ କନ୍ଦିବ କାହିଁକି ? ତା’ର ପୁରୁଷକାର ଶେଷ ହୋଇଯାଇନି । ସେ ସିଂହ ଏବେ ବି ଲାଞ୍ଜ ପିଟି, କେଶର ମେଲେଇ ଗର୍ବୋନ୍ମତ୍ତ ବକ୍ଷ ଟେକି ହୁଙ୍କାର କରୁଛି ।

 

ଲୁହ ପୋଛି ସୁକାନ୍ତ ଛିଡ଼ା ହେଲା । ନିଜକୁ ପୁଣି ଥରେ ନିଠେଇ ଚାହିଁଲା । ନା, କିଛି ହୋଇନି । ସବୁ ଠିକ୍ ସେମିତି ଅଛି । ସେ ସଂଗ୍ରାମର ଶପଥ ନେଇଛି କେତେକ ପ୍ରିନ୍‌ସପ୍ଲର ଭିତ୍ତିରେ । ସେଇ ପ୍ରିନ୍‌ସପ୍ଲକୁ ସେ ନିଜ ଭିତରେ ଅନୁଭବ କରିଛି ସତ୍ୟ ବୋଲି । ତେଣୁ ତା’ ବିରୁଦ୍ଧରେ ଯାହା କିଛି ଆସିବ ସେ ତାକୁ ବରଦାସ୍ତ, କରିପାରିବ ନାହିଁ । ତା’ର ସଂଗ୍ରାମ ବ୍ୟକ୍ତିବିଶେଷ ବିରୁଦ୍ଧରେ ନୁହେଁ–ଅନ୍ୟାୟ, ଅସତ୍ୟ, ମିଥ୍ୟାଚାର ବିରୁଦ୍ଧରେ । ଏଣୁ ଏହି ମହାଯୁଦ୍ଧରେ ଭାଇ ଦୁର୍ଯ୍ୟୋଧନ, ମାମୁ ଶଲ୍ୟ, ପିତାମହ ଭୀଷ୍ମ କିମ୍ବା ଶିକ୍ଷାଗୁରୁ ଦ୍ରୋଣ ଯେ କେହି ଆସନ୍ତୁନା କାହିଁକି ସେ ତାଙ୍କ ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରିବାକୁ ବାଧ୍ୟ । ତା’ର କିଛି ଲାଭ ନାହିଁ-। ତା’ର କିଛି ଆଶା ନାହିଁ । ସେ କେବଳ ଶାଶ୍ଵତ ସତ୍ୟର ଏକ ନିର୍ଲିପ୍ତ ସିପାହି–ପ୍ରତିପକ୍ଷ ବିରୁଦ୍ଧରେ ସଂଗ୍ରାମ କରିଯିବା ହିଁ ତା’ର ଏକମାତ୍ର କର୍ତ୍ତବ୍ୟ ।

 

ସୁକାନ୍ତର ଦେହ ଧୀରେ ଧୀରେ ଟାଣ ହୋଇଆସିଲା ପଥର ପରି । ଜ୍ୟା ଯୁକ୍ତ ତୀର ପରି ନିଷ୍କମ୍ପ । ବହୁଦୂରର ସେଇ ଲକ୍ଷ୍ୟ ପ୍ରତି ଏକାଗ୍ର ।

 

ପାର୍ଟି ଅଫିସରେ ବିରାଟ ଆୟୋଜନ ଚାଲିଛି । ଶାସନକ୍ଷମତାକୁ ଦଳ ଆସିବାରା ଏକବର୍ଷ ପୂର୍ତ୍ତିର ଦିନ ଆଜି । ସମସ୍ତେ ଆନନ୍ଦମୁଖର । ସେପଟେ ବିରାଟ ବିରାଟ ଖନ୍ଦା ଖୋଳାଯାଇ ରନ୍ଧା ଚାଲିଛି ପଲଉ, ମାଂସ । ଯେ ଆସିଛନ୍ତି ସମସ୍ତେ ଖାଇବେ । କେତେ ଦୂରଦୂରାନ୍ତରରୁ ସଭ୍ୟସବୁ ଆସିଛନ୍ତି । ଜିଲା ପ୍ରତିନିଧି । ଗୋଟାଏ ବିରାଟ ମେଳା ଚାଲିଛି ।

 

ସଭାମଞ୍ଚ ତିଆରି ସରିଲାଣି । ପ୍ରତ୍ୟେକ ସ୍ତମ୍ଭରେ ପାର୍ଟି ପତାକା ରଙ୍ଗର କାଗଜ ଗୁଡ଼ାହୋଇଛି । ମଞ୍ଚ ଉପରେ ଛାତର ମଧ୍ୟ ସେମିତି ରଙ୍ଗର ଚାନ୍ଦୁଆ । ଚାରିଆଡ଼େ ପତାକାରେ ତୋରଣ । ମଞ୍ଚ ଉପରେ ଧାଡ଼ି ଧାଡ଼ି କରି ଚେଆର୍‍ ପଡ଼ିଛି ବଡ଼ ବଡ଼ ନେତାମାନଙ୍କ ପାଇଁ । ଟେବୁଲ୍‍ ଉପରେ ଏକ ସୁନ୍ଦର ଟେବୁଲ୍‍ କ୍ଲଥ୍ ଉପରେ ଫୁଲଦାନି, ପାଣି ଗିଲାସ । ମଞ୍ଚର ଗୋଟିଏ କ’ଣକୁ ଦୁଇଟି ମାଇକ୍‍ ଷ୍ଟାଣ୍ଡ୍ । ଟେବୁଲ୍‍ ଉପରେ ଛୋଟିଆ ମାଇକ୍ ଷ୍ଟାଣ୍ଡ୍ । ସବୁ କିଛି ରେଡ୍‍ଡି । କେବଳ ନେତାମାଙ୍କ ଆସିବାରେ ଯାହା ବିଳମ୍ବ । ସଫସଲ ଅଞ୍ଚଳରୁ ଆସିଥିବା ପ୍ରତିନିଧିମାନେ ଅଧିକାଂଶ ମଞ୍ଚ ତଳରେ ଧାଡ଼ି ବାନ୍ଧି ରହିଥିବା ଚେଆର୍‍ମାନଙ୍କରେ ବସିଗଲେଣି । ସହରିଆ ପ୍ରତିନିଧିସବୁ ଦଳ ଦଳ ହୋଇ ଗପ କରୁଛନ୍ତି । କେତେଜଣ ବିଧାନସଭା ସଦସ୍ୟ ଆସିଗଲେଣି । ତାଙ୍କ ପାଖରେ ହିଁ ବେଶୀ ଭିଡ଼ । ଆଜିକାର ଆଲୋଚନା କ’ଣ ହେବ । ପାର୍ଟିର ଭବିଷ୍ୟତ ? ଭବିଷ୍ୟତର କର୍ମଚିଠା ? କିଏ କିଏ କୋଉ କମିଟିରେ ରହିବେ ? କାହାକୁ ସମର୍ଥନ କରାଯିବ ? ଚାରିଆଡ଼େ କେବଳ ଏକ ହୋ, ହୋ, ଚାଲିଛି ।

 

ସୁକାନ୍ତ ମଞ୍ଚ ଉପରେ ଗୋଟାଏ କ’ଣକୁ ଛିଡ଼ା ହୋଇ ସବୁ ଦେଖୁଛି ନିର୍ବିକାର ଭାବରେ-। ପାଖରେ ତା’ର ଆଟାଚି ଖଣ୍ଡକ ଗୋଟାଏ ଚେଆର୍‍ ଉପରେ ରଖା ଯାଇଛି । ସେ ଛିଡ଼ା ହୋଇଛି–ଏକ ପଥର ମୂର୍ତ୍ତି ପରି । ଏତେ ହୋ, ହୋ, କୋଳାହଳ ଯେମିତି ତା’ କାନକୁ ସ୍ପର୍ଶ କରୁନାହିଁ–ଏତେ ଲୋକ ଭିତରେ ଥାଇ ମଧ୍ୟ ସେ ଯେମିତି କାହାରିକୁ ଦେଖି ପାରୁନାହିଁ ।

 

ହଠାତ୍ ଗେଟ୍‍ ପାଖରେ ଚାଞ୍ଚଲ୍ୟ ଦେଖାଗଲା । ପଛକୁ ପଛ ଗାଡ଼ି ଜମା ହୋଇଯାଉଛି-। ମୁଖ୍ୟମନ୍ତ୍ରୀ ଆସୁଛନ୍ତି–ତାଙ୍କ ସହିତ ଅନ୍ୟାନ୍ୟ ମନ୍ତ୍ରୀ । ପାର୍ଟି ପ୍ରେସିଡେଣ୍ଟ, ପାର୍ଟି ସେକ୍ରେଟାରୀ । ଧାଡ଼ି ଧାଡ଼ି ହୋଇ ସମସ୍ତେ ନିଜ ନିଜ ଚେଆରରେ ବସିବାକୁ ଆରମ୍ଭ କଲେ । ମୁଖ୍ୟମନ୍ତ୍ରୀ, ପାର୍ଟି ପ୍ରେସିଡେଣ୍ଟ ଓ ଅନ୍ୟାନ୍ୟ ମନ୍ତ୍ରୀମାନଙ୍କ ସହିତ ସଭା ମଞ୍ଚ ଉପରକୁ ଉଠିଲେ । ପୁଣି ସମସ୍ତେ ଦଣ୍ଡାୟମାନ । ଭୀଷଣ ଜୋରରେ କରତାଳି ଶବ୍ଦ । ପାର୍ଟିର ଜୟ ଜୟକାର, ନେତାମାନଙ୍କର ଜୟ ଜୟକାର ଧ୍ଵନିରେ ବାୟୁମଣ୍ଡଳ ପ୍ରକମ୍ପିତ । ସମସ୍ତଙ୍କ ମୁହଁରେ ପ୍ରାପ୍ତିର ବିଜୟର ସ୍ନିଗ୍‌ଧ ହସ ।

ହଠାତ୍ ସୁକାନ୍ତ ଚଞ୍ଚଳ ହୋଇଉଠିଲା । ସମସ୍ତଙ୍କ ମୁହଁ ଆଡ଼କୁ ନିଠେଇ ଚାହିଁଲା । ଉପରର ଏତେ ସ୍ନିଗ୍‌ଧ ହସ ସତ୍ତ୍ଵେ ସେମାନେ ଭିତରେ ଭିତରେ ଏତେ ପ୍ରବଞ୍ଚକ ! କିନ୍ତୁ ସେମାନଙ୍କ ମୁହଁକୁ ଚାହିଁ ସେ ମଧ୍ୟ କ୍ଷଣକପାଇଁ ଭୁଲିଗଲା ଯେ ଏମାନେ ସମସ୍ତେ ଭଲ କରି ଚିକ୍‌କ’ଣ ଚାକ’ଣ ହୋଇଥିବା ମୁଖାଗୁଡ଼ିକ ପିନ୍ଧି ଆସିଛନ୍ତି ବୋଲି । ନା, ନା, ଆଉ ମୋହ ନାହିଁ–ଆଉ ଭୁଲ ନାହିଁ ।

ସେ ସେମାନଙ୍କୁ ଠିକ୍ ଚିହ୍ନି ପାରିଛି । ଆଉ ଭୁଲ ହେବାର ନୁହେଁ । ସେ ଆଜି ଆସିଛି ସେମାନଙ୍କର ସେଇ ମୁଖାଗୁଡ଼ିକ ଭାଙ୍ଗିବା ପାଇଁ । ନା-ନା ଆଉ ଭାବପ୍ରବଣ ହେବାର ବେଳ ନୁହେଁ-। ପଣ୍ଡା, ମହାନ୍ତି, ମିଶ୍ର–ବ୍ୟକ୍ତି ନୁହଁନ୍ତି । ସେମାନେ ଏକ ସ୍ଵାର୍ଥପରତା, ହିଂସ୍ରତା, ଅସାଧୁତା, ଅନ୍ୟାୟର ଏକ ନୈର୍ବ୍ୟକ୍ତିକ, ହିଂସ୍ର ଢେଉ ।

ସେ ନିଜକୁ ନିଜେ ଦୃଢ଼ ରଖିବାକୁ ଚେଷ୍ଟା କଲା ।

ଭଗବାନ୍ । ସହାୟ ହୁଅ । ତୁମର ଇଚ୍ଛା ପୂର୍ଣ୍ଣ କର ।

ବିପୁଳ କରତାଳି ଧ୍ୱନି ମଧ୍ୟରେ ସଭାପତି ଆସନ ଗ୍ରହଣ କଲେ । ପାଖରେ ତାଙ୍କର ମୁଖ୍ୟମନ୍ତ୍ରୀ । ଅନ୍ୟ ପାଖରେ ସେକ୍ରେଟାରୀଗଣ । ପଛ ପାଖ ଧାଡ଼ିରେ ଅର୍ଦ୍ଧଚନ୍ଦ୍ରାକାର ଭାବରେ ରାଜ୍ୟର ଅନ୍ୟାନ୍ୟ ମନ୍ତ୍ରିଗଣ ।

ଏଇତ ସମୟ । ଏଇତ ମାହେନ୍ଦ୍ରବେଳା । ଏଇତ ଶୁଭମୁହୂର୍ତ୍ତ । ସୁକାନ୍ତ ସ୍ଥିର ନିଃସ୍ପନ୍ଦ । କିନ୍ତୁ ସୀତାରର ତାର ପରି ଅଦ୍ଭୁତ ଏକ ଟେନ୍‍ସନରେ ସୁକାନ୍ତ ପୁଣି ଥରେ ନିଜ ଭିତରେ ହଜିଗଲା-। ତା’ର ଆଖି, କାନ, ନାକ–ସମସ୍ତ ଇନ୍ଦ୍ରିୟ ଆସ୍ତେ ବାହ୍ୟଜଗତରୁ ଧୀରେ ଧୀରେ ଫେରି ଆସି ଯେମିତି କେନ୍ଦ୍ରୀଭୂତ ହେବାକୁ ଲାଗିଲେ ତା’ର ଅଭ୍ୟନ୍ତରର ଏକ ହୃତକେନ୍ଦ୍ରରେ । ସଭାମଞ୍ଚ ନାହିଁ–ପ୍ରତିନିଧି ନାହିଁ–ପବନରେ କିଛି ଗନ୍ଧ ନାହିଁ–ଆକାଶରେ କିଛି ଶବ୍ଦ ନାହିଁ–ସବୁ କିଛି ଅଦୃଶ୍ୟ–କିନ୍ତୁ ତା’ ଭିତରେ କେବଳ ଜଳୁଛି ଏକ ଲେଲିହାନ ଅଗ୍ନିଶିଖା ହୁତ୍‌ହୁତ୍ ଭାବରେ ।

ଏକ...ଦୁଇ...ତିନି... !

ଗୁଡ଼ୁମ୍ ! ସଭାମଞ୍ଚର ଟେବୁଲ୍‍ଟା ଉପରକୁ ଉଡ଼ିଯାଇ ଲାଗିଲା ଛାତ ଉପରେ । ଚାରିଆଡ଼େ ଧୂଆଁର ଆସ୍ତରଣ । ପୁଣି ଗୁଡ଼ୁମ୍ । ନିଆଁ ! ନିଆଁ ! ଚାରିଆଡ଼େ ନିଆଁ ଲାଗିଯାଇଛି । ପଳାଅ । ପଳାଅ ପାଟି, ଚିତ୍କାର, କ୍ରନ୍ଦନ । ଆକୁଳରେ ମିନତି । ବଞ୍ଚାଅ । ପଳାଅ । ବଞ୍ଚାଅ । ମୁହୂର୍ତ୍ତକ ଭିତରେ ଏକ ଲେଲିହାନ ଅଗ୍ନିଶିଖା ବିସ୍ତରୀଯାଇ କୁକ୍ଷିଗତ କରିଦେଲା ସମଗ୍ର ସଭାମଞ୍ଚକୁ । ସଭାମଞ୍ଚର କେହି ଜଣେ ହେଲେ ସୁଦ୍ଧା ବଞ୍ଚିପାରିଲେ ନାହିଁ ।

ସୁକାନ୍ତକୁ ଉଦ୍ଧାର କରାଯାଇଥିଲା ଅର୍ଦ୍ଧ ଦଗ୍‌ଧ ସଭାମଞ୍ଚ ନିକଟରୁ । ମୃତ୍ୟୁକାଳୀନ ଜମାନବନ୍ଦୀରେ ସେ କେବଳ ଏଇ କଥା କହିଥିଲା–

“ଯାଦବ ବଳ ନାଶ କରି

ମୁଁ ତେବେ ଯିବି ନିଜ ପୁରୀ ।”

Image

 

ବାଇଶି ପାହାଚ

(ବଡ଼ଦାଣ୍ଡ)

 

ତ୍ରେତୟାଠାରୁ ଦ୍ଵାପର ।

 

ବଧୂଠାରୁ ପ୍ରେମିକା ।

 

ସୀତାଠାରୁ ରାଧିକା ।

 

ଆଉ କଳି !

 

ଆଜି ମନରେ ବଇଁଶୀ ବାଜେନା । ବାଜୁଛି ଖାଲି ଦେହର ବଇଁଶୀ । ପ୍ରେୟସୀର ଅଙ୍ଗସୌଷ୍ଠବ । ତା’ର ଭାଇଟେଲ୍‍ ଷ୍ଟାଟିଷ୍ଟିକ୍‍ସ । ଛାତିର ମାପ । ଅଣ୍ଟାର ମାପ । ଓଠର ଓସାର । ଆଖିର ଚାହାଣି । ଛପିଛପି ଅଭିସାରିକା ଆଜି ଆସେନା । ସେ ଆସେ ଦର୍ପରେ ସ୍ତନର ଉଚ୍ଚତା ଦେଖାଇ, ନାଭିର ଗଭୀରତା ଦେଖାଇ, ପୃଷ୍ଠ ଦେଶର ମସୃଣତା ଦେଖାଇ ଦୃପ୍ତ ପଦକ୍ଷେପରେ । ଆଜି ଆଉ ସେ କୁଞ୍ଜବନର ଦ୍ଵାରଦେଶରେ ପ୍ରତୀକ୍ଷମାଣା ହୋଇ ରହେନା । ପ୍ରିୟ ଆଜି ଆସେନା ମଧ୍ୟରାତ୍ରିର ଅନ୍ଧକାରରେ, ଲୋକଲଜ୍ଜା ଏଡ଼ାଇ । ସେ ଆଜି ଆସେ ସ୍ପଷ୍ଟ ଦିବାଲୋକରେ, ଲୋକଲଜ୍ଜାକୁ ଉପେକ୍ଷାକରି, ପ୍ରେୟସୀ ପାଖକୁ । ତା’ ହାତରେ ଆଜି ବଇଁଶୀ ନାହିଁ । ବଇଁଶୀ ବଦଳରେ ସେ ମୁଦ୍‌ଗର୍ ଧରି ନିଜ ନିଜର ମାଂସପେଶୀକୁ ଟାଣ କରିଛି । ସେଥିପାଇଁ ଉନ୍ମୁକ୍ତ ଛାତିରେ ମାଂସପେଶୀ ଦେଖାଇ ସେ ପ୍ରେୟସୀକୁ ଦେଖାଏ ତା’ର ପୁରୁଷତ୍ଵ ।

 

ମାନସିକ ପ୍ରେମ ଭାଙ୍ଗିରୁଜି ଯାଇ ସବୁ ଜମି ଯାଇଛି ଦେହର ପ୍ରତି ରକ୍ତକଣିକା ଭିତରେ-। ପ୍ରେମ ଆଜି ଯୌନ । ବିରହ ଓ ମିଳନ ଆଜି ଦେହ ଓ ଦେହର ମିଳନ ଓ ବିଚ୍ଛେଦ । ପ୍ରେମ ଏକ ମୁହୂର୍ତ୍ତକର ଉତ୍ତେଜନା, ଅବିଶ୍ରାନ୍ତ ଅନୁଭବର ସୁରଭିତ ପ୍ରବାହ ନୁହେଁ । ଦୁଇ ଉତ୍ତେଜନାକର ମୁହୂର୍ତ୍ତ ଭିତରେ ସଂଯୋଗ କେବଳ ଦୈହିକ ଶ୍ରମର ଅବସାଦ ଅବା ନ ପାଇବାର ଯନ୍ତ୍ରଣା ।

 

ଅବକ୍ଷୟର ବଡ଼ଦାଣ୍ଡରେ ଆମେ ସମସ୍ତେ ଚାଲିଛୁ । ରାସ୍ତାର ଦୁଇପାଖରେ ବିପଣୀମାନଙ୍କରେ ନଗ୍ନ ନାରୀ ପୁରୁଷଙ୍କ ଚିତ୍ର ଝୁଲୁଛି । ପ୍ରାସାଦର ଗାତ୍ରରେ ଖୋଦିତ ହୋଇଛି, ନାଟମନ୍ଦିରର ମୈଥୁନରତ ପୁରୁଷ ଓ ସ୍ତ୍ରୀ । ଚଉଷଠି ବନ୍ଧର କାମଶାସ୍ତ୍ର ।

 

ମାନସିକ ଅନୁଭବ ମରିଯାଇଛି । ମନ ଜଡ଼ ପାଲଟିଯାଇଛି । ତା’ର ଆକର୍ଷଣ ବି ତେଣୁ ନାହିଁ । ଦେହ ଆଜି ତା’ର ପ୍ରତିଷ୍ଠା ପାଇଛି ଅନେକ ଦିନ ପରେ । ଦେହ ହିଁ ତ ସତ୍ୟ । ଦେହ ହିଁ ତ ବଢ଼େ । ଶିଶୁରୁ ହୁଏ କିଶୋର–କିଶୋରରୁ ଯୁବକ । ଦେହର ହିଁ ତ ଯୌବନ । ଦେହର ତୃପ୍ତିରେ ହିଁ କେବଳ ତୃପ୍ତି ।

 

ମଲ୍ଲିକା ମୋର ସ୍ତ୍ରୀ । ତାକୁ ମୁଁ ଭଲପାଇଥିଲି ଓ ବାହାହୋଇଥିଲି କେବଳ ତା’ର ତନୁ ସୌନ୍ଦର୍ଯ୍ୟ ଯୋଗୁଁ । ମନ ଯୋଗୁଁ ନୁହେଁ । ତା’ର ନଗ୍ନ ରୂପର ସୌନ୍ଦର୍ଯ୍ୟ ହିଁ ମୋତେ ପାଗଳ କରେ, ତା’ର ମାନସିକ ସୌନ୍ଦର୍ଯ୍ୟ ନୁହେଁ ନା, ପ୍ରେମନାହିଁ–ପ୍ରେମ କେବଳ ଦେହର । ଦେହ ଦେହର ସଂଘର୍ଷ ହିଁ ପ୍ରେମର ପ୍ରକୃତ ମିଳନ । ଆଉ କିଛି ନୁହେଁ ।

 

ସିଂହଦ୍ଵାର

 

ବାଟ ଚାଲୁଚାଲୁ ହଠାତ୍ ଅଟକିଗଲି ମୁଁ । ବଡ଼ଦାଣ୍ଡ ଶେଷ ହୋଇଯାଇଛି । କାମନାର ଶୋଭାଯାତ୍ରା ହଠାତ୍‍ ଟିକେ ଯେମିତି ଥକା ପାଇ ସିଂହଦ୍ଵାର ଆଡ଼େ ଅନେଇ ଥମକି ରହିଯାଇଛି । ସିଂହଦ୍ଵାରର କବାଟ ମେଲା । ଭିତରେ ସାମାନ୍ୟ ଆଲୋକର ପ୍ରଭା ।

ଆମେମାନେ ପତଙ୍ଗ ନୋହୁଁ । ଆମେ ଅନ୍ଧକାରର ଜୀବ । ଶୋଭାଯାତ୍ରାର କେତେଜଣ ପତଙ୍ଗ ଯେମିତି ଆକୃଷ୍ଟ ହୋଇ ସିଂହଦ୍ଵାର ଆଡ଼କୁ ଚାଲି ଆସିଲେ । ବାକି ସବୁ ପଛେଇ ଗଲେ । ଯେତେ ସାମାନ୍ୟ ଆଲୋକ ହେଲେ ବି ଅସହ୍ୟ । ଶୋଭାଯାତ୍ରା ଦଳଦଳ ହୋଇ ଭାଙ୍ଗିଯାଇ ବିଭିନ୍ନ ଗଳି ଉପଗଳିର ଅନ୍ଧକାର ଭିତରେ ବିଲୀନ ହୋଇଗଲାଣି ।

ବଡ଼ଦାଣ୍ଡରେ ଅସ୍ପଷ୍ଟ ଆଲୋକର ଛାୟା ବଡ଼ଦାଣ୍ଡରୁ ପାହାଚ ପାହାଚ ହୋଇ ତଳକୁ ତଳକୁ ଲମ୍ବିଛି ଘନାନ୍ଧକାରର ଗଳି । ଗଳି ଭିତରେ ଯନ୍ତ୍ରଣାର ଆର୍ତ୍ତନାଦ । ଆନନ୍ଦର ଅଟ୍ଟହାସ । ଉତ୍ତେଜନାରେ ଉତ୍ତପ୍ତ ବାୟୁମଣ୍ଡଳ । ସିଂହଦ୍ଵାରଠାରୁ ଗଳିର ଦୂରତ୍ଵ କେତେ ବା ଦୂର । ଆଗକୁ ଲମ୍ବିଛି ଉଠିବାର ପାହାଚ । ଛାଇଆଲୁଅରେ ଅସ୍ପଷ୍ଟ । ପଛକୁ ଲମ୍ବିଛି ଗଳି ଭିତରକୁ ପାହାଚ । ପରିଚିତ ଗଳି । ପରିଚିତ ଲୋକ । ନିଶ୍ଚିନ୍ତ ଆଶ୍ରୟ । ତଥାପି ପାଦ ଆଗକୁ ଟାଣି ହୋଇ ଯାଉଛି ଅଜଣାର ଆକର୍ଷଣରେ । କିନ୍ତୁ ପରିଚିତ ଗଳିର ଆକର୍ଷଣ ଟାଣି ଧରିଛି ପଛକୁ ।

କୋଉ ବାଟରେ ଯିବି ? ବାଟ କାହିଁ ? ପଥ କାହିଁ ? ଶରଧାବାଲିର ପଥ ବଡ଼ ଦୁର୍ଗମ ଥିଲା । ଏବେ ବଡ଼ଦାଣ୍ଡର ପିଚ୍‍ରାସ୍ତା । ସହଜ ପୁଣି ଗଳି ରାସ୍ତା ନିହାତି ଜଣାଶୁଣା । ଅତି ଆପଣାର ।

 

ମଲ୍ଲିକା ଅପେକ୍ଷା କରିଥିବ । ତା’ର ପ୍ରଖର ଯୌବନ ଲୁଣ୍ଠିତ ହେବା ପାଇଁ ଉନ୍ମୁଖ ହୋଇ ରହିଥିବ । ତାକୁ ପ୍ରତିଶ୍ରୁତି ଦେଇଛି ସେଇ ଗଳି ପଥ ଦେଇ ତାରି ପାଖକୁ ଯିବି ବୋଲି । ପୁତ୍ରର ଦରୋଟି ଭାଷାର ଶବ୍ଦ ପବନରେ ଫୁଟୁଛି । ପିତାମାତାଙ୍କ ସ୍ନେହର ପ୍ରତୀକ୍ଷା ଆକୁଳ କରୁଛି । ଆହୁରି ଗଳି ଭିତରେ ମୋ ଘର, ମୋ ଗାଡ଼ି, ମୋ ସମ୍ମାନ, ମୋର ପ୍ରତିପତ୍ତି ।

 

ଗଳିପଥ ଛାଡ଼ି ସିଂହଦ୍ଵାର ? ଅସମ୍ଭବ । ହଉ ଯାଏଁନା ଥରେ । କେତେ ସମୟ ଲାଗିବ-? ଫେରି ଆସିବି ନାହିଁ ? କିଏ ମୋତେ ବାନ୍ଧି ନବ କି ? ଅଦ୍ଭୁତ ଏକ ଆକର୍ଷଣ । ଅଜଣାର କୌତୂହଳ । ଅନ୍ତର ଭିତରୁ କିଏ ଯେମିତି ଠେଲି ଠେଲି ନେଇଯାଉଛି । ପାଦ ଆପେ ଆପେ ଲମ୍ବିଗଲା ସିଂହଦ୍ଵାର ଭିତରକୁ ।

 

ପ୍ରଥମ ପାହାଚ

 

କିଏ କହିପାରେ କ’ଣ ହେବ ? ଘରେ ପହଞ୍ଚୁ ପହଞ୍ଚୁ ହୁଏତ ଶୁଣିବି ମଲ୍ଲିକା ଅସୁସ୍ଥ । ବାବୁନିର ଦୁଃସାଧ୍ୟ ରୋଗ । ବାପାଙ୍କର ଆକ୍‌ସିଡେଣ୍ଟ, ମା’ ହଠାତ୍‍ ଅନ୍ଧ ହୋଇଯାଇଛି । କେତେ କ’ଣ ହୋଇପାରେ । ହେଇତ ସେଦିନ ଜଗତବାବୁ କାରରେ ଆସୁ ଆସୁ ହଠାତ୍ ଆକସିଡେଣ୍ଟ ହୋଇଗଲା । କ୍ଷଣକ ଭିତରେ ବାଘପରି ମଣିଷଟାର ସବୁ ଶେଷ । ଚିଫ୍‍ ସେକ୍ରେଟାରୀ ହୋଇଥା’ନ୍ତା । କିଛି ନାହିଁ, କିଛି ନାହିଁ ହଠାତ୍‍ ସାମାନ୍ୟ ଗୋଟାଏ ଘା’ରୁ ଜଣାପଡ଼ିଲା ମିସେସ୍ ଗଡ଼ନାୟକଙ୍କର ଏତେ ସୁନ୍ଦରୀ ସ୍ତ୍ରୀର କ୍ୟାନସର । କେତେ ଔଷଧ, କେତେ ଚିକିତ୍ସା । ଚାହୁଁ ଚାହୁଁ ମାସ ଛଅଟାରେ ସବୁ ଶେଷ । ନା, କିଛିର ସ୍ଥିରତା ନାହିଁ । ହରିବାବୁଙ୍କ ଏତେ ସମ୍ପତ୍ତି । ବୁଢ଼ା ମରିବାର ଗୋଟିଏ ବର୍ଷ ବି ଯାଇନି, ପୁଅମାନଙ୍କ ଭିତରେ କଳି ଲାଗି ସବୁ ନଷ୍ଟ ହୋଇଗଲା । ପିଲାମାନେ ଏବେ ପରଘରେ ଚାକିରି କରି ପେଟ ପୋଷୁଛନ୍ତି । କିଛିର ଆଉ ସ୍ଥିରତା ନାହିଁ କି ସ୍ଥାୟିତ୍ଵ ନାହିଁ କେବଳ ଭଗବାନଙ୍କ ଦୟା ଛଡ଼ା । ଠାକୁରଙ୍କ କୃପା ଥିଲେ ସବୁ ହୁଏ ।

 

ହେ ପ୍ରଭୁ ହେ ମଣିମା, ତୁମେ ରକ୍ଷାକର । ତୁମେତ ସମସ୍ତଙ୍କର ରକ୍ଷାକର୍ତ୍ତା । ପାଳନକର୍ତ୍ତା । ତୁମେ ହିଁ ଦୟାକର ପ୍ରଭୁ !

 

ଦ୍ଵିତୀୟ ପାହାଚ

 

ହେ ଠାକୁର, ମୋ ସ୍ତ୍ରୀ ପିଲା ଓ ପରିବାର ସବୁ ଭଲରେ ଥାଆନ୍ତୁ । ବାପଙ୍କର ରୋଗ ଭଲ ହୋଇଯାଉ । ଗୁଡ଼ାଏ କଷ୍ଟ ଭୋଗିଲେଣି । ଅନେକ ପଇସା ବି ନଷ୍ଟ ହେଲାଣି । ମୋ ପ୍ରମୋଶନ୍‌ଟା ଏଥରକ ହୋଇଯାଉ ଭଗବାନ ! ସେ ଶଳା ମୋହନଟା ମୋ ପଛରେ ଲାଗିଛି; ତାକୁ ଶାସ୍ତି ଦିଅ ପ୍ରଭୁ ! ଦୁଷ୍ଟ ଲୋକଙ୍କୁ ମାରି ତମେ ପରା ସନ୍ଥମାନଙ୍କୁ ପାଳନ କର । ପାଞ୍ଚଟଙ୍କାର ଭୋଗହେଲେ ଚଳିବ ନାହିଁ, ଏଥରକ ମାନସିକ କରିଛି ଠାକୁରେ, ଦଶଟଙ୍କାର ଅନ୍ନଭୋଗ ଦେବି । ତମ କଳସରେ ପତାକା ବାନ୍ଧିବି । ତମ ମୁଣ୍ଡରେ ରୁପା ଚନ୍ଦ୍ର ମୁକୁଟ ଦେବି । ହେ ମା’, ତୋ ପାଖରେ କଳାବୋଦା ବଳିଦେବି । କଳାଶାଢ଼ି ଦେବି । ସୁନା ମୁକୁଟ ଦେବି ।

 

ଭଗବାନ, ତମେ ଆମକୁ ବିପଦରୁ ଉଦ୍ଧାର କର । ମକଦ୍ଦମା ଲାଗି ଜମିଟା ଅନେକ ଦିନ ହେଲାଣି ପଡ଼ିଆ ପଡ଼ିଛି । ଏଥରକ ମକଦ୍ଦମାରେ ଜୟ ହେଉ । ମୋର ଗୋଟାଏ ପୁଅ ହେଉ-। ମୋ ଝିଅପାଇଁ ଭଲ ବରଟିଏ ମିଳୁ, ମୋ ବଡ଼ ଜୋଇଁର ବ୍ୟବସାୟରେ ଉନ୍ନତି ହେଉ-! ପ୍ରଭୁ, ଆହୁରି ଭୋଗ ଚଢ଼େଇବି । ହେ ମା’, ହେ ପ୍ରଭୁ, ହେ କୃଷ୍ଣ, ହେ ଜଗନ୍ନାଥ–ହେ ଶିବ–ହେ ବଦ୍ରିନାଥ... ।

 

ତୃତୀୟ ପାହାଚ

 

କୋଉ ଠାକୁର ? ଠାକୁର କିଏ ? କାହାକୁ ଡାକୁଛି ? କିଏ ମୋର ଅଭୀଷ୍ଟ ଫଳ ଦାନ କରିବ ? ଯଥାଶୀଘ୍ର ପୁଣି ସଦାସର୍ବଦା । ଗାଁମୁଣ୍ଡରେ ସିନ୍ଦୂରବୋଳା ଖଣ୍ଡିଆ ପଥରର ଗ୍ରାମଦେବତୀ ? କୃଷ୍ଣ ? ରାମ ? ଶିବ ? ଗଣେଶ ? ସରସ୍ଵତୀ ? ଦୁର୍ଗା ? କାଳୀ ? ବଦ୍ରିନାଥ ନା ଦ୍ଵାରକାନାଥ ? ଜଗନ୍ନାଥ ନା ଭେଙ୍କଟେଶ୍ଵର ? କିଏ ପ୍ରତ୍ୟକ୍ଷ ଦେବତା ? କିଏ ମୋର ଡାକ ଶୁଣୁଛି ବା ଶୁଣିବ ।

 

ନା, ସମସ୍ତେ ଦେବତା । ସମସ୍ତେ ଠାକୁର । ସମସ୍ତଙ୍କ ପାଖରେ ଭୋଗ । କୋଉଠି ବେଲପତ୍ର, କୋଉଠି ତୁଳସୀ । କୋଉଠି ରକ୍ତଚନ୍ଦନ, କୋଉଠି ଶ୍ଵେତଚନ୍ଦନ । କିଏ କଳା କୁକୁଡ଼ା ମାଗେ ତ କିଏ କଳା ବୋଦା ? କିଏ ମହିଷ ତ କିଏ ନରବଳି ମାଗେ ।

 

ସମସ୍ତଙ୍କୁ ପୂଜା କରିବି । ଯେ ଯେମିତି ଠାକୁର, ସେ ସେମିତି ଭୋଗ ଚାହେଁ । ତା’ ପାଖରୁ ସେମିତି ବର ମାଗିବି ।

 

ଗ୍ରାମଦେବତୀ–ରକ୍ଷାକର୍ତ୍ତା ।

 

କାଳୀ–ମରଣମୁହଁରୁ ରକ୍ଷା କରିବେ ।

 

ଶିବ–ମନୋବାଞ୍ଛା ଫଳଦେବେ । ସନ୍ତାନ, ଧନ, ମାନ, ଯଶ ।

 

ଦୁର୍ଗା–ଐଶ୍ଵର୍ଯ୍ୟ ଦେବେ ।

 

ରାମ–ରାଜପଦ ଦେବେ ।

 

ହେ ସବୁ ଠାକୁରମାନେ ! ସମସ୍ତଙ୍କୁ ମୋର କୋଟି କୋଟି ଜୁହାର ।

 

ଚତୁର୍ଥ ପାହାଚ

 

କାଳୀଙ୍କ ଫଟୋ–ଟଙ୍କାଟେ ? ଆଠଅଣା ହେବନି ? ହଁ ମ, ଦିଅ । ଆହୁରି ଫଟ ନେବି-। ରାମଙ୍କ ଫଟ, ଶିବଙ୍କ ଫଟ, ଦୁର୍ଗାଙ୍କ ଫଟ, ହରପାର୍ବତୀ, ବିମଳା, ଗଣେଶ, ରାମସୀତାଙ୍କ ଫଟ-। ସବୁ ଠାକୁରଙ୍କ ଫଟ ରହିବ ଠାକୁରଘରେ । କେହି ବାଦ୍ ପଡ଼ିବେନି । କାଳେ ଅନ୍ୟ ଠାକୁର ରାଗ କରିବେ । ସମସ୍ତଙ୍କଠାରେ ସମାନ ଭକ୍ତି । ତେବେ ଗ୍ରାମଦେବତୀ ଚଣ୍ଡୀଙ୍କ ମନ୍ଦିର ପାଖ । ତେଣୁ ତାଙ୍କ ପାଖକୁ ସବୁବେଳେ ଯିବାକୁ ପଡ଼ିବ । ସେ ରାଗିଲେ ଆଉ ରକ୍ଷା ନାହିଁ । ଏକାବେଳକେ ବଂଶଲୋପ ହୋଇଯିବ । ମା’ଲୋ, ସାହା ହୋଇଥା । ସବୁ ବିପଦରୁ ରକ୍ଷା କର ମା’ ! ତୋରି କୃପାରୁ ବଂଶ ବଢ଼ୁ, ଧନ ମାନ ଯଶ ଗୋପଲକ୍ଷ୍ମୀ ସବୁ ମାଡ଼ିଆସୁ ମା’ ! ତୋତେ ଯୋଡ଼ା ବୋଦା ମାନସିକ କରୁଛି ଲୋ ମା’... !

 

ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମ ପାହାଚ

 

କେତେ କାମନା । ଲକ୍ଷ ଲକ୍ଷ ଲୋକର ଲକ୍ଷ ଲକ୍ଷ କାମନାରେ ବାୟୁମଣ୍ଡଳ ପୂର୍ଣ୍ଣ । କମନାର ସଂଘାତରେ ପୁଣି କେତେ କୋଟି କମନାର ଜନ୍ମ । ଅବସାଦ, ଅସହାୟ କାତର ଲୋକମାନଙ୍କ ବିକ୍ଷୁବ୍‌ଧ କ୍ରନ୍ଦନ । ଅବିଶ୍ରାନ୍ତ ଅଶ୍ରୁପାତ ।

 

ଏକ ଅଶରୀରୀ ଅଥଚ ଜୀବନ୍ତ ସତ୍ତା ପାଖରେ ବ୍ୟାକୁଳ ନିବେଦନ । ଜୀବନ୍ତ କେବଳ ବ୍ୟକ୍ତିଗତ ପରିପ୍ରେକ୍ଷୀରେ; କାରଣ ‘‘କିଏ ଜଣେ ଅଛି” ଏଇ ବିଶ୍ଵାସ ନ ଥିଲେ କେବଳ ବ୍ୟକ୍ତିଗତ ଶୂନ୍ୟଟାରେ ନିବେଦନ ତ ବୃଥା । ତେଣୁ ସମସ୍ତଙ୍କ ମନରେ ଜାଣତରେ ହେଉ ଅଜାଣତରେ ହେଉ, ରହିଛି ସେଇ ଅଜଣା ଅଶୁଣା ‘ଅସ୍ତିତ୍ଵ’ ଉପରେ ଗଭୀର ଦୃଢ଼ବିଶ୍ଵାସ...ଆଉ ସେଥିପାଇଁ ସର୍ବକ୍ଷମତାସମ୍ପନ୍ନ ଅଲୌକିକ ଶକ୍ତି ନିକଟରେ ନିଜର ଗୁହାରିର ଆତ୍ମନିବେଦନ ।

 

ସମସ୍ତେ ଆର୍ତ୍ତ । ନିଜ ନିଜର ଶକ୍ତି, ଗାରିମା, ବଡ଼ପଣ ଯେତେବେଳେ ହାରମାନିଯାଇଛି ସେତେବେଳେ ଆସି ସେଇ ଜଣକ ପାଖରେ ଆପତ୍ତି, ଅଭିଯୋଗ ଓ ପ୍ରାର୍ଥନା–

 

ଠାକୁରେ ! ମୋତେ ପୁଅଟିଏ ଦିଅ

ଠାକୁରେ ! ମୋର ରୋଗ ଭଲ କରିଦିଅ ।

ପ୍ରଭୁ ହେ ! ଅତ୍ୟାଚାରୀ କବଳରୁ ରକ୍ଷାକର ।

ଭଗବାନ ! ମୁଁ ମକଦ୍ଦମାରେ ଜିତିଯାଏ ।

ଭଗବାନ ! ମୋ ଶତ୍ରୁକୁ ସଂହାର କର ।

ଠାକୁରେ ! ଯଶ ମିଳୁ, ସମ୍ମାନ ମିଳୁ ।

ଠାକୁରେ ! ମୋତେ ଧନ ମିଳୁ ।

 

ମିଳୁ ନମିଳୁ କେବଳ ଏଇ ବିଶ୍ଵାସ...ଏଇଠି ହିଁ ମାଗିଲେ ମିଳିପାରେ; ଦୁନିଆରେ ଆଉ କୋଉଠି ନାହିଁ । କିଏ ଜାଣେ ତା’ର ରୂପ କ’ଣ ? ପଥର ହେଉ, କାଠ ହେଉ, ଚତୁର୍ଭୁଜ ହେଉ, ଦଶଭୁଜା ହେଉ, ସାକାର ହେଉ, ନିରାକାର ହେଉ–କିନ୍ତୁ ସେ ଅଛି, ଅଛି, ଅଛି । ତାକୁ ଡାକିଲେ ସିଏ ଶୁଣିବ । ତା’ର ଆଖି ନାହିଁ, କାନ ନାହିଁ, ନାକ ନାହିଁ, କିଛି ନାହିଁ...ଅଥଚ ସେ ଦେଖିପାରେ, ଶୁଣିପାରେ, ମାଗିଲା ଲୋକର ଥାଳ ପୂର୍ଣ୍ଣ କରିପାରେ । ହଁ କରିପାରେ । ତେଣିକି କରୁ ନକରୁ ତା’ର ଇଚ୍ଛା ।

 

କିନ୍ତୁ ମୋ ମାଗିବାରେ କାର୍ପଣ୍ୟ କାହିଁକି ? ମୁଁ ତାକୁ ସବୁ ମାଗିନି । ଛୋଟ ଜିନିଷ ହେଉ, ବଡ଼ ଜିନିଷ ହେଉ–ଦେଲାବାଲା ତ ସିଏ ।

 

ଭଗବାନ, ମୋତେ ଦିଅ, ନିଅ । ଧନ ଦିଅ, ଯଶ ଦିଅ, ଶୁଭ ଦିଅ । ଦିଅ, ଖାଲି ଦିଅ । ଭିକ୍ଷା ଦିଅ ।

 

ନବମ,ଦଶମ ଏକାଦଶ, ଦ୍ଵାଦଶ ପାହାଚ

 

ସ୍ତ୍ରୀ, ପୁତ୍ର, ଧନ, ଜନ, ଯଶ, କ୍ଷମତା, ପ୍ରତିପତ୍ତି–ତା’ପରେ ଆଉ କ’ଣ ? ସାମ୍ରାଜ୍ୟ ? ଆଉ କ’ଣ ଦରକାର ? ଏତିକି ପାଇ ତ ମୋର ଭିକ୍ଷାଥାଳ ପୂର୍ଣ୍ଣ ହେଉନି; ତଥାପି ଯେମିତି ଖାଲି ରହିଯାଉଛି, ଅପୂର୍ଣ୍ଣ ରହିଯାଉଛି । ତୃପି ନାହିଁ । ଶାନ୍ତି ନାହିଁ । ସୁଖ ନାହିଁ । ତେବେ କ’ଣ ଆହୁରି କିଛି ଅଛି, ଯାହା ପାଇଲେ ଏଇ କାମନାର ଶେଷ ହେବ ?

 

କାହିଁକି ଏଇ ସର୍ବଗ୍ରାସୀ କାମନାର କ୍ଷୁଧାର ଅନଳ ? ଯେତେ ପାଇଲେ ବି ପ୍ରଶମିତ ହେଉ ନାହିଁ । ଯେତିକି ପାଇଲେ ତା’ଠୁ ଆହୁରି ବେଶୀ ପାଇବାକୁ ଇଚ୍ଛା ହେଉଛି ।

 

ଲୌକିକ ଦୃଷ୍ଟିରେ ଯାହା ମିଳିଲେ ଜଣେ ସୁଖୀ ହେବା କଥା, ସବୁ ତ ମୋର ରହିଛି । ତଥାପି କାହିଁକି ମୁଁ ଅତୃପ୍ତ । ନା, ମୁଁ ହେବି ଏକଛତ୍ରବାଦୀ ସମ୍ରାଟ୍ । ମୋର କଥାରେ ସମଗ୍ର ପୃଥିବୀର ଲୋକେ ବାଟ ଚଳିବେ । ମୋର ଆଦେଶ ହେବ ସେମାନଙ୍କ ପକ୍ଷରେ ଶିରୋଧାର୍ଯ୍ୟ । କେହି ମୋତେ ଅମାନ୍ୟ କରି ପାରିବେ ନାହିଁ । ମୋର ଯାହା ଇଚ୍ଛା ତାହା ମୁଁ କରିବି । ମୁଁ ଶାସନ କରିବି । ମୁଁ ଦଣ୍ଡ ଦେବି–ମୁଁ ଭିକ୍ଷା ଦେବି । ମୁଁ ମୁଁ ମୁଁ...କେବଳ ମୁଁ । ଭଣ୍ଡାରରେ ଧନରତ୍ନ ପରିପୂର୍ଣ୍ଣ ହୋଇଯାଉ । ଆହୁରି ନୂତନ ନୂତନ ଭଣ୍ଡାର ତିଆରି ହେଉ, ହାରେମ୍ ଭିତରକୁ ଆସନ୍ତୁ ଆହୁରି ନିତ୍ୟନୂତନା ସୁନ୍ଦରୀ ଯୁବତୀ । ମଦଶାଳାର ପ୍ରକୋଷ୍ଠ ପୂର୍ଣ୍ଣ ହେଉ ବିଭିନ୍ନ ମଦ୍ୟର ସମାହାରରେ । ମୁଁ ହୁଏ ସମୁଦ୍ରବିଜୟୀ, ଆକାଶବିଜୟୀ, ଦିଗ୍‌ବିଜୟୀ ସମ୍ରାଟ୍ ।

 

ତା’ପରେ ? ତା’ପରେ କ’ଣ ? ତଥାପି ମନ ମାନୁନାହିଁ । ତଥାପି...ତଥାପି କୋଉଠି ଗୋଟାଏ ଅଭାବ ରହିଯାଉଛି । ମୃତ୍ୟୁ ?

 

ଭଗବାନ ମୋତେ ଅମରତ୍ଵର ବର ଦିଅ । ଇଚ୍ଛାମୃତ୍ୟୁ । ସହସ୍ର ସହସ୍ର ବର୍ଷ ଧରି ମୁଁ ଯେମିତି ଏ ପୃଥିବୀକୁ ଉପଭୋଗ କରେ । ଜରାବ୍ୟାଧି ମୋତେ ଗ୍ରାସ ନକରୁ । ମୁଁ ହୁଏ ଚିରଯୌବନସମନ୍ଵିତ ବିକ୍ରମଶାଳୀ ପୁରୁଷ ।

 

ଆଃ ତା’ପରେ ।

 

ସହସ୍ରେ । ଲକ୍ଷେ । କୋଟି ବର୍ଷ । ତା’ପରେ ? ତା’ପରେ ମୁଁ କ’ଣ କରିବି ? କ’ଣ ଚାହିଁବି ? କେଉଁଥିରେ ସୁଖ, କେଉଁଥିରେ ଶାନ୍ତି ? ଯାହା ପାଇଲେ ଆଉ କିଛି ପାଇବାର ନ ଥାଏ । ସେଇଟା କ’ଣ ?

 

ତ୍ରୟୋଦଶ, ଚତୁର୍ଦ୍ଦଶ, ପଞ୍ଚଦଶ, ଷୋଡ଼ଶ ପାହାଚ

 

ସେଇଟା କ’ଣ ? ଗୋଟାଏ ବସ୍ତୁ ? କିଛି ଗୋଟାଏ ଜିନିଷ ? ପରଶମଣି ନା ସେ ଗୋଟାଏ ମହାପରାକ୍ରମଶାଳୀ ମଣିଷଟିଏ ? ଅନ୍ୟ ଲୋକର ଜୀବଟିଏ ? କି ତା’ର ରୂପ ? କ’ଣ ତା’ର ଆକାର ? କୋଉଠି ତା’ର ବାସସ୍ଥାନ ? ମହାଶୂନ୍ୟର କୋଉ ଗ୍ରହ, ନକ୍ଷତ୍ର ଭିତରେ ତା’ର ବୈକୁଣ୍ଠ ? ଲକ୍ଷ ଲକ୍ଷ ଗ୍ରହମଣ୍ଡଳ, ତରକାପୁଞ୍ଜ ଭିତରେ କୋଉ ନିର୍ଦ୍ଦିଷ୍ଟ ଜାଗାରେ ସେ ରହିଛି ? କେମିତି ସେ ଜାଣେ ଏତେ ଦୂରରେ ଥିବା ପୃଥିବୀର କୋଟି କୋଟି ଜୀବଜନ୍ତୁଙ୍କର ଯନ୍ତ୍ରଣା, କାତରତା, ବିପଦ । ସେ କ’ଣ ସତରେ ଗୁହାରି ଶୁଣେ ? ସତେ କ’ଣ ସେ ଉଦ୍ଧାର କରେ ବିପଦରୁ-?

 

ନା, ସେ ଆମର ଦୁର୍ବଳତା । ମଣିଷର ଚିରନ୍ତନ ଅସହାୟତାରୁ ନିଜକୁ ଭୁଲେଇ ରଖିବା ପାଇଁ ମଣିଷର ସୃଷ୍ଟ ଏକ କଳ୍ପନାର ଅବଲମ୍ବନ ? ମଣିଷ ଜୀବନର ଏକ ମନସ୍ତାତ୍ତ୍ଵିକ ଆବଶ୍ୟକତା-। କାହାରି ଉପରେ ନିଜର ନପାରିଲାପଣିଆର ଦୋଷ ଚପେଇ ନିଜକୁ ଭୁଲେଇ ରଖିବାର ଏକ ଉପାୟ ? ତା’ର ଚାହିଁବା ଓ ପାଇବା ଭିତରେ ଯେଉଁ ଶୂନ୍ୟସ୍ଥାନ ରହିଛି, ସେଇ ଶୂନ୍ୟସ୍ଥାନ କ’ଣ ଭଗବାନ ?

 

ମୁଁ କିଛି ଜାଣିପାରୁନି । କିଛି ବୁଝିପାରୁନି । ଆଗକୁ ଯିବି ନା ପଛକୁ ଫେରିବି । ଯଦି ଭଗବାନ ସତ୍ୟ, ତେବେ ପାହାଚ ଉଠିବାରେ ଲାଭ ଅଛି । ଆଉ ଯଦି ସେ ଅସତ୍ୟ, କେବଳ କଳ୍ପନା, ତେବେ ଉଠିବା ପାଇଁ ଏତେ କଷ୍ଟ କରି ଲାଭ କ’ଣ ?

 

ମଣିଷ କ’ଣ ସତରେ ଏତେ ବୋକା ? ଯେ ପୃଥିବୀ ବିଜୟ କରିଛି, ଜଳ, ସ୍ଥଳ, ଆକାଶ ବିଜୟୀ ନିଜ ବୁଦ୍ଧି ବଳରେ, ଏଇ ବିଷୟରେ ସେ ସତରେ କ’ଣ କିଛି ଜାଣିପାରିନି ଆଜିଯାଏ ? ଚନ୍ଦ୍ରବିଜୟୀ ମଣିଷ କ’ଣ ଏଇ କ୍ଷେତ୍ରରେ ନିହାତି ଅନ୍ଧ, ମୂର୍ଖ ? ବିଶ୍ଵାସ ହୁଏନା ? ଯେ ସବୁ ବିଷୟରେ ଏତେ ଆବିଷ୍କାର କରିଛି, ଦ୍ଵିତୀୟ ଈଶ୍ଵରପରି ସୃଷ୍ଟି କରିଛି, ସେ କ’ଣ ଏ ବିଷୟରେ ଏକାବେଳକେ ଅଜ୍ଞ ?

 

ହଜାର ହଜାର ବର୍ଷର ଶାସ୍ତ୍ରପୁରାଣ, ବେଦ, ଉପନିଷଦ୍, ଭାଗବତ, ବାଇବେଲ କୋରାନ୍, ତ୍ରିପିଟକ...କ’ଣ ସବୁ କଳ୍ପନା ? ସବୁ ମିଛ ? ଆମର ପୂର୍ବପୁରୁଷମାନେ କ’ଣ ତାଙ୍କର ଉତ୍ତରସୂରୀମାନଙ୍କୁ ଠକାଇବା ପାଇଁ ସେସବୁ ଲେଖି ଯାଇଛନ୍ତି ?

 

କିଏ କହିବ କୋଉଟା ସତ ?

 

କିନ୍ତୁ ଆଜି ସୁଦ୍ଧା କାହିଁକି ପ୍ରତ୍ୟେକ ମଣିଷ କ୍ଷଣକ ପାଇଁ ହେଲେ ବି ସେଇ ଅଶରୀରୀ, କାଳ୍ପନିକ ଅସ୍ତିତ୍ଵ ପାଖରେ ନିଜକୁ ସମର୍ପି ଦେବାକୁ ଉତ୍ସକୁ । ମିଛଟା କ’ଣ ଏତେ ଦୀର୍ଘକାଳ ସ୍ଥାୟୀ-?

 

ମଣିଷ ଯେତେବେଳେ ପ୍ରତ୍ୟେକ ଯୁଗରେ ପୁରୁଣା ସମାଜ ଭାଙ୍ଗି ନୂଆ ସମାଜ ଗଢ଼ିଛି, ପୁରୁଣା ପରମ୍ପରାକୁ ଭାଙ୍ଗି ନୂତନ ପରମ୍ପରାର ସୃଷ୍ଟି କରିଛି, ସେ କ’ଣ ଏଇ ଗତାନୁଗତିକ ପୁନରାବୃତ୍ତିକୁ ଭାଙ୍ଗି ଚୂରି ଦେଇ ଯାଇପାରନ୍ତା ନାହିଁ ?

 

ସପ୍ତଦଶ, ଅଷ୍ଟାଦଶ, ଊନବିଂଶ, ବିଂଶ ପାହାଚ

 

ନା, ସେ ମିଛ ନୁହେଁ । ସତ୍ୟ ବୋଲି ସେ ଏତେ ଦୀର୍ଘକାଳ ସ୍ଥାୟୀ । ସତ୍ୟ ବୋଲି ସେ ଚିରଦିନ ରହିବା । ମହେଞ୍ଜୋଦାରୋ, ବାବିଲୋନ୍, ମିଶରୀୟ, ଚାଇନିଜ୍ ସଭ୍ୟତା ଭାଙ୍ଗିଯାଇ ଧ୍ଵ˚ସସ୍ତୂପରେ ପରିଣତ ହୋଇଛି । କେତେ ସାମ୍ରାଜ୍ୟ ଭାଙ୍ଗିଯାଇ ନୂତନ ସାମ୍ରାଜ୍ୟ ଗଢ଼ିଉଠିଛି । କେତେ ସଭ୍ୟତା, କେତେ ମଣିଷ, କିଏ କୁଆଡ଼େ ଗଲେଣି । ସେମାନଙ୍କର ବେଶ, ପୋଷାକ, ଆଚାରବ୍ୟବହାର କିଛି ବୋଲି କିଛିର ସତ୍ତା ନାହିଁ । ଅଥଚ ସେଇ ଆଦିମଣିଷର ଚିରନ୍ତନ ଆକାଂକ୍ଷା ସେମିତି ରହି ଆସିଛି ଆଜିଯାଏ । ସବୁ ସଭ୍ୟତାରେ, ସେ ପଥର ହେଉ, କାଠ ହେଉ, ପିତଳ ହେଉ, ଚିନାମାଟି ହେଉ ବା ପୋଡ଼ାମାଟି ହେଉ ସେଇ ପ୍ରତୀକର ଧାରଣା, ସେଇ ବିଶ୍ଵାସ ଅପ୍ରତିହତ ଭାବରେ ଚାଲିଆସିଛି ଆଜିଯାଏଁ । ବିଶ୍ଵାସର ଭଙ୍ଗୀରେ ପରିବର୍ତ୍ତନ ହୋଇଛି । ଗଛମୂଳରୁ ସେ ମନ୍ଦିରକୁ ଆସିଛି, ଆକାରରୁ ନିରାକାର ହୋଇ ମସ୍‌ଜିଦରେ ରହିଛି; କିନ୍ତୁ ବିଶ୍ଵାସର ପରିବର୍ତ୍ତନ ହୋଇନାହିଁ । ଏହା କ’ଣ ସୂଚେଇ ଦେଉନାହିଁ ଯେ ସତ୍ୟ ବୋଲି ? ସବୁ ଭଙ୍ଗାଗଢ଼ା ଭିତରେ ଯେ ଏକମାତ୍ର ଉଜ୍ଜ୍ୱଳ ମୁକ୍ତାଭଳି ନିଜର ଦୀପ୍ତିରେ ଭାସ୍ଵର ହୋଇ ଆଜିଯାଏଁ ରହିଆସିଛି ଅପରିବର୍ତ୍ତିତ ଭାବରେ । ସେ ଯଦି ସତ୍ୟ ନୁହେଁ...ସତ୍ୟ ଆଉ କିଏ ?

 

ସମସ୍ତ ମଣିଷଜାତି ତା’ର ଜନ୍ମକାଳରୁ ଏହି ସତ୍ୟ ହିଁ ଅନୁଭବ କରିଆସିଛି ଅନ୍ତରେ ଅନ୍ତରେ । ସେ ତାକୁ ବୁଝିପାରିନାହିଁ; ଠିକ୍‍ଭାବେ ଜାଣିପାରିନାହିଁ । ନିଜ ନିଜର ଅନୁଭୂତିରେ; ନିଜ ନିଜର ବ୍ୟକ୍ତିଗତ ଓ ସମାଜଗତ ଦୃଷ୍ଟିଭଙ୍ଗୀରେ ତାକୁ ସେଇ ଆକାର ଦେଇଛି । ସେଇପରି ଗଢ଼ିଛି-। ସେଇ ଆକାର ହୁଏତ ଠିକ୍ ସତ୍ୟର ପ୍ରତିବିମ୍ବ ନୁହେଁ–କିନ୍ତୁ ଆକାର ଗଢ଼ିବା ଆମର ଅନୁଭୂତି ଟିକକ ତ ସତ୍ୟ । ହୁଏତ ଆମେମାନେ ଏକ ବୃହତ୍ତର ଦୃଷ୍ଟିକୋଣରୁ ଅନ୍ଧ । ଯିଏ ଯେମିତି ଭାବରେ ହାତୀକୁ ଅନୁଭବ କରିଛି ସେମିତି ଭାବରେ ତାକୁ ରୂପ ଦେଇଛି । ସେଇଟା ପୂର୍ଣ୍ଣ ହାତୀର ଆକାର ହୋଇନପାରେ; କିନ୍ତୁ ହାତୀକୁ ତ ସେମାନେ ଛୁଇଁଛନ୍ତି । ସେଇ ହାତୀଟା ତ ସତ୍ୟ ।

 

ହେ ସତ୍ୟ । ହେ ମହାସତ୍ୟ । ଶାଶ୍ଵତ, ଚିରନ୍ତନ । ହେ ଅନାଦି, ଅନନ୍ତ, ଅକ୍ଷର, ସ୍ଵୟ˚ସମ୍ପୂର୍ଣ୍ଣ, ସ୍ଵପ୍ରକାଶ ଚୈତନ୍ୟ ସତ୍ତା । ତମେ ଏତେ ପାଖରେ...ଅଥଚ କେତେ ଦୂରରେ ! ସବୁ କାଳରେ, ସବୁ ମଣିଷ ତମରି ସତ୍ତା ଉପଲବ୍‌ଧି କରିଛନ୍ତି...ଅଥଚ ତଥାପି ତମେ ରହିଯାଇଛ ଚିରରହସ୍ୟମୟ !!

 

ଏକବିଂଶ ପାହାଚ

 

ହେ ଚିରରହସ୍ୟମୟ ! ତମକୁ ଏଇ ଛୁଉଁଛି–ଅଥଚ ଛୁଇଁପାରୁନି । ତମକୁ ଅନୁଭବ କରୁଛି–ଅଥଚ ଠିକ୍ ଜାଣିପାରୁନି । ପରଦାର ଅନ୍ତରାଳରୁ ମୁଁ ତୁମର ସ୍ଵର ଶୁଣିପାରୁଛି । ଶୁଣୁଛି ତମର ବଇଁଶୀର ସ୍ଵନ । ମୁଁ ଏକ ଉଜାଣି ଯମୁନାର ଢେଉ । ଆକର୍ଷିତ ହୋଇ ଆସୁଛି ବଇଁଶୀର ମୂର୍ଚ୍ଛନାରେ । ଅଥଚ ସମସ୍ତ ମନ, ବୁଦ୍ଧି, ଇନ୍ଦ୍ରିୟ ଦେଇ ତମକୁ ନିର୍ଦ୍ଦିଷ୍ଟତା ଭିତରେ ବାନ୍ଧିପାରୁନି । ମାଧ୍ୟାକର୍ଷଣ ଶକ୍ତି ପରି ତା’ର ଅନୁଭବ ଅଛି...ରୂପ ନାହିଁ, ଆକାର ନାହିଁ ।

 

ତମେ ଅତି ଆପଣାର । ନିହାତି ଅନ୍ତରଙ୍ଗ । ସେଥିପାଇଁ ତ ମୁଁ ମନଖୋଲି ସବୁ କଥା ତମ ପାଖରେ କହିପାରୁଛି । ମନ ଇଚ୍ଛା ମାଗି ପାରୁଛି । ଅଥଚ ଛୁଇଁବାକୁ ଗଲେ ଛୁଇଁପାରୁନି । ଦେଖିବାକୁ ଗଲେ ଦେଖିପାରୁନି । ମନେହେଉଛି କାହିଁ କେତେ ଦୂରରେ ଅଜଣା ଗ୍ରହ ନକ୍ଷତ୍ରମଣ୍ଡଳ ଭିତରେ ତମେ ରହିଛ । ଅପହଞ୍ଚ ।

 

କି ମୋଟା ପରଦା ଭିତରେ ତମେ ରହିଛ ଯେ ଦେଖାଯାଉନ । ପରଦା ଖୋଲିଲାବେଳକୁ ତା’ ପଛକୁ ତା’ ପଛକୁ ପ୍ରସ୍ତ ପ୍ରସ୍ତ ବହଳ ମୋଟା ପରଦା । ପରଦାର ଶେଷ ଆଉ ନାହିଁ । ଅଥଚ ତମରି ସ୍ଵର ଶୁଣି ମନେହେଉଛି ପରଦାଟା ନିହାତି ପତଳା । ଅତି ସୂକ୍ଷ୍ମ, ଝିନ । ଏ କି ଯାଦୁ ତମର ଯାଦୁକର ! ହେ ଅରୂପ ! କି ତମର ରୂପ ? ଶ୍ୟାମକଳେବର ଚତୁର୍ଭୁଜ ? ଧନୁର୍ଦ୍ଧର ରାମ ? ଜଟାଜୂଟ ମସ୍ତକରେ ଚନ୍ଦ୍ର ଓ ଗଙ୍ଗାଧାରୀ ଶିବ ! ଏଇ କେବଳ ତମର ରୂପ ? ମୁଁ ସେଇ ରୂପରେ ତମର ପୂଜା କରୁଛି । ପ୍ରାର୍ଥନା କରୁଛି । କିନ୍ତୁ ମନେହେଉଛି ତମର ସେଇ ରୂପ ଯେମିତି କ୍ରମଶଃ ବୃହତ୍‍ରୁ ବୃହତ୍ତର ହୋଇ ବଢ଼ିଯାଉଛି ସମଗ୍ର ଜଗତ ଆଚ୍ଛନ୍ନ କରି । ପୁଣି ମନେହେଉଛି ହଠାତ୍ ସେ କ୍ଷୁଦ୍ରରୁ କ୍ଷୁଦ୍ରତର ହୋଇ ମୋର ଅନ୍ତଃଚେତନା ଭିତରେ ଏକ ଜ୍ୱଳନ୍ତ ବିନ୍ଦୁପରି ସ୍ଥିର ହୋଇ ରହିଯାଉଛି ।

 

ଲକ୍ଷକୋଟି ମଣିଷ ଭିତରକୁ ମୁଁ ଜଣେ । ପ୍ରତି ମଣିଷର ହୃଦୟ ଭିତରେ କ’ଣ ତମେ ସେଇପରି ରହିଛ ? ତେବେ କେତେ ଲକ୍ଷକୋଟି ତମର ରୂପ । ମଣିଷ, କୀଟପତଙ୍ଗ, ଜୀବଜଗତ, ଜଡ଼ଜଗତ, ଆକାଶ, ସମୁଦ୍ର ସବୁ କ’ଣ ତମରି ରୂପ ? ହେ ବିଶ୍ଵରୂପ ! ଆକାଶ ପୁଣି ନିରାକାର ।

 

ସତେ ଯେମିତି ଏକ ଫୁଆରାର ଲକ୍ଷକୋଟି ବୁଦ୍‌ବୁଦ ଭିତରେ ସୂର୍ଯ୍ୟକିରଣର ପ୍ରତିବିମ୍ବ ପଡ଼ି ସୃଷ୍ଟି କରିଛି ନାନାବର୍ଣ୍ଣର ବିଚିତ୍ର ଇନ୍ଦ୍ରଧନୁ । ଆମେମାନେ ସମସ୍ତେ–ସମଗ୍ର ବିଶ୍ଵ–ସେଇ ଫୁଆରାର ଅଗଣିତ ବୁଦ୍‌ବୁଦ । ତମେ ହିଁ ହେଉଛ ସେଇ ସ୍ଵପ୍ରକାଶ ସୂର୍ଯ୍ୟ । ବିଚିତ୍ର ଇନ୍ଦ୍ରଧନୁ ହିଁ ତମର ସୃଷ୍ଟି ସଂସାର । ଆଉ ସେଇ ଇନ୍ଦ୍ରଧନୁରେ ନିଜେ ଓତପ୍ରୋତ ଭାବରେ ଜଡ଼ିତ ହୋଇ ନିଜର ସୃଷ୍ଟିରେ ନିଜେ ହିଁ ମୁଗ୍‌ଧ ହୋଇ ଆନନ୍ଦ, ବିସ୍ମୟରେ ମୁଗ୍‌ଧ ହୋଇ ରହିଛ ।

 

ଲୀଳାମୟ, ତମେ ହିଁ ତମର କାରଣ । ତମେ ହିଁ ତମର ଲୀଳା ।

 

ଦ୍ଵାବିଂଶ ପାହାଚ

 

ମୁଁ ବୁଦ୍‍ବୁଦ; କିନ୍ତୁ ମୁଁ ବକ୍ଷରେ ଧାରଣା କରିଛି ସୂର୍ଯ୍ୟର ପ୍ରତିବିମ୍ବ । ସେଇଥିପାଇଁ ତ ମୁଁ ସୁନ୍ଦର । ସେଇଥିପାଇଁ ତ ସଂସାରର ଇନ୍ଦ୍ରଧନୁ ଏତେ ସୁନ୍ଦର । ଏତେ ଆକର୍ଷଣୀୟ ।

 

ଆଗେ ନାଟ ମନ୍ଦିର । ତା’ ପଛକୁ ଗର୍ଭଗୃହ । ମହାଶୂନ୍ୟ । ଅନାଦି, ଅନନ୍ତ, ସୀମାହୀନ, ପରିଧିହୀନ ମହାବୃତ୍ତ । ସେଇ ଗଭୀର ଗାଢ଼ ଅନ୍ଧକାର ଭିତରେ ଜଳ ଜଳ କରୁଛି ଦୁଇଟି ବଡ଼ ବଡ଼ ଚକ୍ଷୁ । ଦୁଇଟି ମହୋଜ୍ଜ୍ୱଳ ତାରକା ପରି, ସ୍ଥିର ନିଷ୍ପନ୍ଦ ଭାବରେ ।

 

ହାତ ନାହିଁ, ଗୋଡ଼ ନାହିଁ, ଆଖି ନାହିଁ, ଇନ୍ଦ୍ରିୟ କିଛି ନାହିଁ; କେବଳ ଦୁଇଟି ଚକ୍ଷୁ । ଦୁଇଟି ଅନୁଭବ । ଦୁଇଟି ଆଲୋକ । ଗାଢ଼ କଳା ମହାଶୂନ୍ୟର ଅଭ୍ୟନ୍ତର ଭିତରୁ ସ୍ଵପ୍ରକାଶ ଆଲୋକ ।

 

ନା ନା, ମୁଁ ହଜି ଯିବାକୁ ଚାହେଁନା, ନିଶ୍ଚିହ୍ନ ହେବାକୁ ଚାହେଁନା । ମୁଁ ଏଇ ବାଇଶି ପାହାଚ ଉପରେ ବସିଥାଏ । ମୁଁ ଯିବିନି ଗର୍ଭଗୃହ ଭିତରକୁ । ମୁଁ ଏଇଠି ବସିଥିବି । ନିରେଖି ଦେଖୁଥିବି ସେଇ ଆଲୋକକୁ । ଆଉ ତଳକୁ ଚାହିଁ ଦେଖୁଥିବି ସେଇ ଆଲୋକର ପ୍ରତିବିମ୍ବିତ ସମୁଦ୍ରର ଫେନାୟିତ ଜଳରାଶିର ଅଗଣିତ ବୁଦ୍‌ବୁଦ ଭିତରେ ସୃଷ୍ଟି ହୋଇଥିବା ବିଚିତ୍ର ଇନ୍ଦ୍ରଧନୁକୁ ।

 

ମୋତେ ଏହି ଆଜ୍ଞା ହେଉ ହେ ମଣିମା !

 

ମୋତେ କେବଳ ଏହି ଆଜ୍ଞା ହେଉ ।

Image

 

Unknown

ଅନ୍ଵେଷ

 

ଚନ୍ଦ୍ରା ସହିତ ଦେଖା ହେଲା ଅପ୍ରତ୍ୟାଶିତ ଭାବରେ । ଚନ୍ଦ୍ରାବତୀ । ପଚିଶ ବର୍ଷ ତଳର ତନ୍ଵୀ ଯୁବତୀ ଚନ୍ଦ୍ରାବତୀ ପଣ୍ଡା ପ୍ରୌଢ଼ତ୍ଵର ମେକ୍‌ଅପ୍ ନେଇ ସତେ ଯେମିତି ମୋ ଆଗରେ ଛିଡ଼ା ହୋଇଛି । ମୁଁ ବି ହଠାତ୍‍କରି ଭୁଲିଗଲି ପଚିଶ ବର୍ଷ ସମୟର ବ୍ୟବଧାନକୁ ।

 

ସେ ମୋତେ ପ୍ରଥମେ ଦେଖିନଥିଲା । ମୁଁ ପ୍ରଥମେ ତାକୁ ଦେଖିଲାମାତ୍ରେ ହିଁ ଚିହ୍ନି ନେଇଥିଲି ! କିନ୍ତୁ ଡାକିବି କି ନାହିଁ ଦୋ-ଦୋ-ପାଞ୍ଚ ଅବସ୍ଥାରେ ଥିଲାବେଳେ ସେ ମୋ ଆଡ଼କୁ ଫେରି ଚାହିଁଲା । ଆଖି ଫେରେଇ ନେଉ ନେଉ ପୁଣି ଆଉ ଥରେ ମୋ ଆଡ଼କୁ କିଛି ସେକେଣ୍ଡ ସ୍ଥିର ଚାହାଣିରେ କଳିନେଇ ସଙ୍କୁଚିତ ଆଖି ଦୁଇଟିକୁ ବିସ୍ଫାରିତ କରି ନକଲି ଦାନ୍ତ (ନ ହେଲେ ଏତେ ପରିଷ୍କାର କାହିଁକି ?) ଦି’ପାଟି ଝଲସାଇ ମୋ ପାଖକୁ ତରତର ପାହୁଣ୍ଡ ପକାଇ ଆସି ପଚାରିଲା ‘‘ସୁବ୍ରତ ନା ?”

 

ନିଶ୍ଚୟ ଚନ୍ଦ୍ରାବତୀ । ନହେଲେ ଆଉ କିଏ ଏତେ ସହଜରେ ମୋ ପାଖକୁ ଆସି ପଚାରି ପାରିନଥାନ୍ତା ।

 

ଚନ୍ଦ୍ରାବତୀ ଆଖି ଉପରେ ମୋ ଆଖି ଚପେଇ କହିଲି, ‘‘ଚନ୍ଦ୍ରାବତୀ ନା ?”

 

ଦୁଇଜଣ ଏକାସାଙ୍ଗରେ ହସିଉଠିଲୁ ।

 

ପାଖରେ ଯାଉଥିବା କେତେଜଣ ଭଦ୍ରଲୋକ ଓ ମହିଳା ଆମ ଆଡ଼କୁ ଫେରି ଚାହିଁଲେ-। ସମ୍ଭବତଃ ଦୁଇ ବୟସ୍କ ନରନାରୀର ହଠାତ୍‍ ଉତ୍‍ଫୁଲ୍ଲିତ ହେବାର କାରଣ ଅନୁସନ୍ଧାନ ନିମନ୍ତେ-

 

ହସ ତ ଆଜିକାଲି ବିରଳ । ପୁଣି ଅତି ବିରଳ ଆମପରି ପଚାଶବର୍ଷ ଅତିକ୍ରମ କରିଯାଇଥିବା ନରନାରୀଙ୍କ ଭିତରେ ।

 

–ତମେ ବହୁତ ମୋଟା ହୋଇଯାଇଛି ।

 

–ତମେ ବି କମ୍ ନୁହଁ ।

 

–ହଠାତ୍‍ ଦେଖି ଚିହ୍ନିହେବା କଥା ନୁହଁ ।

 

–ତମକୁ ବି ।

 

–ତଥାପି ଚିହ୍ନିଲି ତ । ପୁଣି ସାଙ୍ଗେ ସାଙ୍ଗେ ।

 

–ତମେ ମନକୁ ଠିକ୍‍ ଭାବରେ ଚିହ୍ନ ବୋଲି ଦେହକୁ ଚିହ୍ନିବାରେ ଅସୁବିଧା ହେଲା ନାହିଁ-

 

–ତମର ଏମିତି ବଙ୍କେଇ କରି କଥା କହିବାର ଅଭ୍ୟାସ ଏବେ ବି ଅଛି ?

 

–ତରତରରେ ଅଛ ?

 

–ନା କାହିଁକି ?

 

–ତମଠୁ ସମୟ ଭିକ୍ଷା କରିବି ନା ଦାମ୍‍ ଦେଇ କିଣିବି ?

 

–ଆଚ୍ଛା, କେତେ ଦାମ୍ ଦେଇପାରିବ ମୋ ସମୟର ?

 

–ଦୁଇଟି ସିଙ୍ଗଡ଼ା ଓ ଗୋଟେ କପ୍ କଫି ।

 

–ବାସ୍ ! ଏତିକି ?

 

–ହଁ, ସେତିକି । କାରଣ ବଜାର ସଉଦାରୁ ସେତିକି ମାତ୍ର ପଇସା ବଳିଛି ।

 

–ଦରକାର ନାହିଁ । ମୁଁ ତମକୁ ସମୟ ଭିକ୍ଷା ଦେଉଛି । ମୋର ଭୋକ ନାହିଁ ।

 

–ଭୁବନେଶରରେ ଗପିବା ପାଇଁ ଭଲ କଫି ହାଉସଟିଏ ନାହିଁ । ତେଣୁ ଚାଲ ବରଂ ସେଇ ଏ:ଜି: ଅଫିସପାଖ ଶିଶୁପାର୍କରେ ବସିବା । ଲାଜ କରୁଛ କି ?

 

–ସେ ବୟସ ଅଛି ବୋଲି କ’ଣ ଭାବୁଛ ?

 

–ମୋ ଆଖିରେ ତ ତମର କେବଳ ଗୋଟାଏ ବୟସ ।

 

ଚନ୍ଦ୍ରା ଆଉ କଥାର ଉତ୍ତର ନ ଦେଇ ଆଗେଇଗଲା । ନାଁ, ଚନ୍ଦ୍ରା ସତରେ ବହୁତ ମୋଟା ହୋଇଯାଇଛି । ସେ କେବେ ଯେ ସୁନ୍ଦରୀ ଥିଲା ତା’ ନୁହେଁ । ଶ୍ୟାମଳ ବର୍ଣ୍ଣ । ନିହାତି ସାଧାରଣ ଚେହେରା । ଗୋଠରେ ଗଲେ ଆଖିରେ ନ ପଡ଼ିଲା ଭଳି । କିନ୍ତୁ ସ୍ୱାସ୍ଥ୍ୟବତୀ ସେ ସେଦିନରୁ । ସେଇ ଯୌବନର ସ୍ୱାସ୍ଥ୍ୟ ଏବେ ପ୍ରୌଢ଼ତ୍ଵର ବୋଝପରି ଲଟକି ରହିଛି ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗରେ । କିନ୍ତୁ ଚନ୍ଦ୍ରା ସହିତ ମୋର ସମ୍ପର୍କ ଥିଲା ଅଦ୍ଭୁତ । ପ୍ରେମଜନିତ ନୁହେଁ । ଚନ୍ଦ୍ରା ପ୍ରେମ କରୁଥିଲା ଆମର ଉପର କ୍ଲାସରେ ପଢ଼ୁଥିବା ଜଣେ ଉଦୀୟମାନ କବିକୁ । ଜାଣେନା ସେ କବିଙ୍କର କେତୋଟି କବିତା-ପ୍ରେମପତ୍ର ଆଜିସୁଦ୍ଧା ଚନ୍ଦ୍ରାର ‘ହାତବାକ୍‌ସ’ ଭିତରେ ଲୁକ୍‌କାୟିତ ଭାବରେ ଗଚ୍ଛିତ ହୋଇ ରହିଛି କି ନାହିଁ । ତା’ର ମୋର ସମ୍ପର୍କକୁ ମୁଁ କେବେ ବିଶ୍ଳେଷଣ କରିନାହିଁ । ଏତିକି ମାତ୍ର ମୁଁ ଜାଣିଥିଲି ଯେ ଚନ୍ଦ୍ରା ଏଭଳି ଏକ ନାରୀ; ଯାହା ପାଖରେ ମୁଁ ନିର୍ଦ୍ଵନ୍ଦ୍ଵରେ, ନିର୍ଭୟରେ, ମୋର ନିଜର କଥା ଅନାୟାସରେ କହିପାରେ । ସବୁ ପୁରୁଷ ଏମିତି ଏକ ନାରୀ ଖୋଜନ୍ତି, ଯାହା ପାଖରେ ବିନା ଦ୍ୱିଧାରେ ନିଜକୁ ଓଜାଡ଼ି ଦେଇ ହାଲୁକା ହୋଇ ଯାଇପାରିବେ; କିନ୍ତୁ କେହି କେବେ ବୋଧହୁଏ ସେଇଆ ପାଏନ । ଯାହା ବୋଉକୁ କହିହୁଏନା, ସେଇଟା ପ୍ରେମିକାକୁ କହି ହୁଏ, ଯାହା ବୋଉ ଓ ପ୍ରେମିକାକୁ କହିହୁଏନା ସେଇଟା ସ୍ତ୍ରୀକୁ କହି ହୁଏ–କିନ୍ତୁ ସବୁକଥା ସେମାନଙ୍କ ଭିତରୁ କାହାରି ହେଲେ ଜଣକୁ କହିହୁଏନା ।

 

ସମ୍ପର୍କହୀନ ହେଲେ ବୋଧହୁଏ ନିଗୂଢ଼ ସମ୍ପର୍କର କଥାଗୁଡ଼ାଏ ସହଜରେ କହିହୁଏ । ଚନ୍ଦ୍ରା ଓ ମୋ ଭିତରେ ସେମିତି ସମ୍ପର୍କହୀନ ସମ୍ପର୍କ ।

 

ପାର୍କ ଭିତରକୁ ପଶୁ ପଶୁ ଚନ୍ଦ୍ରା କୌଣସି ଭୂମିକା ନ କରି ପଚାରିଲା–ଆଜିକାଲି ଆଉ ବେଶୀ ଗପୁନ ତ ? କ’ଣ ଗମ୍ଭୀର–

 

–ନା, ଗପିବାର ଲୋକ ମିଳୁନାହାନ୍ତି । ମୁଁ ତା’ ପାଟିରୁ କଥା ଛଡ଼େଇ ନେଇ କହିଲି ।

 

–କାହିଁକି, ତମ ସ୍ତ୍ରୀ ?

 

–ତମେ କ’ଣ ଜାଣିନ ଯେ ବିବାହ ପରେ ସ୍ତ୍ରୀମାନେ ବେଶୀ ଗପନ୍ତି ବୋଲି ?

 

ଚନ୍ଦ୍ରା ହସିଲା । ପୁଣି ପଚାରିଲା–ଆଉ ତମ ସାଙ୍ଗମାନେ ?

 

–ତମେ ଘୋଡ଼ାଦୌଡ଼ ଦେଖିଛ ?

 

–ହଁ, ତେବେ ସିନେମାରେ ।

 

–ଯେତେବେଳେ ଘୋଡ଼ାମାନେ ପ୍ରାଣମୂର୍ଚ୍ଛା ଦୌଡ଼ୁଥାନ୍ତି ଏକ ତୀବ୍ର ପ୍ରତିଦ୍ଵନ୍ଦ୍ୱିତାରେ, ସେତେବେଳେ କ’ଣ ସେମାନଙ୍କ ଭିତରକୁ କାହାରି ସମୟ ଥାଏ ପ୍ରାଣଖୋଲା ଗପ ଗପିବାକୁ ? ଆମେ ଭୁଲିଯାଇଛୁ ଯେ ଏକଦା ଆମେ ବନ୍ଧୁ ଥିଲୁ । ବର୍ତ୍ତମାନର ସମ୍ବନ୍ଧ କେବଳ ପ୍ରତିଯୋଗିତାର ସମ୍ବନ୍ଧ । ଗୋଟିଏ ପଡ଼ିଆରେ, ଗୋଟିଏ ଆଶାରେ ଆମେ କେବଳ ଏକାଠି ହୋଇଥାଉଁ କେତେକ ମୁହୂର୍ତ୍ତ ପାଇଁ । ସେଇ ମୁହୂର୍ତ୍ତଗୁଡ଼ାକ ଆମ ପାଇଁ ଜୀବନକାଳ ପର୍ଯ୍ୟନ୍ତ ଲମ୍ବିଯାଇଛି ।

 

–ସୁରସେନ, ରଘୁନାଥ, ପ୍ରଦୀପ, ବସନ୍ତ...ସମସ୍ତେ ?

 

–ସମସ୍ତେ ପ୍ରତିଯୋଗିତାର ଘୋଡ଼ା । ସୁରସେନ ବାକି ସମସ୍ତଙ୍କୁ ସୁପରସିଡ୍‍ କରି ତା’ ବିଭାଗରେ ଏବେ ସର୍ବୋମୟ କର୍ତ୍ତା । ସେଇ ନିବିଡ଼ ବନ୍ଧୁତ୍ଵ ଏବେ ପରିଣତ ହୋଇଛି ତୀବ୍ର ଶତ୍ରୁତାରେ ।

 

–ଆଶ୍ଚର୍ଯ୍ୟ ।

 

–ଆପାତଃ ଦୃଷ୍ଟିରୁ ଆଶ୍ଚର୍ଯ୍ୟ । କିନ୍ତୁ ଯେଉଁ ସମ୍ବନ୍ଧ କେବଳ ଦାନ ପ୍ରତିଦାନର ଭିତ୍ତି ଉପରେ ପ୍ରତିଷ୍ଠିତ–ସେ ସମ୍ବନ୍ଧର ଦାୟିତ୍ଵ ଯେ କ୍ଷଣସ୍ଥାୟୀ; ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ଆମେ ବନ୍ଧୁ ସେତିକି ସମୟ ପର୍ଯ୍ୟନ୍ତ–ଯେତିକି ପର୍ଯ୍ୟନ୍ତ ଆମ ସ୍ଵାର୍ଥ ଉପରେ ଆଘାତ ନ ଆସିଛି ।

 

–କିନ୍ତୁ ସେତେବେଳେ ତ ଆମର ବୟସ କମ୍ ନ ଥିଲା । ଅନ୍ତତଃ ପରସ୍ପର ଭିତରର ଈର୍ଷା ଟିକକର ସନ୍ଧାନ ତ ସେତେବେଳେ ମିଳି ପାରିଥାନ୍ତା ।

 

–ହୁଏତ ରହିଥିଲା । କିନ୍ତୁ ସେତେବେଳେ ଆମେ ତା’ର ସନ୍ଧାନ କରିନାହୁଁ । କଥାରେ ଅଛି, ମଣିଷ ଶିଶୁ ଅବସ୍ଥାରେ ଖାଦ୍ୟ, ଯୌବନରେ ଯୌନ, ପ୍ରୌଢ଼ତ୍ଵରେ ଉଚ୍ଚାକାଙ୍‌କ୍ଷା ଓ ବୃଦ୍ଧତ୍ଵରେ ଲୋଭ ପ୍ରତି ବେଶୀ ଆକୃଷ୍ଟ ହୋଇଥାଏ । ଏଇ ଆମର ପ୍ରୌଢ଼ତ୍ଵରେ ସେଥିପାଇଁ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା ଏତେ ଉତ୍କଟ ହୋଇ ଦେଖା ଦେଇଛି ।

 

–ସତରେ, ଭାବିଲେ ବିସ୍ମିତ ହେବାକୁ ପଡ଼େ ମଣିଷ କେତେ ବଦଳି ପାରେ ।

 

–ଚନ୍ଦ୍ରା, ମଣିଷ ବଦଳେ ନାହିଁ । ମଣିଷର ଦେହ ବଦଳେ ଏବଂ ଅନୁକୂଳ ପରିସ୍ଥିତିରେ ମନ ଭିତରେ ଥିବା ଲେଟେ˚ଟ୍ ପ୍ରବୃତ୍ତିଗୁଡ଼ିକ କ୍ରମଶଃ ପ୍ରକାଶିତ ହୁଏ–ବଦଳେ ନାହିଁ । ସେଇ ପ୍ରବୃତ୍ତିର ମୂଳବୀଜଗୁଡ଼ିକ ତା’ ପ୍ରକୃତି ସହିତ ଜନ୍ମରୁ ନିହିତ ।

 

ଚନ୍ଦ୍ରା କିଛି ସମୟ ଚୁପ୍ ରହିଲା । ତା’ପରେ ଖୁବ୍ ଧୀରେ ଧୀରେ ପଚାରିଲା, ସୁବ୍ରତ...ସତ କହିବ, ତମେ କିଛି ପାଇଛ ? ଜୀବନର ଶେଷ ପ୍ରାନ୍ତରେ ଆମେ ଆଜି ଛିଡ଼ା ହୋଇଛୁ-। ଏହାପରେ କେତେବେଳେ କେଉଁଠି ତା’ର ଶେଷ ସବୁ ଅଜଣା । ଏମିତି ମୁହୂର୍ତ୍ତରେ ତମର କେବେ ମନେ ହୋଇନାହିଁ ଯେ ଦୀର୍ଘ ଜୀବନକାଳ ଭିତରେ ଆମେ ପାଇଛୁ କ’ଣ ? ମୁଁ ଚୁପ୍ ରହିଲି-। ସେପଟେମ୍ବରର ମେଘମୁକ୍ତ ଆକାଶରେ ଅଗଣିତ ତାରା । ପବନର ଉଷ୍ମତା କଟିଯାଇନି । ଶୀତ ଆସିବାକୁ ଅନେକ ଡେରି । ମଝିରେ ମଝିରେ ଝଲକାଏ ଶୀତ ପରି ପାର୍କର କୋଣରେ ଫୁଟିଥିବା ମଧୁମାଳତୀର ବାସ୍ନା ପବନରେ ହଠାତ୍ ବହିଆସି ହଠାତ୍ ଚାଲିଯାଉଛି ।

 

–ଚନ୍ଦ୍ରା, ମଣିଷ ଜୀବନରେ ପାଇବାଟା ବୋଧହୁଏ ଶେଷ କଥା ନୁହେଁ । ତା’ର ଖୋଜିବାଟା ହିଁ ପ୍ରଥମ ଓ ଶେଷ ଲକ୍ଷ୍ୟ । ପ୍ରାପ୍ତି ଆଣିଦିଏ ସ୍ଥାଣୁତ୍ଵ–ଅପ୍ରାପ୍ତି ହିଁ ଆଗେଇଯିବାକୁ ପ୍ରେରଣା ଦିଏ ।

 

–କିନ୍ତୁ କେତେକାଳ ପର୍ଯ୍ୟନ୍ତ ? ମଣିଷ ଏକ ସମୟାଧୀନ ଜୀବ । ଆଜି ମୁଁ ତୁମକୁ ପଚାରୁଛି–ପୃଥିବୀରେ ମୋର ଆଉ ସ୍ଥାୟିତ୍ଵ କେତେଦିନ ? ଏଇ ଯିବା ମୁହୂର୍ତ୍ତରେ ମୁଁ କ’ଣ ଜୀବନର ହିସାବ ନିକାଶ କରିବି ନାହିଁ ? ଆପାତଃ ଦୃଷ୍ଟିରେ ମୋ ଜୀବନ ପରିପୂର୍ଣ୍ଣ ହେବାର କଥା-। ଘର, ଗାଡ଼ି, ଭବିଷ୍ୟତ ପାଇଁ ସଞ୍ଚୟ, ସନ୍ତାନସନ୍ତତି, ପ୍ରତିଷ୍ଠିତ ସ୍ଵାମୀ କାହିଁରେ କିଛି ପାର୍ଥିବ ଅଭାବ ନାହିଁ । ଅଥଚ କାହିଁକି କେଜାଣି ମନେହେଉଛି–ମୁଁ କିଛି ପାଇନି–କିଛି ପାଇପାରିଲିନି । –କିଛି ଗୋଟାଏ ଅପୂର୍ଣ୍ଣ ରହିଗଲା । ଏଇ ଅପୂର୍ଣ୍ଣତା କ’ଣ ତମରି ଭାଷାରେ ଖୋଜିବା ? କିନ୍ତୁ ଖୋଜିବି କ’ଣ ? ତମେ ବି କ’ଣ ସେମିତି ଖୋଜୁଛ ? ସବୁ ମଣିଷ କ’ଣ ଏମିତି ଖୋଜନ୍ତି ?

 

–ଚନ୍ଦ୍ରା, ସବୁ ମଣିଷର ହାତ ଅଛି–କିନ୍ତୁ ସମସ୍ତେ ଚିତ୍ରକର, ଶିଳ୍ପୀ, ଲେଖକ, କବି ନୁହଁନ୍ତି-। ସବୁ ମଣିଷ ଭିତରେ ହୁଏତ ସୁପ୍ତ ଭାବରେ ରହିଛି ଏଇ ଖୋଜିବାର ନିଶା ଟିକକ–କିନ୍ତୁ ହଠାତ୍‌କରି ସେମାନଙ୍କ ଭିତରୁ କେତେଜଣଙ୍କୁ ଏଇ ନିଶାର ଭୂତ ଲାଗିଯାଏ–କାଳିସୀ ଲାଗିଯାଏ-। ଏଇ ଭୂତ ଲାଗିବାଟିକକ ବ୍ୟକ୍ତିପକ୍ଷରେ ଏକାଧାରରେ ଅଭିଶାପ ଓ ଆଶୀର୍ବାଦ ।

 

–ହଁ, ଅଭିଶାପ ନୁହେଁ ଆଉ କ’ଣ ? ନ ହେଲେ ମୋ ପରି ସୁଖୀ ଗୃହିଣୀଟିଏ ଏମିତି ମଝିରେ ମଝିରେ ହଠାତ୍ ପାଗଳ ହୋଇ ଉଠନ୍ତା କାହିଁକି ? କ’ଣ ଖୋଜୁଛି ତା’ ବି ମୁଁ ଜାଣେନା ? ତା’ର କିଛି ନିର୍ଦ୍ଦିଷ୍ଟ ରୂପ ନାହିଁ । ଅଥଚ ମନେହୁଏ ସେଇ ଟିକକ ପାଇବାରେ ହିଁ ରହିଛି ସମସ୍ତ ଜୀବନର ପୂର୍ଣ୍ଣତା । ସୁବ୍ରତ, ମୋତେ ଅନ୍ତତଃ ଏତିକି କହିଦିଅ ଯେ ମୁଁ କ’ଣ ଖୋଜୁଛି ? ପାଏ ନ ପାଏ ସେ ମୋର ଭାଗ୍ୟ । କିନ୍ତୁ କ’ଣ ଚାହେଁ ମୁଁ ?

 

ମୁଁ କିଛି ଉତ୍ତର ଦେଇପାରିଲିନି ।

 

–ତମେ ମୋତେ ଦୟା କର ସୁବ୍ରତ । ମୁଁ ଅତିଷ୍ଠ ହୋଇଗଲିଣି । ଦିନେ ଦିନେ ମନେହୁଏ ଘରଦ୍ଵାର ଛାଡ଼ି ବନ୍ଧୁ ପରିଜନ ଆତ୍ମୀୟ କୁଟୁମ୍ବ ସମସ୍ତଙ୍କୁ ପଛରେ ପକାଇଦେଇ ଆଗେଇଯିବାକୁ ଅନିର୍ଦ୍ଦିଷ୍ଟ ଭାବରେ, ଏଇ ଅରୂପ ଯନ୍ତ୍ରଣାର ସନ୍ଧାନରେ । ସେଥିପାଇଁ ତ ମୁଁ ଆଜି ଭୁବନେଶ୍ଵର ପଳେଇ ଆସିଛି ସୁଦୂର ଗୁଜୁରାଟରୁ । ମୋତେ ଅନ୍ତତଃ ସେଇ ଯନ୍ତ୍ରଣାର ସ୍ଵରୂପଟା କହିଦିଅ । ବାଟ ମୁଁ ଖୋଜିନେବି ।

 

–ଚନ୍ଦ୍ରା, ଏଇ ଅନିର୍ଦ୍ଦିଷ୍ଟ, ଅରୂପ ଯନ୍ତ୍ରଣାର ପାଖକୁ ଯିବାର ମାନଚିତ୍ର ନାହିଁ । ଶାସ୍ତ୍ର, ପୁରାଣ, ଦର୍ଶନ–କେବଳ କେତେ ଗୁଡ଼ାଏ ପୁରୁଣା ମାନଚିତ୍ର–ପୁରୁଣା ରାସ୍ତା, ଯାହା ଶେଷ ହୋଇଛି କେବଳ ଏକ ଭଉଁରି ଭିତରେ । କିନ୍ତୁ ତଥାପି ସେଇ ମାନଚିତ୍ର ହିଁ ଆମର ଏକମାତ୍ର ସମ୍ବଳ–ଯଦିଓ ସମସ୍ତ ରାସ୍ତାଗୁଡ଼ିକ ଅସ୍ପଷ୍ଟ । ବାଟ ଖୋଜିବା ଆଗରୁ ସେଇ ସବୁଗୁଡ଼ିକ ଆଗ ପରୀକ୍ଷା କରିନେବାକୁ ପଡ଼ିବ–ସେଇ ସବୁଥିରେ ଚାଲିବାକୁ ନୁହେଁ–ସେଇସବୁ ରାସ୍ତାକୁ ଉପେକ୍ଷା କରି ନୂତନ ଏକ ରାସ୍ତାର ଉଦ୍ଭାବନ କରିବାକୁ । ତମ ବାଟ ତମରି ପାଇଁ ହିଁ ଉଦ୍ଦିଷ୍ଟ, ଚନ୍ଦ୍ରା–ସେ ଖୋଜିବାର ଭାର ତମ ଉପରେ ହିଁ କେବଳ । ତମେ ଯେତିକି ଯେତିକି ସେଇ ବାଟରେ ଆଗେଇ ଯାଉଥିବ, ସେତିକି ସେତିକି ସେଇ ବାଟ ଲିଭି ଯାଉଥିବ–ମାନଚିତ୍ରରେ ତା’ର ଆଉ ଅସ୍ତିତ୍ଵ କେବେହେଲେ ରହିବ ନାହିଁ । ଆଉ ତମ ଭିତରେ ସେଇ ଯନ୍ତ୍ରଣା ଯେତିକି ଯେତିକି ତୀବ୍ରତର ହେଉଥିବ, ସେତିକି ସେତିକି ସେ ଯନ୍ତ୍ରଣା ହିଁ ତମର ଚଲାବାଟକୁ ନିର୍ଦ୍ଦିଷ୍ଟ କରି ନଉଥିବ । ତମେ ତମର ଯନ୍ତ୍ରଣାପ୍ରତି ହିଁ ବିଶ୍ଵସ୍ତ ରୁହ ଚନ୍ଦ୍ରା, ବାଟ ପାଇଁ ନୁହଁ ।

 

କଥା ଶୁଣୁଶୁଣୁ କେତେବେଳେ ଯେ ଚନ୍ଦ୍ରା ଛିଡ଼ା ହୋଇଯାଇଛି ମୋର ଲକ୍ଷ୍ୟ ନ ଥିଲା । ଆଖି ଦୁଇଟି ବିସ୍ଫାରିତ । ଦେହ ପଥର ପରି ସ୍ଥିର । ନିସ୍ପନ୍ଦ, ନିର୍ବାକ୍‍ ପ୍ରସ୍ତରୀଭୂତ ପ୍ରତିମା ପରି ।

 

ମୁଁ ନିଜକୁ ସମ୍ବରଣ କରିପାରିଲି ନାହିଁ । ହଠାତ୍ ଚନ୍ଦ୍ରାର ଦୁଇପାଦ ଧରି ମୁଁ ତାକୁ ସାଷ୍ଟାଙ୍ଗ ଭାବରେ ପ୍ରଣିପାତ କଲି । ମୋର ସ୍ପର୍ଶରେ ଚନ୍ଦ୍ରାର ଅଭିନିବେଶ ଭାଙ୍ଗିଗଲା ବୋଧହୁଏ । ସେ କିଛି ସମୟ ବିହ୍ଵଳ ଭାବରେ ଚାହିଁ, ପାଦ ଦୁଇଟିକୁ ମୋ ହାତରୁ ଛଡ଼ାଇ ଆଣି କହିଲା, ‘‘ଛି ସୁବ୍ରତ, ତମେ ଏ କ’ଣ କରୁଛ ?”

 

ମୁଁ ଧୀରେ ଧୀରେ ଉଠି ଛିଡ଼ା ହେଲି । ଚନ୍ଦ୍ରାର ପ୍ରଶାନ୍ତ ମୁହଁକୁ ଦୀର୍ଘ ସମୟ ଧରି ଅପଲକ ନୟନରେ ଚାହିଁ ରହିଲି ।

 

‘‘ଚନ୍ଦ୍ରା, ମୁଁ ତମକୁ ପ୍ରଣାମ କରୁନାହିଁ । ମୁଁ ପ୍ରଣାମ କରୁଛି ତମ ଭିତରର ସେଇ ଯନ୍ତ୍ରଣାର କାଳିସୀଟିକକୁ । ତମେ କିଛି ପାଇଛ କି ନାହିଁ ମୁଁ ଜାଣେନା । ତମେ କିଛି ପାଇବ କି ନାହିଁ ତା’ ବି ମୁଁ ଜାଣେନା । କିନ୍ତୁ ତମେ ଯେ ଖୋଜୁଛ–ତୀବ୍ର ଭାବରେ ସନ୍ଧାନ କରୁଛ ଏକ ଅମୂର୍ତ୍ତ ଚେତନାର–ସେତିକି ହିଁ ମୋ ପକ୍ଷରେ ଯଥେଷ୍ଟ ସମ୍ମାନନୀୟ ।”

Image

 

ଅଭିସାରିକା

 

ପଇଁତ୍ରିଶ ବର୍ଷ ବୟସ ।

 

ଜୀବନ–ମଧ୍ୟାହ୍ନର ସୂର୍ଯ୍ୟ ଅପରାହ୍‌ଣ ଆଡ଼କୁ ଢାଳିବାକୁ କେତେଦିନଠାରୁ ଆରମ୍ଭ କଲାଣି । ବର୍ତ୍ତମାନ କେବଳ ଖସିବାର ସମୟ । ଓହ୍ଲାଇଯିବାର, ଅପସରିଯିବାର କାହାଣୀ ।

 

କେବଳ ସମାଜର ନୁହେଁ–ପ୍ରକୃତିର ଏ ଏକ ଦୁର୍ବାର, ଅଲଙ୍ଘନୀୟ ଆଇନ । ସମସ୍ତ ପ୍ରାଣିଜଗତ ଜଡ଼ଜଗତର ଏଇଭଳି କେବଳ ଗୋଟିଏ ସାଇନ କାର୍ଭର ଗ୍ରାଫ୍ । କିନ୍ତୁ ସବୁବେଳେ ଏଇ କଥାଟି ମନେପଡ଼େନା । ନିଜକୁ ଅପର ସାଙ୍ଗରେ ତଉଲି ଦେଖିବାର ଅଭିଳାଷ ଏଇ ଦୁର୍ବାର ସତ୍ୟଟିକୁ ଘୋଡ଼ାଇ ପକାଏ ।

 

ପଇଁତ୍ରିଶ ବର୍ଷ । ଏଇ ବୟସରେ ଓଡ଼ିଶାର, କେବଳ ଓଡ଼ିଶାର କାହିଁକି ସାରା ଭାରତର ଅଧିକାଂଶ ସ୍ତ୍ରୀଲୋକ ହୁଏତ ନାତିନାତୁଣୀ ଦେଖି ସାରିଥିବେ କିମ୍ବା ଦେଖିବାର ଅପେକ୍ଷାରେ ଥିବେ-। ସହରୀ ବାୟୁମଣ୍ଡଳ ଭିତରେ ସେ ନାରୀଟି ହୁଏତ ପ୍ରୌଢ଼ା; କିନ୍ତୁ ଗ୍ରାମ୍ୟ ବାୟୁମଣ୍ଡଳରେ ସେ ବୁଢ଼ୀ ।

 

କିନ୍ତୁ ତା’ର ପଇଁତ୍ରିଶ ବର୍ଷର ଅବିବାହିତ ଦେହରେ ଏବେ ବି ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ସେମିତି ଅତୁଟ ରହିଛି; ମାନସିକ ସ୍ଥିତି ସେମିତି ସ୍ଥିର ରହିଛି । ହୁଏତ ସେ ବହିଯାଇପାରିନି ନିଜକୁ କ୍ଷୟକରି ଏକ ବହମାନ ନଈ ପରି ସ୍ଵାମୀ, ସନ୍ତାନ, ଶାଶୁ, ଶ୍ଵଶୁର, ବନ୍ଧୁ ବାନ୍ଧବକୁ ତା’ର ଦୁଇ କୂଳରେ ଧରି; କେବଳ ନିର୍ବାକ୍ ହୋଇ ରହିଯାଇଛି ଏକ ବଦ୍ଧ ପୁଷ୍କରିଣୀର ଜଳ ପରି । ପୋଖରୀର ପାଣି ଶୁଖୁଛି–କିନ୍ତୁ ତା’ର ଦୁଇ ପାଖରେ ବାଲିଚଡ଼ା ନାହିଁ । ସେ କ୍ଷୟ ହେଉଛି ନଦୀ ପରି ନାଟକୀୟଭାବରେ ନୁହେଁ, ସୁସଂଯତ ଭାବରେ ଧୀରେ ଧୀରେ, ଅଲକ୍ଷ୍ୟରେ ।

 

ଅଥଚ ବୟସ ଦେଖିବାକୁ ଗଲେ ପଇଁତ୍ରିଶ ବର୍ଷ ବୟସଟା କ’ଣ ଏତେ ବେଶୀ ? ସେଇ ବୟସର ପୁରୁଷଟିଏ ତ ଯୁବକ । କିନ୍ତୁ ତୁଳନା କରି ହୁଏନା । ସେଇ ଗୋଟିଏ ଜିନିଷର ବିଭିନ୍ନ ପ୍ରକାରକୁ ତୁଳନା କରିହୁଏ ସିନା; ଭିନ୍ନ ଭିନ୍ନ ଗୁଣସମ୍ପନ୍ନ ଦୁଇଟି ଅଲଗା ବସ୍ତୁକୁ କେବେ କ’ଣ ତୁଳନା କରି ହୁଏ ? ନାରୀ ଓ ପୁରୁଷ–ଅଲଗା । ଏକାବେଳକେ ଦୁଇଟି ଅଲଗା ପଦାର୍ଥ । ନହେଲେ ପୁରୁଷର ସୃଷ୍ଟି ଦୀର୍ଘାୟିତ ହେଲାବେଳକୁ ନାରୀର ସୃଷ୍ଟିକ୍ରିୟା କେବଳ ତିରିଶଟି ବର୍ଷ ଭିତରେ ସୀମାବଦ୍ଧ ରହନ୍ତା କେମିତି ? ଆଉ, ହୁଏତ ଦଶଟି ବର୍ଷ । ତା’ପରେ ସେ ଜୈବିକ ଦୃଷ୍ଟିକୋଣରୁ ଏକ ଜଡ଼ ମାତ୍ର ।

 

ଅର୍ଥନୀତି ଅଧ୍ୟାପିକା ସୁରଭି ମିଶ୍ର ଝରକା ଆଡ଼େ ବାହାରକୁ ଅନାଇଲେ । କ୍ଵାର୍ଟର ପଛପଟକୁ ବହୁଦୂର ପର୍ଯ୍ୟନ୍ତ ଲମ୍ବିଛି ଧାନକ୍ଷେତ । ଧାନକ୍ଷେତରେ ପ୍ରଥମ ପୌଷର ସବୁଜ ଓ ହଳଦିଆ ମିଶ୍ରିତ ଧାନଗଛ ଲହଡ଼ି ଭଙ୍ଗୁଛି ଉତ୍ତରାପବନର ଢେଉରେ । ବିଷଣ୍ଣ ଅପରାହ୍‌ଣର ନରମ ଖରା ପୌଷର ପ୍ରଖର ଶୀତକୁ ଉତ୍ତପ୍ତ କରି ପାରୁନାହିଁ । ଠିକ୍‍ ଯେମିତି ତା’ର ଦୈହିକ କାମନା ଏଇ ତା’ର ଶୀତଳ ଦେହଟାକୁ ଆଉ ଉତ୍ତେଜିତ କରି ପାରୁନାହିଁ । ତା’ ଦେହର ପ୍ରତି ଗଳି-ଉପଗଳିରେ ଯେମିତି ଅସଂଖ୍ୟ ବାଉଲ୍ ସନ୍ନ୍ୟାସୀମାନଙ୍କର ବିଳମ୍ବିତ ଲୟର ଏକତାରା ବାଜୁଛି ।

 

ସେ କ’ଣ ଅସୁଖୀ ? ନିଜକୁ ନିଜେ ପ୍ରଶ୍ନ ପଚାରିଲେ ସୁରଭି । ନାଁ ତ । ସେ ଠିକ୍‍ ସୁଖୀ ବି ନୁହଁନ୍ତି–ଅସୁଖୀ ବି ନୁହଁନ୍ତି । ଏକ ଅଦ୍ଭୁତ ଅବସ୍ଥା–ଯାହାକୁ ଠିକ୍ ଭାଷାରେ ବୁଝାଇବା ଅସମ୍ଭବ । ହୁଏତ ସମାଜର ଗଢ୍‍ଡାଳିକା ପ୍ରବାହର ଅବସ୍ଥା ସହିତ ତୁଳନା କରି ଜଣେ ଦୂରରୁ କହିପାରେ ସେ ଅସୁଖୀ–ଅଶାନ୍ତ; କିନ୍ତୁ ନିଜେ ତ ସେ ସେକଥା ଅନୁଭବ କରି ପାରୁନାହାନ୍ତି । ନାରୀର ପୂର୍ଣ୍ଣତା ପାଇଁ ଦରକାର ଜଣେ ପୁରୁଷ-ପ୍ରେମିକ ଅଥବା ସ୍ଵାମୀ ଭାବରେ । ତା’ର ସାର୍ଥକତା କେବଳ ଜଣେ ଆଦର୍ଶ ପ୍ରେମିକା, ସ୍ତ୍ରୀ, ଅଥବା ମାତା ଭାବରେ । ଏଇଆ ହିଁ ମଣିଷସମାଜର ଚିରନ୍ତନ ଆଦର୍ଶ ନାରୀ ପାଇଁ । ସେଇ ଆଦର୍ଶର ମୂଳଦୁଆ ଉପରେ ମଣିଷ ତା’ର ସମାଜ ଗଢ଼ିଛି । ଆଉ ସମାଜର ଧାରାକୁ ନିୟନ୍ତ୍ରିତ କରିଛି ଠିକ୍ ସେଇ ଭାବରେ । ହଜାର ହଜାର ବର୍ଷର ସେଇ ପୌନଃପୁନିକତାର ଧାରା ମନକୁ ବି ଗଢ଼ିଛି ଠିକ୍ ସେଇ ଧରାବନ୍ଧା ନୀତିରେ । ସେଥିପାଇଁ ଯୋଉ ନାରୀ ପ୍ରେମିକା, ସ୍ତ୍ରୀ ବା ମାତା ହେବାର ସୁଯୋଗ ପାଏନା ବା ଜାଣିଶୁଣି ଏଡ଼େଇଯାଏ, ତାକୁ ସେଇ ନିୟମରେ ବିଚାର କରି ରାୟ ଦିଆଯାଏ ‘‘ଏଇ ନାରୀଟିର ଜୀବନ ବ୍ୟର୍ଥ ହୋଇଗଲା ।” ନାରୀ ଜୀବନର ବ୍ୟର୍ଥତାର ଇତିହାସ ଏକ ଚିରନ୍ତନ ଏପିଟାଫ୍ ।

 

ସମସ୍ତଙ୍କ ଆଖିରେ ସୁରଭି ମିଶ୍ର ଏକ ବ୍ୟର୍ଥ ନାରୀତ୍ଵ । ତାଙ୍କର ସାଧନା, ଆଶା, ଆକାଂକ୍ଷାର ମୂଲ୍ୟ କିଛି ନାହିଁ–ତାଙ୍କର ଏକକ ନିଜସ୍ଵ ମୂଲ୍ୟବୋଧର ଗୁରୁତ୍ଵ କିଛି ନାହିଁ–ସେ କେବଳ ସାଧାରଣ ନାରୀଟିଏ–ଯେ ଅମଡ଼ାବାଟକୁ ଓହ୍ଲେଇ ଯାଇ ବାଟ ଖୋଜି ନ ପାଇଥିବା ଅଭିଶପ୍ତା ଦୀର୍ଘଶ୍ଵାସଟିଏ । ବାଲୁଚର ଭିତରେ ଶାଖା ଭାଙ୍ଗି ହଜିଯାଇଥିବା ଅମଣିଆ ନଦୀଟିଏ । ସୁରଭି ମିଶ୍ରଙ୍କ ଦୀର୍ଘଶ୍ଵାସଟି ନିଥର ପବନ ଭିତରେ ଏକ ଖଣ୍ଡିଆଭୂତ ପରି ଉଠି ଏକ ବେଗବତୀ ସ୍ରୋତରେ ଝରକା ଫାଙ୍କ ଦେଇ ବାହାରିଯାଇ ମିଶିଗଲା ଉତ୍ତରାପବନର ଢେଉରେ ।

 

ସୁରଭି ମିଶ୍ର ଛିଡ଼ାହେଲେ । ଏକ ଅସ୍ଥିର ଆବେଗରେ ସେ ଘର ବାହାରକୁ ଯାଉଯାଉ ଛିଡ଼ାହୋଇ ପଡ଼ିଲେ । ସତରେ ଯେମିତି ତାଙ୍କ ଦୁଇଟି ଗୋଡ଼ରେ ବେଡ଼ି ପଡ଼ିଛି । ସେ ଯେତେ ଛଡ଼େଇଲେ ବି ସେ ବେଡ଼ି ଛିଡ଼ୁନାହିଁ; ବରଂ ଆହୁରି ଆହୁରି ଦୃଢ଼ତର ହୋଇ ତାଙ୍କ ଗୋଡ଼ ଦୁଇଟିକୁ ବାନ୍ଧିରଖୁଛି । ସେ ନିରୁପାୟ ହୋଇ ଖଟ ଉପରେ ପୁଣି ବସିପଡ଼ିଲେ । ଗୋଡ଼ ଉପରକୁ ଉଠେଇ ଦେଖିବାକୁ ଲାଗିଲେ ସେଇ ଶୃଙ୍ଖଳର ରୂପକୁ । ହଠାତ୍ କେମିତି ମନେହେଲା ତାଙ୍କୁ ସେଇ ଶୃଙ୍ଖଳ ଦୁଇଟି ଆଉ କିଛି ନୁହେଁ–ଦୁଇଟି ନାରୀ । ଗୋଟିଏ ସୀତା–ଅନ୍ୟଟି ରାଧା । ସୀତା କହୁଛି–“ତୁ ଯଦି ସ୍ତ୍ରୀ ହେବାକୁ ଚାହୁଁ, ତେବେ ମୋତେ ଚାହାଁ । ମୋ ପଛେ ପଛେ ବାଟ ଚାଲ । ମୋ’ରି ଅନୁକରଣ କର । କାରଣ ସେଇଟା ହିଁ ନିର୍ଦ୍ଦିଷ୍ଟ ପଥ । ଅନ୍ୟ ଯୋଉ ବାଟରେ ଗଲେବି ତୁ ସମାଜର, ବ୍ୟକ୍ତିର ସମସ୍ତଙ୍କର ନିନ୍ଦା ପାଇବୁ; ଅପମାନ ପାଇବୁ । ଜୀବନ ତୋର ଦୁର୍ବିସହ ହୋଇଉଠିବ । ହୋଇପାରେ ମୁଁ ଏକ କଳ୍ପନା; କିନ୍ତୁ ତୋର ବାସ୍ତବତାର ରୂପଠାରୁ ମୁଁ କିନ୍ତୁ ଅଧିକ ସଜୀବ, ଅଧିକ ପ୍ରାଣବନ୍ତ । ମୋ ଛଡ଼ା ପୃଥିବୀର ଅନ୍ୟ କୌଣସି ନାରୀ ଏତେ ଜୀବନ୍ତ ନୁହେଁ । ମୁଁ କାଳଜୟୀ–ଚିର ଜୀବନ୍ତ । ମୋର ମରଣ ନାହିଁ; ମୋର ବିଲୟ ନାହିଁ । ତୁ ଯେତେ ଛାଟିପିଟି ହେଲେବି ମୋର ଆଦର୍ଶର ଶୃଙ୍ଖଳରେ ତୁ ବନ୍ଦୀ । ଏଇ ବନ୍ଦିଶାଳାକୁ ଭାଙ୍ଗି ନୂତନ ତୁ ଗଢ଼ିପାରିବୁ ନାହିଁ ।” ଅନ୍ୟ ପକ୍ଷରେ ରାଧା କହୁଛି–“ମୁଁ ତୋର ଅନ୍ୟ ଶୃଙ୍ଖଳ । ତୁ ଯଦି ସ୍ତ୍ରୀ ନହୋଇ ପ୍ରେମିକା ହେବାକୁ ଚାହୁଁ, ତେବେ ମୋତେ ଅନୁସରଣ କର । ସବୁକାଳର ସବୁ ସମୟର ପ୍ରେମିକାର ମୁଁ ଚିର ସଜୀବ ପ୍ରତିମୂର୍ତ୍ତି । ତୁ ମୋ’ରି ଆଦର୍ଶ ଭାଙ୍ଗି ପ୍ରେମିକାର ଅନ୍ୟ ଆଦର୍ଶ ଗ୍ରହଣ କରିପାରିବୁ ନାହିଁ । ସମସ୍ତ ନାରୀସମାଜର ପ୍ରେମର ନର୍ଯ୍ୟାସ ନେଇ ମୁଁ ରୂପ ପରିଗ୍ରହ କରିଛି । ମୋତେ ଛାଡ଼ି ଅନ୍ୟ କୌଣସି ପ୍ରେମ ନେଇ ତୁ ପ୍ରେମିକା ହୋଇପାରିବୁ ନାହିଁ । ନାରୀ ଜୀବନର ଦୁଇଟି ବଳିଷ୍ଠତର ଦିଗର–ପ୍ରେମିକା ଓ ବଧୂର ଚିରନ୍ତନ ପ୍ରତିଭୂରୂପେ ମୁଁ ଓ ସୀତା ସେଇ ସିଂହାସନକୁ ଯୁଗ-ଯୁଗ ଧରି ମାଡ଼ିବସିଛୁ । ଆମକୁ ସିଂହାସନଚ୍ୟୁତ କରିବାର କ୍ଷମତା ତୋ’ଭଳି ସାମାନ୍ୟ ନାରୀର ନାହିଁ । ତେଣୁ ତୁ ଗଢ଼ି ହୋଇଯା–ଯୋଉଟା ତୋର ମନ ଚାହେଁ–ମୋ ଭାବରେ, ନହେଲେ ସୀତା ଭାବରେ । କିଛି ବୋଲି କିଛି ତୋର ନିଜତ୍ୱ ରଖନା । ସମ୍ପୂର୍ଣ ଭାବରେ ମିଶିଯା ଆମରି ରୂପରେ । ଦେଖିବୁ, ସଂସାର ତୋତେ ବାହାବା ଦେବ, ଆମରି ପାଖରେ ତୋର ଆସନ କରିଦେବ । ତୁ ବି ବଞ୍ଚିରହିବୁ । ତୋର ନିଜସ୍ଵ ମର୍ଯ୍ୟାଦା ନେଇ ନୁହେଁ, ଆମରି ପ୍ରତିଭାର ବାହକ ରୂପରେ ।” ସୁରଭି ମିଶ୍ରଙ୍କ ଦେହରେ ବିଦ୍ରୋହର ଅଗ୍ନିକଣା ଝଲସିଗଲା । ଶ୍ରାବଣର ନଈ ପରି ସେ ଏକ ପ୍ରଖର ଗତିଶୀଳତାରେ ଉନ୍ମୁଖ ହୋଇଉଠିଲେ । କିନ୍ତୁ ନଈର ଗତିଧାରା ଯେପରି ବନ୍ଧୁର ସୁଦୃଢ଼ ଦେହରେ ଧକ୍‌କା ଖାଇ ପୁଣି ପ୍ରବଳ ରୋଷରେ ଫେରିଯାଏ ଅସରନ୍ତି ଭଉଁରି ଭିତରେ ନିଜ ଗତିଶୀଳତାକୁ ନିଃଶେଷ କରିଦେଇ, ସୁରଭିଙ୍କ ଝଡ଼ବେଗରେ ବହୁଥିବା ଅଶାନ୍ତ ଗତିଶୀଳ ମନଟା ସେମିତି ତାଙ୍କ ହୃଦୟ ଭିତରେ ଧକ୍‌କା ଖାଇ ଖାଇ ଗୁମୁରି ଗୁମୁରି ଘୂରିବୁଲୁଥାଏ । ଏଇ ଝଡ଼ର ଧକ୍‌କା ଶାନ୍ତ ହେବାକୁ ବହୁ ସମୟ ଲାଗିଲା । ସୁରଭି ମିଶ୍ର ସ୍ଥାଣୁ ପରି ବସିରହି ନିଜ ଭିତରର ଏଇ ଓଲଟପାଲଟ ପରିବର୍ତ୍ତନକୁ ଦୃଢ଼ଭାବରେ ପ୍ରତିରୋଧକରି ଚାଲିଥାନ୍ତି ।

 

ସେ ପ୍ରକୃତିସ୍ଥ ହେଲାବେଳକୁ ସନ୍ଧ୍ୟାର ଅନ୍ଧକାର ନିବିଡ଼ ହୋଇସାରିଥାଏ । ପରିଚାରିକା କେତେବେଳୁ ଆସି ଲାଇଟ୍ ଲଗେଇଦେଇସାରିଥାଏ ତା’ର ଖିଆଲ ଆଉ ତାଙ୍କର ନଥାଏ ।

 

ଏ କେମିତି ସମ୍ଭବ ? ତାଙ୍କ ଜନ୍ମର ବହୁ ପୂର୍ବରୁ ତାଙ୍କ ଚାଲିବାର ବାଟ ନିଦ୍ଦିର୍ଷ୍ଟ ହୋଇ ରହିସାରିଛି । ସେ ଆଉ ନିଜ ଇଚ୍ଛା ମୁତାବକ ବାଟରେ ଚାଲି ପାରିବେନି । ନିଜକୁ ନିଜେ ବୁଝି ନିଜର ବାଟ ଖୋଜିବାର ଚେଷ୍ଟା କରିପାରିବେନି । କଳକୁଣ୍ଢେଇ ପରି ସେଇ ବାଟରେ ଚାଲିବାର କଥା କେବଳ । ତେବେ କି ଲାଭ ତାଙ୍କର ଏଇ ନିଜସ୍ଵ ବ୍ୟକ୍ତିତ୍ଵର ? ସେ କ’ଣ କେବଳ ଗୋଟାଏ କାଠକୁଣ୍ଢେଇ । ସେ ଯେ ଚିନ୍ତା କରୁଛନ୍ତି, ଭାବୁଛନ୍ତି, ଇଚ୍ଛା କରୁଛନ୍ତି, ସେଇଟା କ’ଣ କିଛି ନୁହେଁ ? ଏଇ ଜୀବନ୍ତ ବ୍ୟକ୍ତିସତ୍ତା ଟିକକ ଯାହା ତାଙ୍କ ଭିତରେ ରହି ଏଇ ଭାବିବାର ପ୍ରେରଣା ଯୋଗାଉଛି, ଅମଡ଼ାବାଟରେ ଚାଲିବାର ଉତ୍ସାହ ଯୋଗାଉଛି, ସେଇଟା କ’ଣ ଏକ ଭ୍ରମ ? କିନ୍ତୁ ଯୋଉ ସ୍ଵରଟା ଏତେ ସ୍ପଷ୍ଟ ତାକୁ ବା ସେ ଅସ୍ଵୀକାର କରିବେ କେମିତି ? ସେଇ ଅନ୍ତଃସ୍ଵରର ଦର୍ପଣରେ ନିଜକୁ ଦେଖିଲେ ମନେହୁଏ ସେ ନିଜେ–ସୁରଭି ମିଶ୍ର ନାମିତ ଏକ ନାରୀ ଏକ ଆରୋପିତ ବ୍ୟକ୍ତିତ୍ଵ । ଡ୍ରାମାରେ ପାର୍ଟ କରୁଥିବା ଭିନ୍ନ ଦେଶୀ ଚରିତ୍ରଟିଏ ମାତ୍ର । ଏକ ଅଦ୍ଭୁତ ଦ୍ଵନ୍ଦ୍ଵାତ୍ମକ ପରିସ୍ଥିତି ଭିତରେ ଅଣନିଃଶ୍ଵାସୀ ହୋଇଉଠନ୍ତି ସେ । କିଏ କହିଦେବ ତାଙ୍କୁ ସେଇ ଅନ୍ତଃସ୍ଵରଟା ହିଁ ଠିକ୍‍ ନା ତାଙ୍କର ଏଇ ବ୍ୟାବହାରିକ ଜଗତର ଚାଲବୁଲ କରୁଥିବା ସୁରଭି ମିଶ୍ରଟା ଠିକ୍ ? ପୃଥିବୀର ଆଦିକାଳରୁ, ମଣିଷର ଜନ୍ମ ମୁହୂର୍ତ୍ତରୁ କ’ଣ ନାରୀ ପୁରୁଷଙ୍କର ସଂଜ୍ଞା ସଠିକ୍ ଭାବରେ, ଅପରିବର୍ତ୍ତିତ ଭାବରେ ନିରୂପିତ ହୋଇସାରିଛି ? ତା’ର କ’ଣ ନୂତନ ସଂଜ୍ଞା ଗଢ଼ାଯାଇପାରେନା ?

 

ଯୁଗ ଯୁଗ ଧରି ମଣିଷର ସମାଜ ବଦଳୁଛି । ପ୍ରତ୍ୟେକ ନୂତନ ଯୁଗର ମଣିଷ ନିଜର ଆବଶ୍ୟକତାକୁ ଚାହିଁ ନୂତନ ସମାଜ ଗଢ଼େ । ସେଇ ନୂତନ ସମାଜ ତା’ର ବ୍ୟକ୍ତିମାନଙ୍କ ପାଇଁ ଏକ ଆଦର୍ଶ ଗଢ଼େ । ସେଇ ଆଦର୍ଶର ରୂପାୟିତ କରିବା ପାଇଁ ହୁଏତ ଜନ୍ମ ନିଅନ୍ତି ଜଣେ ଜଣେ ମହାପୁରୁଷ । ସେଇ ଆଦର୍ଶକୁ ଅନୁକରଣ କରିବାକୁ ବାଧ୍ୟ କରାଯାଏ ଲକ୍ଷ ଲକ୍ଷ ଜନସାଧାରଣଙ୍କୁ । ସମସ୍ତେ ପ୍ରାଣପଣେ ଲାଗିପଡ଼ନ୍ତି ସେଇ ଆଦର୍ଶ ଚରିତ୍ର ସହିତ ନିଜକୁ ସାମିଲ କରିଦେବାକୁ ନିଜର ବ୍ୟକ୍ତିସତ୍ତାକୁ ସମ୍ପୂର୍ଣ୍ଣରୂପେ ବଳିଦାନ ଦେଇ । ସେଇ ତାତ୍‍କାଳିକ ସାମୂହିକ ସତ୍ୟ ପ୍ରତିଭାତ ହୁଏ ଚିରନ୍ତନ ସତ୍ୟ ଭାବରେ । ମଣିଷକୁ ଆଉ ନିଜ କଥା ଭାବିବାକୁ କୁହାଯାଏନା–ତାକୁ କେବଳ ବାଧ୍ୟ କରି ଠେଲି ଠେଲି ଭର୍ତ୍ତି କରି ଦିଆଯାଏ ସେଇ ଅର୍ଗଳି ଭିତରକୁ । ସେ ଯେମିତି ସେଇ ନୀତି ନିୟମ ଆଦର୍ଶର ହାତୁଡ଼ିମାଡ଼ରେ ଗଢ଼ାହେବ କେବଳ ସେଇ ଗୋଟିଏ ଛାଞ୍ଚରେ । ଏଇ ହେଲା ସାମାଜିକ ସତ୍ୟ । ଅଥଚ ଆଶ୍ଚର୍ଯ୍ୟ, ଯୋଉ ମହାପୁରୁଷ ବା ମହାନାୟକ ମହାନାୟିକାର ଛାଞ୍ଚରେ ପରବର୍ତ୍ତୀ ସମାଜ ସମସ୍ତଙ୍କୁ ଏକପ୍ରକାର ଭାବରେ ଗଢ଼ିବାକୁ ବାଧ୍ୟ କରେ, ସେଇ ମହାପୁରୁଷମାନେ ହିଁ ସ୍ଵୀକାର କରିଥାନ୍ତି ପ୍ରତ୍ୟେକ ମନୁଷ୍ୟର ସ୍ଵାତନ୍ତ୍ର୍ୟ ।

 

ସୀତା ଓ ରାଧା ସାମାଜିକ ଚରିତ୍ର ମାତ୍ର । ରକ୍ଷଣଶୀଳ ହିନ୍ଦୁ ସମାଜ ତାଙ୍କୁ ଦେବୀର ଆସନ ଦେଇପାରେ; କିନ୍ତୁ ଏହି ସତ୍ୟକୁ ଅସ୍ଵୀକାର କରି ପାରିବ ନାହିଁ । କାରଣ ମହାଭାରତ ଓ ରାମାୟଣ ବେଦ ପରବର୍ତ୍ତୀ ଯୁଗର ରଚନା; ଯୋଉ ବେଦରେ ନାରୀଚରିତ୍ର ଏକ ନିଜସ୍ଵ ସ୍ୱତନ୍ତ୍ର ରୂପରେ ପ୍ରଜ୍ଵଳିତା, ପ୍ରତିଭାନ୍ୱିତା । ମୈତ୍ରେୟୀ, ଗାର୍ଗୀ, ବିଶ୍ଵବାରା ପ୍ରଭୃତି ଅସଂଖ୍ୟ ବ୍ରହ୍ମବାଦିନୀ ନାରୀମାନେ ବଧୂ, ପ୍ରେମିକା ଓ ମାତା ଭାବରେ ମମ୍ମାନିତା ନୁହଁନ୍ତି । ସେମାନେ ଆଜି ସୁଦ୍ଧା ସମ୍ମାନିତା ତାଙ୍କର ଅନ୍ତର୍ନିହିତ ନିଜସ୍ଵ ବ୍ୟକ୍ତିଗତ ସାଧନାର ଦୀପ୍ତିମନ୍ତ ପ୍ରତିଭା ରୂପରେ ।

 

ସମାଜ ଚାହେଁ ନାରୀଟି ସୀତା ହେଉ, ରାଧା ହେଉ; କିନ୍ତୁ ବ୍ୟକ୍ତି ଚାହେଁ ସେ ହେଉ ଅନ୍ତର୍ନିହିତ ମନୁଷ୍ୟତ୍ୱର ପ୍ରତିଭା ଗାର୍ଗୀ, ବିଶ୍ଵବାରା ରୂପରେ । ପୁରୁଷ ଯେମିତି ବ୍ୟାବହାରିକ ଜଗତରେ ସ୍ଵାମୀ, ପ୍ରେମିକ, ପିତା–ନାରୀ ମଧ୍ୟ ସେହିପରି ବଧୂ, ପ୍ରେମିକା, ମାତା ହୋଇପାରେ; କିନ୍ତୁ ସେତିକି ତା’ର ଅସଲ ପରିଚୟ ନୁହେଁ–ସେତିକି ତା’ର ଉତ୍କର୍ଷର ଚରମ ପରିଣତି ନୁହେଁ । ସୀତା ଓ ରାଧା ଦୁଇଟି ଆତ୍ମ-ସମର୍ପିତା ଚରିତ୍ର, ଆତ୍ମୋତ୍ସର୍ଗର ଚରିତ୍ର; କିନ୍ତୁ ସେଇ ଆତ୍ମୋତ୍ସର୍ଗ କାହା ପାଖରେ ? କେବଳ ପୁରୁଷ ନୁହେଁ–ଏକ ପୁରୁଷୋତ୍ତମ ପାଖରେ । ସେ ପୁରୁଷୋତ୍ତମ ତାଙ୍କ ଜୀବନରେ ବ୍ୟକ୍ତି ରୂପରେ ହୁଏତ ପ୍ରତିଭାତ ହୋଇଥାଇପାରେ–କିନ୍ତୁ ସେ ପୁରୁଷୋତ୍ତମ ନୈର୍ବ୍ୟକ୍ତିକ ଭାବରେ ନିଜର ଅନ୍ତଃପୁରୁଷ । ନାରୀପୁରୁଷ-ନିର୍ବିଶେଷରେ ସେଇ ଅନ୍ତଃପୁରୁଷ ହିଁ ପୁରୁଷୋତ୍ତମ–ଜୀବନରେ ଚରମ ଅଭିବ୍ୟକ୍ତି । ଏଇ ପରିପ୍ରେକ୍ଷୀରେ ତେଣୁ ସୀତା ଓ ରାଧା ମଧ୍ୟ ବଧୂ ଓ ପ୍ରେମିକା ଭାବରେ ନୁହେଁ–କେବଳ ମହାଜ୍ଞାନୀ, ମହାଭକ୍ତ ଭାବରେ ହିଁ ପୂଜିତା ହେବା ଉଚିତ । କେବଳ ପତିଭକ୍ତି ବା ପ୍ରେମିକର ଅନୁରକ୍ତି ପ୍ରଭୃତି ସାମାଜିକ ଅର୍ଥରେ ନୁହେଁ ।

 

ସୁରଭି ମିଶ୍ର ନିଜ ପ୍ରଶ୍ନର ଉତ୍ତରରେ ନିଜେ ଚମକି ଉଠୁଛନ୍ତି । ଗଭୀର ଉତ୍ତେଜନାରେ ତାଙ୍କ ଦେହ ଥରିଉଠୁଛି । ଦେହରେ ଅପୂର୍ବ ରୋମାଞ୍ଚ । ଚକ୍ଷୁ ବିସ୍ଫାରିତ । ଏକ ଗଭୀର ପ୍ରତୀକ୍ଷାରେ ସମସ୍ତ ମନପ୍ରାଣ ଉନ୍ମୁଖ ।

 

ଏଇ କ’ଣ ପୂର୍ବରାଗ ? ଏଇ କ’ଣ ସେଇ ଚିରନ୍ତନ ଅଭିସାରିକାର ପ୍ରାଣୋଚ୍ଛ୍ଵଳ ଅଭିବ୍ୟକ୍ତି ?

 

ସୁରଭି ମିଶ୍ରଙ୍କୁ ମନେହେଲା ସେ ଯେମିତି ଧୀରେ ଧୀରେ ପାଲଟିଯାଉଛନ୍ତି ସେଇ ଚିରନ୍ତନ ଅଭିସାରିକା ରୂପରେ–ପ୍ରିୟତମର ଅପେକ୍ଷାରେ ଆଶା ଆଶଙ୍କା ବ୍ୟାକୁଳିତ, ବେପଥୁ ଶରୀର, ପ୍ରିୟମିଳନ–ଉନ୍ମୁଖ–ପ୍ରତୀକ୍ଷିତା ନାୟିକା ।

Image

 

ମାନିନୀ

 

ରମୁ ଭାଇ !

 

ପ୍ରାୟ ସାତଦିନ ହେଲା ମୋର ଶିଲଂ ଆସିବାର । ଏଇଠି ତ୍ରିପୁରା ପେଲେସ୍ ପାଖରେ ଗୋଟିଏ ଘରେ ମୁଁ ରହିଛି ସାନ ଭାଇ ପାଖରେ । ସେ ଓ ତା’ର ସ୍ତ୍ରୀ କୋଉ ସାଙ୍ଗ ଘରକୁ ବୁଲି ଯାଇଛନ୍ତି । ମୁଁ ଏକୁଟିଆ ବାରଣ୍ଡା ଉପରେ ବସି ଖରା ପୁଉଁଛି । ଏଇ ଏପ୍ରିଲ୍ ମାସରେ ବି କେତେ ଥଣ୍ଡା । ଦେହ କୋଲ ମାରିଯାଉଛି ।

 

କଲିକତା, ଦାର୍ଜିଲିଂ, କାର୍ସିଆଙ୍ଗ୍, ଶିଲିଗୁଡ଼ି, ଗୌହାଟି ଶେଷରେ ଶିଲଂ । ପୁଣି ଏଇଠୁ କେବେ ବାହାରିବି କିଛି ଠିକ୍ କରିନାହିଁ । ହଠାତ୍ କେମିତି ଭଲପାଇଯାଇଛି ଏଇ ଜାଗାଟିକୁ ।

 

ଏଇଠି ଏଇନେ ବସି ବସି ଭାବୁଛି ସତରେ କେତେ ବୁଲୁଛି ମୁଁ । କେବେ ଏ ବୁଲା ଶେଷ ହେବ କେଜାଣି । ମୋର ଜନ୍ମ ପରେ ମୋ ଦୁଇ ପାଦ ତଳିପା ପାଖରେ ବଡ଼ କଳାଜାଈ ଓ ତିଳଚିହ୍ନ ଦେଖି ମୋ ଜେଜେମା’ କହିଥିଲା: ‘‘ଏଇ ଟୋକୀ ଖଣ୍ଡିକ ସାରା ସୃଥ୍ଵୀ ବୁଲିବ । ବାପା ଓ ଘଇତାକୁ ରାଇଜ ବୁଲେଇଆଣିବ ।” ଜେଜେମା’ ସତରେ ଜଣେ ଦୂରଦ୍ରଷ୍ଟା ନାରୀ ଥିଲା–ତା’ର କଥା କେମିତି ଅକ୍ଷରେ ଅକ୍ଷରେ ଫଳିଯାଉଛି ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ମୋ’ ଜନ୍ମପରଠୁ କେତେ ବୁଲିଛି ମୁଁ । କାହିଁ କୋରାପୁଟର ଅପନ୍ତରା ସିମିଳିଗୁଡ଼ା, କଳାହାଣ୍ଡିର ଜୁନାଗଡ଼, ଧରମଗଡ଼, ଭବାନୀପାଟଣା, ଆଠମଲ୍ଲିକ, ସମ୍ଵଲପୁର, ବାରିପଦା, କେଉଁଝର, ଫୁଲବାଣୀ, ବୁଲି ବୁଲି ଶେଷକୁ ପୁଣି କଟକ ଜିଲ୍ଲାର ନିପଟ ଗାଁ ଭିତରେ କଣ୍ଟାପଡ଼ା, ବାଲିକୁଦା, ତିର୍ତ୍ତୋଲ ଏରସମା ବାଟଦେଇ କଟକ ଫେରି ପୁଣି ଶେଷକୁ ଭୁବନେଶ୍ଵର । ତା’ପରେ ତମକୁ ବାହା ହୋଇ ସାରିଲାପରେ ଭୁବନେଶ୍ଵର, କଲିକତା, ପାଟଣା, ଲକ୍ଷ୍ନୌ ଓ ଦିଲ୍ଲୀ । ମୁଁ ଭାବୁଛି ମୋ’ରି ଯୋଗୁଁ ବୋଧହୁଏ ବାପାଙ୍କର ଏମିତି ଶୀଘ୍ର ଶୀଘ୍ର ବଦଳି ହେଉଥିଲା–ଆଉ ତମର ବି ।

 

ଜେଜେମା’ ମୋ ନାଁ ବାଛିଥିଲା ‘ଲକ୍ଷ୍ମୀ’ ବୋଲି । ମା’ ମନକୁ ପାଇଲା ନାହିଁ ପୁରୁଣାକାଳିଆ ନାଁ ବୋଲି । ସେ ଯାଇ ବାପାଙ୍କ ପାଖରେ ଗାରୁ-ଗାରୁ ହେଲା । ବାପା ସେଠୁ ମଝିମଝିକିଆ ସମାଧାନଟିଏ କରିଦେଲେ । ମୋ ନାଁ ହେଲା ‘ଚପଳା’ । ଏକାଥରେ ମା’ ବି ଖୁସି; ଜେଜେମା’ ବି ଖୁସି । ଜେଜେମା’ ଭାଷାରେ ‘‘ଠାକୁର ଠାକୁରାଣୀଙ୍କ ନାଁ ନଦେଇ ଆବୁରୁ-ଜାବୁରୁ ନାଁ ଗୋଟେ କ’ଣ ଦେବ ? ହେଲା ଏବେ ‘ଚପଳା’ ହେଉ । ସେଇ ଲକ୍ଷ୍ମୀ ଠାକୁରାଣୀଙ୍କ ନାଁ ତ ।”

 

ନାଁରେ ବୋଧହୁଏ ବି ଗୋଟାଏ ଅଦ୍ଭୁତ ଯୋଗାଯୋଗ ରହିଛି । ନହେଲେ ମୁଁ ଚପଳା ସେମିତି ସବୁଦିନ ପାଇଁ ଚପଳା ହିଁ ହୋଇ ରହିଗଲି । କେଉଁଠି ସ୍ଥିର ହୋଇ ରହିପାରିଲି ନାହିଁ ।

 

ଜେଜେମା’ ଠିକ୍ କହିଥିଲା ।

 

ନ ହେଲେ କେତେ ଲୋକ ଗୋଟିଏ ଗୋଟିଏ ଜାଗାରେ ସାରା ଜୀବନ ବିତେଇଦେଉଥିଲା ବେଳେ ମୋ ବାପାଙ୍କର ବଦଳି ପ୍ରତି ତିନି ବର୍ଷରେ ହେଉଥିଲା କେମିତି ? ତା’ପରେ ତମର ବା ଏତେ ବଦଳି ହେଉଥିଲା କେମିତି ? ବାହାଘର ଦଶବର୍ଷ ଭିତରେ ଚାରିଟା ଜାଗାକୁ–କଲିକତା, ପାଟଣା, ଲକ୍ଷ୍ନୌ, ଦିଲ୍ଲୀ ।

 

ଦଶଟା ବାଜିଲାଣି । ତଥାପି ମନେହେଉଛି ଶିଲଂ ସହର ଯେମିତି ଏଇନେ ପାହଡ଼ ଭାଙ୍ଗି ଉଠୁଛି । କୋଉଠି କିଛିର ଶବ୍ଦ ନାହିଁ । ଚାରିଆଡ଼େ ଶାନ୍ତ, ନିସ୍ତବ୍‍ଧ । ଖରାର ଉଷୁମ କୋଳରେ ଆବେଶମୁଗ୍‌ଧା ଶିଲଂ-ସୁନ୍ଦରୀ ଶୋଇରହି ସୁଖର ସ୍ଵପ୍ନରେ ବିଭୋର ।

 

ରମୁ ଭାଇ, ରମୁ ଭାଇ, ରମୁ ଭାଇ, ଆଃ, କେତେ କେତେ ମନେପଡ଼ୁଛ ତୁମେ । ମୋର ସମସ୍ତ ମନପ୍ରାଣ ଉନ୍ମୁଖ ହୋଇ ରହିଛି ସୁରବନ୍ଧା ସିତାରର ତାର ପରି କେବଳ ତମର ପଦୁଟିଏ କଥା ପାଇଁ । ତମର ଟିକିଏ ସ୍ପର୍ଶ ପାଇଁ । ଟିକିଏ ଆସନ୍ତନି–ଖରାପ ସ୍ନିଗ୍‌ଧ କିରଣରେ, ଶାନ୍ତି ପବନରେ ମୃଦୁ ହିଲ୍ଲୋଳରେ ତମର ମୋର ଏଇ ଦୂରତ୍ଵର ସେତୁବନ୍ଧ ଉପରେ–ଖାଲି ଥରଟିଏ ଛୁଇଁଯାଅ–ଦେଖିବ କେମିତି ସିତାର ପରି ହଠାତ୍ ରିଣିଝିଣି ହୋଇ ବାଜିଉଠିବି, ଡୁବି-ତବଲାର ଲହରାରେ ସୁର ହୋଇ ଭାସିଯିବି, ବେହେଲା ଓ ତାନପୁରାର ଯୁଗଳବନ୍ଦୀରେ ନାଚି ନାଚି ଉଠିବି । ମୋ ଦେହର ତାରମାନଙ୍କୁ ଛୁଇଁ ଛୁଇଁ ଦେଖ–କେମିତି ଉଦାରା-ମୁଦାରା ତାରାର ପାହାଚ ପାହାଚ ବିଜୁଳି ବେଗରେ ଚଢ଼ି ତାରା ସପ୍ତକରେ ଶେଷ ପାହାଚରେ ତମରି ରାଗିଣୀର ସୁର ଭିତରେ ମୁଁ ହଜିଯିବି ।

 

ମୁଁ ତମର ପ୍ରେମର ଚିରନ୍ତନ ଗୋଟିଏ ସୁରରେ ବନ୍ଧା ଏକ ମୋହନବୀଣା । ଆଜି ପର୍ଯ୍ୟନ୍ତ ସେଇ ବୀଣାର ତାର ହୁଗୁଳା ହୋଇନାହିଁ; ବେସୁରା ବାଜିନାହିଁ । ସେଇ ଯେ ଥରକ ପାଇଁ କିଏ ଜଣେ ବାନ୍ଧିଦେଇଛି ସେଇ ସୁର । ସେଇ ତାଳ ଛଡ଼ା ସେ ଅନ୍ୟ ସୁରରେ ବାଜିପାରିବନି । ମୁଁ ବାନ୍ଧିଛି ବୋଲି ଭରସି କରି କହିପାରୁନାହିଁ । କାରଣ ସଜ୍ଞାନରେ ଏଇ ସୁର ବାନ୍ଧିଛି ବୋଲି ମୋର ମନେପଡ଼ୁନାହିଁ । ମୋର ଜନ୍ମର ମୁହୂର୍ତ୍ତରୁ ଯେମିତି ନିର୍ଦ୍ଦିଷ୍ଟ ତାଳ-ଲୟମାନ ଘେନି କେବଳ ଗୋଟିଏ ସୁରରେ ବାଜିବାର ଲକ୍ଷ୍ୟ ନେଇ ମୋତେ କିଏ ଛାଡ଼ିଦେଇ ଯାଇଛି । ତାକୁ ସମ୍ଵରଣ କରି ରଖିବା ମୋ ପକ୍ଷରେ ଦୁଃସାଧ୍ୟ ।

 

ରମୁ ଭାଇ !

 

ଏଇ ନାଁଟିରେ କେତେ ପୁଲକ, କେତେ ରୋମାଞ୍ଚ, କେତେ ସ୍ନେହ, କେତେ ସୋହାଗ । ଜାଣେନା, କି ଶୁଭକ୍ଷଣରେ ଏଇ ନାଁରେ ତମକୁ ଡାକି ମୁଁ ଭଲପାଇଥିଲି । ଏବେ ବି ସେଇ ନାଁ ଛଡ଼ା ତମକୁ ଅନ୍ୟ କିଛି ସମ୍ବୋଧନ କରି ପାରିଲି ନାହିଁ; ତମକୁ ବାହା ହେଲା ପରେ ବି । ସେଥିପାଇଁ ଆମ ଘରେ ଓ ତମ ଘରେ କେତେ ପରିହାସ, ଥଟ୍ଟା ଟାପରା, କଟୁ ମନ୍ତବ୍ୟ ଶୁଣିବା ସତ୍ତ୍ୱେ ବି, ବନ୍ଧୁବାନ୍ଧବ ସାଙ୍ଗସାଥିଙ୍କ ଉପହାସସୂଚକ ପରିହାସ ଶୁଣିଲା ପରେ ବି କୌଣସିମତେ ଏଇ ନାଁଟା ମୋ ମୁହଁରୁ କେହି ଛଡ଼ାଇ ପାରିନାହାନ୍ତି । ଏଇ ନାଁ ସହିତ ଯେମିତି ମୋର ସମସ୍ତ ଭଲପାଇବା, ମୋର ସମସ୍ତ ମନ ପ୍ରାଣ ଶରୀର ଜଡ଼ିତ ହୋଇ ରହିଯାଇଛି । ଏଇ ନାଁ ଛଡ଼ା ଅନ୍ୟ ନାଁରେ ମୁଁ ତମକୁ ସମ୍ବୋଧନ କରି ପାରିବି ନାହିଁ ।

 

ମୁଁ ଜାଣିନଥିଲି କେବଳ ଗୋଟାଏ ନାଁରେ ଏତେ ଯାଦୁ, ଏତେ କିମିଆ, ଏତେ ସମ୍ମୋହନ । ମୋତେ ଲାଗେ, ଅନ୍ୟ କୋଉ ନାଁରେ ଡାକିଲେ ତମେ ଯେମିତି ପର ହୋଇଯିବ–ବଦଳିଯାଇ ଅନ୍ୟ କୋଉ ଅପରିଚିତ ଲୋକଟିଏ ହୋଇଯିବ । କଲିକତାରେ ଥିଲାବେଳେ ତମେ ମୋତେ ଥରେ କହିଥିଲ, ମନେ ଅଛି–“ଦେଖ ଅନୁରାଧା ଭଟ୍ଟାଚାର୍ଯ୍ୟ କେମିତି ତା’ ସ୍ଵାମୀକୁ ‘ପ୍ରବୀର’ ବୋଲି ଡାକେ; ତମେ ସେମିତି ମୋତେ ‘ଶୁଭକାନ୍ତ’ ବୋଲି ଡାକୁନା ? ଦେଖିଲ ନା, ସେଦିନ ମିସେସ୍ ଦାସ କେମିତି ତମେ ‘ଭାଇ’ ଡାକୁଛ ବୋଲି ହସି ହସି ଗଡ଼ିଗଲେ ।” ତା’ପରେ ତମେ ମୋତେ ବାଧ୍ୟ କରିଥିଲ ସେମିତି ଡାକିବାକୁ । ମୁଁ ବି ତମ ମନରେ ଦୁଃଖ ନ ଦେବାକୁ ତମ ସାଙ୍ଗମାନଙ୍କ ମେଳରେ କେତେଥର ଡାକିଛି ‘ଶୁଭକାନ୍ତ’ ବୋଲି । କିନ୍ତୁ ସତରେ ମୋର ଅନ୍ତର ଥରକ ପାଇଁ ବି ସେଇ ଡାକରେ ଚହଲି ଉଠିନଥିଲା । କେମିତି ଗୋଟାଏ ନିଷ୍ପ୍ରାଣ ଗୋଟାଏ ଶବ୍ଦ । ତମେ ମୋ’ଠୁ ଆଠବର୍ଷ ବଡ଼ । ମୁଁ କେମିତି ତମକୁ ନାଁ ଧରି ଡାକିଥାନ୍ତି କହିଲ ? ତା’ଛଡ଼ା ସେମାନେ କେମିତି ବୁଝିବେ ଯେ ମୋର ତମକୁ ଏଇ ‘ରମୁ ଭାଇ’ ଡାକ ଭିତରେ କେତେ ଆବେଗ, କେତେ ସ୍ନେହ, କେତେ ସ୍ଵପ୍ନ, କେତେ ଅନୁଭୂତି, କେତେ ରଙ୍ଗ ମିଶିରହିଛି ? ତାଙ୍କ ପାଇଁ ସେଇଟା ଗୋଟାଏ ନାଁ । ମୋ ପାଇଁ ସେଇଟା ଏକ ବିଚିତ୍ର ଇନ୍ଦ୍ରଧନୁ–ଏକ ଅଜ୍ଞାତ ରହସ୍ୟମୟ ପୁଲକ । ମୁଁ ସେଇ ନାଁ ଧରି ଡାକେନା–ମୋର ସମଗ୍ର ସତ୍ତାର ପ୍ରତିଧ୍ଵନି ହିଁ ସେଇ ନାମ ‘ରମୁ ଭାଇ’ ।

 

ରମୁ ଭାଇ !

 

କାଲି ରାତିରେ ଗପ କରୁ କରୁ ବିଟୁ କହିଲା, ‘‘ଅପା, ତୁ ଜାଣିଶୁଣି ନିଜକୁ ନିଜେ ଫାଙ୍କି ଦେଉଛୁ ? ଏଥିରେ ତୁ ନିଜେ କଷ୍ଟ ପାଉଛୁ । ତୁ ନିଜେ ଭଲକରି ଭାବ । ନିଜେ ବିଚାର କର ।”

 

ରମୁ ଭାଇ, ସତରେ କ’ଣ ବିଟୁର କଥା ସତ ? ମୁଁ କ’ଣ ଜାଣିଶୁଣି ନିଜକୁ ନିଜେ ଅସ୍ଵୀକାର କରୁଛି ? ମୁଁ ଯାହା ପ୍ରତ୍ୟକ୍ଷ ଭାବରେ ଅନୁବଭବ କରିଛି, ମୁଁ ତାକୁ କେମିତି ମିଥ୍ୟା ବୋଲି ଭାବିନେବି ? ମୋର ଅନୁଭବ–ମୋର ବିଚାରଠୁଁ ଆହୁରି ବେଶୀ ସତ୍ୟ ।

 

ପ୍ରଥମଦିନ ସକାଳୁ ଦାର୍ଜିଲିଂରେ ସେଇ ସକାଳୁ ଉଠି ଦୁଇଘଣ୍ଟା ଛିଡ଼ାହୋଇ ମଧ୍ୟ ସୁର୍ଯ୍ୟୋଦୟ ଦେଖିପାରିଲି ନାହିଁ । ଆକାଶରେ ମେଘ ଥିଲା । ତା’ ପରଦିନ ମଧ୍ୟ ସେଇ ଅବସ୍ଥା । ଭାବିଲି ଫେରିଆସିବି । ଗାଇଡ୍ କହିଲା, ଦାର୍ଜିଲିଂ ଆସି କାଞ୍ଚନଜଙ୍ଘାରେ ପ୍ରଥମ ସୂର୍ଯ୍ୟକିରଣ ପଡ଼ିବାର ଦୃଶ୍ୟ ନ ଦେଖି ଗଲେ ଚିରଦିନ ପାଇଁ ଅବଶୋଷ ରହିଯିବ । ଏପର୍ଯ୍ୟନ୍ତ ଜଣେ ବି ଟୁରିଷ୍ଟ ଏହା ନ ଦେଖି ଫେରିଯାଇନାହିଁ । ସେ ଅନିର୍ବଚନୀୟ ଦୃଶ୍ୟଟା ଦାର୍ଜିଲିଂର ପ୍ରଧାନ ଆକର୍ଷଣ ଓ ବିଶେଷତ୍ଵ । ଅଗତ୍ୟା ଆଉ ଗୋଟାଏ ଦିନ ରହିବାକୁ ବାଧ୍ୟ ହେଲି । କାଞ୍ଚନଜଙ୍ଘାର ଆକାଶଚୁମ୍ବୀ ଉନ୍ନତ ଶୃଙ୍ଗ ଉପରେ, ଶୁଭ୍ର ବରଫର ଘନୀଭୂତ ଆବରଣ । ତା’ ଉପରେ ସୂର୍ଯ୍ୟୋଦୟର ପ୍ରଥମ କୋମଳ ଲୋହିତ କିରଣ ପ୍ରତିବିମ୍ଵିତ ହୋଇ ମନେହେଉଥାଏ, ସତେ ଯେପରି ପୁରାଣର ଦେବରାଜ ଇଦ୍ର ସ୍ଵର୍ଣ୍ଣମୁକୁଟ ପରିଧାନ କରି ସ୍ଵର୍ଗ ଓ ମର୍ତ୍ତ୍ୟର ମିଳନସ୍ଥଳରେ ଅପୂର୍ବ ଶୋଭା ନିରୀକ୍ଷଣ କରୁ କରୁ ସ୍ତବ୍‍ଧ, ତଟସ୍ଥ ଓ ନିର୍ବାକ୍‍ । ମୋର ପୁଣି କ’ଣ ମନେହୋଇଥିଲା ଜାଣ ? ତମେ ହେଉଛ ସେଇ କାଞ୍ଚନଜଙ୍ଘାର ଦୀର୍ଘାୟିତ ଶରୀର । ଆଉ ମୁଁ ସେଇ ଘନୀଭୂତ ବରଫର ଆସ୍ତରଣ, ତମକୁ ଦୃଢ଼ ଆଲିଙ୍ଗନରେ ଲୁଚାଇ ରଖିଛି ନିଜର ବକ୍ଷସ୍ଥଳରେ । ଆଉ ଆମର ଅନୁରାଗ ଯେମିତି ପ୍ରାଣ ପାଇ ଲୋହିତ କରି ରଖିଛି ଚାରିପାର୍ଶ୍ଵ, ତା’ର ଅପରୂପ ବ୍ୟଞ୍ଜନାରେ, ଆଭାରେ ।

 

ତମେ ମନେରଖିଛ ରମୁ ଭାଇ ! ଏମିତି କେତେ ଥର, କେତେ ଶହ, କେତେ ଲକ୍ଷ ଥର ତମର ମୁଣ୍ଡକୁ ମୋ କୋଳକୁ ଆଉଜାଇ ଆଣି ମୋ ଛାତି ଭିତରେ ତାକୁ ଚାପି ରଖି କେତେ ସମୟ କେତେ ଘଣ୍ଟା, କେତେ ଦିନ ଏମିତି ବିତେଇ ଦେଇଛି ? ତମେ କହିଲେ କହିପାର; କିନ୍ତୁ ମୁଁ କିଛି କହି ପାରିବି ନାହିଁ । ମୋର ମସ୍ତିଷ୍କ ନାହିଁ–ମୁଁ କେବଳ ଏମିତି କେତେଗୁଡ଼ିଏ ଅପାର୍ଥିବ ଅନୁଭବର ପିତୁଳାଟିଏ । ମୁଁ ବେଳେବେଳେ ଭାବେ–ମୋ ଦେହ ନାହିଁ । ମୁଁ କେବଳ ଅନୁଭବ କରିବାର ଏକ ମାଧ୍ୟମ । ଅନୁଭୂତି ଭିତରେ ହିଁ ମୋର ଜନ୍ମ–ମୋର ବିଲୟ । ମୁଁ କାଞ୍ଚନଜଙ୍ଘାର ସେଇ ଜମାଟବନ୍ଧା ବରଫର ଆସ୍ତରଣ ପରି ଘନୀଭୂତ ପ୍ରେମାନୁଭୂତିର ପ୍ରତିମା ।

 

ରମୁ ଭାଇ !

 

ମୁଁ ଏକଥା କେବେ ତମକୁ କହିନାହିଁ । କଥା, ଭାଷା ଅନୁଭବ ନୁହେଁ । ଅନୁଭୂତିର ଭାଷା ନୀରବତା ।

 

ଦାର୍ଜିଲିଂରୁ ପାର୍ବତ୍ୟ ରାସ୍ତାର ଅଙ୍କାବଙ୍କା ମୋଡ଼ ଦେଇ ଫେରିଲା ବେଳେ ଦାର୍ଜିଲିଂଠାରୁ କାର୍ସିଆଙ୍ଗ ମଝିରେ ହଠାତ୍ ଦେଖିଥିଲି, ଗାଢ଼ ଶ୍ୟାମଳବର୍ଣ୍ଣର ଦିଗନ୍ତବିସ୍ତାରୀ ସବୁଜିମା ଭିତରେ ଝଲକାଏ ରକ୍ତଲୋହିତ ବର୍ଣ୍ଣର ମେଘ । ରୋଡୋଡେଣ୍ଡ୍ରନ୍ ଫୁଲର ଲାଲ୍ ଅରଣ୍ୟ । ଗାଢ଼ ସବୁଜ ଓ ଗାଢ଼ ଲାଲ୍ ରଙ୍ଗର ଏଇ କଣ୍ଟ୍ରାଷ୍ଟ କଲର୍‍ର ଅପୂର୍ବ ଦୃଶ୍ୟ ମୋ ଜୀବନରେ ପ୍ରଥମ । ମୋର ମନେହେଲା ମୁଁ ଯେମିତି ତମର ଶ୍ୟାମଳ ଦେହ ଉପରେ ଅଗଣିତ ରୋଡୋଡେଣ୍ଡ୍ରନ୍ ଫୁଲ ପରି ଅସଂଖ୍ୟ ରଙ୍ଗିନ୍ ସ୍ଵପ୍ନ ପରି ଫୁଟିଛି । ତମ ଶରୀରର ନୀଳ ପୁଷ୍କରିଣୀ ଭିତରେ ଫୁଟିଛି ଅସଂଖ୍ୟ ରକ୍ତକଇଁ ପରି ।

 

ବିପରୀତ ନ ହେଲେ ବୈଶିଷ୍ଟ୍ୟ ଫୁଟେ ନାହିଁ । ବିପରୀତ ନହେଲେ ଆକର୍ଷଣ ଆସେ ନାହିଁ । ସମଧର୍ମା ଏକ ଯୁକ୍ତ ଏକ ଦୁଇ । କିନ୍ତୁ ଆମେ ଦୁହେଁ ଏକ ଏବଂ ମାଇନସ୍ ଏକ । ତେଣୁ ଶୂନ୍ୟ ଓ ତେଣୁ ବୋଧହୁଏ ପୂର୍ଣ୍ଣ ମଧ୍ୟ ।

 

ରମୁ ଭାଇ !

 

ମୁଁ ଭାବିଥିଲି, ତମକୁ ଗୋଟିଏ ମୁହୂର୍ତ୍ତ ବି ଛାଡ଼ି ରହିପାରିବିନି, ମରିଯିବି । କିନ୍ତୁ ଏବେ ଦେଖୁଛି, ମୁଁ ଠିକ୍ ରହିପାରିଛି । ମୁଁ ଠିକ୍‍ ବଞ୍ଚିଛି–ମରିଯାଇନାହିଁ । ମୁଁ ଭାବିଥିଲି, ତମର ବିରହରେ, ତମରି ବିଚ୍ଛେଦରେ ଗୋଟିଏ ମୁହୂର୍ତ୍ତରେ ହିଁ ମୋର ହୃଦୟଯନ୍ତ୍ର ବନ୍ଦ ହୋଇଯିବ । କାହିଁ ? ହୃଦ୍‌ଯନ୍ତ୍ର ତ ବନ୍ଦ ହୋଇନାହିଁ; ବରଂ ମୁଁ ଆହୁରି ସଂଯତ ହୋଇଛି । ଏଇ ଚିରଶ୍ୟାମଳ ଦେଶର ସବୁଜ ପ୍ରାଣପ୍ରାଚୁର୍ଯ୍ୟ ମୋତେ ନୂତନ ଜୀବନ ଦେଇଛି ।

 

ମୁ ଆଜି ଅନ୍ତରେ ଅନ୍ତରେ ଅନୁଭବ କରିପାରୁଛି, ବୁଝିପାରୁଛି କାହିଁକି ଆମର ଦେବତାର ବର୍ଣ୍ଣ ଶ୍ୟାମଳ । ଶ୍ରୀରାମଚନ୍ଦ୍ର ଶ୍ୟାମଳ–ଶ୍ରୀକୃଷ୍ଣ ଶ୍ୟାମଳ । ନବନୀରଦବରଣ–ନବଘନ ଶ୍ୟାମ ।

 

ରମୁ ଭାଇ !

 

ମୋର ଚିରସବୁଜ । ଚିରନ୍ତନ ପ୍ରାଣ-ସଞ୍ଜୀବନୀ । ତମର ଶ୍ୟାମଳ ଦେହ ପ୍ରତି ସେଇଥିପାଇଁ ମୋର ଏତେ ଆକର୍ଷଣ । କିନ୍ତୁ ତମର ସେଇ ସବୁଜିମା ଯେମିତି ଆଜି ବିଛାଡ଼ି ହୋଇ ଯାଇଛି ଏଇ ଚିରହରିତ୍ ବନର ଶ୍ୟାମଳ ବ୍ୟାପ୍ତି ଭିତରେ । ସେଥିପାଇଁ ଏଇ ଦେଶର ପ୍ରତ୍ୟେକ ସବୁଜକଣା ଭିତରେ ମୁଁ ଦେଖୁଛି ତମରି ରୂପ, ମୁଁ ପାଉଛି ତମରି ସ୍ପର୍ଶ ।

 

ରମୁ ଭାଇ !

 

ମୁ ତମକୁ ପ୍ରତି ନିୟତ, ପ୍ରତି କ୍ଷଣରେ ସେଇଥି ପାଇଁ ଅନୁଭବ କରୁଛି । ଯେମିତି ତମେ ମୋର ଅତି ପାଖରେ, ଅତି ନିକଟରେ, ଦେହକୁ ଦେହ ଯୋଡ଼ି ବସିଛି । ମୋର ସାମୟିକ ଶୂନ୍ୟତା ଅନୁଭବ କେବଳ ତମକୁ, ପରକ୍ଷଣରେ ପୁନର୍ବାର ପୂର୍ଣ୍ଣଭାବରେ ଅନୁଭବର ପ୍ରସ୍ତୁତି ମାତ୍ର । ମୋର ମନେହେଉଛି, ମୁଁ ଯେମିତି ମୁହାଣର ନଈ । ମୋ ଦେହରେ ତମକୁ ପାଇବାର ପୁଣି ପାଇ ହଜାଇବାର ଜୁଆର-ଭଟ୍ଟାର ଖେଳ । ଏଇ ଦୋଳି ଖେଳ ମୋର ନିଜସ୍ଵ ଇଚ୍ଛାକୃତ । ନ ହଜେଇବାର ନିଶ୍ଚିନ୍ତତା ଭିତରେ, ପାଇ ମଜ୍ଜି ରହିଯିବାର ମନୋଟନୀ ଭିତରୁ ମୁକ୍ତି ପାଇବା ଲାଗି ଏକ ମିଛିମିଛିକା ଖେଳ । ଆନନ୍ଦ ପାଇଁ ଅନୁଭବ ପାଇଁ ।

 

ଜାଣିଛ, ରମୁ ଭାଇ ! ମୁଁ ଏଇ କେତେ ଦିନ ହେଲା ବହୁତ ବୁଲିଛି । ଅଧିକାଂଶ ଭାଗ ପାଦରେ ଚାଲି ଚାଲି । ଶିଲଂ ପିକ୍‍, ଗୋଲ୍‍ଫ ଲିଙ୍କ, ଲଙ୍ଗ୍‍ ଡ୍ରାଇଭ, ହେପି ଭେଲିକଣ୍ଟନମେଣ୍ଟ, ଏଲିଫାଣ୍ଟା ଫଲ୍‍ସ ଆହୁରି କେତେ କେତେ ସବୁ ଜାଗା । ଘଣ୍ଟା-ଘଣ୍ଟାଧରି ଓ୍ୱାଡ଼ ଲେକ୍‌ର ଘାସ ଉପରେ ଗଡ଼ିଛି । ଏତେ ଶ୍ୟାମଳ–ଏତେ ସବୁଜ ଭିତରେ ମୁଁ ଆତ୍ମହରା ହୋଇଯାଇଛି । କିନ୍ତୁ ଆଜି ଦେହହାତ ଭାରି ବଥା ହେଉଛି । ଚାଲିବାର ଅଭ୍ୟାସ ନାହିଁ । ପୁଣି ଏତେ ଉଚ୍ଚ ନୀଚ ରାସ୍ତା, ପାହାଡ଼ଚଢ଼ା । ଭାରି ଟାୟାଡ଼ ଲାଗୁଛି । ସେଥିପାଇଁ ମୁଁ ତାଙ୍କ ସାଙ୍ଗରେ ଆଉ ଗଲିନି ।

 

ଶିଲଂ କିନ୍ତୁ ବର୍ତ୍ତମାନ ଭାରି ସୁନ୍ଦର ଦିଶୁଛି । ଚାରିଆଡ଼ର ଗାଢ଼ ଶ୍ୟାମଳର ବେକଡ୍ରପ୍ ଉପରେ ଫୁଟିଛି ନାନା ବର୍ଣ୍ଣର ହଳଦିଆ, ବାଇଗଣୀ, ଧଳା, ନାଲି ଫୁଲର ମହୋତ୍ସବ । ଚୈତ୍ର ଏଠି ଧୂସର ନୁହେଁ–ପତ୍ରଝଡ଼ାର ବୈଦଗ୍‍ଧ୍ୟ ରୂପ ନୁହେଁ । ଏଠିକାର ଚୈତ୍ର ଏକ ବର୍ଣ୍ଣାଢ୍ୟ ଶୋଭାର ଆଡ଼ମ୍ଵର । ରାସ୍ତା କଡ଼ରେ ବଡ଼ ବଡ଼ ଗଛରେ ବିଚିତ୍ର ବର୍ଣ୍ଣ ଫୁଲର ସମାରୋହ । ଘର ଚାରିପାଖ ବେଢ଼ା ପାଖରେ ଅସଂଖ୍ୟ ଲତା ଗୋଲାପ ଫୁଟି ଜଣାଯାଉଛି କିଏ ଯେମିତି ଏକ ଫୁଲର ବେଢ଼ା ତିଆର କରି ଦେଇଛି । ଅପୂର୍ବ ! ବସନ୍ତରାଜାର ବିଦାୟ ଆଗମନ ଉପଲକ୍ଷ୍ୟେ ମହାରାଣୀ ପୃଥିବୀର ପୁଷ୍ପିତା ଅଭିସାର ।

 

କିନ୍ତୁ ରମୁ ଭାଇ, ଏଠିକାର ଫୁଲରେ ବାସ୍ନା ନାହିଁ । ଏତେ ଗୋଲାପ; କିନ୍ତୁ ବାସ୍ନା ଟିକିଏବି ଆସୁନି । ବିଟୁର ସାଙ୍ଗ ଅସିତ କହିଲା, ‘‘ଜାଣିଛ କି ଆପା, ଏ ଶିଲଂ ସହରକୁ ଦେଖିଲେ ମୋର ରବୀନ୍ଦ୍ରନାଥଙ୍କ ସେଇ କବିତାଟା ମନେପଡ଼େ ‘‘ନହ ମାତା ନହ କନ୍ୟା ରୂପସୀ ଉର୍ବଶୀ” । ଶିଲଂ ଏକ ଚିରଯୌବନା ଉର୍ବଶୀ ।

 

ସବୁବେଳେ ଚିରଶ୍ୟାମଳ–ଚିରଯୌବନା । ତା’ର ଆଷାଢ଼ର କୈଶୋର ନାହିଁ । ଶରତ୍‍ର ଭରାଯୌବନ ନାହିଁ, ଚୈତ୍ରର ପ୍ରୌଢ଼ତ୍ଵ ନାହିଁ, ଗ୍ରୀଷ୍ମର ବାର୍ଦ୍ଧକ୍ୟ ନାହିଁ । ତା’ ଦେହରେ ଋତୁସବୁ ଆସନ୍ତି କେବଳ ତାକୁ ବିଭିନ୍ନ ବେଶରେ ମଣ୍ଡିତ କରିବା ପାଇଁ । ବର୍ଷାରେ ସେ ଅଭିମାନୀ କିଶୋରୀର ପ୍ରଥମ ବିରହ-ଶୀତରେ ଦୁର୍ଜୟ ମାନିନୀ-ବସନ୍ତରେ ନବ ଅନୁରାଗରଞ୍ଜିତ ଅଭିସାରିଣୀ-। ତା’ର ଯୌବନର ଶ୍ୟାମଳିମା କେବେ ବି ମଳିନ ହୁଏନା । ସବୁ ବେଶରେ ହିଁ ସେ ସୁନ୍ଦର-

 

ରମୁ ଭାଇ !

 

ତମ ସାଙ୍ଗରେ ଏ ବିଗତ ଦଶବର୍ଷ ସେମିତି କଟିଛି ଏକ ଅବିଚ୍ଛିନ୍ନ ଚିର ବସନ୍ତର ଦେଶରେ । କେତେ ରଙ୍ଗରେ, କେତେ ବେଶଭୂଷାରେ, କେତେ ଆଭରଣରେ ତମେ ମୋତେ ସଜେଇଛ । କେତେବେଳେ ଗ୍ରାମ୍ୟବଧୂ ରୂପରେ ତ କେତେବେଳେ ବିକିନି ପରିହିତା ଅତ୍ୟାଧୁନିକ ସମୁଦ୍ରସ୍ନାତା କନ୍ୟା ରୂପରେ । ପୁଣି କେତେବେଳେ କ୍ୟାବାରେର ନର୍ତ୍ତକୀ ପରି କେବଳ ମୋର ନିଚ୍ଛକ ନଗ୍ନତାରେ ତମେ ଘଣ୍ଟା-ଘଣ୍ଟାଧରି ବିମୋହିତ ହୋଇ ରହିଛ । ମୁଁ ଏବେବି ବୁଝିପାରେନା, ମୋତେ ଏମିତି ଭାବରେ ବିଭିନ୍ନ ରୂପରେ ସଜେଇ ସେଥିରେ ବିମୋହିତ ରହିବାର ଉଦ୍ଦେଶ୍ୟ କ’ଣ ଥିଲା ତମର ? ତମେ କ’ଣ ମୋ ଦେହ ଭିତରଦେଇ ତମର କାମନାର ସମସ୍ତ ନାରୀକୁ ଅନୁଭବ କରୁଥିଲ ? ନା, ମୋ ଭିତରଦେଇ ସମସ୍ତଙ୍କୁ ଅନୁଭବ କରିବାର ଅହେତୁକୀ ଇଚ୍ଛାରେ ପାଗଳ ହୋଇଯାଇଥିଲ । ନା, ମୋର ଦେହର ଦର୍ପଣ ଉପରେ ତମେ ତମର କାମନାଗୁଡ଼ିକର ପ୍ରତିଫଳନ ଦେଖୁଥିଲ ? ମୁଁ ସେତେବେଳେ ବି ବୁଝିନଥିଲି–ଏବେବି କିଛି ବୁଝିପାରେନା । ଯୋଉ ନିଶାରେ ମୁଁ ସେଇ ପ୍ରଥମ ଦିନର ମୁହୂର୍ତ୍ତରୁ ଘାରି ହୋଇ ଯାଇଛି । ଏବେବି ସେଇ ନିଶାର ପ୍ରଭାବରେ ମୁଁ ଆଚ୍ଛନ୍ନ ହୋଇ ରହିଯାଇଛି ।

 

ତମେ ମୋତେ ଯେମିତି ନଚାଉଥିଲ ମୁଁ ସେମିତି ନାଚୁଥିଲି । ମୋର ସେଥିରେ କିଛି ନିଜସ୍ଵ ସ୍ଵାତନ୍ତ୍ର୍ୟ ନଥିଲା । ମୁଁ ତ ତମକୁ ମୋର ସମଗ୍ର ସତ୍ତା ଏକାବେଳକେ ନିଃଶେଷ କରି ଉଜାଡ଼ି ଦେଇଥିଲି । ମୁଁ ତ ଆଉ ମୁଁ ନୁହେଁ, ତମର ଇଚ୍ଛାର ଯନ୍ତ୍ରଟିଏ । ତମର ପ୍ରତି ଅଣୁରେ ଅଣୁରେ ସମ୍ପୂର୍ଣ୍ଣଭାବେ ନିଶ୍ଚିହ୍ନ ହୋଇଯାଇଥିବା ଅଶରୀରୀ ପବନଟିଏ । ତମରି ଆଖିରେ ହିଁ ମୁଁ ଦୁନିଆ ଦେଖୁଥିଲି, ତମରି କାନରେ ମୁଁ ସବୁ ଗୀତ ଶୁଣୁଥିଲି, ତମରି ଭାଷାରେ ତମରି କଥା କହୁଥିଲି ।

 

ଏବେ ବି କହୁଛି । ମଲାଯାଏ ବି ସେଇ ଭାଷାରେ କଥା କହିବି ।

 

ଅଥଚ ଦେଖ, ମୁଁ କେମିତି ତମକୁ ବିନା ଦ୍ୱିଧା, ବିନା ସଙ୍କୋଚରେ, ନିର୍ବିବାଦରେ, ନିର୍ବିକାର ଭାବରେ ଛାଡ଼ି ଦେଇ ଚାଲି ଆସି ପାରିଛି । କାହିଁକି ଜାଣ ? ତମର ସରସ୍ଵତୀପୂଜା, ଦୁର୍ଗାପୂଜା, ଗଜଲକ୍ଷ୍ମୀପୂଜା କଥା ମନେପଡ଼େ ରମୁ ଭାଇ ? ସାଙ୍ଗ ହୋଇ କେତେ କେତେ ମେଢ଼ ଦେଖିଛେ, କେତେ ସୁନ୍ଦର ସୁନ୍ଦର ମୂର୍ତ୍ତିସବୁ । କି ସୁନ୍ଦର ସାଜସଜ୍ଜା ! କିନ୍ତୁ ସବୁ ଆଡ଼ମ୍ଵର କେବେଳ ତିନି ଚାରି ଦିନ ପାଇଁ । ତା’ପରେ ସେ ପ୍ରତିମା ବିସର୍ଜିତ ହୁଏ କେଉଁ ନଦୀକୂଳରେ, ପୋଖରୀ ଜଳରେ । ତମକୁ ଆଶ୍ଚର୍ଯ୍ୟ ଲାଗେ ନାହିଁ ରମୁ ଭାଇ, ଆମ ଦେଶରେ ମୂର୍ତ୍ତିପୂଜା ବେଶୀ ହୁଏ କେବଳ ଦେବୀମାନଙ୍କର । ରାମଚନ୍ଦ୍ରଙ୍କର ମୂର୍ତ୍ତି କରି ସାଇ ସାଇରେ ପୂଜା ହୁଏନା–ଶ୍ରୀକୃଷ୍ଣଙ୍କର ହୁଏନା, ଇଦ୍ରଙ୍କର ହୁଏନା । କେବଳ କେତେକ ପାର୍ଶ୍ଵଦେବତା–ଗଣେଶ ଓ ବିଶ୍ଵକର୍ମା ଛଡ଼ା ଅନ୍ୟ କାହାରି ମୃଣ୍ମୟ-ମୂର୍ତ୍ତି ହିଁ ଗଢ଼ା ହୁଏନା । କେବେ ତେମେ ଭାବି ଦେଖିଛ, କାହିଁକି ଏମିତି ହୁଏ ? ନୁହେଁ ନା ? ମୁଁ କହୁଛି ଶୁଣ । ଆମ ସମାଜର ଅନ୍ତର୍ନିହିତ ମନସ୍ତତ୍ତ୍ଵ ହିଁ ଏଇଆ । ନାରୀ–ସେ ଦେବୀ ହେଉ ବା ମାନବୀ ହେଉ–ତା’ର ଭାଗ୍ୟର ଶେଷ କଥା ହିଁ ବିସର୍ଜନ । ସମୟ କେବଳ ବାହାନା ମାତ୍ର ।

 

ମୁଁ ତମଠାରୁ ଏମିତି ବିସର୍ଜିତା ହେବାକୁ ଚାହୁଁନଥିଲି । ସେଥିପାଇଁ ମୁଁ ନିଜେ ନିଜକୁ ବିସର୍ଜନ ଦେଲି ପୂଜାର ଲଗ୍ନରେ–ବିସର୍ଜନର ଲଗ୍ନରେ ନୁହେଁ । ଧୋବା-ଧୋବଣୀ ମଞ୍ଚ ଉପରକୁ ଆସିବାର ବହୁପୂର୍ବରୁ ମୁଁ ହେଲି ପଳାତକା ।

 

ମୁଁ ତମକୁ ଦୋଷ ଦେଉନାହିଁ; ଅଭିମାନ କରି କହୁନାହିଁ । ତମର ସଜ୍ଞାନରେ ତମେ ହୁଏତ ମୋତେ ପରିତ୍ୟାଗ କରିବାର କଳ୍ପନା ହିଁ କରିନଥିବ । ଆଉ ମୋର ବିଶ୍ଵାସ, କେବେ କରି ପାରିବ ନାହିଁ । କିନ୍ତୁ ମୁଁ ଦେଖିପାରିଥିଲି ତମରି ଅଜ୍ଞାତରେ ତମରି ଭିତରେ ବାସକରୁଥିବା ସେଇ ଅଜଣା ଲୋକଟିକୁ । ମୋ ଦେହର ପ୍ରତି ରକ୍ତକଣାରେ ତମରି ରୂପର ପ୍ରତିବିମ୍ବ । ସେଇ ଦିନ ହଠାତ୍‌କରି ଦେଖିଲି ସେଇ ସମୁଜ୍ଜ୍ୱଳ ପ୍ରତିବିମ୍ବ ଉପରେ ସେ ଅଶରୀରୀର କଳା ଛାଇ । ମୁଁ ଚମକି ପଡ଼ିଲି । ଭାବିଲି ମିଛ । ହୁଏତ ମୋର ଦୁଶ୍ଚିନ୍ତାର ଛାୟା । କିନ୍ତୁ ନା । ମୁଁ ସାଙ୍ଗେ ସାଙ୍ଗେ ହିଁ ଅନୁଭବ କଲି ତା’ର ବିଷଜ୍ଵାଳାର ସୁତୀବ୍ର ଯନ୍ତ୍ରଣା । ମୋର ଏଇ ଜୀବନ୍ତ ଅନୁଭବକୁ ମୁଁ କେମିତି ଅସ୍ଵୀକାର କରିବି କୁହ ତ ?

 

ମୁଁ ଦେଖିଛି, ତମରି ବାହାରର ରକ୍ତ-ମାଂସର ଘୋଡ଼ଣୀ ତଳେ ସେଇ କଙ୍କାଳଟିର ଛାଞ୍ଚଟିକୁ । ତମର ବାହାରର ସମସ୍ତ ସ୍ଵାତନ୍ତ୍ର୍ୟ ସତ୍ତ୍ଵେ ବି ଛାଞ୍ଚଟା ଠିକ୍‍ ସେମିତି ସମାନ । ତମେ ଅନୁଭବ କର ବା ନକର, ଜାଣ ବା ନଜାଣ ସେଇ ଛାଞ୍ଚଟା ସତ୍ୟ ।

 

ସେଇ ଛାଞ୍ଚଟା ଆଉ କିଛି ନୁହେଁ–ସେଇଟା ହଜାର ହଜାର ବର୍ଷର ପୁଞ୍ଜିଭୂତ ସାମଗ୍ରିକ ଚେତନା; ଯାହା ତମର ସମଗ୍ର ଶରୀରର ଭିତରେ ଓ ବାହାରେ ଓତପ୍ରୋତ ଭାବରେ ଜଡ଼ିତ ରହି ତା’ରି ଇଙ୍ଗିତରେ ପରିଚାଳିତ କରୁଛି ତମକୁ ।

 

ତମେ ଯେତେ ଚାହିଁଲେ ବି ମୋତେ ରଖି ପାରିନଥାନ୍ତ । ତମର ସମସ୍ତ ଅନିଚ୍ଛା, ପ୍ରବଳ ପ୍ରତିବାଦ ସତ୍ତ୍ଵେ ବି ସେଇ ଚେତନା ତମକୁ ବାଧ୍ୟବାଧକତାରେ ପ୍ରରୋଚିତ କରିଥାନ୍ତା ମୋତେ ବିସର୍ଜନ ଦେବାକୁ । ଯାହା ତମର ଠାକୁର ଶ୍ରୀରାମଚନ୍ଦ୍ର ପାରିଲେ ନାହିଁ, ସେଇ ଚେତନାକୁ ପ୍ରତିରୋଧ କରିବାକୁ ତମେ ପାରିଥାନ୍ତ ବୋଲି ମୋର ବିଶ୍ଵାସ ନାହିଁ । ସେଥିପାଇଁ ହିଁ ମୋର ଏ ଆତ୍ମନିର୍ବାସନ ।

 

ରମୁ ଭାଇ !

 

ଭାବୁଛି, ମୋର ଅନୁଭୂତି ମିଛ ହୁଅନ୍ତା କି ? ସକାଳର ଦୁଃସ୍ଵପ୍ନପରି କ୍ଷଣିକ ହୁଅନ୍ତା କି-? ମୁଁ ତମକୁ ସେମିତି ପୂର୍ବପରି ମୋ’ ପାଇଁ ସାରା ଦୁନିଆଠୁଁ ବିଚ୍ଛିନ୍ନ କରି ରଖି କେବଳ ମୋର ‘ଏକକ’କରି ରଖିପାରନ୍ତି କି ? କିନ୍ତୁ ନା... ତା’ ହେବାର ନୁହେଁ । ସେଇ ଜ୍ଵଳନ୍ତ ଅନୁଭୂତି ମୋର ସମଗ୍ର ସତ୍ତା ଭିତରେ କେମିତି ଏକ ଅସହ୍ୟ ଜ୍ଵାଳାର ବିଷ ଭରିଦେଇଯାଇଛି । ମୁଁ ଜଣେ, ଜାଗ୍ରତ ପରିବେଶରେ ମୋର ଯେତେ ନିଜର ହେଲେବି ଅବଚେତନ ରାଜ୍ୟରେ ତମେ ଅନ୍ୟମାନଙ୍କର-

 

ରମୁ ଭାଇ !

 

ମୁଁ ତମର ଭାର୍ଯ୍ୟା ନା ? ଅଥଚ ତମକୁ ଏଇ ଦଶବର୍ଷ ଧରି ସନ୍ତାନ ଦେଇପାରିଲି ନାହିଁ-

 

ତମ ଭିତରର ସେଇ କଳାଛାଇଟା ସେଦିନ ମୋତେ କହିଲା ‘ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା’ ଜ୍ଵଳନ୍ତା ନିଆଁରେ ଚିଆଁ ଦେଇ ଦେଇ ସେ ମନେପକେଇଦେଲା ମୋତେ–ତୁ ଭାର୍ଯ୍ୟା, ଭାର୍ଯ୍ୟା । ପୁତ୍ର ଉତ୍ପାଦନର ଏକ ଯନ୍ତ୍ର । ତା’ଛଡ଼ା ତୋର ନିଜସ୍ଵ ମୂଲ୍ୟ କିଛି ନାହିଁ ? ମୋର ସମସ୍ତ ଦେହ ମନ ପ୍ରାଣ ତା’ର ଏଇ ପଦୁଟିଏ କଥାରେ ହାହାକାର କରିଉଠିଲା । କ୍ଷଣକ ଭିତରେ ମୁଁ ଯେମିତି ନିଃସ୍ଵ, ରିକ୍ତ ହୋଇଗଲି । ମୋ’ପ୍ରତି ନିଜର ବିଶ୍ଵାସ; ନିଜର ମୂଲ୍ୟବୋଧ ହଠାତ୍‍ ଶୂନ୍ୟ ହୋଇଗଲା । ଗୋଟାଏ ମୁହୂର୍ତ୍ତରେ ହିଁ ମୋର ମନେହେଲା ମୋର ସମଗ୍ର ଅତୀତ–ଆଗାମୀ ଭବିଷ୍ୟତ, ଏକ ଅର୍ଥହୀନ ବିଡ଼ମ୍ଵିତ ଜୀବନ ମାତ୍ର ।

 

କିନ୍ତୁ ରମୁ ଭାଇ; ମୁଁ ତ ତମକୁ ଏମିତି ଏକ ନିର୍ଦ୍ଦିଷ୍ଟ ରୂପରେ ଭଲପାଇନାହିଁ । ତମେ ମୋ’ପାଇଁ ଭଲପାଇବାର ଏକ ଅନୁଭବ ମାତ୍ର । ସେଥିପାଇଁ କେତେବେଳେ ତମକୁ ପିତା ରୂପରେ, ଭାଇ ରୂପରେ, ସନ୍ତାନ ରୂପରେ, ପ୍ରେମିକ ରୂପରେ, ସ୍ଵାମୀ ରୂପରେ ମୁଁ ଅନୁଭବ କରିଛି । ତମ କୋଡ଼ରେ ଶୋଇ ଶୋଇ ହଠାତ୍‍ ମୋର ସ୍ନେହମୟୀ ମା’ ରୂପରେ ବି ତମକୁ ମୁଁ ଦେଖିଛି । ତମେ ମୋ’ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ସାକାର ରୂପ ନୁହଁ–ମୋର ଭଲପାଇବାର ଅନିର୍ଦ୍ଦିଷ୍ଟ ଅନନ୍ତ ରୂପ । ମୋ ପ୍ରେମର ଅଦ୍ଭୁତ ମାୟାଶକ୍ତିରେ ତମେ ଅସଂଖ୍ୟ ରୂପ ପରିଗ୍ରହ କରିଛ ।

 

ମୋ ରମୁ ଭାଇ, ମୋ ନିକଟରେ କେବଳ ଏକ ଚିର ଅସମାଧିତ, ଅସମାହିତ, ଅନିର୍ଦ୍ଦିଷ୍ଟ ରହସ୍ୟ–ଏଇ ଅପୂର୍ବ ଆନନ୍ଦାନୁଭୂତିର ବିଦେହୀ ରୋମାଞ୍ଚକର ସତ୍ତା–ଯେ ମୋ’ରି ପ୍ରେମାନୁଭବର ଶୀତଳତାରେ ନିରାକାର ବାୟୁ ମଧ୍ୟରୁ ଜଳବିନ୍ଦୁ, ଶିଶିରକଣା, କୁଆପଥର ପରି ବିଭିନ୍ନ ସାକାରରୂପ ଧାରଣ କରେ, କେବଳ ମୋ’ରି ପାଇଁ ।

 

ରମୁ ଭାଇ ! ପାଣି ତ ସବୁ ଜାଗାରେ ସମାନ । ଆମେ ସିନା ତାକୁ କୂଅ, ପୋଖରୀ, ନଦୀ, ତଡ଼ାଗ, ପାଟ ଗହୀର, ସମୁଦ୍ର ପ୍ରଭୃତି ନାମରେ ସୀମିତ କରି ଦେଇଛୁ । ବ୍ୟାବହାରିକ ଭିତ୍ତିରେ ତା’ର ବ୍ୟବହାର ବଦଳିଯାଏ ସିନା, ସେ ତ ବଦଳିଯାଏ ନାହିଁ ।

 

କିନ୍ତୁ ସେଇ ମୁହୂର୍ତ୍ତରେ ମୁଁ ଯେମିତି ସୀମିତ ହୋଇଗଲି । ମୋର ମନେହେଲା, କିଏ ଯେମିତି ମୋତେ ବାନ୍ଧିବୁନ୍ଧି ଗୋଟାଏ ଅଣଓସାରିଆ ନିବୁଜ ଘର ଭିତରେ ମାଡ଼ିମକଚି ଭର୍ତ୍ତି କରିଦେଉଛି । ମୁଁ ଅଣନିଃଶ୍ଵାସୀ ହୋଇଉଠିଲି । ମୋର ନିଃଶ୍ଵାସ ବନ୍ଦହୋଇ ଆସିଲା । ମୁଁ ଛାଟିପିଟି ହୋଇଉଠିଲି । ରମୁ ଭାଇ, ମୁଁ ଉଚ୍ଛ୍ଵଳ, ପ୍ରାଣବନ୍ତ, ଉଚ୍ଛ୍ଵାସମୟୀ ବନ୍ୟା–ସମସ୍ତ କୂପ, ତଡ଼ାଗ, ପୁଷ୍କରିଣୀ, ନଦ ନଦୀ ନିର୍ଦ୍ଦିଷ୍ଟ ସୀମାକୁ ଭାଙ୍ଗିଚୂରି ଏକକରି ଦେବା ହିଁ ମୋର ଧର୍ମ । ମୋର ପ୍ରେମର ସୀମା ନାହିଁ । ଅନନ୍ତ ଆକାଶ ମୋର ବ୍ୟାପ୍ତି । ସେଇ ଆକାଶ ଭିତରେ ବାୟୁପରି ମୋର ଅବାରିତ ଗତି । ମୋତେ କିଏ ବାନ୍ଧିପାରିବ କହ ତ ?

 

ତା’ପରେ ହଠାତ୍ କ’ଣ ଯେମିତି ଘଟିଗଲା । ଘର ଭିତରର ସବୁ ଜିନିଷର ଚେହେରା ଯେମିତି ବଦଳିଗଲା । ମୁଁ ଦେଖିଲି ମୋତେ ଯେମିତି କିଏ ତମର ରେଫ୍ରିଜେରେଟର, ଟି.ଭି, ଟେପ୍ ରେକଡ଼ର, ଷ୍ଟିରିଓ, ସୋଫସେଟ୍, ବୁକ୍, ସେଲ୍‍ଫ, ଖଟ ପଲଙ୍କ, ଗାଡ଼ିର ଲାଇନ ଭିତରେ ଗୋଟାଏ ଷ୍ଟାଚ୍ୟୁପରି ସଜେଇ ଦେଇ ଯାଉଛି । ମୁଁ ସେମାନଙ୍କୁ ଚିତ୍କାରକରି କହୁଛି, ‘‘ଆରେ, ଆରେ, ମୁଁ ଯନ୍ତ୍ର ନୁହଁ, ମୋତେ କାହିଁକି ସେମାନଙ୍କ ମେଳରେ ସଜେଇ ଦେଇଛ ? ମୁଁ ଜିଅନ୍ତା ମନିଷଟିଏ । ମୋତେ ଛାଡ଼ିଦିଅ ।” କିନ୍ତୁ ସେମାନେ କିଛି ଶୁଣୁନାହାନ୍ତି । ଜବରଦସ୍ତ ମୋତେ ଧରି ବାନ୍ଧି ସେଇଠି ରଖୁଛନ୍ତି-। ମୁଁ ଭୟରେ ପ୍ରାଣପଣ ଚିତ୍କାର କରି ତମକୁ ଡାକିଲି, ‘ରମୁ ଭାଇ, ରମୁ ଭାଇ’; ଅଥଚ ମୁଁ ତମକୁ ଦେଖି ପରିଲି ନାହିଁ । ସେଇ ଅଗଣିତ ଲୋକମାନଙ୍କ ଭିତରେ ତମେ କେଉଁଠି ହଜିଗଲ କିମ୍ବା ଏତେ ଲୋକଙ୍କ ଦଳା-ଚକଟା ଭିତରେ ତମେ କେଉଁଠି ମାଡ଼ି-ମକଚି ହୋଇଗଲ । ତମ ଡାକ, ତମ ଭାଷା, ମୁଁ କିଛି ବୋଲି କିଛି ଶୁଣିପାରିଲି ନାହିଁ । ସେମାନେ ସେମିତି ଏକ ବିକଟାଳ ଗର୍ଜନରେ ସାମୂହିକୀ ସ୍ଳୋଗାନ୍ ଦେଉଥାନ୍ତି, ‘‘ପୁତ୍ରାର୍ଥେ ନିୟତେ ଭାର୍ଯ୍ୟା...”

 

ତା’ପରେ ମୋର ଆଉ କିଛି ମନେ ନାହିଁ । କେମିତିକରି ଘର କବାଟ ଖୋଲିଲି, କେମିତି ବାହାରକୁ ଆସିଲି, ଟ୍ରେନରେ ଆସିଲି ନା ମଟରରେ ଆସିଲି କିଛି ମୋର ମନେ ନାହିଁ । ମୁଁ ଯେମିତି ଭୟରେ, ଆଖିବୁଜି ପ୍ରାଣମୂର୍ଚ୍ଚା ଶକ୍ତିରେ ଆକାଶକୁ ଉଡ଼ିଯାଉଛି–ଆଉ ସେଇ ଅନନ୍ତ ଆକାଶରେ ନୀଳ ଢେଉ କାଟି କାଟି ପହଁରି ପହଁରି ଯାଉଛି ତମରି ସନ୍ଧାନରେ, ଅନିର୍ଦ୍ଦିଷ୍ଟ ପଥରେ ଅନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ।

 

ରମୁ ଭାଇ ! ମୋର କିଛି ଦୁଃଖ ନାହିଁ–ଅନୁଶୋଚନା ନାହିଁ । ମୋର ବାହାରର ହସ କାନ୍ଦ ଅଭିମାନର ଅଶାନ୍ତତା ଯେତିକି ସତ୍ୟ, ମୋର ଭିତରର ଶାନ୍ତତା ମଧ୍ୟ ସେତିକି ଠିକ୍, ସେତିକି ସତ୍ୟ । ମୁଁ ଏକାଧାରରେ ଶାନ୍ତ, ପୁଣି ଅଶାନ୍ତ । ତମର ପୁରୀର ସମୁଦ୍ର ମନେଅଛି ରମୁ ଭାଇ ! କୂଳଟା କେତେ ଅଶାନ୍ତ; ଅଥଚ ଦୂର ଦିଗ୍‍ବଳୟରେ, ଯୋଉଠି ଖରା ଝିଲିମିଲି କ୍ଷୁଦ୍ର କ୍ଷୁଦ୍ର ଲହରୀମାଳ ଭିତରେ ନୋଳିଆର କ୍ଷୁଦ୍ର ନୌକାଟା ଏକ କଜ୍ଜଳ ବିନ୍ଦୁପରି ମନେହୁଏ ସେଇ ଜାଗାଟା କେତେ ଶାନ୍ତ ।

 

ରମୁ ଭାଇ !

 

ତମେ କ’ଣ ଜାଣନା ମୁଁ ତମରି ପାଇଁ ଉନ୍ମୁଖ ହୋଇ ବସିରହିଛି । ଏତିକିବେଳେ ତମେ ଆସନ୍ତ ନାହିଁ କ୍ଷୀରାବ୍‍ଧି ସାଗରକୋଳରୁ ତମର ଯୋଗନିଦ୍ରା ଭାଙ୍ଗି ଏକ ପ୍ରଚଣ୍ଡ ପ୍ରବଳ ଭୟାନକ, ସୁନ୍ଦର ମହାନ୍, ସାମୁଦ୍ରିକ ଝଡ଼–ଟାଇଫୁନ୍‌ର ବିଶ୍ଵରୂପ ଗ୍ରହଣ କରି । ତମେ ମୋତେ ଛୁଇଁ ଛୁଇଁ ଦିଅନ୍ତ ଓ ତା’ର ସ୍ପର୍ଶରେ ମୁଁ ଫୁଲି ଫୁଲି ଉଠନ୍ତି । ତା’ପରେ ମୋର ଉତ୍ତାଳ ତରଙ୍ଗମାଳାର ସମୁଦ୍ର ବାହୁରେ ମୁଁ ସହସ୍ରଭୁଜା ପ୍ରମତ୍ତ ସାମୁଦ୍ରିକ ଜୁଆର ମଧ୍ୟରେ ବହିଯାନ୍ତି । ବେଳାଭୂମି ନିଶ୍ଚିହ୍ନ କରି, ସମଗ୍ର ଜନପଦ, ଗ୍ରାମ ପ୍ରାନ୍ତରକୁ ପ୍ଳାବିତ କରି ନୂତନ ପ୍ରାଣବନ୍ୟାର ସ୍ରୋତରେ ।

 

ତା’ପରେ ଏକ ନୂତନ ମାଟିର ନୂତନ ପୃଥିବୀରେ ଆମେ ଗଢ଼ନ୍ତେ ଆମର ନୂତନ ସୃଷ୍ଟି-। ତମେ ଆଉ ମୁଁ । ଦୁଇଟି ଭିନ୍ନ ଏକକ ନୁହେଁ–ଦୁଇଟି ପରସ୍ପରର ପରିପୂରକ ଭାବରେ-। ତମେ ଅଧେ–ମୁଁ ଅଧେ । ଆମେ ଦୁହେଁ ମିଶି ହିଁ ଏକ ସ୍ଵୟଂ ସମ୍ପୂର୍ଣ୍ଣ ଏକକ ।

 

ରମୁ ଭାଇ !

 

ମୁଁ ଜାଣେ, ଚଳନ୍ତି ଦୁନିଆର ମାନଚିତ୍ରର ଗୋଟାଏ ଅଣଲେଉଟା ବାଟର ବାଟୋଇ ମୁଁ-। କିନ୍ତୁ ତଥାପି ମୋର ବିଶ୍ଵାସ ଅଛି । ତମେ ନିଶ୍ଚିୟ ଆସିବ ।

 

ସେଥିପାଇଁ ମୁଁ ଅପେକ୍ଷା କରିବି । ଅନନ୍ତ ଯୁଗ–ଅନନ୍ତ କାଳ...

 

ଏକ ନୂତନ ପୁରୁଷର ଆସିବାର ସମ୍ଭାବନାର ବାର୍ତ୍ତାବହ ଶୁଭକାଉର ଅନାହତ ଧ୍ଵନିର ପ୍ରତୀକ୍ଷାରେ...

Image

 

ଧର୍ମାନ୍ତର

 

ପୋଖରୀହୁଡ଼ା ତଳେ ଝାଡ଼ା ବସି ବିଶୁ ଦେଖୁଥାଏ ପୋଖରୀ ତଳ ଜମିଗୁଡ଼ାକୁ । କାର୍ତ୍ତିକ ମାସ । ଗହୀର ଜମିର ଧାନ ଏପର୍ଯ୍ୟନ୍ତ ଭଲକରି ଫୁଟିନି; କିନ୍ତୁ ଉପର ଅରାକ ଶାରଦଧାନ; ପାଚି ଆସିଲାଣି, କହିଲେ ଚଳେ । ଖାଲି ଧାନଗଛଗୁଡ଼ାକ କେବଳ ଅଧା ଅଧା ଶାଗୁଆ ରହିଛି । ବଢ଼ିଆ ଧାନ ହୋଇଛି । ଗଲା ଦି’ବର୍ଷକ ଫସଲ ଏକାବର୍ଷକେ ଉଠେଇନେବ ଘନା ଗଉଡ଼ । ଥିରି ଥିରି ଶୀତୁଆ ପବନରେ ଧାନକେଣ୍ଡାଗୁଡ଼ାକ ପୁରୁଣାକାଳିଆ ନୂଆବୋହୂ ପରି ମୁଣ୍ଡ ହଲଉଛନ୍ତି । ଠିକ୍ ବାହାପାଣି ଲାଗୁଥିବା ନୂଆବୋହୂ ପରି ପୂରିଲା ପୂରିଲା ଦେହ । ବଳିଲା ବଳିଲା ହାତଗୋଡ଼ । ଛନଛନ । ଲୋଭିଲା ଆଖିରେ ଚାହିଁରହିଲା ବିଶୁ ।

 

ପାଇଖାନା ସାରି ପୋଖରୀ ଭିତରେ ଧୁଆଧୁଇ ହୋଇସାରି ସେ ପୁଣି ବସିଲା ହୁଡ଼ା ଉପରର ବରଗଛଟା ତଳେ । ଘରକୁ ଯିବାକୁ ମନ ଡାକୁନି । କ’ଣ ପାଇଁ ବା ଦଉଡ଼ିଯିବ ? ଗଲେ ତ ଏଇନା ପିଲା ତିନିଟଙ୍କା ରାହା ଶୁଣିବାକୁ ପଡ଼ିବ । ଭୋକ ଲାଗିଛି–କ’ଣ ଖାଇବି ?

 

ତା’ର ଅବା ମାଣେକୁଣେ ଜମି ଥାନ୍ତା । ଏବେ ତ କାର୍ତ୍ତିକ ମାସ । କାମଧନ୍ଦା ସେଇ ଆଶ୍ଵିନ ମାସରୁ ବନ୍ଦ ହେଲାଣି । ଖାଇବାକୁ କିଛି ନାହିଁ । ସେଇଥିପାଇଁ ତ ସେ ପନ୍ଦରଦିନ ତଳେ ଯାଇଥିଲା ବାଲିଭାଇ ସାଙ୍ଗରେ ଟାଉନକୁ । ପନ୍ଦର ଟଙ୍କା ମିଳିଥିଲା ସୁବିଧାରେ । ଅପରେସନ୍ ଯାହାହେଉ ପଛେ । ହଁ ମ, ତିନିଟା ତ ହେଲେଣି, ଠାକୁର କଲେ ବଞ୍ଚିବେ; ନହେଲେ ତ ଶଳା ଉପାସ-ଭୋକରେ ମରିଯିବେ । ଯାହାହେଉ ସେଇ ଟଙ୍କାରେ ଏତେଦିନ ଚଳିଗଲା । ବାଲିଭାଇ ଫେର୍ ସେଥିରୁ ଗୋଟାଏ ଟଙ୍କା ନେଲା । ବଥାଟା ତଥାପି ପୂରାପରି ଯାଇନି । ବାଲିଭାଇ ଯାହାହେଉ ବୁଦ୍ଧି ବତେଇଦେଲା ବୋଲି ତ ଏଇ ମହର୍ଗ କାଳରେ ପନ୍ଦର ଦିନ ଚାଲିଗଲା ନା ? ଫେର୍ ଗୋଟେ କଥା ବତେଇଛି; ସୁଲିକୁ ପଠେଇବାକୁ । ସେ ଲୁପ୍ ନେବ । ସେଥିରେ ପୁଣି ଦଶଟଙ୍କା । ହେଉ, ସେଟା ଅରମାସକୁ ହେବ । ଏବେ ଦି’ଦିନ ହେଲା ସେମିତି ଉପାସ । ଛୁଆଙ୍କ ପାଇଁ ପେଜ-ତୋରାଣି କରି ଭାତ ମୁଠାଏ ଥିଲା । ଛୁଆଏ ଖାଇଲେ ଭାତ । ସେ ଓ ସୁଲି ତୋରାଣି ଟିକିଏ ପିଇ ରହିଛନ୍ତି । ଆଜିକି ତ କିଛି ନାହିଁ ।

 

ଖରା ମୁଣ୍ଡ ଉପରକୁ ଉଠିଲାଣି ।

 

ବିଶୁ ଉଠିଲା । ପୁଣି ଥରେ ଫେରି ଚାହିଁଲା ସେଇ ପାଚିଲା ଧାନର କିଆର ଆଡ଼କୁ । ମନ ମାନିଲା ନାହିଁ । ଧାନ କିଆର ହିଡ଼ ଉପରେ ଆସି ବସିଲା । ପବନରେ ପାଚିଲା ଧାନର ମିଠାମିଠା ଗନ୍ଧ । କେଡ଼େ କେଡ଼େ ହୁଡ଼ା ଦେଇଛି ଶଳା ଗଉଡ଼ । ହିଡ଼ ତଳକୁ ଓହ୍ଲେଇ, ପାଚିଲା ଧାନ କେଣ୍ଡାଗୁଡ଼ାକ ଆଉଁସିଲାଗିଲା ସେ । ତା’ପରେ ଦି’ଚାରିଟା ଧାନ ଛିଣ୍ଡେଇ ଆଣି ପାଟିରେ ପକେଇଲା ।

 

ଖରାବେଳଟା । କେହି କୁଆଡ଼େ ନାହିଁ । ପାଚିଗଲାଣି ଧାନଗୁଡ଼ା । ଭିତରଟା ଟିକେ ଟିକେ ଓଦା ଅଛି ଯେ । ମିଠା ମିଠା ଚାଉଳକୁ ଚୋବଉ ଚୋବଉ ପେଟଟା କେମିତି ଗୁଳେଇ ଉଠିଲା । ଚୋପାଗୁଡ଼ା ଥୁ-ଥୁ କରି ପକେଇ ଦେଇ ସେ ପୁଣି ହିଡ଼ ଉପରକୁ ଉଠିଲା । ମନେପଡ଼ିଲା ତା’ର ନୂଆ ବାହା ବେଳର କଥା । ସେତେବେଳେ ସୁଲିର ଗାଲ, ମୁହଁ ଏମିତି ଲାଗୁଥିଲା । ଗୋଟେ ଗୋଟେ ପାଦ ପକେଇ ବିଶୁ ଘର ଆଡ଼କୁ ମୁହେଁଇଲା ।

 

ସେଇ ଦିନ ରାତି ଅଧ...

 

ବିଶୁ ଡାକିଲା ଫିସ୍ ଫିସ୍ କରି–‘‘ଏଇ ସୁଲି...ଉଠ୍ ଉଠ୍ ।”

 

ସୁଲି ନିଦବାଉଳାରେ ଉଠିବସି ପାଟିକଲା, ‘‘କ’ଣ କହୁଛ ?”

 

ଘର ଭିତରଟା ଅନ୍ଧାର । ‘‘ପାଟି କରନା, ପିଲାଗୁଡ଼ାକ ଉଠିବେ । ଚାଲ ବାହାରକୁ ।”

 

“କୁଆଡ଼େ, ଏତେ ରାତିରେ ?”

 

“ପାଟି କରନା କହୁଛି । ଆ, ପାଛିଆଟା ଧର୍ ।”

 

ସୁଲି କହିଲା, ‘‘କୁଆଡ଼େ ଯିବା କହୁନୁ ?”

 

“ତତେ ତ କହିଲି ବାହାର ବୋଲି । ଏତେ ଫଟେଇହେଉଛୁ କାହିଁକି ? ବଳେ ଜାଣିବୁନି-?”

 

“ତୁ କହୁନୁ କୁଆଡ଼େ ଯିବା ?

 

“ଚୋପ୍ ଶାଳି...ମୋ...ଘରକୁ ଯିବା ।”

 

ସୁଲି ଚୁପ୍ ଚୁପ୍ ଉଠିପଡ଼ିଲା ।

 

ଝାଟି କବାଟର ଧଡ଼ାଟା ଖୋଲି ଦେଇ ଦି’ଜଣଯାକ ବାହାରକୁ ଆସିଲେ ।

 

ନିର୍ଜ୍ଜନ ରାତି । ଚାରିଆଡ଼େ କିଟିକିଟି ଅନ୍ଧାର । କାର୍ତ୍ତିକ ମାସର ନିର୍ମେଘ ଆକାଶ । ତାରାଗୁଡ଼ିକ ଉଜ୍ଜ୍ଵଳତର ହୋଇ ଜଳୁଛନ୍ତି । ତା’ରି ଆଭାରେ ଟିକିଏ ଟିକିଏ ବାଟ ବାରିହେଉଛି । ହେମାଳ ପବନରେ ଦେହ ଶୀତେଇ ଉଠୁଛି । ଗାମୁଛାଖଣ୍ଡକ ଭଲକରି ଦେହରେ ଗୁଡ଼େଇ ନେଲା ବିଶୁ । ତା’ପରେ ଅନ୍ଧାର ଭିତରେ ଚାଲିଲା ଆଗକୁ । ସୁଲି ତା’ ପଛରେ ପଛରେ ଚାଲିଥାଏ ।

 

ସେଇ କିଆରି ପାଖରେ ଅଟକିଗଲା ବିଶୁ । ଫିସ୍‍ଫିସ୍ କରି କହିଲା–“ତୁ ଏଇ ହିଡ଼ ଉପରେ ବସି ଚାରିଆଡ଼କୁ ନିଘା ରଖିଥା । କାହାକୁ ଦେଖିଲେ ଓହ୍ଲେଇପଡ଼ିବୁ ତଳକୁ; ମତେ ଡାକିଦେବୁ ।” ସୁଲିର ଛାତି ଧଡ଼ପଡ଼ ହେଉଛି । ସେ ବିଶୁର ହାତ ଧରିପକେଇ କହିଲା, ‘‘ତୁ ଧାନ ଚୋରି କରିବୁ ! ପାଚିଲା ଧାନ କିଆରିରୁ ! ତୋତେ ଏ ବୁଦ୍ଧି କିଏ ଦେଲା ! ତୋତେ ମୋ ରାଣ–ଲକ୍ଷ୍ମୀ ଠାକୁରାଣୀ କୋପ ହେବେ । ଦି’ମୁଠା ଅନ୍ନ ମିଳିବନି ଆମକୁ । ନୂଆ ପୂଜା ହୋଇନି...ମୋ ରାଣ...”

 

“ଚୁପ୍ କର–ମାର ଗୁଲି ତୋ ଲକ୍ଷ୍ମୀ ଠାକୁରାଣୀକୁ ।” ରାଗରେ ଫଁ ଫଁ ହୋଇଉଠିଲା ବିଶୁ :

 

“ସତେ ଯେମିତି ଲକ୍ଷ୍ମୀ ଠାକୁରାଣୀ ଇଆକୁ କୁଢ଼େଇ ପକାଉଛନ୍ତି ସବୁଦିନେ ! ବେଶୀ ପାଟି କରନା କହିଦେଉଛି...ଚୁପ୍ କରି ମୁଁ ଯାହା କହିଲି, କର ।”

 

ଆସ୍ତେ ଆସ୍ତେ ପଛିଆଟା ନେଇ ବିଶୁ ଓହ୍ଲେଇ ପହିଲା କିଆରି ଭିତରକୁ । ଅଣ୍ଟା ପଛ ଆଡ଼ୁ ଦା’ଟା ବାହାର କରି ଆଣି ସେ ଧୀରେ ଧୀରେ କାଟିବାକୁ ଲାଗିଲା ଉପର ଉପର ଧାନକେଣ୍ଡାଗୁଡ଼ାକୁ...ଚର୍-ଚର୍‍-ଚର୍‍ ।

 

ବିଶୁ ଦେହରେ ଅଜଣା ଉତ୍ତାପ । ସେ ଏକ ଅଭୂତପୂର୍ବ ଉତ୍ତେଜନା...ସତେ ଯେମିତି ସେ ଗୋଟିଏ ଝିଅକୁ ଧର୍ଷଣ କରୁଛି । ଚର୍ ଚର୍-ସେ ସେଇ ଉତ୍ତେଜନାରେ ନିଶାଗ୍ରସ୍ତ ଆଖି ବୁଜି ହୋଇଆସୁଛି ଗୋଟାଏ ଅଦ୍ଭୁତ ଆନନ୍ଦରେ । ଦେହରେ ଯେମିତି ଗୋଟାଏ ହାତୀର ବଳ ଚାଲିଆସିଲ ମୁହୂର୍ତ୍ତ ଭିତରେ ।

 

ସୁଲି ବସିଛି ହିଡ଼ ଉପରେ କୁଜି ହୋଇ; ଦୁଇ ହାତକୁ ମୁଣ୍ଡରେ ଲଗେଇ ।

 

“ହେ ମା’ ଲକ୍ଷ୍ମୀ, ହେ ମା’ ପିତାଖାଇ ଠାକୁରାଣୀ–ହୋ ମା’ ଗ୍ରାମଦେବୀ, ତୁ ରକ୍ଷା କର ମା’, ଦୋଷ କ୍ଷମା କରିବୁ ମା’ । ଇଏ ନ ଜାଣି ପାପ କରୁଛି; ଅନ୍ୟାୟ କରୁଛି । ଲକ୍ଷ୍ମୀ ମା’...ତୋ ଦିହରେ ହାତ ଦେଇଛି ମଣିଷଟା । ତାକୁ କ୍ଷମା କର ମା’ ! ତା’ର ଦୋଷ ମାର୍ଜନା କର ମା’ !”

 

ସେ କିଛି ଦେଖିପାରୁନି । ଖାଲି ମୁଣ୍ଡିଆ ମାରି ଚାଲିଛି ସବୁ ଠାକୁର-ଠାକୁରାଣୀଙ୍କି । ତା’ର ଆଉ କିଛି ହୋସ୍ ନାହିଁ । ସ୍ଵାମୀ ତା’ର ଅନ୍ୟାୟ କରୁଛି–ପାପ କରୁଛି–ଚୋରି କରିଛି; ସେ ପୁଣି ପାଚିଲା ଧାନ କିଆର ଭିତରୁ । ଲକ୍ଷ୍ମୀଙ୍କ ଉଆସରୁ । କିନ୍ତୁ ତା’ର କିଛି କରିବାର ଉପାୟ ନାହିଁ-। ନିଜର ଅସହାୟତାରେ ନିଜେ ଜଳିପୋଡ଼ି ଠାକୁରଙ୍କ ଆଶ୍ରା ଚାହୁଁଛି ।

 

ଘଣ୍ଟାଏ ବି ହେଇନି, ପାଛିଆ ପୂରା । ଗୋଟାଏ ଦମରେ ସେ କାଟିଚାଲିଥିଲା । ଅନ୍ଧାରରେ ଅଣ୍ଡାଳି ଦେଖିଲା । ପୂରିଗଲାଣି । ଦେହରେ ଗମଗମ ଝାଳ । ସୁଲୁ-ସୁଲୁ କରୁଛି ପିଠିପଟଟା; ଛୋଟ ଛୋଟ ପୋକ ମଶା କାମୁଡ଼ୁଛନ୍ତି ଖୋଲା ଦେହରେ ସେ ଅଣ୍ଟା ସଳଖି ଛିଡ଼ାହେଲା । ଗାମୁଛାଟାରେ ଦେହ ମୁହଁ ପୋଛି ନେଇ ଡାକିଲା–“ସୁଲି ଧର ।”

 

ସୁଲିର ସ୍ଵପ୍ନ ଭାଙ୍ଗିଲା । ସେ ଥିରି ଥିରି ଉଠିଆସିଲା ତା’ ପାଖକୁ । ପାଛିଆଟାକୁ ତା’ ମୁଣ୍ଡ ଉପରକୁ ଟେକି ଦେଇ କହିଲା ‘‘ଚାଲ ଶୀଘ୍ର ।” ଦା’ବେଣ୍ଟରେ ପିଠି ପାଖର କୁଣ୍ଢେଇ ହେଉଥିବା ଜାଗାଟାକୁ ଦି’ଥର ଘଷିଦେଇ ଦା’ଟାକୁ ଅଣ୍ଟାରେ ଖୋସି ସେ ବି ଚାଲିଲା ତା’ ପଛେ ପଛେ ।

 

ସୁଲି ଏକଦମ୍ ଧପାଲି ହୋଇ ଚାଲିଛି । ମୁଣ୍ଡ ଉପରେ ଏଡ଼େ ବୋଝଟା ଜମା ଜଣାପଡ଼ୁନି ତାକୁ । ଖାଲି ଗୋଟାଏ ଚିନ୍ତା କେମିତି ଘରେ ପହଞ୍ଚିବ । ସେ ଖାଲି ଦଉଡ଼ିଲା ପରି ଚାଲୁଛି । ପଛରୁ ବିଶୁ ଡାକି କହିଲା, ‘‘ଏମିତି ଦଉଡ଼ୁଛୁ କାହିଁକି ଲୋ–ପଡ଼ିଯିବୁ ଯେ । ଆସ୍ତେ ଚାଲ-।”

 

ତା’ କଥା କାନରେ ବାଜୁନି ସୁଲିର ।

 

ସେ ସେମିତି ଚାଲିଛି ।

 

ଘରେ ପହଞ୍ଚି ବୋଝ ଓହ୍ଲେଇ କବାଟ ବନ୍ଦ କରି ସାରିଲାପରେ ଯାଇ ସୁଲିର ପିଣ୍ଡରେ ପ୍ରାଣ ଆସିଲା । ଦୀର୍ଘ ନିଶ୍ଵାସ ଛାଡ଼ିଲା ସେ । ଦିହ ସାରା ଝାଳ ଫୁଟିପଡ଼ୁଛି । ତଳେ ନଥ୍‍କରି ବସିପଡ଼ି ସେ କାନିପଣତରେ ମୁହଁଟାକୁ, ବେକ ମୂଳକୁ ପୋଛିବାକୁ ଲାଗିଲା । ଧଇଁ ସଇଁ ହୋଇ ଯାଇଛି । ରାତି ଭିତରଟାରେ କିଏ ଯେମିତି ହାତୁଡ଼ି ପିଟୁଛି ।

 

କାହାରି ମୁହଁରେ କଥା ନାହିଁ । ଘଡ଼ିଏ ବସି ସାରିଲାପରେ ସୁଲି ଯାଇ କଳସୀରୁ ବେଲାଏ ପାଣି ପିଇଲା । ବିଶୁ ଡାକିଲା, ‘‘ଏଇ ସୁଲି ସାଙ୍ଗେ ସାଙ୍ଗେ ମଳିପକା, କାଲି ସକାଳୁ କିଛି ରହିବ ନାହିଁ ଯେମିତି” ।

 

ବଖୁରିଆ ଘରର ଗୋଟିଏ କଣକେ ଧାନଗୁଡ଼ାକ ଅଜାଡ଼ି ଦେଲା ବିଶୁ । ତା’ପରେ ଦି’ଜଣଯାକ ତା’ ଉପରେ ଛିଡ଼ା ହୋଇ ମଳିବାକୁ ଲାଗିଲେ । ନୂଆ ଧାନର ମହକରେ ଘର ଭିତରଟା ବାସି ଉଠୁଛି । ବିଶୁର ନିଃଶ୍ଵାସରେ ସେଇ ମହକ ଆଣିଦେଉଥାଏ ଏକ ଗଭୀର ପରିତୃପ୍ତି-। ସେ ପୁଣି କହିଲା, ‘‘ଏଇ ସୁଲି–ଧାନଗୁଡ଼ାକ ରାତାରାତି ଉଷେଇଁ ପକା । ଏ ଯୋଉ ବାସନା ଦେଉଛି ନା, ସକାଳୁ ଚାରିଆଡ଼କୁ ଚହଟି ଯିବ । କୁଟାଗୁଡ଼ାକ ଏଇନା ଜାଳିଦେବା । କିଏ କୁଆଡ଼େ ଦେଖିବ ସକାଳୁ ।”

 

ଧାନ ମଳାମଳି କରି ଉଷୁଆଁ ହାଣ୍ଡିରେ ପଡ଼ିସାରିଲାବେଳକୁ ଭୋର ହେଲାଣି ।

 

ବିଶୁ, କେତେବେଳୁ ପିକାଟିଏ ମୋଡ଼ି ଧୂଆଁ ପିଉ ପିଉ ଶୋଇଗଲାଣି ପିଲାଙ୍କ ପାଖରେ-

 

ସୁଲି ଚୁଲି ମୁଣ୍ଡରେ ବସି ନିଆଁ ଜାଳୁଛି କୁଟାର । ପାଣି ସେଁ ସେଁ ହେଉଛି । ଆଉ ଟିକିଏ ଗଲେ ଫୁଟିବ । ସୁଲିର ନାକରେ ବାଜୁଛି ଧାନସିଝାର ଗନ୍ଧ । ଆଖି ବୁଜିହୋଇ ଆସୁଛି ତା’ ବାସ୍ନାରେ । କାଲି ସେ ଭଲ କରି ମୁଠାଏ ଭାତ ଖାଇବ । ପାଞ୍ଚଦିନ ହେଲା ଖାଲି ତୋରାଣି ପିଇ ପିଇ ରହିଛି । କାଲି ସେ ପେଟପୂରା କରି ଖାଇବ । ସେଇ କଳ୍ପନାରେ ତା’ ମୁହଁରେ ମୁଚୁମୁଚୁ ହସ ଖେଳିଗଲା । ଏକ ଗଭୀର ପରିତୃପ୍ତିରେ ତାକୁ ନିଦ ମାଡ଼ିଆସିଲା । ସେ ଢୁଳଉ ଢୁଳଉ କାନିପାରି ଶୋଇପଡ଼ିଲା ସେଇ ଚୁଲିଶାଳେ ।

 

ଲକ୍ଷ୍ମୀ-ଠାକୁରାଣୀ କଥା, ତା’ ସ୍ଵାମୀର ପାପ ଓ ଅନ୍ୟାୟ କଥା ସେ କେତେବେଳୁ ଭୁଲିଗଲାଣି ।

Image

 

Unknown

ଅପଦାର୍ଥ

 

ଦୀର୍ଘ ସତର ବର୍ଷ କେବଳ ଚକ୍ଷୁ କୁଟି ଆସିଛି । ଗୋଟାଏ ବିମୂର୍ତ୍ତ ଆଦର୍ଶ ପଛରେ ଧାଇଁ ଧାଇଁ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନେଇ କେବେ ଲେଖିନାହିଁ...ଖାଲି ଗୋଟାଏ ଅର୍ଥହୀନ ଏକଜିଦିଆ ମୂର୍ଖାମି ଗୁଣଯୋଗୁଁ । ସାହିତ୍ୟିକ ପେଶାଗତ ହେଲେ ତା’ର ସାହିତ୍ୟିକ ମୂଲ୍ୟ କମିଯାଏ । ସେ ପ୍ରକୃତ ସାହିତ୍ୟ ସ୍ରଷ୍ଟା ହୋଇପାରେନା । ଏଇ ଗୋଟାଏ ବାଜେ ଧାରଣା ନେଇ ସତର ବର୍ଷ ବିତେଇ ଦେଇଛି । ନା, ଏଥର ଆଉ ନୁହେଁ । ଡେରିରେ ହେଲେ ବି ବୁଦ୍ଧି ଆସିଛି ମୁଣ୍ଡରେ ।

 

ସାହିତ୍ୟକୁ ନେଇ କିଏ କେତେ ବଡ଼ ହେଲେଣି । ଆଉ ସେ ଯେମିତିକୁ ସେମିତି ପଡ଼ିଛି-। ସାହିତ୍ୟିକ ଜଗତରେ ଯେମିତି ଅଲୋଡ଼ା ଓ ଅଖୋଜା, ସାଂସାରିକ କ୍ଷେତ୍ରରେ ବି ଠିକ୍ ସେଇପରି ବେଦରକାରୀ ହୋଇଯାଇଛି । ଏଇ ତ ମଧୁସୂଦନ, ଗଳ୍ପର ‘ଗ’ ଯାହାକୁ ଲେଖି ଆସେନା ସେ ଏଥର ପାଇଛି ଏକାଡେମୀ ପୁରସ୍କାର । କେତେ ନାମ । ପୁଣି ହଜାରେ ଟଙ୍କା । ଆଃ...ହଜାରେ ଟଙ୍କା ! ପୁଣି ବହି ଛପାଇବାପାଇଁ ପ୍ରକାଶକମାନେ ଆଗେଇ ଆସିବେ । ଏକାଡେମୀ ପୁରସ୍କାର ମୋହର ମାରି ଏଥର ତା’ର ସବୁ ବହି ଛପା ହୋଇଯିବ–ଟଙ୍କା ପାଇବ । ରୋୟେଲ୍‍ଟି-

 

ମଧୁସୂଦନ-ମଧୁସୂଦନ । ପନ୍ଦର ବର୍ଷ ତଳେ ସେ ଯେତେବେଳେ ଗପଟିଏ ଧରି ଆସିଥିଲା କଲେଜ ମେଗାଜିନ୍ ସମ୍ପାଦକଭାବେ ତା’ ପାଖକୁ ଦେବାପାଇଁ, କି ଲଜ୍ଜା ସଂକୋଚ ନେଇ ସେ ଛିଡ଼ା ହୋଇଥାଏ । କେତେ ଅନୁନୟ ବିନୟ ଥିଲା ତା’ କଣ୍ଠରେ ଲେଖାଟିକୁ ଛାପିବା ପାଇଁ; କିନ୍ତୁ ଲେଖାଟି ଏକାବେଳକେ ରବିସ୍; କିନ୍ତୁ ପିଲାଟିର ଆଗ୍ରହ ଓ ଲେଖିବାର ଇଚ୍ଛାକୁ ଭାଙ୍ଗି ନ ଦେବା ପାଇଁ ସେଇ ଗପଟିକୁ ପୂରା ପୂରି ବଦଳେଇ ନିଜେ ଲେଖି ତା’ ନାଁରେ ଛପେଇ ଦେଇଥିଲା । ସେ ଆଜି ବଡ଼ ଲେଖକ–ନିୟତି ଯେ କାହାକୁ କେତେବେଳେ ନେଇ କେଉଁଠି ବସାଏ କିଏ କହିପାରିବ ?

 

ଆଉ ସେ ? ସେତେବେଳର କିଶୋର ଦାସ । ‘‘ଓଡ଼ିଆ ସାହିତ୍ୟର ବିସ୍ମୟକର ପ୍ରତିଭା”, ‘‘ଓଡ଼ିଆ ସାହିତ୍ୟର ନବୋଦିତ ଅରୁଣ’’, ‘‘ସାହିତ୍ୟାକାଶର ଉଜ୍ଜ୍ଵଳ ନକ୍ଷତ୍ର”–ଆଜି ଅଢ଼େଇଶହ ଟଙ୍କାର ମାଇନର ସ୍କୁଲ ହେଡ଼ମାଷ୍ଟର । ସାହିତ୍ୟକୁ ସେ ଖାଲି ଦେଇଯାଇଛି; କିନ୍ତୁ ନେଇ ପାରିନି । ଦାନ ଦେଇ ଦେଇ ନିଜକୁ ନିଃସ୍ଵ କରିଛି; କିନ୍ତୁ ପ୍ରତିଦାନରେ କିଛି ପାଇବା ପାଇଁ ମନେ ବି କରିପାରେନି ।

 

ଟେବୁଲ୍‍ ଉପରେ ଖାତା କଲମ ରଖାଇଯାଇଛି । ସେ କଣକୁ ପାଣିକି ସୁଚିତ୍ରା ରଖିଦେଇଛି ପୋଷ୍ଟକାର୍ଡ଼ ଢାଙ୍କି । ସ୍ଵାମୀ ତା’ର ଲେଖିବେ । ଲେଖି ଏଥର ପଇସା ଆଣିବେ । ଅନ୍ୟଦିନ ହୋଇଥିଲେ ସେ ଅଭିଯୋଗ କରିଥାନ୍ତା । ଅଭିମାନ କରି ରାଗିମାଗି ଗାଳିବର୍ଷଣ କରିଥାନ୍ତା । ‘‘କ’ଣ ହେବ ସେ ଛେନାଗୁଡ଼ ଲେଖି ? କ’ଣ ଲାଭ ମିଳୁଛି ସେଥିରୁ ? ଖାଲି ମିଛଟାରେ ରାତି ଅନିଦ୍ରା ହୋଇ ନିଜ ଦେହ ଖରାପ କରିବା ସାର । ସେ ଶୁଖିଲା ନାଁରୁ କ’ଣ ମିଳିବ ?”

 

ଅଥଚ ଏଇ ସୁଚିତ୍ରା ତା’ର ପ୍ରେମରେ ପଡ଼ିଥିଲା ତା’ର ଗପ ପଢ଼ି । ତା’ର ବିବାହ ପ୍ରେମ ବିବାହ ନୁହେଁ; କିନ୍ତୁ ସୁଚିତ୍ରା ପ୍ରଥମ-ବାର୍ଷିକ ଶ୍ରେଣୀରେ ପଢ଼ୁଥିବାବେଳେ ତାକୁ ଜାଣିବା ଆଗରୁ ତା’ ଲେଖା ସହିତ ପରିଚିତ ହୋଇଯାଇଥିଲା; ସେଥିପାଇଁ ସେ ମନେ ମନେ ଭଲପାଇ ବସିଥିଲା । ତେଣୁ ତା’ର ବିବାହ ପ୍ରସ୍ତାବ ପଡ଼ିଲା ପରେ ସେ ରାଜି ହୋଇଯାଇଥିଲା ବାହାହବାପାଇଁ । ନହେଲେ ତା’ ଆଗରୁ ବୋଉ ସାଙ୍ଗରେ କଳି କରୁଥିଲା ପଢ଼ିବ ବୋଲି । ବାହାହବା ପାଇଁ କହିଲେ କାନ୍ଦି କାନ୍ଦି ଓପାସ ରହୁଥିଲା । ସୁଚିତ୍ରାର ବଡ଼ ଗର୍ବ ସ୍ଵାମୀ ତା’ର ଜଣେ ଲେଖକ । ବାହାହବା ପରେ ସେଇଥିପାଇଁ ଲେଖିବାକୁ ସେ ତାକୁ ପ୍ରେରଣା ଦେଉଥିଲା; ଜୋର୍ କରି ଲେଖିବା ପାଇଁ ବାଧ୍ୟ କରୁଥିଲା । ବିବାହର ପ୍ରଥମ ଦିନର ମଧୁମୟ ଲଗ୍ନଗୁଡ଼ିକୁ ସମ୍ପୂର୍ଣ୍ଣଭାବରେ ଅନୁଭବ କରିବାକୁ ଆରମ୍ଭ କରୁଥିଲା, ସେତେବେଳେ ହିଁ ସୁଚିତ୍ରା ତା’ ହାତରେ ଜୋର କରି କଲମ ଧରେଇଦେଉଥିଲା-। ତା’ର ଅନିଚ୍ଛା ସତ୍ତ୍ୱେ ବି ସୁଚିତ୍ରା ପାଇଁ ଲେଖୁଥିଲା । କିନ୍ତୁ ଆଜି ? ଲେଖିବାକୁ ବସିଲେ ସୁଚିତ୍ରାର ରାଗ ପଞ୍ଚମକୁ ଉଠିଯାଏ । କିଛି କହି ନପାରି ଛୁଆଗୁଡ଼ାକୁ ବାଡ଼େଇ ପକାଏ । ତାଙ୍କର ଚିତ୍କାର ଓ କାନ୍ଦଣା ଭିତରେ ତା’ର ଭାବନାର ଖିଅ ହଜିଯାଏ । କଲମ ରଖି ଦେଇ ଛୁଆକୁ କଖକରି ନେଇ ଭୁଲାଏ । ପ୍ରଥମେ ପ୍ରଥମେ ଭୀଷଣ ରାଗି ଯାଉଥିଲା । ସୁଚିତ୍ରା ଉପରେ ରାଗି ଗାଳି ଦେଉଥିଲା...“ପିଲାମାନଙ୍କୁ ଏମିତି ମାରୁଛ କାହିଁକି ?” ସୁଚିତ୍ରା ଏତିକିର ଅପେକ୍ଷା ରଖିଥାଏ-। ଏତକ ଯେମିତି ତା’ର ଜଳନ୍ତା କ୍ରୋଧର ଇନ୍ଧନ । ସେଇ ମାନସୀ, ପ୍ରେୟସୀ, ପ୍ରେରଣାମୟୀ ସୁଚିତ୍ରା ମୁହୂର୍ତ୍ତକରେ, ପଲକରେ ପାଲଟିଯାଏ ଖଣ୍ଡା-ଖର୍ପରଧାରିଣୀ ଭୈରବୀ ବେଶରେ ‘‘କ’ଣ କେତେଟା ଚାକର ରଖିଛ ମୋ’ପାଇଁ ଯେ ତାକୁ କୋଳରେ ବସେଇ ଗେଲ କରୁଥିବି । ଚୁଲିଶାଳକୁ ନଗଲେ ମୁହଁକୁ ଗୁଣ୍ଡା ଉଠିବ କେମିତି ?” ସୁଚିତ୍ରାକୁ ଦୋଷ ଦେଇ ଲାଭନାହିଁ । ତା’ପ୍ରତି ତ ଗୋଟେ କର୍ତ୍ତବ୍ୟ ଅଛି । ପିଲାମାନଙ୍କ ପାଇଁ ବି କର୍ତ୍ତବ୍ୟ ରହିଛି । ସେ କେବଳ ସାହିତ୍ୟିକ ନୁହେଁ ଜଣେ ସ୍ଵାମୀ, ଜଣେ ପିତା । ସେଇଟା ହିଁ ତା’ର ପ୍ରଥମ ଦାୟିତ୍ଵ । ସେମାଙ୍କୁ ସୁଖୀ କରିବା ପାଇଁ, ସେମାନଙ୍କୁ ଟିକିଏ ଭଲଭାବରେ ଚଳେଇବା ପାଇଁ ତା’ର ସାମର୍ଥ୍ୟ ଟିକକ ବିନିଯୋଗ କରିବାକୁ ବାଧ୍ୟ । ତା’ର ବ୍ୟକ୍ତିତ୍ଵକୁ ପରିବାରର କର୍ତ୍ତବ୍ୟବୋଧ ପାଖରେ ଜଳାଞ୍ଜଳି ଦେବାକୁ ସେ ବାଧ୍ୟ । ନହେଲେ ସେ ହେବ ଅସାମାଜିକ, ଦାୟିତ୍ଵହୀନ ନାଗରିକ । ସେ ସୁଲେଖକ ହୋଇପାରେ; କିନ୍ତୁ ସୁନାଗରିକ ହୋଇପାରିବ ନାହିଁ । ଯେଉଁ ଲେଖକ ନିଜର ପରିବାରର କର୍ତ୍ତବ୍ୟର ବୋଝ ସମ୍ଭାଳିପାରେନା, ସେ ସମାଜକୁ କି କର୍ତ୍ତବ୍ୟର ଉପଦେଶ ଦେବ ?

 

ଜଣକୁ ସୁଲେଖକ ହେବାକୁ ହେଲେ, ବୋଧହୁଏ ପ୍ରଭୂତ ଧନ-ସମ୍ପତ୍ତିର ଅଧିକାରୀ ହେବାକୁ ହେବ । ନହେଲେ ଘର-ସଂସାରର ମାୟା ପରିତ୍ୟାଗ କରିବାକୁ ପଡ଼ିବ । ତା’ ନହେଲେ ମଧ୍ୟବିତ୍ତର ନିତ୍ୟ ନୈମିତ୍ତିକ ସାମାଜିକ କର୍ତ୍ତବ୍ୟବୋଧର କାରାଗାର ଭିତରେ ତା’ର ସାହିତ୍ୟିକ ଜୀବନକୁ ଚିରଦିନ ପାଇଁ ବନ୍ଦୀ କରିଦେବାକୁ ହେବ; କିନ୍ତୁ ଏ ଦୁହିଁଙ୍କର ସହାବସ୍ଥାନ ଅସମ୍ଭବ । ସେଥିପାଇଁ ପୃଥିବୀର ସର୍ବଶ୍ରେଷ୍ଠ କବି, ସାହିତ୍ୟିକ, ଶିଳ୍ପୀ, କଳାକାର ବୋଧହୁଏ ସମାଜ-ଛଡ଼ା, ଘର-ଛଡ଼ା ଅସାମାଜିକ ବ୍ୟକ୍ତି କିମ୍ୱା ବହୁ ସମ୍ପତ୍ତିର ଅଧିକାରୀ; କିନ୍ତୁ ଏ ଦୁଇଟିର ସହାବସ୍ଥାନରେ ଯେଉଁମାନେ ଲେଖନ୍ତି, ଲେଖଛନ୍ତି, ଲେଖିବେ, ସେମାନେ କେବଳ କଲମ-ଚାଳକ, ଯାନ୍ତ୍ରିକ, ପ୍ରାଣହୀନ କଳାର ବ୍ୟବସାୟୀ; ସାହିତ୍ୟର କାଳବଜାରୀ–ସାହିତ୍ୟିକ ନୁହଁନ୍ତି ।

 

କିଶୋର ଚମକି ପଡ଼ିଲା । ଛି, ପୁଣି ସେଇ ପୁରୁଣା ଭାବନା ମୁଣ୍ଡକୁ ଢୁକୁଛି । ନା, ନା, ଏସବୁ ବାଜେ କଥା । ମିଛ କଥା । ସବୁ କଳା ମିଥ୍ୟା, ସବୁ ସାହିତ୍ୟ ମିଥ୍ୟା–ସତ୍ୟ କେବଳ ଜୀବନ, ବଞ୍ଚିବା । ବଞ୍ଚିରହିଥିବା ପର୍ଯ୍ୟନ୍ତ ସବୁ ସାହିତ୍ୟ ସବୁ କଳାର ମୂଲ୍ୟ । ମୃତ୍ୟୁ ପରେ ସେ ସାହିତ୍ୟ, ସେ କଳାର ସୁନାମ ଦୁନାମ ତା’ର କ’ଣ କରିପାରେ ? କିଛି ନୁହେଁ–ତେଣୁ ବଞ୍ଚିବା ପାଇଁ ସବୁ ପେଶା ପରି ସାହିତ୍ୟ ମଧ୍ୟ ଗୋଟାଏ ପେଶା । ତାକୁ ବିକ୍ରିକରି ପେଟ ପୋଷ । ତାକୁ ସଜେଇ ବଜାର ଭିତରକୁ ଛାଡ଼ିଦିଅ । ବଜାରରେ ତା’ର ବିକ୍ରିର ମୂଲ୍ୟ ବଢ଼ିଯିବ । ଆଉ ସେଇ ମୂଲ୍ୟରେ ସାହିତ୍ୟିକ ବଞ୍ଚିବ । ସାହିତ୍ୟିକ ଜଣେ ମଣିଷ । ସେ ମଣିଷକୁ ବଞ୍ଚିବା ପାଇଁ ଅବଲମ୍ଵନ ଲୋଡ଼ା । କିଏ ଦେହ ବିକେ, କିଏ ମନ ବିକେ, କିଏ ବା ନାନା ପ୍ରକାର ଜିନିଷ ତିଆରି କରି ବିକେ । ହେଣ୍ଡିକ୍ରାଫ୍‌ଟ–କାଠ କୁଣ୍ଢେଇ, ତାଳପତ୍ର ପଙ୍ଖା, ଛୁଞ୍ଚିକାମ, କାଠକାମ, ରଙ୍ଗକାମ । ସାହିତ୍ୟ ସେମିତି ଗୋଟାଏ ହେଣ୍ଡିକ୍ରାଫ୍‌ଟ । ଯେଉଁ କାରିଗର ଯେତେ କୁଶଳୀ ହୁଏ, ବଜାର ବୁଝିପାରେ, ଗରାଖମାନଙ୍କର ଚାହିଦା ଜାଣିପାରେ, ତା’ ଜିନିଷ ସେତେ ବିକ୍ରି ହୁଏ । ସାହିତ୍ୟିକ ସେମିତି ଗରାଖମାନଙ୍କ ମନ ବୁଝିବା ଦରକାର । ନହେଲେ ତା’ ସାହିତ୍ୟ ପୁରସ୍କୃତ ଶିଳ୍ପୀର ଶିଳ୍ପ ଅନ୍ଧାରୁଆ କୋଣରେ ଅଳନ୍ଧୁ ଲଗା ହୋଇ ବର୍ଷ ବର୍ଷ ପଡ଼ିରହିଲାପରି ପଡ଼ିରହିଥିବ । ସେଥିରେ ସେ ସୁ-ସାହିତ୍ୟ ରଚନା କରିଛି ବୋଲି ନିଜେ ଯେତେ ଆତ୍ମସନ୍ତୋଷ ଲାଭକଲେ ମଧ୍ୟ ନିଜେ ସେମିତି ଅଲୋଡ଼ା ଆଖୋଜା ହୋଇ ପଡ଼ିରହିଥାଏ ଶେଷ ପର୍ଯ୍ୟନ୍ତ । କିଛି ଦରକାର ନାହିଁ ଭବିଷ୍ୟତର ପ୍ରଶଂସା । ଭବିଷ୍ୟତ ବର୍ତ୍ତମାନ ସଂପ୍ରସାରଣ ନୁହେଁ । ଭବିଷ୍ୟତ ଏକ ନୂତନ ସ୍ଵୟଂସମ୍ପୂର୍ଣ୍ଣ ବର୍ତ୍ତମାନ-। ସେଥିରେ ଆଜିକାର ବର୍ତ୍ତମାନର ଦରକାର ଥାଇପାରେ, ନଥାଇ ବି ପାରେ; ତେଣୁ ସେଥିପାଇଁ ଭାବି ଲାଭ ନାହିଁ । ତାକୁ ଆଗରେ ରଖି କିଛି କରିବା ବୋକମି ।

 

ସେ ଭୁଲ କରିଛି । ବହୁତ ଭୁଲ କରିଛି । ଏବେ ବି ସମୟ ଅଛି । ଆଉ ସେ ଭୁଲର ପୁନରାବୃତ୍ତି କରିବା ଦରକାର ନାହିଁ । ପୁଣି ଥରେ ଯଦି ସେ ଭୁଲ୍ କରି ବସେ, ସାରା ଜୀବନ ସେ ଆଉ ଏ ସୁଯୋଗ ପାଇବ ନାହିଁ । ସେ ଲେଖିବ ନିଶ୍ଚୟ ଲେଖିବ ।

 

ପ୍ରକାଶ ବି ସେଇ କଥା କହୁଥିଲା । ପ୍ରକାଶଚନ୍ଦ୍ର ମିଶ୍ର । ଶିକ୍ଷାବିଭାଗର ସେକ୍ରେଟାରୀ । ସାଂସ୍କୃତିକ ବ୍ୟାପାର ଡିରେକ୍ଟର । ସେ ଦିନ ସେକ୍ରେଟାରୀଏଟ୍ ବାରଣ୍ଡାରେ ଦେଖାହେଲା ହଠାତ୍ । ପ୍ରକାଶ ଯେ ଚିହ୍ନି ପାରିବ ସେ ଧାରଣା ନଥିଲା । କିନ୍ତୁ ଚିହ୍ନିଲାତ ! ଏଇଟା ତ ତା’ର ଭାଗ୍ୟ । ପନ୍ଦର ବର୍ଷ ପରେ ବି ସେ ତ ତାକୁ ଦେଖାକରିବାକୁ ଯାଇନଥିଲା । କିନ୍ତୁ ଦେଖା ହୋଇଗଲା । ଭାଗ୍ୟ ନୁହେଁ ତ କ’ଣ ?

 

“ଆରେ କିଶୋର ନାଁ ?”

 

ସେ ପ୍ରଥମେ ତମେ କହିବ କି ଆପଣ କହିବ, କିଛି ଭାବି ପାରିନଥିଲା । ହଠାତ୍ କାହିଁକି ତା’ର ଅଜଣାରେ ତା’ର ଅଣ୍ଟା ପାଖରୁ ନଇଁଯାଇଥିଲା । କୃତଜ୍ଞତାରେ ନା ନିଜର ହୀନମନ୍ୟତାରେ ? ସେ ଯେପରି ବାକ୍‍ରୁଦ୍ଧ ହୋଇଯାଇଥିଲା । କଲେଜ ଜୀବନର ଅନର୍ଗଳ ବକ୍ତା ପୁଣି ମାଷ୍ଟରିଆ ଜୀବନରେ ଘଣ୍ଟା ଘଣ୍ଟା ଧରି ବକ୍ତୃତା ଦେଉଥିବା ମାଷ୍ଟର ତଣ୍ଟିଟା ହଠାତ୍ କେମିତି ଅଠା ଅଠା ହୋଇଗଲା । କଥା ବାହାରିଲା ନାହିଁ । ଆଖି ଛଳଛଳ ହୋଇଉଠିଲା–ଆନନ୍ଦରେ; ଏକ ଅଦ୍ଭୁତ ଗୌରବବୋଧରେ । ନିଜର ଅସ୍ତିତ୍ଵ ସମ୍ବନ୍ଧରେ ନିଜେ ସଚେତନ ହୋଇଉଠିଲା ପରଶମଣି ସେକ୍ରେଟାରୀ ବନ୍ଧୁଙ୍କୁ ଚିହ୍ନା ସ୍ଵରର ସ୍ପର୍ଶରେ ।

 

ପ୍ରକାଶ ବୋଧହୁଏ ବୁଝିପାରିଲା ତା’ କଥା । ତେଣୁ ସାଙ୍ଗେ ସାଙ୍ଗେ କହିଲା, ‘‘ଆସ ମୋ ସାଙ୍ଗରେ ଆସ । କିଛି କାମ ନାହିଁ ତ ?” ସ୍ଵପ୍ନବିହ୍ୱଳ ହୋଇ କିଶୋର ଦାସ ପ୍ରକାଶ ପଛରେ ଯାଇଥିଲା ତା’ର ପ୍ରକୋଷ୍ଠ ଭିତକୁ । ଚେୟାରରେ ବସିସାରିଲା ପରେ ବି ସେ ନିଜକୁ ଠିକ୍ ରଖିପାରୁନଥିଲା । ଏକ ଅଭାବିତ କଥା ଡେପୁଟି ଇନ୍‌ସପେକ୍ଟରଙ୍କ ପାଖରେ ଯା’ର ପାଟି ଖନି ବାଜିଯାଏ, ବସିବାର ସାହସ ଯିଏ ପାଏନା, ସେ ଆଜି ବିଭାଗର ସର୍ବୋଚ୍ଚ କର୍ତ୍ତା ସାମ୍ନାରେ ଚେୟାରରେ ବସିଛି । ସେ ପୁଣି ତା’ର ପୂର୍ବତନ ବନ୍ଧୁ । ଉଃ, ଭାଗ୍ୟ-ଭାଗ୍ୟ ।

 

“କ’ଣ କରୁଛ ଆଜିକାଲି ? ବହୁତ ଦିନପରେ ଦେଖା ।”

 

“ମାଇନର ସ୍କୁଲର ହେଡ଼ମାଷ୍ଟର ଅଛି ।”

 

“ଆଉ ଲେଖାଲେଖି ଛାଡ଼ିଦେଲଣି ବୋଧହୁଏ । କାହିଁ ଆଉ ତ ଲେଖା ଦେଖୁନି ।”

 

“ହିଁ ଛାଡ଼ିଦେଲିଣି ଏକପ୍ରକାର । ନାନା ପ୍ରକାର ଜଞ୍ଜାଳ ।”

 

“ଆଚ୍ଛା, ତମେ ତ କାହିଁ କେଉଁ କମ୍ପିଟିସନରେ ଲେଖା ଦେଉନ ? ଏତେ ପ୍ରକାର ବାହାରୁଛି । ବନମହୋତ୍ସବ, ଫେମିଲି ପ୍ଲାନିଂ, ପ୍ରୌଢ଼ଶିକ୍ଷା, ଶିଶୁମାନଙ୍କ ପାଇଁ ଲେଖା...”

 

“ମାନେ, ମୁଁ...ଆମ ଲେଖା କିଏ ପଚାରିବ ?”

 

“ନା, ନା, ତମେ ତ ଖୁବ୍ ସୁନ୍ଦର ଲେଖୁଥିଲ । ତମର କଲେଜରେ ସେଇ ଏକାଂକିକାଗୁଡ଼ା କି ଚମତ୍କାର ହେଉଥିଲା । ନା, ନା ତମେ ଏଥର ଦିଅ । ଆମର ଗୋଟେ ଶିଶୁ ଲେଖା ବିଷୟରେ କମ୍ପିଟିସନ ହେଉଛି । ମୁଁ ଦେଖିବି ତମ ଲେଖାଟା ଯେମିତି ସିଲେକ୍ଟ ହୁଏ । ସତରେ ଆଜି ବି ସେଇ କଲେଜ ଜୀବନ କଥା ମନେପଡ଼ିଲେ ତମ କଥା ବେଶୀ ମନେପଡ଼େ । ତମର ଏତେ ସୁନ୍ଦର ପ୍ରତିଭା ଥିଲା ! ନା, ନା, ତମେ ତାକୁ ନଷ୍ଟକରନା । ତା’ଛଡ଼ା ଏଥିରେ ତ ତମେ କିଛି ପଇସା ବି ପାଇବ । ଯଦିଓ ପୁରସ୍କାର ପରିମାଣଟା ବେଶୀ ନୁହେଁ–ତଥାପି ଆଜିକାଲି ଯୁଗରେ ହଜାରେ କିମ୍ବା ପାଁଶ ପାଇବାଟା ତ...ତମେ ନିଶ୍ଚୟ ଲେଖିବ । ବୁଝିଲ, ଆଚ୍ଛା–ସେ କମ୍ପିଟିସନର ଫର୍ମ ନେଇଛ ? ନେଇ ନ– ? ଆଚ୍ଛା, ଆଚ୍ଛା । (କଲିଂବେଲ୍ ଚିପି ଚପରାଶିକୁ) ଗଜିବାବୁଙ୍କୁ ଡାକିଲ ।”

 

ଏତିକିବେଳେ ପ୍ରବେଶ କଲେ ସ୍ୱାସ୍ଥ୍ୟବିଭାଗର ସେକ୍ରେଟାରୀ । ସେ ତାଙ୍କୁ ଜାଣି ନଥିଲା-। ଜାଣିବାର ସୁଯୋଗ ନଥିଲା । ହଠାତ୍ ପ୍ରକାଶ ବ୍ୟସ୍ତ ହୋଇଉଠିଲା । ‘‘ଆରେ ଆରେ ସୁବା ରାଓ ବାବୁ, ଆସନ୍ତୁ ଆସନ୍ତୁ । ବସନ୍ତୁ । ଆଉ କ’ଣ ଖବର ? କୁଆଡ଼େ ଗଡ଼ିପଡ଼ିଲେ ?” ସେ ଭଦ୍ରଲୋକ ତା’ ଆଡ଼କୁ ଗୋଟାଏ ପୂରା ମିନିଟ୍ ଚାହାଣି ଦେଇ ତା’ର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ, ଲୁଗାପଟା ଲକ୍ଷ୍ୟ କରି ସାରି ଏକ ନିର୍ଦ୍ଦିଷ୍ଟ ଧାରଣାରେ ଉପନୀତ ହୋଇ ଗୋଟାଏ ତାଚ୍ଛଲ୍ୟ-କରୁଣାଭାବ ଦେଖାଇ ଦୂର ଚେୟାରରେ ବସିପଡ଼ିଲେ ।

 

ପ୍ରକାଶ ଆହୁରି ବ୍ୟସ୍ତ ହୋଇପଡ଼ିଲା । ପୁଣି କଲିଂ ବେଲ୍ ଚିପିଲା, ଏଥର କିନ୍ତୁ ଗଜିବାବୁ ହିଁ ପଶିଆସିଲେ ଚପରାଶି ସହିତ । ପ୍ରକାଶ ଆଶ୍ୱସ୍ତ ହେଲା । ‘‘ଗଜିବାବୁ, ଏ ଭଦ୍ର ଲୋକଙ୍କୁ ନେଇଯାଆନ୍ତୁ । ଗୋଟାଏ ଫର୍ମ ଦେବେ, ବୁଝିଲେ, ସେଇ ମ ନାଟକ କମ୍ପିଟିସନ୍ । ଶିଶୁ ନାଟକ...” ତା’ପରେ ମୋ ଆଡ଼କୁ ଚାହିଁ କହିଲେ, ‘‘ତମେ ଯାଅ, ସେସବୁ ବୁଝାଇଦେବେ । ନିଶ୍ଚେ ଲେଖିବ ବୁଝିଲ ? ହଁ, ଗଜିବାବୁ, ସେ ଫର୍ମଟା ପୂରଣ କରି ବେକ୍ ଡେଟରେ ଦେଇଦେବେ । ଆଚ୍ଛା ନମସ୍କାର ।”

 

ସେ ତା’ର ବନ୍ଧୁ ବୋଲି ପରିଚୟ ଦେବାକୁ ଏତେ ସଂକୋଚ କାହିଁକି ପ୍ରକାଶର ? ନିରୋଳାରେ ସେ ବନ୍ଧୁ ବୋଲି ସ୍ଵୀକାର କରି ପ୍ରକାଶ୍ୟରେ ଏମିତି ଅସ୍ଵୀକାର କରେ କାହିଁକି ? ସେ କ’ଣ ନିଜ ସହିତ ଏପର୍ଯ୍ୟନ୍ତ ସାଲିସ୍‍ କରି ପାରିନି ? ଜଣେ ସେକ୍ରେଟାରୀ କ’ଣ କେବଳ ଏକକ ବ୍ୟକ୍ତିତ୍ଵ ? ତା’ର ବନ୍ଧୁ କ’ଣ ଗରିବ ହୋଇପାରେନା ? ତା’ର ସାଇପଡ଼ିଶା ବନ୍ଧୁବାନ୍ଧବ କ’ଣ ? ସେମିତି ବଡ଼ଲୋକ ହେବା ଏକାନ୍ତ ଜରୁରୀ ? ସମସ୍ତଙ୍କୁ ସାହାଯ୍ୟ କରିବା ତା’ ପକ୍ଷରେ ଅସମ୍ଭବ, ତା’ଠାରୁ ସେଇଟା ଆଶା କରିବା ବି ଅନ୍ୟାୟ; କିନ୍ତୁ ସ୍ଵୀକାର କରିବାଟା କା’ଣ ଏକ ଅପମାନ ? ଗରିବ ବନ୍ଧୁ ହେଲେ ସେ କ’ଣ ଛୋଟ ହୋଇଯିବ ? ଏକଦା ସ୍କୁଲ କଲେଜରେ ପାଠ ପଢ଼ୁଥିବା ସତୀର୍ଥ ବନ୍ଧୁ ବି କ’ଣ କ୍ଷମତାର ଉଚ୍ଚାସନ ଆଗରେ ଏକାନ୍ତ ନଗଣ୍ୟ ? ଉପେକ୍ଷଣୀୟ ବସ୍ତୁ ? ଆଃ, ବଡ଼ ଦୁଃଖ ଏଇ ପ୍ରକାଶ ମିଶ୍ରର ଦ୍ୱୈତ ଜୀବନର । ସେ ଯାହାକୁ, ପ୍ରାଣଭରି ଚାହେଁ, ତାକୁ ଗ୍ରହଣ କରିପାରୁନି । ତା’ର ସମ୍ମାନ, ସାମାଜିକତା, ପ୍ରତିଷ୍ଠା ଓ କ୍ଷମତାର ଆଭିଜାତ୍ୟ ପାଇଁ, ଅଥଚ ଯାହାକୁ ସେ ଅନ୍ତରରେ ଚାହେଁନା, ତାକୁ ହିଁ ନେଇ ସେ ଗଢ଼ୁଛି ଏକ ନୂତନ illusory ପୃଥିବୀ । ନିଜର କ୍ଷମତାର ଚେୟାରର ମାପ ନେଇ ତା’ରି ଭିତରେ ତିଆରି କରୁଛି ତା’ ଘରର ଖୋପ । ଯୋଉଟା ସେ ଜାଣେ, ବୁଝେ ଏଇଟା ସତ୍ୟ ନୁହେଁ, ନିଜର କଳ୍ପନାର ସୂତାରେ ଗୁନ୍ଥା ମାୟାର ପୃଥିବୀ; କିନ୍ତୁ ସେ ତାହା ହିଁ ସତ୍ୟ ବୋଲି ଭାବିବାକୁ ନିଜକୁ ବାଧ୍ୟ କରୁଛି । ନିଜ ମନରେ ବାରମ୍ବାର ଆବୃତ୍ତି କରି ନିଜକୁ କନ୍‌ଭିନସ୍ କରୁଛି । ଏଇ ପୃଥିବୀ ସତ୍ୟ; ବାକି ସବୁ ମିଥ୍ୟା–ମିଥ୍ୟା ।

 

ହଠାତ୍ ଝାଲକାଏ ପବନରେ ଖାତା ଓଲଟି ପଡ଼ି ପୃଷ୍ଠାଗୁଡ଼ା ଫର୍ ଫର୍ ହୋଇ ଉଡ଼ିଗଲା । ପୁଣି ସ୍ଵପ୍ନ ଭାଙ୍ଗିଗଲା କିଶୋରର । ଆଃ କ’ଣ ଗୁଡ଼ାଏ ଏଣୁତେଣୁ ଭାବୁଛି ସେ ? ତା’ର ଲେଖିବା ଦରକାର । ସେଥିପାଇଁ ପ୍ଲଟ୍‍ର ଚିନ୍ତା କରିବା ଉଚିତ । ତା’ ନକରି ଅତୀତ ଘଟଣା ରୋମନ୍ଥନ କରି ଲାଭ କ’ଣ ? ପ୍ରକାଶ ତ କହିଛି ତା’ର ହଜାରେ ଟଙ୍କା–ନିହାତ କମରେ ଦ୍ଵିତୀୟ ପୁରସ୍କାରଟା ନିଶ୍ଚୟ ପାଇବ । ତେଣୁ ସେ ଯାହା କିଛି ଲେଖିଲେ ବି ସେଇଟା ଯୋଗ୍ୟ ବିବେଚିତ ହେବ; କିନ୍ତୁ ଅସଲ କଥା ଗୋଟାଏ ପ୍ଲଟ୍‍ । ସେଇଟା ଠିକ୍‍ ହୋଇଗଲେ ଲେଖିବାଟା ବେଶୀ କିଛି କଷ୍ଟ ନୁହେଁ । କେଉଁ ବିଷୟରେ ଲେଖିବ ସେ ? ଶିଶୁମାନଙ୍କ ମନସ୍ତତ୍ତ୍ଵ ନ ଜାଣିଲେ ଲେଖାଟା ତାଙ୍କ ପକ୍ଷରେ ଗ୍ରହଣୀୟ ହେବ କେମିତି ? ସେଥିରେ ପୁଣି ଆଜିକାଲିର ଆଧୁନିକତା ରହିବା ଏକାନ୍ତ ବାଞ୍ଛନୀୟ । ରକେଟ୍‍, ଚନ୍ଦ୍ରବିଜୟ ଇତ୍ୟାଦି । ସେଇଟା ନିୟମରେ ରହିଛି ।

 

ଆଚ୍ଛା ସେ ଲେଖିବ କାହିଁକି ? ଟଙ୍କା ପାଇଁ ? ଟଙ୍କା ପାଇବାଟା କ’ଣ ସାହିତ୍ୟିକ ଜୀବନର ମାପକାଠି ? ସେ କ’ଣ ଟଙ୍କା ପାଇଁ ତା’ର ସମସ୍ତ ସାହିତ୍ୟିକ ମୂଲ୍ୟବୋଧକୁ ଜଳାଞ୍ଜଳି ଦେବ ?

 

ପୁଣି ଅସ୍ଥିର ହେଲା କିଶୋର । ନିଜକୁ ସେ ଦୃଢ଼ କରିବାକୁ ଚେଷ୍ଟାକଲା । ନିଜକୁ ପ୍ରବୋଧ ଦେଲା । ହଁ ନିଶ୍ଚୟ ଟଙ୍କା ପାଇଁ । ଆଜିକାଲି ପୃଥିବୀରେ ଅର୍ଥଟା ହିଁ ବଡ଼କଥା । ସମସ୍ତେ ସବୁ କାମ କରୁଛନ୍ତି କେବଳ ଅର୍ଥପାଇଁ । ଯଶ, ସମ୍ମାନ କେବଳ ଅର୍ଥ ପାଇବାର ଅବଲମ୍ଵନ ମାତ୍ର । ହେଇ ତ ମଧୁସୂଦନ–ବେଶ୍ ଦି’ପଇସା ରୋଜଗାର କରି ସୁଖରେ ଅଛି । ଗୁରୁପ୍ରସାଦ ଜନ୍ମନିରୋଧ, ବନ ମହୋତ୍ସବ, ସମବାୟ, ଆଦିବାସୀ ସମସ୍ୟା, ପ୍ରୌଢ଼ଶିକ୍ଷା ଇତ୍ୟାଦି ପ୍ରତ୍ୟେକ କମ୍ପିଟିସନରେ ଯୋଗଦେଇ ବର୍ଷକୁ ଚାରି ପାଞ୍ଚହଜାର ଟଙ୍କା ଆୟ କରୁଛି ପୁରସ୍କାର ମାଧ୍ୟମରେ । ପୁଣି ପ୍ରକାଶକମାନଙ୍କ ପାଖରୁ ରୟେଲଟି ପାଇଁ ମଧ୍ୟ ଦି’ତିନି ହଜାର ଟଙ୍କା ପାଉଛି ।

 

ସେମାନେ ପୁଣି କଟକରେ ଜାଗା କିଣିସାରି ଘର କରି ବସିଲେଣି । ଆଉ ସେ ଚିରନ୍ତନ ସାହିତ୍ୟ ଓ ଆଦର୍ଶବାଦ ସୃଷ୍ଟିକରି କ’ଣ ପାଇଛି ? ଲେମ୍ବୁ ? ନିଜର ସାଧାରଣ ସୁଖ-ସ୍ଵାଚ୍ଛନ୍ଦ୍ୟ ଟିକକ ମଧ୍ୟ ହାସଲ କରିପାରିନି । ପୁଣି ସାହିତ୍ୟ ସୃଷ୍ଟି କରି ସେ ଯେଉଁ ମାନସିକ ଆନନ୍ଦ ପାଇବାର କଥା ସେଇ ଟିକକ ଆନନ୍ଦ ଓ ସନ୍ତୋଷ ପରିବାରର ଶାରୀରିକ ସୁଖ-ସ୍ଵାଚ୍ଛନ୍ଦ୍ୟର ତ୍ରୁଟି ଯୋଗୁଁ ମୁହୂର୍ତ୍ତକ ମଧ୍ୟରେ ମିଳେଇଯାଉଛି । ସୃଷ୍ଟିର ଆନନ୍ଦ ଅଭାବର ନିଆଁରେ ଜାଲିଯାଉଛି । ଜୀବନ ଆନନ୍ଦ ପାଇଁ । ସାହିତ୍ୟ ଜୀବନ ପାଇଁ । ତେଣୁ ସାହିତ୍ୟିକର ଜୀବନ ଯଦି ନିରାନନ୍ଦ ଭିତରେ ଗତିକରେ, ସେ ଜୀବନ ପାଇଁ ଆନନ୍ଦ ଦେବ କିପରି ? ଚିରନ୍ତନ ସାହିତ୍ୟ-ଆଦର୍ଶ । ନା, ସେସବୁ ଗୁଳିଖଟି କଥା । ସାମର୍ଥ୍ୟହୀନ ପଙ୍ଗୁ ସାହିତ୍ୟିକମାନଙ୍କର ପୁରୁଣାକାଳିଆ ଆଦର୍ଶ ମାତ୍ର । ସଫଳ ସାହିତ୍ୟିକ ସବୁ କ୍ଷେତ୍ରରେ ସଫଳ ହେବ ଉଚିତ । ସାହିତ୍ୟରେ ଯେମିତି–ସାମାଜିକ କ୍ଷେତ୍ରରେ ସେମିତି ।

 

କ୍ଷମତା ନଥିଲେ କିଛିର ଆଦର ଏ ପୃଥିବୀରେ ହୁଏନା । ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଜଣେ ସର୍ବନିମ୍ନ ଶ୍ରେଣୀର କର୍ମଚାରୀ ଯଥା ଫରେଷ୍ଟ ଗାର୍ଡ଼, କନେଷ୍ଟବଳ, କିମ୍ବା ପିଅନ ଯୋଉ ସମ୍ମାନର ଅଧିକାରୀ ହୁଏ,–ହେଉ ପଛେ ସେ କ୍ଷଣସ୍ଥାୟୀ–ଜଣେ ସାହିତ୍ୟିକ କେବେହେଲେ ସେଇ ସମ୍ମାନ ପାଏନା । କାରଣ ତା’ ହାତରେ କ୍ଷମତା ନାହିଁ । ‘କବି’ ‘ଲେଖକ’ର ବ୍ୟାବହାରିକର ମୂଲ୍ୟ କ’ଣ । ତାଙ୍କର ସେଇ ‘କବିତା’ ‘ଲେଖା’ ଦେଇ କ’ଣ କିଛି ବାସ୍ତବ ‘ଜିନିଷ’ର ଆଦାୟ କରିହୁଏ । ଉପସ୍ଥିତ ବର୍ତ୍ତମାନରେ କବି ତେଣୁ ମୂଲ୍ୟହୀନ ।

 

କବିର କବିତା ଯେପରି ବିମୂର୍ତ୍ତ, କବି ମଧ୍ୟ ସେହିପରି ସାଧାରଣ ସାଂସାରିକ ଜୀବନରେ ଏକ ବିମୂର୍ତ୍ତ ବିଗ୍ରହ । ପ୍ରତିଷ୍ଠା ନ ପାଇଲେ ଏବଂ ପ୍ରତିଷ୍ଠା ସାଙ୍ଗରେ ସମ୍ମାନ ଓ ଅର୍ଥ ମିଳିଲେ ତା’ର ବାସ୍ତବ କ୍ଷେତ୍ରରେ କିଛି ମୂଲ୍ୟ ନାହିଁ । ସେ ଜଣେ ଅନାବଶ୍ୟକ, ଅଳସୁଆ, ନିଷ୍କର୍ମା, କଳ୍ପନାପ୍ରବଣ ବ୍ୟକ୍ତି । ସମାଜ ତାକୁ ଫୁଲମାଳ ଦେଇ ବନ୍ଦନା କରିବ କେବଳ ସହର ବାହାରେ । ସହର ଭିତରେ ତା’ପାଇଁ ସ୍ଥାନ ନାହିଁ ।

 

କିନ୍ତୁ ଅର୍ଥ ଥିଲେ ସବୁକିଛି ବଦଳି ଯାଇପାରେ । କଲମ ଧରି ଜାଣିଥିବା ବ୍ୟକ୍ତି ଧନୀ ହୋଇଥିଲେ ବିଶିଷ୍ଟ କବିର ସମ୍ମାନ ପାଇପାରେ । ଅଥବା ସାଧାରଣ ବହି ଲେଖି ପଇସା ଅର୍ଜ୍ଜନ କରି ସାଂସାରିକ କ୍ଷେତ୍ରରେ ପ୍ରତିଷ୍ଠିତ ସାହିତ୍ୟିକ ସେମିତି ବିଶିଷ୍ଟ ଲେଖକର ସମ୍ମାନ ପାଇପାରେ ।

 

ପୃଥିବୀରେ ସବୁ ଜିନିଷ କ୍ଷଣସ୍ଥାୟୀ । ତେଣୁ ଏ ସମ୍ମାନ କ୍ଷଣସ୍ଥାୟୀ ହେଲେ କ’ଣ ଯାଏ-ଆସେ ? ନିଜ ଜୀବଦ୍ଦଶାରେ ଯଦି ଜଣେ ନିଜକୁ ନିଜେ ଏମିତିଭାବେ ପ୍ରତିଷ୍ଠିତ କରିପାରେ । ସେ ଯଦି ମୃତ୍ୟୁ ପରେ ବିସ୍ମୃତ ହୁଏ, ତା’ର ସାହିତ୍ୟ ଯଦି ଚିରଦିନ ପାଇଁ ମୃତ୍ୟୁ ଲାଭ କରେ କ୍ଷତି କ’ଣ । ସେ ତ ଆଉ ଦେଖିବାକୁ ଆସୁନି ତା’ର ସାହିତ୍ୟର କ’ଣ ହେଲା ବୋଲି । ବର୍ତ୍ତମାନ ହିଁ ସତ୍ୟ ।

 

ଆଃ, କ’ଣ ସେ ଇଆଡ଼ୁ ସିଆଡ଼ୁ ଭାବୁଛି । ତାକୁ ଯେ ନାଟକ ଲେଖିବାକୁ ହେବ । ପୁଣି ଆଉ ଥରେ ମନୋନିବେଶ କଲା କିଶୋର । ଶିଶୁ-ନାଟକ ପ୍ଲଟ୍ ଦରକାର । ଗୋଟାଏ ଭଲ ପ୍ଲଟ୍ । ପ୍ଲଟ୍ ହୋଇଗଲେ କିଛି ଉଦ୍ଭଟ ହାସ୍ୟରସର ସଂଳାପ ଯୁକ୍ତ, କିଛି ନୀତିଶିକ୍ଷାର ଆଦର୍ଶବାଣୀ–ବାସ୍ ନାଟକ ହୋଇଯିବ । ଅସୁବିଧା କିଛି ନାହିଁ; କିନ୍ତୁ ଆରମ୍ଭ ଯେ କରି ହେଉନି । ସେ ଜମା ଆରମ୍ଭ କରିପାରୁନି ।

 

ସେ ଆଖି ବୁଜି ପୁଣି ଆଉ ଥରେ ଭାବିବାକୁ ଲାଗିଲା । କିନ୍ତୁ ତା’ର ମୁଦାଆଖିପତା ଉପରେ ଭାସିବୁଲିଲା ଗୋଟେ କରୁଣ ମୁହଁ । ସେ ତାକୁ ବହୁବାର ଦେଖିଛି–ଅଥଚ ଠିକ୍ ମନେକରିପାରୁନି ସେଇଟା କିଏ ? ସେ କହୁଛି ‘‘ତୁ ଟଙ୍କା ପାଇଁ ଲେଖୁଛୁ କିଶୋର ଦାସ ? ତୁ କେବଳ ଅର୍ଥ ପାଇଁ ଲେଖୁଛୁ ? ଯଶ ପାଇଁ, ସମ୍ମାନ ପାଇଁ ଅର୍ଥ ପାଇଁ ସାହିତ୍ୟ ରଚନା କରିବା କ’ଣ ଏକାନ୍ତ ଜରୁରୀ ବୋଲି ଭାବୁଛୁ ? ସାହିତ୍ୟ କେବଳ ସାହିତ୍ୟ ପାଇଁ; ନିଜର ଅନ୍ତରର ଅନୁଭବଜନିତ ଆନନ୍ଦର ଉପଲବ୍‍ଧି ପାଇଁ । ସାହିତ୍ୟ ଅର୍ଥ, ଯଶ ଓ ସମ୍ମାନର ଅବଲମ୍ବନ ନୁହେଁ–ନିଶୁଣି ନୁହେଁ । ସାହିତ୍ୟ ସେମାନଙ୍କୁ ଓଟାରିଆଣେ; କିନ୍ତୁ ତାଙ୍କ ପଛରେ ଗୋଡ଼େଇଯାଏନା । ତୁ ତ ଓଲଟା କରିବାକୁ ବସିଛୁ କିଶୋର ଦାସ ! ଯଶ, ସମ୍ମାନ, ଅର୍ଥ ପାଇଁ ପୃଥିବୀରେ ଅନ୍ୟ ପେଶା ବହୁତ ଅଛି । ସେ ପେଶାରେ ୟା’ଠାରୁ ବହୁତ ଅର୍ଥ, ବହୁତ ଯଶ ସମ୍ମାନ ମିଳିପାରିବ । କିନ୍ତୁ ତୁ ତାକୁ ନକରି ୟାକୁ ଓଲଟେଇ ଗଢ଼ିବାକୁ ଚେଷ୍ଟାକଲେ ନିଜେ ହାରିଯିବୁ କିଶୋର ଦାସ ! ଗୋଡ଼େଇ ଗୋଡ଼େଇ ଶେଷମୁଣ୍ଡରେ ପହଞ୍ଚି ଶେଷରେ ଦେଖିବୁ, ଯେଉଁ ସାହିତ୍ୟ-ଘୋଡ଼ାର ପିଠିରେ ଚଢ଼ି ତୁ ଏତେବାଟ ଆଗେଇ ଆସିଛୁ । ସେଇଟା ଗୋଟାଏ ମଲା ଘୋଡ଼ା । ଗୋଡ଼ ଭଙ୍ଗା, ମେରୁଦଣ୍ଡ ଭଙ୍ଗା ଗୋଟାଏ ମୁଣ୍ଡା ମାଦଳ । ତୁ ନିଜେ ଶାନ୍ତି ପାଇବୁନି କିଶୋର ! ଅର୍ଥର ଅଗାଧ ସମୁଦ୍ର ଭିତରେ ଟିକିଏ ଶାନ୍ତିର ମଧୁର ଜଳ ତୁ ପାଇ ପାରିବୁନି । ନିଜର ସାଂସାରିକ ସାମର୍ଥ୍ୟର ମହାପ୍ରସାଦ ଗଢ଼ି ତା’ରି ସିଂହଦ୍ଵାରରେ ଛଟପଟ ହୋଇ ମରିଯିବୁ । ସାହିତ୍ୟ ଜୀବନ କିଶୋର, ବସ୍ତୁ ନୁହେଁ । ଜୀବନକୁ ଯେମିତି ସଂଜ୍ଞାଦେବା କଠିନ, ସାହିତ୍ୟକୁ ସେମତି ନିରୂପିତ ସଂଜ୍ଞା ଭିତରେ ଖୋଜି ପାଇବା କଠିନ । ଜୀବନ ଏକ ବହମାନ ଧାରା–ଶାନ୍ତି ପାଇଁ । ସାହିତ୍ୟ ଭିତରେ ଜୀବନର ସ୍ପର୍ଶ ପାଇ ତୁ ଯଦି କେବେ ଶାନ୍ତି ପାଇଛୁ, ତେବେ ସେଇତକ ତୋର ନିର୍ଦ୍ଦିଷ୍ଟ ଜୀବନର ମହାର୍ଘ ପ୍ରାପ୍ତି । ସାହିତ୍ୟ ଦିଏ ବ୍ୟକ୍ତିଗତ ଶାନ୍ତି ଓ ତା’ ସହିତ ସାମାଜିକ ଶାନ୍ତି । ତୁ ଯଦି ସେଇଟା ପାଇଛୁ, ଆଉ କାହା ସହିତ ନିଜକୁ ତୁଳନା କରି ଲାଭ କ’ଣ ? ବସ୍ତୁ ଦେଇ ତୁଳନା କରିହୁଏ । ଅବ୍ୟକ୍ତକୁ ନେଇ ତୁଳନା କରି ହୁଏନା । ସେ ସ୍ଵୟଂ-ସମ୍ପୂର୍ଣ୍ଣ ଏକକ । ତୋର ନିଜସ୍ଵ ମାନସିକ ପ୍ରଶାନ୍ତିକୁ କେବେ ଅପରର ଶାନ୍ତିକୁ ନେଇ ତୁଳନା କରିପାରିବୁ କି ? କିଏ କହିପାରିବ ଶାନ୍ତିର ରୂପ କ’ଣ ? ରଙ୍ଗ କ’ଣ ? ସ୍ଵାଦ କ’ଣ ? ସେ କେବଳ ଅନୁଭବର–ଏକାନ୍ତଭାବେ ଅନ୍ତରର ଅନୁଭବ ।”

 

କିଶୋର ଦାସ ନିଠେଇ ଚାହିଁଲା ସେଇ ମୁହଁଟା ଆଡ଼େ । ହଠାତ୍ ଦେଖିଲ ସେଇ ମୁହଁଟା ଆଉ କେହି ନୁହେଁ; ତା’ର ସତର ବର୍ଷ ତଳର ନିଜର ମୁହଁଟା ।

 

ସେ ନିର୍ନିମେଷ ନୟନରେ ସେଇ ମୁହଁଟାଆଡ଼େ ଖାଲି ଚାହିଁରହିଲା । ଆଖିରୁ ତା’ର ଲୁହ ନିଗିଡ଼ି ପଡ଼ୁଥିଲା ଅବିଶ୍ରାନ୍ତ ଭାବରେ । ହଠାତ୍ କାହାର ସ୍ପର୍ଶରେ ଚମକିପଡ଼ିଲା । ପାଖରେ ଛିଡ଼ାହୋଇଛି ସୁଚିତ୍ରା । ପଣତକାନିରେ, ତା’ ଆଖିର ଲୁହ ପୋଛି ଦେଉଁ ଦେଉଁ ଓଜାଡ଼ି ହୋଇପଡ଼ିଲା କିଶୋର । ତା’ର ଅଞ୍ଚଳ ଭିତରେ ମୁହଁ ଲୁଚେଇ ସେ କାନ୍ଦିବାକୁ ଲାଗିଲା ଅବିଶ୍ରାନ୍ତ ଭାବରେ ।

 

“ମୁଁ ବଡ଼ ଅସହାୟ ସୁଚିତ୍ରା ! ମୋର ଏଇ ଜୀବନର ଅନ୍ତର୍ଦ୍ୱନ୍ଦ୍ଵ ମୋତେ ଅପଦାର୍ଥ କରିଦେଇଛି । ମୁଁ କିଛି କରିପାରିଲି ନାହିଁ । ମୁଁ କିଛି କରିପାରିବି ନାହିଁ । ମୁଁ ଅଥର୍ବ, ମୁଁ ଅସହାୟ ।”

 

ସୁଚିତ୍ରା ସ୍ନେହରେ ତା’ର ମୁଣ୍ଡଟିକୁ ନିଜ କୋଳରେ ସାନ ଛୁଆଙ୍କପରି ନିବିଡ଼ ଭାବରେ ଚାପିଧରିଲା ।

 

ମୁକ୍ତା

 

ବିକାଶ ଭାବୁଛି–ଘରୁ ବାହାରି ଆସି ବାଲିଯାତ୍ରା ପଡ଼ିଆର ଶିବମନ୍ଦିରର ଚଉତରା ଉପରେ ବସି । ମହାନଦୀର ବାଲୁକାଶଯ୍ୟା ଉପରେ ଧୀରେ ଧୀରେ ନିଶ୍ଚିହ୍ନ ହୋଇଯାଉଥିବା ଅପରାହ୍‌ଣର ଆଲୋକକୁ ନିରୀକ୍ଷଣ କରୁ କରୁ । ସେ ବାଲି ଦେଖୁଛି । ଦେଖୁଛି ମହାନଦୀର ଧାରା-। ତା’ର ପଠା ଉପରେ ସବୁଜ ଶସ୍ୟର ସମାରୋହ । ଦୂରରେ ଚୌଦ୍ୱାରର ଚିମ୍‍ନୀ । ଧୂଆଁ ଛାଡ଼ୁଛି-। ସେପାଖରେ ଗୋଟିଏ ଷ୍ଟିମର୍ ମହାନଦୀର ଆନିକଟ୍ ଉପରେ । କେତେଟା ମାଛଧରା ଡଙ୍ଗା-। ସବୁପରି ଆଖି ଆଗରେ ବିଛେଇ ହୋଇପଡ଼ିଛି । ସମସ୍ତେ ନିଜକୁ ସଜେଇ ତା’ ଆଗରେ ଛିଡ଼ାହୋଇଛନ୍ତି; ଅଥଚ ସେ କାହାରିକୁ ଦେଖିପାରୁନି, କାହାରିକୁ ଚିହ୍ନିପାରୁନି । ତା’ର ଆଖିରେ ଭାସୁଛି ଶୂନ୍ୟତା । ସେଇ ଶୂନ୍ୟତା ଭିତରେ ଅନ୍ୟ ପରିସ୍ଥିତି ସହ ଜଡ଼ିତ ଥିବା କେତେଗୁଡ଼ାଏ ମୁହଁ-

 

ଏଇ ବୋଧହୁଏ ମାୟା । ଆଉ ସବୁର ଅସ୍ତିତ୍ଵ ଥାଇ ବି ତାକୁ ଦେଖିପାରିବା ହିଁ ମାୟାର ଶେଷ-। ଏଇ ଗଛ, ଲତା, ନଦୀ, ଡଙ୍ଗାର ଅସ୍ତିତ୍ଵ ଅଛି ଅଛି । କିନ୍ତୁ ତା’ରି ଭିତରେ ଥାଇ ବି ସେ ତାକୁ ନ ଦେଖି ଦେଖୁଛି ଇନ୍ଦୁମତୀର ମୁହଁ । ଇନ୍ଦୁମତୀର ମୁହଁ ପ୍ରତ୍ୟକ୍ଷ; ବାକି ସବୁ ପରୋକ୍ଷ । ସବୁ ମାୟା । ଗୋଟାଏ ମାୟା ଅନ୍ୟମାନଙ୍କୁ ପ୍ରଚ୍ଛନ୍ନ କରେ ।

 

ଅଥଚ ସେ ଜୀବନସାରା ଖୋଜିଛି ଭଲପାଇବା–ଏକ ପବିତ୍ର, ଏକନିଷ୍ଠ ଏକାଗ୍ର ଭଲପାଇବା । ସେମିତି ଭଲପାଇବା କ’ଣ ସମ୍ଭବ ?

 

ଏଇ ତ ଇନ୍ଦୁମତୀ । ତା’ର ସ୍ତ୍ରୀ । ଅନେକ ସମ୍ଭାବନା ନେଇ ଆସିଥିଲା । ସେ ଭାବିଥିଲା ବୋଧହୁଏ ଏଇଥର ସେ ପାଇବ ପ୍ରକୃତ ଭଲପାଇବାର ଆସ୍ଵାଦ । କିନ୍ତୁ କାହିଁ ? ବିବାହର ମାସେ ଯାଇନି ତା’ର ସେ ମୋହ କଟିଗଲା ।

 

ଆଜି ବି ମନେପଡ଼େ ସେଦିନର କଥା । ସେଇ ଦିନର ଶେଷ କାଳରାତ୍ରିର କଥା । ସାରା ରାତି ଗପିକରି କଟେଇ ଦେଇ ଶେଷ ମୁହୂର୍ତ୍ତର ଅଖିଲାଗିଆସୁଥିବା ନିଦ୍ରାଳୁ ପ୍ରହରର କଥା । ଗଢ଼ିନିଦରେ ଶୋଇଥିବା ନବାଗତା ପତ୍ନୀର କଥାରେ ଚମକି ଉଠିଲା ସେ । ପ୍ରଳାପ କରୁଛି ଇନ୍ଦୁମତୀ; ‘‘ତୁମେ ମୋତେ ଭୁଲ ବୁଝନା ପ୍ରଭାତ, ମୁଁ ନିରୁପାୟ । ନିରୁପାୟ । ପ୍ରଭାତ ମୋର ଜୀବନସର୍ବସ୍ଵ, ମୋର ପ୍ରାଣ, ମୋର ମନ, ମୋର ଦେବତା । ତୁମ ଛଡ଼ା ଆଜିବି ମୁଁ କାହାକୁ ଭଲପାଇନି । ପାଇପାରିବିନି ଏ ଦେହଟା ତୁମକୁ ଦେଇପାରିଲିନି ବୋଲି ଦୁଃଖ କରୁଛ ? କିନ୍ତୁ ଦେହରେ କି ଯାଏ-ଆସେ ? ଏ ମୋର ମନ, ପ୍ରାଣ ସବୁ ତ ତମର ! ତୁମକୁ ତ ମୋର ଅଦେୟ ହୋଇ କିଛି ନାହିଁ । ତେବେ ସାମାନ୍ୟ ଦେହଟାକୁ ପାଖରେ ପାଇଲନି ବୋଲି ଦୁଃଖ କରୁଛ କାହିଁକି-? ପ୍ରଭାତ, ପ୍ରଭାତ ! ମୁଁ ତମର ଚିରଦିନର; ଚିରକାକର । ଜନ୍ମ-ଜନ୍ମାନ୍ତରର । ମୃତ୍ୟୁ ପର୍ଯ୍ୟନ୍ତ ତମରି ନାଁ ମୋ ମୁହଁରେ ଥିବ । ତମରି ନାଁ ନେଇ ମୁଁ ଜୀଇଁବି । ତମରି ନାଁ ନେଇ ମରିବି-। ତମେ ମୋର ଜୀବନର ସାନ୍ତ୍ଵନା–ମରଣର ବି ସାନ୍ତ୍ୱନା, ଉଃ ପ୍ରଭାତ !”

 

ବିକାଶର ନିଦ ଭାଙ୍ଗିଗଲା ।

 

ଏଇ ତା’ର ସ୍ତ୍ରୀ । ତାରି ପାଖରେ ଶୋଇ ତା’ର ପ୍ରେମିକର ଗୁଣଗାନ କରୁଛି । ଏଇ ତା’ର ସ୍ତ୍ରୀ, ଯା’କୁ ସେ ଅଗ୍ନି ସାକ୍ଷୀ ରଖି ବାହାହୋଇଛି । ଏଇ ତା’ର ସ୍ତ୍ରୀ, ଯେ ତା’ର ଇହକାଳ ପରକାଳ ଜନ୍ମ-ଜନ୍ମାନ୍ତରର ସାଥୀ । ସେ ତା’ର ସ୍ଵାମୀ ପାଖରେ, ପତି-ଦେବତା ପାଖରେ ଏଇ ବିଶ୍ଵାସ, ଏଇ ଅର୍ଘ୍ୟ ନେଇ ଆସିଛି । ପ୍ରେମର ଶୂନ୍ୟ କଳସୀ ନେଇ ସେ ଆସିନି, ଆସିଛି ଏକ ଭରା ମାଠିଆ ଧରି । ଘୃଣାରେ ସାରା ଦେହଟା ଝିମ୍‌ଝିମ୍ କରିଉଠିଲା ତା’ର । ଇଚ୍ଛା ହେଲା ସେଇ ମୁହୂର୍ତ୍ତରେ ଗୋଇଠା ମାରି ବାହାରିଯିବାକୁ । କ’ଣ ପାଇଁ ଆସିଛି ସେ ତା’ ପାଖକୁ ? ଖାଲି ଦେହଟା ନେଇ ? କାହିଁକି ସେ ବାହାହେଲା ତାକୁ ? କ’ଣ ପାଇଁ ? ଯଦି ତା’ର ପ୍ରେମିକ ବଡ଼, ତେବେ ସେ ତା’ ପାଖକୁ ଆସିଛି କାହିଁକି ? କ’ଣ ତା’ର ପ୍ରେମିକ ଗରିବ ବୋଲି ? ତା’ର ଦେହର ଉପଯୁକ୍ତ ପୋଷାକ, ଗହଣା ଦେଇପାରିବନି ବୋଲି ସେ ତା’ ପାଖକୁ ଆସିଛି ଦେହ ବିକି ସେଇଟା ଆଦାୟ କରିବାକୁ ?

କିନ୍ତୁ ସେ ଦିନର ରାତିରେ ସେ କିଛି କରିପାରିନି । ଠିକ୍ ଏତେକଥା ହୁଏତ ସେ ଭାବିପାରିନି ସେଥିପାଇଁ ଶୋଇପଡ଼ିଥିଲା ସେ ।

ପରେ ଭାବିଥିଲା ହୁଏତ ତା’ର ସ୍ତ୍ରୀର ଥଟ୍ଟାଳିଆ ପରିହାସ ବୋଲି; କିନ୍ତୁ ସେକଥା ପୁଣି ଆଉଥରେ ମନେପଡ଼ିଲା ତା’ର । ସେଥିରେ ତ ଥଟ୍ଟା ନ ଥିଲା–ଥିଲା ଏକ ଗଭୀର ଅନୁରକ୍ତିର ଆଭାସ । ଏକ ଆତ୍ମା-ପରିତୃପ୍ତିର ସନ୍ତୋଷ । ତେଣୁ ଯେତେଥର ତାକୁ ଭାବି ଉଡ଼େଇଦେବାକୁ ବସିଛି, ସେଇ କେତେଟା କଥା ପୁଣି ଆଉ ଥରେ ତାକୁ ଆସି ମାଡ଼ିବସିଛି । ଯୋଉ ବିଶ୍ଵାସ ନେଇ ସେ ଭଲପାଇବାକୁ ଯାଇଥିଲା, ହଠାତ୍‌କରି ଦେଖିଲା ସେ ବିଶ୍ଵାସର ମୂଳ ଭିତ୍ତି ନାହିଁ । ଗୋଟାଏ ଚୋରାବାଲି ଉପରେ ଛିଡ଼ା ହୋଇଛି ତା’ର ବିଶ୍ଵାସର ଅଟ୍ଟାଳିକା । ତେଣୁ ସନ୍ଦେହର ସାମାନ୍ୟ ଆଘାତରେ ସେ ଅଟ୍ଟାଳିକା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିପଡ଼ିଲା । ସେ ସର୍ବନାଶର ସ୍ତୂପ ଉପରେ ଛିଡ଼ା ହୋଇ ଦେଖିଲା ଯେ, ସେ କେବଳ ଏକମାତ୍ର ନିଃସ୍ଵ ହୋଇଯାଇଛି । ଇନ୍ଦୁମତୀ ନୁହେଁ ।

କିନ୍ତୁ ବିକାଶ ଚାହୁଁଥିଲା ସବୁ ମିଛ ହେଉ । ଇନ୍ଦୁମତୀର କଥା ମିଛ ହେଉ । ସବୁ କଥା ଇନ୍ଦୁମତୀ କହୁ ମିଛ ମିଛ ବୋଲି । କିନ୍ତୁ ଇନ୍ଦୁମତୀ ସତ କହିଲା ଭୟର ଦାଉରେ । ସବୁ ବିଶ୍ଵାସ, ସବୁ ସନ୍ତୋଷ, ସବୁ ଆନନ୍ଦ ଯେମିତି ନିଗିଡ଼ିପଡ଼ି ମରୁଭୂମିର ବାଲି ଉପରେ ମିଶିଗଲା ପରେ–ରହିଲା ଖାଲି ନିଷ୍ପ୍ରାଣ ଦେହଟା । ମନଟା ବୈଶାଖର ଆକାଶ ପରି କେବଳ ଜଳିଗଲା ଧୂ ଧୂ ହୋଇ-। ସେଥିରେ ସବୁଜର ଆଶ୍ଵାସ ନଥିଲା । ଥିଲା ଜଳିବାର ବେଦନା ।

ଇନ୍ଦୁମତୀ ତାକୁ ଭଲପାଉଥିଲା । ତାକୁ ଚିଠି ଦେଇଛି । ଅନେକ ଚିଠି । ତାକୁ ଭଲପାଇବାର ଆଶ୍ଵାସ ଦେଇ । ତାକୁ ବଡ଼ ହେବାର ପ୍ରେରଣା ଦେଇ । ଇନ୍ଦୁମତୀ ତେବେ ଦେବୀ ନୁହେଁ, ମାନବୀ । ସେ ତା’ର ପ୍ରତିଦାନ ଦେଇଛି । ଆଉ ସେଥିପାଇଁ ସେ ଏତେ ଦିନ ନିବିଡ଼ ଭାବରେ, ଆତ୍ମ-ସମାହିତ ଭାବରେ କହିଥିଲା ସେ କଥାଗୁଡ଼ାକ ? ସେ ଅବଶ୍ୟ କହିଥିଲା, ତା’ର ବର୍ତ୍ତମାନ ଆଉ ତା’ପ୍ରତି ଅନୁରକ୍ତି ନାହିଁ । ବିକାଶ ହିଁ ତା’ର ସବୁ । କିନ୍ତୁ ବିକାଶ ବୁଝିଥିଲା, ଏସବୁ ମିଛକଥା । ଏସବୁ ଆଶ୍ରୟ ପ୍ରାର୍ଥୀର ତୋଷାମଦି; ଗୋଟାଏ ଛଳନା ଭିତରେ ବିକାଶକୁ ଆପଣାର କରିବାର ଚେଷ୍ଟା । ଏକ ତୀବ୍ର ହତାଶା ଓ ବେଦନାବୋଧରେ ଛାଇଯାଇଥିଲା ତା’ର ମନଟା ।

ଏଇ ତା’ର କଳ୍ପନାର ମାନସୀ ଇସ୍ !

ସେ ଦିନେ ସ୍ଵପ୍ନ ଦେଖିଥିଲା । ତା’ର ସ୍ତ୍ରୀ ହେବ ରୂପବତୀ, ଗୁଣବତୀ, ଲଜ୍ଜାବତୀ ଏଇ ଅନନ୍ୟା ନାରୀ । ସେ କେବଳ ତାକୁ ହିଁ ଭଲପାଇବ; ଅନ୍ୟ କାହାରିକୁ ନୁହେଁ । ସେ ତାକୁ ଭଲପାଇବ ଏକ ଦେବତାପରି ଏକନିଷ୍ଠ ଭାବରେ, ଏକାଗ୍ର ଭାବରେ । ଆଉ ସେ ମଧ୍ୟ ଠିକ୍ ସେମିତି ଭାବରେ ତା’ର ସ୍ତ୍ରୀକୁ ଭଲପାଇଯିବ । ସେ ଭାବିଥିଲା, ତା’ର ସ୍ତ୍ରୀ ହେବ ଦେବପୂଜା ଫୁଲପରି ପବିତ୍ର, କ୍ଷମା, ଦୟା, କରୁଣାର ଅଫୁରନ୍ତ ଧାରା, ସହିଷ୍ଣୁତାର ପ୍ରତିମୂର୍ତ୍ତି, ପ୍ରେମର ଅସରନ୍ତି ଫଲ୍‌ଗୁ, ମମତାର ଅମିୟରେ ମମତାମୟୀ । ତା’ର ଜୀବନର ପ୍ରେରଣାଦାୟିନୀ ଶକ୍ତି । ତା’ର ସୃଷ୍ଟିର ମୂଳ ଉତ୍ସ । କିନ୍ତୁ ଏ କ’ଣ ହେଲା ?

ହୁଏତ ତା’ର ଏମିତି ଭାବିବାଟା ଭୁଲ ହୋଇଛି । ବାସ୍ତବ ଜୀବନରେ ଏମିତି ନାରୀ ମିଳିବା ହୁଏତ ଅସମ୍ଭବ । ତା’ର କଳ୍ପନାର ପ୍ରେୟସୀ କେବଳ କଳ୍ପନାରେ ହିଁ ସମ୍ଭବ । କିନ୍ତୁ ତଥାପି ସେ ସବୁକୁ ତ୍ୟାଗ କରି ସେମିତି ଭାବରେ ହିଁ ଭଲପାଇଥାନ୍ତା; ଯଦି ଜାଣିଥାନ୍ତା; ତା’ର ସ୍ତ୍ରୀ ତାକୁ ଭଲପାଏ ବୋଲି; ଯଦି ସେ ଜାଣିଥାନ୍ତା ତା’ର ସ୍ତ୍ରୀ ତା’ଠୁଁ ଆଉ କାହାରିକୁ ବଡ଼ ଭାବରେ ଗଣ୍ୟ କରେନା ବୋଲି; ଯଦି ସେ ଅନୁଭବ କରିଥାନ୍ତା ଯେ ତା’ର ସ୍ତ୍ରୀ କେବଳ ତା’ରି ପାଇଁ ବୋଲି ।

କିନ୍ତୁ ତା’ର ସ୍ତ୍ରୀ ପବିତ୍ର ନୁହେଁ । ଇନ୍ଦୁମତୀ ଭଲପାଇବାର ଦାବି ନେଇ ଆସିଛି; ଭଲପାଇବାକୁ ନୁହେଁ । ସେ ଭଲପାଇସାରିଛି, ଆଉ ସେ ଭଲପାଇବାକୁ ଚାହେଁନା । ସେ କେବଳ ଚାହେଁ ତା’ର ଅନ୍ୟାନ୍ୟ କାମନାର ତୃପ୍ତି । ସେଥିପାଇଁ ସେ କେବଳ ଛଳନା କରିଯିବ ସାରାଜୀବନ ଧରି । ଆଉ ସେ ତାକୁ ଆଖି ବୁଜି ସହ୍ୟକରିଯିବ ସତ୍ୟର ଛଳନାରେ । ନିଜେ ଜାଣିଶୁଣି ନିଜ ଆଖିରେ ଅନ୍ଧପୁଟୁଳି ବାନ୍ଧି ଅନ୍ଧର ଅଭିନୟ କରିଯିବ ବାକି ଜୀବନଟା ।

ପ୍ରଥମେ ପ୍ରଥମେ ସେ ଇନ୍ଦୁମତୀକୁ ରାଗିଛି, ଗାଳିଦେଇଛି, ଅଭିମାନ କରିଛି । ଇନ୍ଦୁମତୀ କାନ୍ଦିଚି । ଶପଥ କରି କରି କହିଛି । କିନ୍ତୁ ପରେ ସେ ଭାବି ଦେଖିଛି ୟାର ମୂଲ୍ୟ କ’ଣ ? ଯାହା ଘଟିବାର ଘଟିଯାଇଛି, ତାକୁ ଆଉ ଫେରେଇ ଆଣି ହେବନି । ଇନ୍ଦୁମତୀ ଆଉ ତା’ର ହୋଇପାରିବନି, ସାରାଜୀବନ ଚେଷ୍ଟାକଲେ ବି ନୁହେଁ । ସ୍ଵାମୀର କର୍ତ୍ତୃତ୍ଵ, ଅଧିକାର ଦେଇ ତା’ର ବାହାରଟାକୁ ନିୟନ୍ତ୍ରଣ କରାଯାଇପାରେ । ତା’ର ଭବିଷ୍ୟତ ଗତିବିଧିକୁ ବନ୍ଦ କରାଯାଇପାରେ । କିନ୍ତୁ ତା’ର ମନଟାକୁ ତ ନିରୋଧ କରାଯାଇପାରିବନି । ସେ ଭାବିବ ? ସେଇ ଭାବନାଟା ହିଁ ତ ଦୁଃଖ । ସେ ଭାବୁ କି ନଭାବୁ; କିନ୍ତୁ ତା’ ମନରେ ରହିଗଲା ଏଇଟା ସାରା ଜୀବନ ଧରି ।

ବିକାଶ ଦିନେ ଆଶାର କଳ୍ପନା ମୀନାର ଗଢ଼ିବ । ସେ ହେବ ଜୟଦେବ । ତା’ର ପତ୍ନୀ ହେବ ପଦ୍ମାବତୀ । ତାକୁ ଆଗରେ ବସେଇ ସେ ରଚନା କରିବ ଅମର ସୁର । ଅମୃତମୟ ରାଗିଣୀ-। ଅପୂର୍ବ ସ୍ଵରଲହରୀ । ଜୟଦେବ କଥାରେ କବିତାରେ ଯୋଉ ପ୍ରେମର ଅନିର୍ବଚନୀୟ ସୁଧାଧାରା ଢାଳି ଦେଇଛନ୍ତି ସେସବୁ ନିଖୁଣ କରି ସେ ଉଠେଇଆଣିବ ତା’ର କଣ୍ଠ ଭିତରକୁ । ସେ ଗାଇବ ଚିରନ୍ତନୀ ପ୍ରେମର କାହାଣୀ–ଭଲପାଇବାର ସ୍ଵର୍ଗୀୟ ଗୀତିକା ।

ହାଃ, ଜୀବନ ବଡ଼ ନିଷ୍ଠୁର । ପଦ୍ମାବତୀ ବଦଳରେ ଆସିଛି ଇନ୍ଦୁମତୀ । ସେ ଇନ୍ଦୁମତୀ ବଡ଼ ବାସ୍ତବ; ବଡ଼ ନିର୍ମମ । ସେ ଗଣିତ ନେଇ ଆସିଛି । ଅଙ୍କ ନେଇ ହିସାବ-ନିକାଶ କରିବାକୁ ଚାହେଁ ପ୍ରେମ ଓ ପ୍ରୀତିକୁ । ତା’ର ଭଲପାଇବା ଏକନିଷ୍ଠ ହୋଇ ଆସିନି । ବିଭକ୍ତ ପ୍ରେମର କ୍ଷୀଣଧାରା ନେଇ ସେ ଆସିଛି । ସେ ଅନ୍ୟ ହୃଦୟର ଭଲପାଇବା ଚାହେଁ କେବଳ ଅନ୍ୟ ଏକ ମାପକାଠି ଦେଇ ତା’ର ଗଭୀରତା ମାପିବାକୁ । ସେ ପ୍ରେମର ଫଲ୍‌ଗୁରେ ଭାସିଯିବାକୁ ଚାହେଁନା, ସେ ଆତ୍ମ-ସମର୍ପଣ କରି ନିବିଡ଼ ଭାବରେ ବୁଡ଼ିଯିବାକୁ ଚାହେଁନା, ସେ ଚାହେଁ ଭଲପାଇବା ଗୋଟିଏ ଅଳଙ୍କାର ପରି । ତାକୁ ପିନ୍ଧିବ । ଦୁନିଆ ଆଗରେ ନିଜକୁ ସଜାଇବ ସେଇ ଅଳଙ୍କାରରେ-

ଇନ୍ଦୁମତୀ ବଇଁଶୀ ନୁହେଁ, ସେ ଗୋଟାଏ ଢୋଲ । ସେଥିରେ ଶବ୍ଦ ବେଶୀ ହୋଇପାରେ; କିନ୍ତୁ ମାଧୁର୍ଯ୍ୟ ନାହିଁ ।

 

ଇନ୍ଦୁମତୀ ଗୋଟାଏ ମନବିକା ବେଶ୍ୟା ଛଡ଼ା ଆଉ କିଛି ନୁହେଁ । ସେ ତାକୁ ଭଲପାଇବାର ଛଳନା କରିବ କେବଳ ଆଶ୍ରୟ ପାଇଁ; ତା’ର ସାମାଜିକ ନିରାୟତ୍ତା, ସୁନାମ ଓ ପ୍ରତିପତ୍ତି ପାଇଁ । ପାଶ୍ଚାତ୍ୟ ଦେଶର ନାରୀ ହୋଇଥିଲେ ସେ ହୁଏତ ବିକାଶକୁ ତ୍ୟାଗ କରିଥାନ୍ତା; କିନ୍ତୁ ସେ ହିନ୍ଦୁନାରୀ । ବିବାହିତା ନାରୀ । ଆମ ସମାଜ ଯେତେ ଆଗେଇଥିଲେ ବି ବର୍ତ୍ତମାନ ସୁଦ୍ଧା ଏଇଟା ନିନ୍ଦନୀୟ; ସମାଜରେ ଘୃଣ୍ୟ । ତେଣୁ ଇନ୍ଦୁମତୀ ଯିବନି । ତା’ଛଡ଼ା ତା’ର ଆଶା ରହିଛି । ବିକାଶ ପରି ହୁଏତ ଆଉ କାହାରିକୁ ସେ ପାଇନପାରେ । ତେଣୁ ସବୁ ଜାଣିଶୁଣି ସେ ଛଳନା କରିବ । ଆଉ ବିକାଶ ବି ତା’ର ଭଲପାଇବାଟାକୁ ମିଥ୍ୟା ବୋଲି ଜାଣି ସହ୍ୟ କରିଯିବ ସମାଜ ପାଇଁ; ତା’ର ନିଜର ଭବିଷ୍ୟତ ପାଇଁ । ଆମ ଦେଶରେ ସ୍ଵାମୀ, ସ୍ତ୍ରୀର ଗୋଟାଏ ଅଳଙ୍କାର । ସେ ଯେତେ ଉଜ୍ଜ୍ୱଳ ହୁଏ, ମୂଲ୍ୟବାନ୍‍ ହୁଏ, ସ୍ତ୍ରୀର ଗର୍ବ, ଅହଙ୍କାର ସେତିକି ବଢ଼େ । ଇନ୍ଦୁମତୀ ପାଖରେ ସେ ଗୋଟାଏ ପ୍ରାଣହୀନ ମୂଲ୍ୟବାନ୍ ଅଳଙ୍କାର ମାତ୍ର । ଆଉ କିଛି ନୁହେଁ ।

 

ଆଶ୍ଚର୍ଯ୍ୟ । ଅଥଚ ସେ ଜୀବନସାରା ଭଲପାଇବା ଖୋଜିଛି । ଖୋଜିଛି ନିର୍ମଳ ପ୍ରେମ ।

 

ବ୍ୟର୍ଥ ହୋଇଗଲା ଜୀବନଟା । ପୂରାପୂରି ବ୍ୟର୍ଥ । ଭଲପାଇବା ଭିତରେ ସେ ବଞ୍ଚିବାର ସ୍ଵାଦ ଖୋଜୁଥିଲା । ସେଥିପାଇଁ ଭଲପାଇବା ତାକୁ ଦେଇଥିଲା ଏକ ବିଷାଣ ତିକ୍ତତା ।

 

କ’ଣ ହେବ ଆଉ ଗୀତ ଗାଇ ? ଯାହାପାଇଁ ସେ ଗୀତ ଗାଇବାର କଳ୍ପନା ରଖିଥିଲା ତା’ ପାଖରେ ତା’ର ଗୀତ ମୂଲ୍ୟହୀନ, ଅର୍ଥହୀନ, ବାଜେ । ଅତଏବ ସେ କାହାକୁ ନେଇ ସ୍ଵର ସୃଷ୍ଟି କରିବ ? କାହାକୁ ନେଇ ସେ ଗୀତ ଗାଇବ ?

 

ଇନ୍ଦୁମତୀର ପ୍ରେମିକ ସାଙ୍ଗରେ ବିକାଶ ଜାଣିଶୁଣି ପରିଚୟ କରିଛି । ତାକୁ ବୁଝିବାର ଚେଷ୍ଟା କରିଛି । ତା’ ସଙ୍ଗରେ ନିଜକୁ ତୁଳନା କରି ଶିଖିଛି । ପ୍ରଥମେ ହୁଏତ ଈର୍ଷା ଥିଲା; କିନ୍ତୁ ପରେ କଟିଯାଇଛି, ଯେତେବେଳେ ସେ ବୁଝିପାରିଛି ତା’ର ସ୍ଵର ସୃଷ୍ଟି ତା’ ଅପେକ୍ଷା କେତେ ମଧୁର, କେତେ ସୁନ୍ଦର । ସେ ତା’ର ତୁଳନାରେ କିଛି ନୁହେଁ । ସେଥିପାଇଁ ବେଳେବେଳେ ସମଗୋଷ୍ଠୀର ପ୍ରତିଦ୍ୱନ୍ଦ୍ୱିତା-ଜନିତ ଈର୍ଷା ଥିଲେ ବି ଏମିତି ଇନ୍ଦୁମତୀ ପାଇଁ ଈର୍ଷା ତା’ର ହୋଇନି । ଏଇଟା ତାକୁ ଅଦ୍ଭୁତ ଲାଗେ । ଆଉ ସେଥିପାଇଁ ରାଗ ଲାଗେ ଇନ୍ଦୁମତୀ ଉପରେ । ସେ ଇନ୍ଦୁମତୀକୁ ବାହା ହୋଇଛି, ଇନ୍ଦୁମତୀ ତା’ର ସ୍ତ୍ରୀ । ଅଥଚ ଇନ୍ଦୁମତୀଠାରୁ ସେ କିଛି ପାଇଲାନି । କିଛି ନୁହେଁ । ତା’ର ଉଚିତ ଥିଲା ଭଲଯାଇ ଜାଣିଶୁଣି ବାହା ହେବ । ଏମିତି ବାପ-ମା’ଙ୍କର ସମ୍ଵନ୍ଧ ବାହାଘରରେ ତା’ର ମତଦେବା ଉଚିତ ନ ଥିଲା । କିନ୍ତୁ ଅନ୍ୟ କେହି ଝିଅ ଯେ ପୂରାପୂରି ପବିତ୍ର ଥିବେ, ତା’ର କିଛି ମାନେ ଅଛି ? ଭଲପାଇବାକୁ ସେ ବିଶ୍ଳେଷଣ କରିବ କେମିତି ? ଇନ୍ଦୁମତୀର ପ୍ରେମିକଠାରୁ ସେ ସୁଶ୍ରୀ, ସୁନ୍ଦର, ଧନବାନ୍‍, ଗୁଣବାନ୍–ବହୁ ବିଷୟରେ ସେ ବଡ଼ । ଅଥଚ ଇନ୍ଦୁମତୀ ତା’ଠାରୁ ତାକୁ ବେଶୀ ଭଲପାଏ । ଆଶ୍ଚର୍ଯ୍ୟ, ଭଲ ପାଇବାଟା ଏକ ଉନ୍ମୁକ୍ତ ଜୀବନ ଯେ ବିଚାରର ଅପେକ୍ଷା ରଖେନା, ହିସାବ ନିକାଶ କରେନା ।

 

ମନୁଷ୍ୟ ଗୋଟାଏ ଅଦ୍ଭୁତ ଜୀବ । ସେ କେବଳ ଭଲପାଏ ଜଣକୁ ନୁହେଁ, ବହୁକୁ । ଏ ପୃଥିବୀରେ କୌଣସି ମନୁଷ୍ୟ କି ନାରୀ, କି ପୁରୁଷ ମନୋଗେମସ୍ ନୁହେଁ, ସମସ୍ତେ ବହୁର ପ୍ରିୟ, ପୋଲିଗାମସ୍, ପୋଲିଏଣ୍ଟ୍ରିୟାସ୍ । ଏକକରେ କେହି ପରିତୃପ୍ତ ହୁଏନା; ଅଥଚ ସମସ୍ତେ ଏକକ ଖୋଜନ୍ତି । ସେ ବି ତ ତା’ର ପ୍ରଥମ ଜୀବନରେ ଭଲପାଇଥିଲା । କିନ୍ତୁ ସେ ଠିକ୍, ସେ ଭଲପାଇବାକୁ ଏତେ ବଡ଼ କରି ଦେଖି ନଥିଲା । ତେଣୁ ତା’ର ପ୍ରେମିକାର ଛାଇ ଆଜି ତା’ର ଜୀବନରେ ନାହିଁ । ସେ ହୁଏତ ଠିକ୍ ଏକାଗ୍ର ଏକନିଷ୍ଠ ଭାବରେ ଭଲପାଇ ନଥିଲା ବୋଲି ବୋଧହୁଏ ଆଜି ତା’ର ମନରେ ସେ ପ୍ରେମିକାର ନାମ ବି ନାହିଁ । ସେ କାହିଁକି ଭଲପାଇ ପାରିଲାନି କେଜାଣି । ତା’ର କାରଣ ସେ ସେଠି ବି ଖୋଜୁଥିଲା ନିର୍ମଳ ପ୍ରେମ । କେବଳ ପ୍ରେମ ପାଇଁ ପ୍ରେମ । ତା’ରି ପ୍ରେମିକା ତାକୁ ସେତକ ଦେଇ ପାରିନି । ସେ ସେଇ ସ୍ଵର୍ଗୀୟ ଭଲପାଇବାର ଆସ୍ଵାଦ ପାଇପାରିନି । ତେଣୁ ସେ ଭାବିଥିଲା ତା’ର ସ୍ତ୍ରୀ ପାଖରେ ସେଇଟା ପାଇବ । ତା’ର ସ୍ତ୍ରୀ ନିଜକୁ ଅଜାଡ଼ିଦେବ ନିଃଶେଷ କରି, ବିନା ପ୍ରଶ୍ନରେ; ବିନା ପ୍ରତିଦାନରେ ଏକ ନଦୀପରି ତା’ର ଉନ୍ମୁକ୍ତ ସାଗରବକ୍ଷରେ ।

 

ଇନ୍ଦୁମତୀ ବି କିଛି ଦେଇପାରିଲାନି । କିଛି ନଦେଇ ବି ସେ ତା’ଠୁ ସବୁ ଚାହିଁଛି । ପ୍ରତିବାଦ କରିଛି । ଅନ୍ୟ ସହିତ ତୁଳନା କରିଛି । ତା’ର ପ୍ରେମିକାର ଉଦାହରଣ ଦେଇ ନିଜକୁ ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଛି । ସେ କହେ, ‘‘ତୁମ ପ୍ରେମିକାର କଥା ଭାବନା ? ସେ ତା’ର ସ୍ଵାମୀ ପାଖରେ କ’ଣ କହୁଥିବ ?’’

 

ସତକଥା । ଇନ୍ଦୁମତୀର ଦୋଷ ନାହିଁ; ଦୋଷ ତା’ର ନିଜର । ତା’ର ନିଜର କଳ୍ପନାର । ସେ ଏଇ ବାସ୍ତବ ଦୁନିଆରେ ପବିତ୍ରତା ଖୋଜିବାକୁ ଚେଷ୍ଟା କରିଛି । ପ୍ରକୃତ ପ୍ରେମର ନିର୍ଝରିଣୀ ଖୋଜିବାକୁ ଯାଇ ପାଗଳ ପରି ନର୍ଦ୍ଦମା ଘାଣ୍ଟିଛି ।

 

କିନ୍ତୁ, ତଥାପି ଇନ୍ଦୁମତୀ ତାକୁ ଉଦ୍ଧାର କରିପାରିଥାନ୍ତା, ‘‘ମୋର ପ୍ରଥମ ଜୀବନରେ ସେଇଟା ଭଲପାଇବା ନୁହେଁ; ଭଲଲାଗିବା । ଭଲପାଇବା ଭଲପାଇବା ନୁହେଁ । ମୋର ବାଲ୍ୟ ଚପଳତା କିମ୍ବା ମୋର ରୂପର ଅହଙ୍କାରର ତୃପ୍ତିବୋଧ । ମୁଁ ତୁମ ଭିତରେ ହଜିବାକୁ ଚାହେଁ । ମୋର ସମସ୍ତ ହୃଦୟର ପ୍ରେମକୁ ତମରି ପାଦତଳେ ନୈବେଦ୍ୟ ରୂପେ ଅଜାଡ଼ି ଦେବାକୁ ଚାହୁଁଛି । ତୁମେ ଗ୍ରହଣ କର । ତୁମରି ଭିତରେ ବୁଡ଼ି ମୁଁ ଅନୁଭବ କରିବାକୁ ଚାହେଁ ଭଲପାଇବାକୁ ।”

 

କିନ୍ତୁ ସେ କିଛି କରିନି । ଯୁକ୍ତି କରିଛି । ବିଦ୍ୟାର ଅହଂକାରରେ, ରୂପର ଅହମିକାରେ ନିଜର ଦୋଷ ସପକ୍ଷରେ ଅନେକ ତର୍କ କରିଛି । ଯୁକ୍ତି ବାଢ଼ିଛି । ସେ ହଜିବାକୁ ଚାହିଁନି । ସେ ନିଜତ୍ୱରେ ପ୍ରଜ୍ୱଳିତ ହେବାକୁ ଚାହିଁଛି । ଆତ୍ମସମର୍ପଣ କରିବାକୁ ଚାହିଁନି । ନିଜର ଅସ୍ତିତ୍ଵକୁ ପ୍ରକାଶ କରିବାକୁ ଚାହିଁଛି । ଭଲପାଇବାଟା କେବଳ ଦୁଇଜଣଙ୍କ ସଂଗ୍ରାମରେ ରହିଗଲା । ହାରିବାକୁ ସେ ଚାହିଁଲାନି । ମୁଁ ବି । ତେଣୁ ଆଜିକାର ଏ ବ୍ୟର୍ଥତା ।

 

ଭଲପାଇବାର ଅସ୍ତିତ୍ଵ କେବଳ ଭଲପାଇବା । ଅହମିକା ନୁହଁ । ପ୍ରେମିକା ପାଖରେ ବି ସେ ଭଲପାଇବା ପାଇଲାନି । ସ୍ତ୍ରୀ ପାଖରେ ବି । ଆଉ ଜୀବନରେ ସେ କ’ଣ ପାଇଛି କି ?

 

ଗୋଟିଏ ବହୁକୁଟୁମ୍ବୀ ପରିବାରର ସନ୍ତାନ ସେ । ଆଠଟି ସନ୍ତାନ ଭିତରୁ ଚତୁର୍ଥ । ଗରିବ; ନିମ୍ନ ମଧ୍ୟବିତ୍ତ । ତା’ର ଜ୍ଞାନ ହେଲା ଦିନରୁ ସେ ଭଲପାଇବା ପାଇନି, ସ୍ନେହ ପାଇନି । ଯେତେବେଳେ ତା’ର ସ୍ନେହ ଲୋଡ଼ା ହୋଇଛି, ସେ ଯାହା ପାଖକୁ ଯାଇଛି; ପାଇଛି ଲାଞ୍ଛନା । ତଳର ଚାରୋଟି ନେଇଛନ୍ତି ମା’ର ଭଲପାଇବା, ବାପର ଭଲପାଇବା । ବଡ଼ମାନେ ଅନ୍ୟମାନଙ୍କର-। ସେ ମଝି-ମଝିକିଆ ହୋଇ କିଛି ପାଇନି । ଭାଇର ଭଲପାଇବା ସେ ଦେଖିଛି, ଭଉଣୀର ଭଲପାଇବା ସେ ଦେଖିଛି, କୋଉଟା ନିର୍ମଳ ନୁହେଁ । ସମସ୍ତେ ପ୍ରତିଦାନ ଚାହାନ୍ତି କେବଳ-। ହୃଦୟର ନୁହେଁ, ବସ୍ତୁର ମୂଲ୍ୟରେ । ବାପାର ଭଲପାଇବା ମଧ୍ୟ ସେମିତି ଆଉ ଯୋଉ ମା’ର ଭଲପାଇବା ନେଇ କାବ୍ୟ ଉପନ୍ୟାସ ମୁଖର ହୋଇଉଠିଛନ୍ତି, ତା’ର ବି ଭଲପାଇବା ନିର୍ମଳ ନୁହେଁ-। ଆଜି ସେ ଚିତ୍‌କାର କରି କହିବାକୁ ପ୍ରସ୍ତୁତ ଯେଉଁମାନେ ଲେଖିଛନ୍ତି ଜନନୀର ବାତ୍ସଲ୍ୟ; କିନ୍ତୁ ତା’ପରେ ସେମାନେ ଚାହାନ୍ତି ପ୍ରତିଦାନ । ଟଙ୍କାରେ, ବସ୍ତୁରେ । ସେମାନେ ସନ୍ତାନକୁ ବଡ଼ କରନ୍ତି ସେ ତାଙ୍କୁ ବଡ଼ ହେଲେ ପୋଷିବ ବୋଲି । ରକ୍ଷା କରିବ, ଆଶ୍ରୟ ଦେବ ବୋଲି-। ସମସ୍ତ ଜନ୍ତୁଜଗତରେ ମଧ୍ୟ ତା’ର ଉଦାହରଣ ମିଳିବ । ତେଣୁ ମଣିଷ ଭିତରେ ସେଇଟା ଏକକ ଘଟଣା ତ ନୁହେଁ । ସେ ପ୍ରାଣ ଦେବା କେବଳ ଅନ୍ଧ ମମତା । ପ୍ରବୃତ୍ତିଗତ, ବୁଦ୍ଧିଗତ ନୁହେଁ । ସନ୍ତାନର ଶିଶୁତ୍ଵବେଳେ ମା’ର ପ୍ରକୃତ ବାତ୍ସଲ୍ୟ ଥାଏ । ସେତେବେଳେ ସେ ତା’ପାଇଁ ମରିପାରେ-। କିନ୍ତୁ ଗୋଟାଏ ବୟସ୍କ ସନ୍ତାନ ପାଇଁ ମା’ ମରିବାର କେଉଁଠି ଦେଖାଯାଇନି । ଆଉ ଯୋଉଠି ଗୋଟିଏ ସନ୍ତାନ, ସେଇ ଜାଗାରେ ହିଁ ମା’ର ମମତା ବେଶୀ ପରିସ୍ଫୁଟ ହୁଏ । ବହୁ ସନ୍ତାନ ଭିତରେ ବାତ୍ସଲ୍ୟ ହୁଏ ତା’ର ବହୁଧା ବିଭକ୍ତ । କେତେବେଳେ ତା’ର ସ୍ନେହ ଏକାଗ୍ର ହୁଏନା; ହୁଏ ବହୁମୁଖୀ । କିନ୍ତୁ ତା’ ଭିତରୁ ବି ତା’ର ପ୍ରଥମ ଓ ଶେଷ ସନ୍ତାନ ପ୍ରତି ସ୍ନେହର ଆଧିକ୍ୟ ବେଶୀ ହୁଏ । ମା’ର ସବୁ ସନ୍ତାନ ପ୍ରତି ସମାନ ସ୍ନେହ ନଥାଏ ।

 

ସବୁ ଜାଗାରେ ସେଇ ଏକା କଥା । ପ୍ରେମ, ଭଲପାଇବା, ମମତା ଏକକ ପାଇଁ ଉଦ୍ଦିଷ୍ଟ ନହେଲେ ଏକମୁଖୀ ଗତିରେ ନ ବହିଲେ ତା’ର ଏକାଗ୍ରତା ଆସେନା, ନିଷ୍ଠା ଆସେନା; କିନ୍ତୁ ସାଧାରଣ ମଣିଷ ସବୁବେଳେ ବହୁମୁଖୀ, ବହୁପାଇଁ ଧାବମାନ । ସେଥିପାଇଁ ତା’ର ଭଲପାଇବାରେ ନିଷ୍ଠା ନାହିଁ, ଆଗ୍ରହ ନାହିଁ । କିନ୍ତୁ ଏକମୁଖୀ ହେବାଟା ଅସମ୍ଭବ ନୁହେଁ । ତା’ ହୋଇଥିଲେ ବିଲ୍ଵମଙ୍ଗଳ, ତୁଳସୀ ଦାସ, ମଜନୁ, ବାବରର ଆବିର୍ଭାବ ଘଟନ୍ତାନ୍ତି । ସେଥିପାଇଁ ଦରକାର ନିଜର ଅସଲ ମନ । ଛୁଆ ଯେମିତି ସବୁ କୁଣ୍ଢେଇ ଭିତରେ ବସି ଖେଳୁ ଖେଳୁ ହଠାତ୍ ସବୁ ପକେଇ ଦେଇ କାନ୍ଦିଉଠେ ‘ମା’ ‘ମା’ ବୋଲି, ସେମିତି ଯେତେବେଳଯାଏ ଆମେ ଆମର ସମସ୍ତ ଅହମିକା, ଆଡ଼ମ୍ବର ଫିଙ୍ଗି ‘ଭଲପାଇବା, ଭଲପାଇବା’ ବୋଲି ଚିତ୍‌କାର କରି ନ ଉଠିଛୁ ସେତେଦିନ ପର୍ଯ୍ୟନ୍ତ ଭଲପାଇବାର ପ୍ରକୃତ ସତ୍ତା କେହି ପାଇ ପାରିବନି ।

 

କିନ୍ତୁ ସେ ତ ବାରେ ବାରେ ଚାହିଁଛି । ସେଇ ପିଲାଦିନୁ ଏକ ଅନନ୍ତ ବ୍ୟାକୁଳତା ନେଇ ଭଲପାଇବା ଖୋଜିଛି ।

 

ଚିରଦିନ ସେ ସ୍ନେହ-କାଙ୍ଗାଳ । ଶୂନ୍ୟପାତ୍ର ହାତରେ ଧରି ସେ ପୃଥିବୀ ସାରା ଘୂରିଛି । କିଏ ଜଣେ ତା’ର ସେଇ ଶୂନ୍ୟପାତ୍ର ପୂର୍ଣ୍ଣ କରିଦେବାର ଆଶାରେ ସେ ଚାଲିଛି; ନିରନ୍ତର ସେଇ ଆଶା ବାଧାପାଇ ପାଇବି ମରିନି । ସେ ଆଶା ତାକୁ ଆଶ୍ଵାସ ଦେଇଛି । ‘‘ଖୋଜ...ଆହୁରି ଖୋଜ-।” ପ୍ରକୃତ ଭଲପାଇବାର ସନ୍ଧାନ କ’ଣ ଏତିକିରେ ମିଳିବ ? ଯେ ମୁକ୍ତା ଚାହେଁ ତାକୁ ସମୁଦ୍ରର ଗଭୀର ଅନ୍ତସ୍ଥଳ ଭିତରକୁ ଲମ୍ଫ ଦେବାକୁ ପଡ଼ିବ; ତାକୁ ବୁଡ଼ିବାକୁ ପଡ଼ିବ । ସମୁଦ୍ରର ଭିତରେ ସେ ପାଇବ ମୁକ୍ତା । ନଦୀ ବାଲି ଭିତରେ ଖୋଜିଲେ ସେ ମିଳିବନି ।

 

କିନ୍ତୁ ଆଜି ତା’ର ସମସ୍ତ ଆଶା ବ୍ୟର୍ଥ ହୋଇଛି । ଶୂନ୍ୟପାତ୍ର ତା’ର ପୂର୍ଣ୍ଣ ହୋଇନି । ଏପର୍ଯ୍ୟନ୍ତ ଖାଲି ରହିଯାଇଛି ମା’ର ଭଲପାଇବା, ମମତା ତାକୁ ପୂର୍ଣ୍ଣ କରିପାରିନି । ପିତାର ବାତ୍ସଲ୍ୟ ତାକୁ ଭରି ଦେଇପାରିନି । ଭାଇ, ଭଉଣୀ, ବନ୍ଧୁ ପରିଜନ କାହାରି ଦାନରେ କିଛି ହୋଇନି-। ଆଉ ତା’ର ପ୍ରେମିକା, ତା’ର ସ୍ତ୍ରୀ, ସେମାନେ କେହି ସେଇ ପାତ୍ରର ପୂର୍ଣ୍ଣତା ଆଣିପାରିନାହାନ୍ତି । ଥରେ ଥରେ ହୁଏତ କୌଣସି ଏକ ଅଜଣା ଶିଶୁର ନିର୍ଦ୍ଦୋଷ ହସ ଭିତରେ ତା’ର ସନ୍ଧାନ ପାଇଛି; କିନ୍ତୁ ସେ କ୍ଷଣିକ ପାଇଁ କେବଳ । ତା’ପରେ ଯୋଉ ପିପାସା, ସେଇ ପିପାସା ହିଁ ରହିଯାଇଛି-

 

ସତେ କ’ଣ ସେ ତୃପ୍ତ ହୋଇପାରିବନି ? ସତରେ କ’ଣ ତା’ର ଅନନ୍ତ ସନ୍ଧାନ ଶେଷ ହେବନି ? ଏ ଜୀବନରେ ସେ ଭଲପାଇବାର ଅମୃତ ପାଇବନି ? ସତରେ ସେ କ’ଣ ଗୋଟିଏ ଚିର ପିପାସିତ କେଉଁ ବୁଭୁକ୍ଷୁ ରାକ୍ଷସର ପ୍ରେତ ? ମୋକ୍ଷ ଖୋଜି ବୁଲୁଛି । କାହିଁରେ ସନ୍ତୁଷ୍ଟ ହୋଇପାରୁନି । କାହିଁରେ ଶାନ୍ତି ଆସୁନି ।

 

ମା’ର ପ୍ରେମ କ୍ଷଣିକର ସତ୍ୟ । ବନ୍ଧୁ-ପରିଜନର ପ୍ରେମ ମୁହୂର୍ତ୍ତକର ସତ୍ୟ । ପ୍ରେମିକାର ଭଲପାଇବା, ସ୍ତ୍ରୀର ଭଲପାଇବା ସବୁ ଖାଲି କ୍ଷଣିକର ସତ୍ୟ । କାହିଁ, ସେହି ସ୍ଥିର ଅଚଞ୍ଚଳ ଏକାଗ୍ର ଭଲପାଇବା ? ଯୋଉଁଥିପାଇଁ ସେ ଏତେ ବ୍ୟାକୁଳ, ଏତେ ଉତ୍‌କଣ୍ଠିତ–ସେ ଭଲପାଇବା କାହିଁ ? କାହିଁ ସେହି ଭଲପାଇବାର ଅମୀୟ ସୁଧାଧାରା ? ଯାହା ତା’ର ତନୁମନ-ହୃଦୟକୁ ପ୍ଳାବିତ କରିଦେବ ସ୍ଵର୍ଗୀୟ ରସରେ । ତା’ର ବୈଶାଖର ହୃଦୟକୁ ଆଷାଢ଼ର ସ୍ପର୍ଶରେ ସବୁଜକରି ଗଢ଼ି ଦେବ ?

 

ନା–ସେ ଆଉ ତା’ର ସନ୍ଧାନ ପାଇବନି । ଏ ପୃଥିବୀ ଉପରେ ଯେଉଁଠି ତା’ର ଉତ୍ସ, ସେଇଠି ସେ ଖୋଜି ଦେଖୁଛି; କିନ୍ତୁ ସବୁଠି ସେ ନିରାଶ ହୋଇଛି । ସବୁଠି ସେ ପାଇଛି ଭଲପାଇବାର ମରୀଚିକା; ପ୍ରେମର ଇନ୍ଦ୍ରଧନୁ । ଇନ୍ଦ୍ରଧନୁର ଉତ୍ସ ଖୋଜିବାକୁ ଯାଇ ସେ ସାରା ଜୀବନଟା ଧରି କେବଳ ଭୁଆଁ ବୁଲିଛି । ସେ ଜାଣି ସୁଦ୍ଧା ଜାଣିନି ଯେ ଇନ୍ଦ୍ରଧନୁ କେବଳ କ୍ଷଣିକର ମାୟା ।

 

ଆଉ କି ବାକି ରହିଲା ତା’ର ଜୀବନରେ ? କଅଣ ପାଇଁ ସେ ବଞ୍ଚିବ ? କାହାର ଆଶାରେ ? ସେ ମରିଯିବା ଉଚିତ । ତା’ର ମୃତ୍ୟୁ ବାଞ୍ଛନୀୟ । ଯଦି ସେ ମୃତ୍ୟୁ ଭିତରେ ଏ କାମନାଟାକୁ ନିଃଶେଷ କରିଦେଇପାରେ ତେବେ ହୁଏତ ସେ ତା’ ଭିତରେ ପାଇପାରେ ତା’ର ଭଲପାଇବାର ଉତ୍ସକୁ ।

 

ଏ ପୃଥିବୀର ନଦୀ, ପୋଖରୀ, ଝରଣା, ନାଳ ଭିତରେ ସେ ମୁକ୍ତା ଖୋଜିଛି । ନଈର ପାଣି ସତ୍ୟ, ପୋଖରୀ ବି ସତ୍ୟ । ସେମାନେ ତାକୁ ବାରମ୍ବାର ଆଶ୍ଵାସ ଦେଇଛନ୍ତି; କିନ୍ତୁ ମୁକ୍ତା ଦେଇ ନାହାନ୍ତି । ସେମାନେ ତା’ର ଜୀବନକୁ ଆଗେଇ ଦେଇଛନ୍ତି; କିନ୍ତୁ ଜୀବନର ଉଦ୍ଦେଶ୍ୟ ଦେଇନାହାନ୍ତି । ତେବେ କାହିଁ ସେଇ ସମୁଦ୍ର, ଯେଉଁଠି ସେ ଖୋଜିବ ସେଇ ମୁକ୍ତାକୁ ? କେଉଁଠି ଅଛି ସେଇ ପବିତ୍ର ରତ୍ନଗର୍ଭା ମହୋଦଧି, ଯା’ର ଭିତରେ ଲୁଚି ରହିଛି ସେଇ ମୁକ୍ତା ? କୁଆଡ଼େ ସେ ଅନନ୍ତ ସାଗର, ଯା’ର ଭିତରେ ବୁଡ଼ି ବୁଡ଼ି ସେ ଖୋଜିବ ଚିରୋଜ୍ଜ୍ଵଳ ମୁକ୍ତାକୁ ?

 

ସେ ସମୁଦ୍ର କ’ଣ ଏଇ ମୃତ୍ୟୁ ? ଏଇ ମୃତ୍ୟୁ ଭିତରେ ସେ କ’ଣ ପାଇବ ସେଇ ମୁକ୍ତାକୁ ? ଯେଉଁଟା ଜୀବନ ଦେଇପାରିନି, ସେଇଟା କ’ଣ ମୃତ୍ୟୁ ଦେଇପାରିବ ? କେଜାଣି । କିନ୍ତୁ ଏ ଜୀବନରେ ଯେଉଁଟାର ଉପଲବ୍‌ଧି କରିପାରିନି ମରଣରେ ସେଇଟା ପାଇବ ବୋଲି ସେ ଆଶା କରିବ କାହିଁକି ?

 

“ହେ ଭଗବାନ !” ଦୁଇ ହାତ ମୁଣ୍ଡରେ ଚିପି ଚିତ୍‌କାର କରିଉଠିଲା ବିକାଶ ‘‘ମୋତେ ଭଲପାଇବା ଦିଅ, ମୋତେ ପ୍ରେମ ଦିଅ । ମୋତେ ପ୍ରେମ ଦିଅ ଭଗବାନ, ମୋତେ ବଞ୍ଚିବାର ଆସ୍ଵାଦ ଦିଅ । ମୁଁ ଆଉ କିଛି ଚାହେଁନା–କିଛି ଚାହେଁନା । ଭଗବାନ, ତୁମେ ମୋତେ ସେଇ ଟିକକ ଦିଅ ।”

 

ଆଖିରେ ତା’ର ଅଶ୍ରୁର ପ୍ଳାବନ । ଦେହରେ ଭୟଙ୍କର ହତାଶାର ଜୁଆର । ଏକ ଗଭୀର ହତାଶାରେ ନିଷ୍ପେଷିତ ହୃଦୟ ଭାଙ୍ଗି ମୋଡ଼ି ହୋଇ ଚିତ୍‌କାର କରି ଉଠୁଛି । ତା’ର ମନରେ ରାଧା ଦେହର ପ୍ରତି ଅନୁକଣା ଷୋଳସହସ୍ର ଗୋପିକା ଚିତ୍‌କାର କରି ଉଠୁଛନ୍ତି ! ‘‘ହେ ବ୍ରଜକିଶୋର, ଆମକୁ ପ୍ରେମ ଦିଅ; ହେ ଶ୍ୟାମ, ହେ କୃଷ୍ଣ, ତୁମେ ଆମକୁ ପ୍ରେମ ଦିଅ; ମୁରଲୀଧର, ସୁରେ ସୁରେ ଶୋଷିନିଅ, ଆମକୁ ନିଃଶେଷ କରିଦିଅ ତୁମ ଭିତରେ । ଆମ ସତ୍ତା ଲିଭିଯାଉ । ଭାଙ୍ଗି ଚୁରି ନିଶ୍ଚିହ୍ନ ହୋଇଯାଉ ତୁମ ଭିତରେ । ଆମେ ଭୁଲିଯାଉ ଆମକୁ ଆମର ଏଇ କ୍ଷଣିକର ଅସ୍ତିତ୍ଵକୁ । ହେ ଗିରିଧାରୀ, ହେ ଗୋପିଜନମନହାରୀ, ହେ ରାଧାବିନୋଦ, ହେ ନନ୍ଦକିଶୋର, ତୁମର ପ୍ରେମର ଅସରନ୍ତି ସାଗର ଭିତରେ ଆମକୁ ଭସାଇନିଅ । ତୁମର ଭଲପାଇବାର ଅଗାଧ ଜଳରାଶି ଭିତରେ ଆମେ ମିଳେଇଯାଉ । ମିଶିଯାଉ ସମ୍ପୂର୍ଣ୍ଣ ଭାବରେ । ହେ ନଟବର ଶ୍ୟାମ, ତୁମେ ମୋହନ ବଂଶୀ ବଜାଅ । ତୁମ ବଂଶୀର ସେ ଅପୂର୍ବ ତାନରେ ଆମେ ନାଚି ନାଚି ହସି ହସି ସେଇ ସୁରଲହରୀର ଢେଉରେ ଢେଉରେ ଭାସି ଭାସି ହଜିଯାଉ । ଶୂନ୍ୟ ହୋଇଯାଉ । ତୁମରି ଭିତରେ...କେବଳ ତୁମରି ଭିତରେ ।”

 

ହଠାତ୍ ବିକାଶ ଯେମିତି ଏକ ଅପୂର୍ବ ଆଲୋକରେ ଉଦ୍ଭାସିତ ହୋଇଉଠିଲା । ଆଃ–ଏଇ ତ ଶ୍ୟାମ ଓ ଏଇ ତ ସମୁଦ୍ର । ଏଇ ତ ପ୍ରେମ, ଏଇ ତ ମୁକ୍ତା । ସେ ପାଗଳ ପରି ଦୁଇହାତ ଉପରକୁ ଟେକି, କାହାରି ପ୍ରତି ଭ୍ରୂକ୍ଷେପ ନରଖି ଅଶ୍ରୁବିଗଳିତ ନେତ୍ରରେ ଆନନ୍ଦର ମହନୀୟ ମାଧୁରୀରେ ଶୋଭିତ ହୋଇ ଉତ୍‌କ୍ଷିପ୍ତ ଭାବରେ ନାଚିବାକୁ ଆରମ୍ଭ କଲା ।

Image

 

ପୂର୍ଣ୍ଣାହୁତି

 

ରାୟସାହେବ ସାମନ୍ତ ଦିବ୍ୟସିଂହ ପଟ୍ଟନାୟକ ପ୍ରପୌତ୍ର ଶ୍ରୀମାନ୍ ଦୁଲୁ ପଟ୍ଟନାୟକ ଖଣ୍ଡିଏ ବିଡ଼ିରେ ଅଗ୍ନି ସଂଯୋଗ କରି କଳେ ଧୂଆଁ ଛାଡ଼ି ଉପରକୁ ଚାହିଁଲେ । ନୀଳ ନୀଳ ଧୂଆଁର ଢେଉ ନାଚି ନାଚି ଉପରକୁ ଉଠି ଅଳନ୍ଧୁଲଗା କୋଣରେ ମିଶିଗଲା ।

 

ବିରାଟ ପ୍ରଶସ୍ତ କୋଠରିଟିଏ । ପ୍ରାୟ ଆସବାବଶୂନ୍ୟ । ଗୋଟିଏ କଣକୁ ପଟା ଖଟଟିଏ-। ଖଟଉପରେ ଦରଛିଣ୍ଡା ମଶିଣା । ମଶିଣା ଉପରେ ମୁଣ୍ଡ ପାଖକୁ ତେଲ ଚିକିଟା, ମଇଳା ତକିଆଟିଏ । ଏତେ ବଡ଼ କୋଠରି ଭିତରେ ସେଇ ଗୋଟାକ ମାତ୍ର ଜିନିଷ ଯେମିତି କୋଠରିର ଶୂନ୍ୟତାକୁ ଆହୁରି ବିକଟ ଭାବରେ ପ୍ରକଟିତ କରୁଛି ।

 

ଚୈତ୍ରର ନିଃଶବ୍ଦ ଖରାବେଳ । ଖାଁ-ଖାଁ ଦିଶୁଛି ଚାରିଆଡ଼ । ହଠାତ୍ ଅଚାନକ ଦଲକାଏ ଖଣ୍ଡିଆଭୂତର ଝଡ଼ଟିଏ ଝରାପତ୍ରକୁ ଗୋଟାଇ ନେଇ ଏଣେତେଣେ ବିଞ୍ଚି ଦେଇ ପୁଣି କୁଆଡ଼େ ଉଭାନ ହୋଇଯାଉଛି, ଅଝଟିଆ ଦୁଷ୍ଟ ପିଲାଟିଏ ପରି । ଦୁଲୁ ପଟ୍ଟନାୟକ ଝରକା ପାଖକୁ ଆସି ବାହାରକୁ ଚାହିଁଲେ । ଖରାତେଜରେ ଆଖି ପୋଡ଼ିଯାଉଛି; କିନ୍ତୁ ସେ ରେଲିଂ ଧରି ଦୂରକୁ ଅନେଇଲେ । ବେଢ଼ା ପାଚିରି କେତେ ଦିନରୁ ଭାଙ୍ଗିରୁଜିଗଲାଣି । ତା’ର ଅସ୍ତିତ୍ଵ ଜଣାଇଦେଉଛି ଅପେକ୍ଷାକୃତ ଉଚ୍ଚତର ଏକ ଭଙ୍ଗା ଇଟାର ସ୍ତୂପୀକୃତ ମାଟିଗଦା ସେଇ ପଶ୍ଚିମ କଣକୁ ପାଚିରିର ଖଣ୍ଡିଏ ଭଗ୍ନାଂଶ ଏବେ ବି ଛିଡ଼ା ହୋଇଛି ଖତେଇ ହେଲା ଭଳି; ଯୋଉଠି ଦିନେ ସିଂହଦ୍ଵାର ଥିଲା । ତା’ରି ସାମ୍ନାକୁ ଦୁଇଟି ଦେବଦାରୁ ଗଛ ଆଜି ସୁଦ୍ଧା ରହିଛି । ଏଇ ଆମ୍ବ, ପଣସ, ଚାକୁଣ୍ଡା, ଗବ, ସଜନାର ବଣ ଭିତରେ ସେ ଲମ୍ବ ଲମ୍ବ ଦୁଇଟା ଗଛ ଜଣାପଡ଼ୁଛନ୍ତି ବେଢ଼ଙ୍ଗିଆ, ଅପ୍ରାସଙ୍ଗିକ ଅଗଣିତ ନେଟିଭ୍‍ମାନଙ୍କ ଭିତରେ ଦୁଇଟା ସାତଫୁଟିଆ ଗୋରା ସାହେବଙ୍କ ପରି ।

 

ସେଇ ସାହେବମାନଙ୍କ ସମୟର ଏଇ ଗଛଦୁଇଟି । କୌଣସି ସମ୍ରାଟଙ୍କ କରୋନେସନ୍ ବା ସାମ୍ରାଜ୍ଞୀଙ୍କ ରାଜ୍ୟଶାସନର ଜୁବୁଲି ଉତ୍ସବ ପାଳନର ମହୋତ୍ସବବେଳେ ବୋଧହୁଏ ଏଇ ଦୁଇଟି ବିଦେଶୀ ଚାରା ଲଗାହୋଇଥିଲା ଏଇ ଦେଶୀ ମାଟିରେ ।

 

ଚୈତ୍ରର ଏଇ ଉଦାସିଆ, ପତ୍ରଝଡ଼ା ଦ୍ଵିପ୍ରହରରେ ସେଇ ଉଦ୍ଧତ ଗଛ ଦୁଇଟି ବି ଜଣାପଡ଼ୁଛନ୍ତି ଯେମିତି ଅତି, ନିଃସଙ୍ଗ ଏକୁଟିଆ; ଅଜଣା ଦେଶରେ ନିଦଭାଙ୍ଗି ଉଠିପଡ଼ି ଅବାକ୍ ହୋଇ ଚାହିଁରହିଥିବା ଦୁଇଟି ପରଦେଶୀ ନିଃସଙ୍ଗ ପଥିକ ।

 

ଦୁଲୁ ପଟ୍ଟନାୟକ କିନ୍ତୁ ଏ ଉଆସର ଆଡ଼ମ୍ବର କିଛି ଦେଖିନାହିଁ । ତା’ର ଜନ୍ମର ପୂର୍ବରୁ ଏ ଉଆସର ଗର୍ବ, ଦର୍ପ ଆଡ଼ମ୍ବର, ଐଶ୍ଵର୍ଯ୍ୟ ଶେଷ ହୋଇଯାଇଥିଲା । ସେ ଜାଣିନାହିଁ କେମିତି ଦେଶ ସ୍ଵାଧୀନ ହେଲା; ୧୯୪୭ର ଅଗଷ୍ଟ ପନ୍ଦରରେ କେମିତି ଏ ଦେଶର ଏକ ଅପୂର୍ବ ଉନ୍ମାଦନାର ଉନ୍ମତ୍ତ ଢେଉ ବହିଯାଇଥିଲା । ନୂତନ ଆଶା ବିଶ୍ଵାସର ଏକ ଅପୂର୍ବ ସ୍ଵପ୍ନ କେମିତି ଏ ଦେଶର ଅଗଣିତ ଜନମାନସକୁ ବିମୋହିତ କରି ରଖିଥିଲା । ସେ କିଛି ଅନୁଭବ କରିନାହିଁ, ପ୍ରତ୍ୟକ୍ଷ କରିନାହିଁ । ସେ କେବଳ ଶୁଣିଛି, ପଢ଼ିଛି । କିନ୍ତୁ ସେଇ ପଢ଼ାକଥାଗୁଡ଼ିକୁ ସେ ଯେତେବେଳେ ପରଖ କରିବାକୁ ଚାହିଁଛି ବର୍ତ୍ତମାନ ବାସ୍ତବତାର ନିକିତିରେ, ସେତେବେଳେ ସେଗୁଡ଼ା ତାକୁ ମନେହୋଇଛି, ସ୍ଵାଧୀନତା ସଂଗ୍ରାମ କେବଳ ଏକ ବୁଢ଼ୀମା’ କାହାଣୀ ପରି କାହାଣୀଟିଏ ମାତ୍ର; ରୋମାଞ୍ଚକର, କିନ୍ତୁ ବିଶ୍ଵାସଯୋଗ୍ୟ ନୁହେଁ ।

 

ସେ ଜନ୍ମ ହେଲାବେଳକୁ ଜମିଦାରୀ ଉଚ୍ଛେଦ ହୋଇସାରିଲାଣି । ମଝାରସିଂଘିର ମହାପ୍ରତାପଶାଳୀ ଜମିଦାର ରାୟସାହେବ ରାୟସାମନ୍ତ ଦିବ୍ୟସିଂହ ପଟ୍ଟନାୟକ ସେତେବେଳକୁ ସାଧାରଣ ଚାଷୀ ସ୍ତରକୁ ଓହ୍ଲାଇ ସାରିଲେଣି । ତାଙ୍କର ଚାରିପୁତ୍ର ମଧ୍ୟରୁ ଯେ ଯୁଆଡ଼େ କିରାଣି, ମାଷ୍ଟର ଚାକିରି ନେଇ ମଝାରସିଂଘି ଉଆସରୁ ଚିରଦିନ ପାଇଁ ବିଦାୟ ନେଇ ଚାଲିଗଲେଣି । ଚାରିଭାଇମାନଙ୍କ ଭିତରେ ବୋଧହୁଏ ଦୁଇଥର ଏଇ ଉଆସରେ ଏକାସାଙ୍ଗରେ ସାକ୍ଷାତ୍ ହୋଇଥିଲା । ଥରେ ଜମିଦାରୀ କ୍ଷତିପୂରଣ ଟଙ୍କାର ଭାଗ ପାଇଁ ଓ ଆଉ ଥରେ ମା’ ସା’ନ୍ତାଣୀଙ୍କ ଶୁଦ୍ଧି କ୍ରିୟାବେଳେ । ତା’ପରେ ଯେ ଯୁଆଡ଼େ ନିଜ ଧନ୍ଦାରେ ବ୍ୟସ୍ତ । କେବଳ ଦୁଲୁର ବାପା ସାମନ୍ତ ଗୌରକିଶୋର ପଟ୍ଟନାୟକ ବର୍ଷକୁ ଥରେ ପୂଜାବେଳକୁ ପୂରା ପରିବାର ନେଇ ମଝାରସିଂଘି ଆସନ୍ତି ବାପା ଓ ବିଧବା ବଡ଼ମା’ ସା’ନ୍ତାଣୀଙ୍କୁ ସଙ୍ଖୋଳିବାକୁ ।

 

ଦୁଲୁ ପଟ୍ଟନାୟକର ସ୍ମୃତି ସେଇ କାଳରୁ ଏଇ ଉଆସ ସହିତ ଜଡ଼ିତ ହୋଇ ରହିଯାଇଛି-। କେମିତି ଏକ ଅଜଣା ଆକର୍ଷଣର ମାୟା ତାକୁ ଏଇ ଉଆସର ପ୍ରତ୍ୟେକ ଇଟା ସହିତ ବାନ୍ଧିରଖିଛି-। ସେଥିପାଇଁ ସେ ଯେତେବେଳେ ନିଜକୁ ଅସହାୟ ବୋଧ କରେ, ହତାଶରେ ଭାଙ୍ଗିପଡ଼େ, ସେତେବେଳେ ଏଇଠିକୁ ହିଁ ପଳେଇ ଆସେ । ଆହତ ବାଘ ଯେମିତି ନିଜର ଗୁହା ଭିତରେ ପଶି ନିଜର କ୍ଷତକୁ ଚାଟି ଚାଟି ନିଜକୁ ଆଶ୍ଵାସ ଦିଏ, ଦୁଲୁ ସେମିତି ଏଇ ଭଙ୍ଗା ଉଆସର ଗୁହା ଭିତରେ ବସି ନିଜର ବିଫଳତା, ନିଜର ହତାଶାକୁ ରୋମନ୍ଥନ କରି, ବିଶ୍ଳେଷଣ କରି ନିଜକୁ ନିଜେ ସାନ୍ତ୍ଵନା ଦିଏ ଏଇ ନୀରବତାର ବାଯୁମଣ୍ଡଳ ଭିତରେ । ଏ ଉଆସରେ ଆଉ କିଛି ନାହିଁ । କେବଳ ଯୋଡ଼ିଏ ମଣିଷ । ଅଶୀତିର ବୃଦ୍ଧ ଦିବ୍ୟସିଂହ, ଆଉ ତାଙ୍କର ଜ୍ୟେଷ୍ଠଭ୍ରାତାଙ୍କର ବାଲ୍ୟବିଧବା ପତ୍ନୀ ମଣିମାଳା । ଜଣେ ଥାନ୍ତି ଅନ୍ତଃପୁରରେ, ଆଉ ଜଣେ ବାହାର ଉଆସରେ । ସେମାନଙ୍କର ପରିଚର୍ଯ୍ୟା ପାଇଁ ଜଣେ ପରିଚାରୀ ଓ ରାନ୍ଧୁଣୀ ନଟିଆ ମା’; ଜଣେ କୋଠିଆ ନରହରି-। ମଣିମାଳାଙ୍କର ଥରୁଟିଏ ଆହାର, ରାତିରେ ଓପାସ । ଦିବ୍ୟସିଂହଙ୍କ ପୂର୍ବତନ ବିଳାସ ମଧ୍ୟ ଆଉ ନାହିଁ । ମନ ଥିଲେ ବି ଦେହ ପାରୁନାହିଁ । ତେଣୁ ତାଙ୍କର ମଧ୍ୟ ଏବେ ସାତ୍ତ୍ଵିକ ଆହାର । ଅଗନାଗ୍ନି ବନସ୍ତରେ ପତ୍ରଟିଏ ପଡ଼ିଲେ ଯେମିତି ଏକ ବିସ୍ଫୋରଣର ଭ୍ରମ ହୁଏ, ସେମିତି ଦିନବେଳେ ଉଆସରେ ଦୁଇଚାରିଟା କଥାବାର୍ତ୍ତା ଠୋ ଠୋ କରି ଫୁଟିଉଠି ମିଳେଇଯାଏ ଏଇ ନିସ୍ତବ୍‍ଧତାର ନିଶୂତି ଭିତରେ । ସବୁବେଳେ ଏକ ଗଭୀର ନିସ୍ତବ୍‍ଧତା ଓ ଅପରିସୀମ ନୀରବତାର ରାଜୁତି ପୂରା ଉଆସ ଭିତରେ ।

 

ଦୁଲୁ ଚେଷ୍ଟା କଲେ ବି ଏଇ କଠିନ ନୀରବତାର କାନ୍ଥକୁ ଦୋହଲାଇ ପାରେନାହିଁ । କ୍ରମେ କ୍ରମେ ସେ ବି ମିଳେଇଯାଏ ଏଇ ନୀରବତାର ସମୁଦ୍ର ଭିତରେ । ବେଳେବେଳେ ମନେହୁଏ ତାକୁ ସତେ ଯେମିତି ଏକ ମିଉଜିଅମ୍ ଭିତରେ ସେ ପଶିଯାଇ କେବଳ କେତେଗୁଡ଼ିଏ ପଥରମୂର୍ତ୍ତିକୁ ଦେଖୁଛି । ବେଳେବେଳେ ତାକୁ ଅଣନିଃଶ୍ଵାସୀ ଲାଗେ । ସେ ଫେରିଯାଏ ପୁଣି କେବେ ନ ଫେରିବାର ଦୃଢ଼ସଂକଳ୍ପ ନେଇ । କିନ୍ତୁ ସେ ଫେରିଆସେ କାହାର ଅଦ୍ଭୁତ ଆକର୍ଷଣରେ ଟାଣି ହୋଇ ।

 

ଦିବ୍ୟସିଂହଙ୍କ ସହିତ ଦୁଲୁର ଦେଖା କେବଳ ଥରେ, ଦ୍ଵିପ୍ରହରର ଭୋଜନବେଳେ । ପ୍ରପୌତ୍ର ସହିତ ଭୋଜନ ତାଙ୍କର ବୋଧହୁଏ ଏକମାତ୍ର ବଞ୍ଚିବାର ସମ୍ବଳ । ଦୁଲୁ ବିସ୍ମିତ ହୋଇ ଦେଖେ ତା’ର ଜେଜେବାପାକୁ । ଛଅଫୁଟ ଲମ୍ବର ପରିଷ୍କାର ଗୋରା ବଳିଷ୍ଠ ପୁରୁଷଟିଏ । ଛାତି ପର୍ଯ୍ୟନ୍ତ ଲମ୍ବିଛି ଧଳା ପାଚିଲା ଦାଢ଼ି । ପରିଷ୍କାର ଚନ୍ଦା ମୁଣ୍ଡ । ମନେହୁଏ ଚାଷୀଟିଏ ପରି । କିନ୍ତୁ ତା’ ଭିତରେ ଜଳଜଳ କରୁଥିବା ଦୁଇଟି ଖୋଜିଲା ଖୋଜିଲା ନିଷ୍ପ୍ରଭ ଆଖି ତାକୁ ମନେକରେଇଦିଏ ସେ ଗୋଟିଏ ଅସମାପ୍ତ ସ୍ଵପ୍ନର ଛନ୍ଦହରା ରାଗିଣୀର କରୁଣ ଆଳାପ । କ୍ଷଣକ ପାଇଁ ତା’ ଛାତିଭିତରଟା ମୋଡ଼ି ହୋଇଯାଏ ଏଇ ଦାମ୍ଭିକ, ଅହଙ୍କାରୀ ପୁରୁଷଟି ପ୍ରତି ଏକ ଅପରିସୀମ କରୁଣାରେ । କିନ୍ତୁ ପରମୁହୂର୍ତ୍ତରେ ସେ ବିଦ୍ରୋହୀ ହୋଇଉଠେ ଏଭଳି ଏକ ନିଷ୍ଠୁରତାର ଜୀବନ୍ତ ପ୍ରତିମାକୁ ଦେଖି । ଦିବ୍ୟସିଂହଙ୍କର ଅନେକ ଦୁଃଖ । ପୁଅମାନେ ଚାଲିଗଲେ । ଏତେବଡ଼ ଉଆସଟା ଶୂନ୍ୟ ହୋଇଗଲା । ଜଣ ଜଣ କରି ପାଖଲୋକ ଛାଡ଼ି ଚାଲିଗଲେ । ଏମିତିକି ରାଧୁଆ ବାରିକଟା ମଧ୍ୟ ମରିଗଲା । ତା’ ସାନଭାଇ ଚାଲିଗଲା ଭୁବନେଶ୍ଵର ସେଲୁନ୍ କରିବ ବୋଲି । ଦାଢ଼ି କାଟୁ କାଟୁ ଟିକିଏ ଖୁର ଲଗେଇ ଦେଇଥିଲା ବୋଲି ରାଧୁଆର ପୁଅକୁ ଯୋଉଦିନ ବ୍ରହ୍ମଚାପୁଡ଼ାଟିଏ ପକାଇଥିଲେ, ସେଇଦିନୁଁ ଅନ୍ୟକୌଣସି ଭଣ୍ଡାରି ମଧ୍ୟ ଉଆସ ଭିତରକୁ ଯିବାକୁ ନାହିଁକରିଦେଇଥିଲେ । ସେଇଦିନଠାରୁ ଦିବ୍ୟସିଂହ ମଧ୍ୟ ଜିଦ୍ ଧରି ଦାଢ଼ି ଛାଡ଼ିଦେଇଥିଲେ । ନା, କିଛି ନୁହେଁ । ତଥାପି କୁଞ୍ଚଦିଆ ଧୋତି, ଫତେଇ ପିନ୍ଧି, କନ୍ଧରେ କାଶ୍ମୀରୀ ଶାଲ୍ ପକେଇ ପିତଳ ଗୋବ ଓ ରୂପାବେଣ୍ଟଦିଆ ହାତବାଡ଼ି ଧରି ସେ ପ୍ରତିଦିନ ପ୍ରାତଃଭ୍ରମଣରେ ବାହାରୁଥିଲେ । କିନ୍ତୁ ଯୋଉଦିନ ପିଆଦା ହରି ମଳିକର ପୁଅ ସୁରେନ୍ଦ୍ର ମଳିକ, ଆଇ.ଏ.ଏସ୍, ନୂଆ ଫିଆଟ୍ ଗାଡ଼ିରେ ତାଙ୍କୁ ଧୂଳିରେ ଗାଧୋଇଦେଇ ଚାଲିଗଲା, ସେଇ ଦିନଠାରୁ ତାଙ୍କ ପ୍ରାତଃଭ୍ରମଣ ମଧ୍ୟ ବନ୍ଦ ହୋଇଯାଇଛି । ସୁରେନ୍ଦ୍ର ଗାଡ଼ି ଛିଡ଼ାକରି ଓଳିକିଟାଏ କଲାନାହିଁ ? ସେଇଥିରେ ତ ସେ କୃତକୃତ୍ୟ ହୋଇଯାଇଥାନ୍ତେ । କିନ୍ତୁ...ଛାଡ଼ !

 

ସେ ଜାଣିଛନ୍ତି ହରି ମଳିକର କୋଠା କାହା ଇଟାରେ ତିଆରି ହୋଇଛି । ଟଙ୍କା ଅଭାବରୁ ବେଢ଼ା ପାଚିରିର ସମସ୍ତ ଇଟା ସେ ହରି ମଳିକକୁ ବିକିଦେଇଥିଲେ । ବିକ୍ରି ଆଉ କ’ଣ ? ଦାନ ତ । ନ ହେଲେ ଏତେବଡ଼ ପାଚିରିର ଇଟାର ଦାମ କ’ଣ ମାତ୍ର ଦୁଇଶହ ଟଙ୍କା ।

 

କ୍ରୋଧ, ଅପମାନ, ନିଜର ଅସହାୟତା ଓ ନିଷ୍ଫଳତାର ପ୍ରବଳ ଝଡ଼ରେ ଓଲଟପାଲଟ ଦିବ୍ୟସିଂହ ପଟ୍ଟନାୟକ ଯେମିତି ସ୍ଥାଣୁ ପାଲଟିଗଲେ । ସେଇ ଦିନଠାରୁ ଦିବ୍ୟସିଂହଙ୍କର ପାଦ ଉଆସର ବାହାର ଅଗଣାରେ ପଡ଼ିଥିବାର କେହି କେବେ ଦେଖିନାହାନ୍ତି ।

 

ତଥାପି ସେଇ ଉଆସ ଭିତରୁ ତାଙ୍କର ବ୍ୟକ୍ତିତ୍ଵର ଏକ ଆବରଣ ଯେମିତି ସମୁଦାୟ ଉଆସଟାକୁ ଏକ ଭୟ ଓ ଆଶଙ୍କାର ଘନ କୁହୁଡ଼ିରେ ଆଚ୍ଛନ୍ନ କରି ରଖିଥାଏ । ଗାଁ ପିଲାଏ ସେଇ ବାଟରେ ଯାଉ ଯାଉ ତାଙ୍କର କୋଳାହଳ ହଠାତ୍ କରି ଥମିଯାଏ । ଗାଁ ମାଇପିଙ୍କର ଆଶଙ୍କାକୁଳିତ ଚାହାଣି ଚକିତରେ ଉଆସ ଆଡ଼ରୁ ବୁଲିଆସେ । କଥାର ସ୍ଵର ନଇଁଯାଏ । ଉଆସ ଯେମିତି ଭୟ, ଆଶଙ୍କା ଓ ଉଦବେଗର ଭୂତକୋଠି । ତା’ ଭିତରେ ବୁଢ଼ୀ ଅସୁରୁଣୀଟିଏ ବସି ଚୁଲିରେ ଗୋଡ଼ ପୂରେଇ ମଣିଷ ମାଉଁସ ସିଝଉଛି । ଦିବ୍ୟସିଂହଙ୍କର ଛଅଫୁଟ ଲମ୍ବା ଦିହଟା ଦିନକୁ ଦିନ ଯେମିତି ବଢ଼ି ବଢ଼ି ଚାରିଶହ ଫୁଟ ଓସାର ଓ ସାତଶହ ଫୁଟ ଲମ୍ବା ପ୍ରକାଣ୍ଡ ଉଆସଟାକୁ ବଳିଯାଇ ଏକ ବିରାଟ ମେଘଖଣ୍ଡ ପରି ସାରା ଉଆସଟାକୁ ଆବୃତ୍ତ କରି ରଖୁଛି । ଯେତିକି ଯେତିକି ଦିନ ଗଡ଼ୁଛି, ତାଙ୍କର କାୟା ବିସ୍ତାର ସେତିକି ସେତିକି ବଢ଼ି ଯାଉଛି । ଦିବ୍ୟସିଂହ ତାଙ୍କର ଜୀବନକାଳ ମଧ୍ୟରେ ବି ପରିଣତ ହୋଇଯାଉଛନ୍ତି ଏକ ରୋମାଞ୍ଚକର ଅଥଚ ଭୀଷଣ ରହସ୍ୟାବୃତ୍ତ କିମ୍ବଦନ୍ତୀରେ ।

 

ଦୁଲୁ କିନ୍ତୁ କେବେ ବି ତା’ ଜେଜେକୁ ଭୟ କରିନାହିଁ । ପିଲାଦିନୁଁ ମଧ୍ୟ ସେ ସବୁବେଳେ ତାଙ୍କର ପାଖରେ ଥାଏ । ଅନ୍ୟମାନେ କେହି ତାଙ୍କ ପାଖ ପଶନ୍ତି ନାହିଁ । ଏମିତି କି ତା’ ବାପା ମଧ୍ୟ-। ସେ ତା’ର ଜେଜେଙ୍କର ଗେହ୍ଲା ନାତି । ତାଙ୍କରି ପାଖରେ ବସି ସେ ପିଲାଦିନୁଁ ଶୁଣିଆସିଛି ଏଇ ବଂଶର ଗୌରବଗାଥା । ପ୍ରତାପରୁଦ୍ରଙ୍କ ସମୟଠାରୁ ବ୍ରିଟିଶ ରାଜତ୍ଵ ପର୍ଯ୍ୟନ୍ତ ଗଡ଼ିଆସିଥିବା ଏଇ ସାମନ୍ତବଂଶର କେତେ ବୀରତ୍ଵ, ବିଡ଼ମ୍ବନା, ଲାଞ୍ଛନା, ଗୌରବାବହ ଇତିହାସର କାହାଣୀ । ଜେଜେ ତା’ର ଏଇ ଉଆସର କଥାକୁହା ମାଦଳା ପାଞ୍ଜି । ବାରମ୍ବାର ପୁନରାବୃତ୍ତିରେ ସେସବୁ କାହାଣୀ ତା’ର ଅସ୍ଥିମଜ୍ଜାଗତ ହୋଇଯାଇଛି । ଦୁଲୁ ସେଥିପାଇଁ କେବେହେଲେ ନିଜକୁ କେବଳ ଏକ ବିଚ୍ଛିନ୍ନ ବ୍ୟକ୍ତି ହିସାବରେ ଆଜି ସୁଦ୍ଧା ବି ବିଚାର କରିପାରେ ନାହିଁ । ସେ ଯେମିତି ଏକ ବହମାନ ଧାରାର ଏକ ନିର୍ଦ୍ଦିଷ୍ଟ ଅଂଶ ମାତ୍ର । ସେଇଥିପାଇଁ ସେ କେତେବେଳେ ରାୟ ରାମାନନ୍ଦଙ୍କ ସହିତ ଦାକ୍ଷିଣାତ୍ୟ ବିଜୟ କଲାଣି ତ କେବେ କଳାପାହାଡ଼ ସାଙ୍ଗରେ ଯୁଦ୍ଧରତ । ପୁଣି କେତେବେଳେ ଖୋର୍ଦ୍ଧା ରାଜବଂଶର ସେନାପତି ତ ପୁଣି କେତେବେଳେ ବ୍ରିଟିଶ ସାମ୍ରାଟ୍‍ର ଅନୁଗ୍ରହପ୍ରାର୍ଥୀ ।

 

ଦୁଲୁ ଆଉ ଗୋଟାଏ ବିଡ଼ିରେ ନିଆଁ ଧରେଇଲା । ଥରକରେ ନିଆଁ ଧରିଲା ନାହିଁ । ଦି’ ତିନିଥର ଦିଆସିଲି ମାରିବାକୁ ପଡ଼ିଲା । କୁଜାହୋଇ ରହିଲେ ଏଇ ଅସୁବିଧା । ଯେତେ ଚେଷ୍ଟାକଲେ ବି ସେ ପିଠିର ବୋଝଟିକୁ ଓହ୍ଲେଇ ପାରୁନାହିଁ । ସେ ଭାରି ପଥରର ବୋଝଟା ଧୀରେ ଧୀରେ ତା’ ମେରୁଦଣ୍ଡକୁ ତଳକୁ ତଳକୁ ନୁଆଁଇ ଧରୁଛି । ପୂରାପୂରି ଭାଙ୍ଗି ଦେଉନାହିଁ । ଖାଲି ଚାପି ଧରି ରଖିଛି । ଭାଙ୍ଗିଯାଆନ୍ତା କି ରଡ଼୍‍ରାଡ଼୍ କରି, ତା’ହେଲେ ସେ ଅବା ମୁକ୍ତି ପାଆନ୍ତା । କିନ୍ତୁ ନା–ବାଉଁଶବତା ପରି ତା’ର ଦେହଟା ନଇଁଯାଉଛି ସିନା, ଭାଙ୍ଗୁନାହିଁ । ତା’ ଭାରରେ ସେ ଅଣନିଃଶ୍ଵାସୀ ହୋଇଯାଉଛି । କଷ୍ଟରେ ଚିତ୍କାର କରୁଛି । ଯନ୍ତ୍ରଣାରେ ଅଧୀର ହେଉଛି । କିନ୍ତୁ ତାକୁ ଖସାଇପାରୁନାହିଁ କି ମରିପାରୁନାହିଁ । ଆଃ, ବଡ଼ କଷ୍ଟ, ବଡ଼ ଯନ୍ତ୍ରଣା । ଦୁଲୁର ଏ ଅବସ୍ଥା କେବେ ନ ଥିଲା । ପିଲାଦିନୁଁ ସେ କେବେ କୁଜା ନ ଥିଲା । ସେ ବି ବର୍ତ୍ତମାନ ଛଅଫୁଟ ଲମ୍ଵର ବଳିଷ୍ଠ ଯୁବକଟିଏ । ଅଥଚ...ଅଥଚ...କିଏ ଜଣେ କେମିତି ଏଇ ବୋଝଟା ତା’ ପିଠିରେ ଏମିତି ଲଦିଦେଇ ପାରହୋଇଗଲା କେଜାଣି ? ଅଠାପରି ଲାଗିରହିଛି ବୋଝଟା ।

 

ଅନେକ ଅନେକ ଦିନ ଆଗରୁ ଥରେ ଏମିତି ହୋଇଥିଲା । ସେତେବେଳେ ତାକୁ ବାଆର କି ତେଏର ବର୍ଷ ବୟସ । ଦିନେ ରାତିରେ କି ଗୋଟାଏ ସ୍ଵପ୍ନ ଦେଖି ସେ ଚିରିଚିରେଇ ଉଠିଲା । ବାପା, ବୋଉ ସମସ୍ତେ ଉଠିପଡ଼ିଲେ । ସେ ପାଟି କରୁଥାଏ ‘‘ବୋଉ, ମୋ ଉପରେ କିଏ ଜଣେ ମାଡ଼ିବସିଛି; ଜୋରରେ ଚାପିଧରିଛି । ଆଃ, ମରିଗଲି, ମରିଗଲି । ମୋ ନିଃଶ୍ଵାସ ବନ୍ଦ ହୋଇଯାଉଛି । ବୋଉ, ବୋଉ !” ସେଇ ଚିତ୍କାରରେ ପଡ଼ିଶାର କେତେ ଲୋକ ବି ଘରେ ରୁଣ୍ଡ ହୋଇଗଲେଣି । କିଛି ସମୟ ପରେ ତା’ର ଆଖି ତରାଟିହୋଇଗଲା । ହାତଗୋଡ଼ ମୁଠାମୁଠା ହୋଇଗଲା । ଘରେ କାନ୍ଦବୋବାଳି ପଡ଼ିଗଲା । ପଡ଼ୋଶୀ ରାମଦାଦା କହିଲେ, ‘‘ଆରେ, ଏ ତ ଏପିଲେପ୍‍ସି ଫିଟ୍ । ଜଲ୍‍ଦି ଜଲ୍‍ଦି ପାଣି ଛାଟ । ମୁହଁରେ ପାଣି ଦିଅ । ଆରେ, ଚାମୁଚ କି ପିଠାଖଡ଼ିକାଟିଏ ଆଣ । ଶୀଘ୍ର । ନହେଲେ ପାଟି ଜାବପଡ଼ିଯିବ ଯେ ।”

 

ତା’ର ଚେତା ଫେରିଲାବେଳକୁ ଖରା ପଡ଼ିଗଲାଣି । ପାଖରେ ବାପା ବୋଉ, ପଡ଼ିଶାଘର କେତେଜଣ ତଥାପି ଜଗିବସିଥାନ୍ତି । ଡାକ୍ତର ବି ଆସିଗଲେଣି । ଡାକ୍ତର କହିଲେ–“ନା, ଏଥର ଆଉ ଭୟ ନାହିଁ ।” ସତକୁ ସତ ଭଲ ବି ହୋଇଗଲା । କିନ୍ତୁ ତା’ର ପଛପାଖ ପିଠି ଉପରେ କେମିତି ଗୋଟାଏ ଓଜନିଆ ଜିନିଷ ଲଟକି ରହିଲାପରି ଲାଗୁଥାଏ ତାକୁ । ସବୁବେଳେ ନୁହେଁ, ବେଳେବେଳେ ।

 

ସେଇଦିନ ପରଠୁ ଆଉ ତା’ର କେବେ ସେମିତି ହୋଇନାହିଁ ଆଜିଯାଏଁ । ସେମିତିରେ ସେ ପାଠ ପଢ଼ିଲା । ମାଟ୍ରିକରେ ଫାଷ୍ଟ୍ ଡିଭିଜନ୍ ପାଇଥିଲା । ଏମ.ଏ ପାଶ୍ କଲା ଫାଷ୍ଟ୍‍କ୍ଲାସ ପାଇ-। କୋଉଥିରେ କେବେ କିଛି ଅସୁବିଧା ହୋଇନାହିଁ । ଫଳ ବାହାରିବାର ଚାରି ପାଞ୍ଚ ମାସ ଭିତରେ ସେ ଆଡ଼ହକ୍ ଅଧ୍ୟାପକ ଚାକିରିଟିଏ ମଧ୍ୟ ପାଇଯାଇଥିଲା । ପୁଣି ସେ ବେଙ୍କ୍ ଚାକିରି ଓ ଆଇ.ଏ.ଏସ୍. ପରୀକ୍ଷା ପାଇଁ ମଧ୍ୟ ଖୁବ୍ ଜୋରସୋର ପଢ଼ାଶୁଣା ଆରମ୍ଭ କରିଥିଲା ।

 

ହଠାତ୍ କେମିତି ହେଲା କେଜାଣି । ଯୋଉଦିନ ତା’ର ନୂଆ ଚାକିରି ଜାଗାକୁ ଜଏନ୍ କରିବାକୁ ଯିବା କଥା, ଠିକ୍ ତା’ ଆଗଦିନ ରାତିରେ ସେ ପୁଣି ଆଉଥରେ ସ୍ଵପ୍ନ ଦେଖିଲା ତା’ର ଜେଜେଙ୍କୁ ।

 

ପୂର୍ବରୁ ସେ କେବେ ଦେଖିଥିଲା କି ? ଠିକ୍ ମନେପଡ଼ୁନାହିଁ । ବୋଧହୁଏ ଆଜକୁ ୧୨।୧୩ ବର୍ଷ ତଳେ ଯୋଉ ଦିନ ତା’ର ସେଇ ଫିଟ୍‍ସ୍‍ ହୋଇଥିଲା, ସେଇ ଦିନ ବୋଧହୁଏ ତା’ର ଜେଜେଙ୍କୁ ହିଁ ଦେଖିଥିଲା । ତା’ର ଆଜିକାଲି ଝାପ୍‍ସା ଝାପ୍‍ସା ମନେପଡ଼େ ତା’ର ଜେଜେ ହିଁ ଯେମିତି ତା’ ଉପରେ ମାଡ଼ିବସି ତାକୁ ଅଣନିଶ୍ଵାସୀ କରିପକାଉଥିଲେ । ସେତେବେଳେ ସେ କାହାରିକୁ କହିପାରିନାହିଁ ସେ କଥା ସମସ୍ତେ ହସିବେ ବୋଲି । କି ଏକ ଅଜଣାଭୟରେ ସେକଥା ମନେପଡ଼ୁ ନାହିଁ; କିନ୍ତୁ ଏକଥା ସେ କାହାରିକୁ କହି ନ ଥିଲା । ଏମିତିକି ତା’ ବୋଉକୁ ବି । କିନ୍ତୁ ଏବେ ଭାବିଲାବେଳକୁ ତା’ର ସ୍ପଷ୍ଟ ମନେହେଉଛି ତା’ର ଜେଜେଙ୍କୁ ସେ ଦେଖିଥିଲା ଏକଦମ୍ ଜୀବନ୍ତ ଭାବରେ । ସେଇ ବାଘୁଆ ନିଶ, ଲମ୍ବା ଲମ୍ବା ଦାଢ଼ି, ଜ୍ଵଳନ୍ତ ଦୁଇଟା ଚକ୍‍ଚକ୍ ତୀବ୍ର ଆଖି–ତା’ ଛାତି ଉପରେ ସେ ଗୋଡ଼ଦେଇ ଛିଡ଼ାହୋଇଥିଲେ ଯେମିତି । ତା’ପରେ ଦୁଇ ହାତରେ ତା’ ବେକକୁ କୁଣ୍ଢାଇ ଧରି ସେ ଓହଳି ପଡ଼ିଥିଲେ ପଛପଟକୁ ଭୀଷଣ ଜୋରରେ ଜାକିଧରି । ତା’ କାନରେ କ’ଣ ସବୁ କହୁଥିଲେ ବୋଧେ । ସବୁ ଅସଂଲଗ୍ନ, ଅସ୍ପଷ୍ଟ: ‘‘ମୋତେ ବଞ୍ଚାରେ ଦୁଲୁ, ଏମାନେ ମୋତେ ମାରିପକାଇଲେଣି । ମୋତେ ବଞ୍ଚା, ବଞ୍ଚା । ତୋରି କାନ୍ଧରେ ବସି, ତୋ ପିଠି ପଟରେ ଲାଉହୋଇ ମୁଁ ରହିଥିବି । ନ ହେଲେ ଏମାନେ ସବୁ ମୋତେ ଠେଲି ଠେଲି ନେଇ ଅନ୍ଧାରଗୁହା ଆଡ଼କୁ ନେଇଗଲେଣି । ଏଥର ବୋଧହୁଏ ସେଇଠି ମୋ ତଣ୍ଟି ଚିପିଦେବେ । ନାଁ, ମୁଁ ତୋତେ ଛାଡ଼ିବି ନାହିଁ–ମୋତେ ବଞ୍ଚା ।” ଏଗୁଡ଼ା ସେ ସତରେ ଶୁଣିଥିଲା କି ତା’ର କଳ୍ପନା ସେ ଏବେ ବି ଠିକ୍ କରିପାରେନାହିଁ; କିନ୍ତୁ କଥାଗୁଡ଼ାକ ସବୁ ସ୍ପଷ୍ଟ ମନେଅଛି ତା’ର ।

 

ସେଇ ଦିନଠାରୁ ଯଦିଓ ତା’ର ବାହାରେ କିଛି ପରିବର୍ତ୍ତନ ହୋଇ ନ ଥିଲା; କିନ୍ତୁ ଭିତରେ ଭିତରେ ସେ ଅନୁଭବ କରୁଥିଲା ଏକ ଆମୂଳଚୂଳ ପରିବର୍ତ୍ତନ । ତା’ର ଦୃଷ୍ଟିଭଙ୍ଗୀ ପୂରା ବଦଳିଯାଇଥିଲା । ତା’ର ନିତିଦିନିଆ ପରିଚିତ ଦୁନିଆ ତାକୁ କ୍ରମେ କ୍ରମେ ଅସହ୍ୟ ମନେହେଲା । ଭୁବନେଶ୍ଵରର ଟାଇପ୍ ଟୁ-ଆର ଘର ତାକୁ ଲାଗୁଥିଲା ଏକ ବନ୍ଦିଶାଳା ପରି । ତା’ର ସାଙ୍ଗସାଥି, ବନ୍ଧୁ ବାନ୍ଧବ ଏପରିକି ତା’ ବୋଉ, ବାପା, ଭାଇଭଉଣୀମାନେ ବି ତା’ ଆଖିରେ ଛୋଟ ହୋଇଗଲେ । ସତେ ଯେମିତି ଏକ ରାଜପୁତ୍ର ନିର୍ବାସିତ ହୋଇ ଏକ ନିବିଡ଼ ଅରଣ୍ୟ ଭିତରେ ବଣୁଆମଣିଷଙ୍କ ମେଳରେ ପଶିଯାଇଛି । ସେ ବୁଝେ, ସେ ଜାଣେ, ଯେ ସେ ଏମାନଙ୍କଠାରୁ ଅଲଗା–ଏକ ରାଜପୁତ୍ର । ଅସଭ୍ୟ, ବର୍ବର ଆଦିମଣିଷ ସେ ନୁହେଁ । ସେ ଯେମିତି ତାଙ୍କରି ସାଙ୍ଗରେ ଚଳିବାକୁ ବାଧ୍ୟହୁଏ ପରିସ୍ଥିତିର ତାଡ଼ନାରେ ଦୁଲୁ ପଟ୍ଟନାୟକ ସେମିତି ଅନୁଭବ କରୁଥିଲା ନିଜକୁ । କ୍ରମଶଃ ସେ ସାଙ୍ଗସାଥୀମାନଙ୍କୁ ଛାଡ଼ିଲା–ଖେଳପଡ଼ିଆ ଭୁଲିଗଲା । କେବଳ ବହି ଭିତରେ ନିଜକୁ ନିଜେ ବୁଡ଼ାଇ ରଖିଲା । ସେ ନିଜକୁ ନିଜେ ଯେତିକି ବଡ଼ ଭାବି ବଢ଼ିଉଠୁଥିଲା, ସେତିକି ସେତିକି ସେ ତା’ର ପାରିପାର୍ଶ୍ଵିକ ପରିସ୍ଥିତିଠାରୁ ଦୂରେଇଯାଉଥିଲା; ଆଉ ତା’ ପଛପାଖର ଓଜନିଆ ବୋଝର ବ୍ୟଥାଟା ମଧ୍ୟ ସେତିକି ସେତିକି ବଢ଼ିଯାଉଥିଲା । କେଜାଣି କାହିଁକି ତା’ର ମନେହେଉଥଲା ସେ ଯେତେ ଏକୁଟିଆ ରହିବାକୁ ଚାହିଁଲେ ବି ସେ ଏକୁଟିଆ ନୁହଁ । କିଏ ଜଣେ ତା’ ପଛରେ ଛାୟା ପରି ଲାଗିରହିଛି । ଅଜାଣତରେ ତା’ର ସ୍ପର୍ଶରେ ସେ କେତେଥର ଚମକି ପଡ଼ିଛି-। ସେ ଅନୁଭବ କରିଛି, ସେ ନିଜ ଇଚ୍ଛାରେ କିଛି କାମ କରିପାରୁନି । ସେ ଜଣେ ଏକକ ବ୍ୟକ୍ତି ନୁହେଁ; ତା’ ଭିତରେ ଦୁଇଟି ବ୍ୟକ୍ତି । ସେଇ ଅଲଗା ବ୍ୟକ୍ତିଟି ହିଁ ଯେମିତି ତାକୁ ସବୁବେଳେ ତା’ର ନିଜ ଅନିଚ୍ଛାସତ୍ତ୍ୱେ ବି ତାକୁ ଟାଣିଟାଣି ଠେଲିଠେଲି ନେଇ ସବୁ କାମ କରେଇନେଉଛି; କିନ୍ତୁ ତା’ର ପ୍ରତିବାଦ କରିବାର ଉପାୟ ନାହିଁ । କାହାରିକୁ କିଛି ଜଣେଇବାର ମଧ୍ୟ ସାହସ ନାହିଁ । ସେ ସବୁ ସହିଯାଉଛି ନୀରବରେ; ବିନା ପ୍ରତିବାଦରେ ।

 

ସାଙ୍ଗପିଲାଏ କହିଲେ ‘ଏକୁଟିଆ ବାଁଆରା’ । ଶିକ୍ଷକମାନେ କହିଲେ ମଉନମୁହାଁ । ଭାଇଭଉଣୀମାନେ ଚିଡ଼େଇଲେ ଘରପଶା, ମାଇଚିଆ । ବୋଉ ବ୍ୟସ୍ତ ହେଲା; କେତେ କଥା ପଚାରିଲା: ଦେହ ଖରାପ ? ମନ ଦୁଃଖ ? ବାପା କହିଲେ, ‘‘ଦେଖୁନ, ଠିକ୍ ସେ ବାପାଙ୍କ ଗୁଣ ଆଣିଛି । ତା’ର କିଛି ହୋଇନି ମ । ତମେ ଖାଲି ମିଛଟାରେ ଭାବିହେଉଛ । ତା’ର ସ୍ଵଭାବ ସେମିତି-। ବାପାଙ୍କ ପରି ବଦରାଗୀ ଏକଜିଦିଆ ହୋଇଛି ସବୁବେଳେ । ଠିକ୍ ହୋଇଯିବ ।”

 

ଅଥଚ ସେ ଜମା ଠିକ୍ ହୋଇପାରିଲାନି । ସେ ଅନୁଭବ କଲା ଧୀରେ ଧୀରେ ସେ ଯେମିତି ତା’ ଜେଜେଙ୍କ ପରି ହୋଇଯାଉଛି । ପ୍ରଥମପୁରୁଷର ଗୁଣମାନ କ’ଣ ପୁଣି ଉତ୍ତର ତୃତୀୟ ପୁରୁଷ ଦେହରେ ପ୍ରସ୍ଫୁଟିତ ହୁଏ ?

 

ଦୁଲୁ ପଟ୍ଟନାୟକ ଝରକା ପାଖରୁ ମୁହଁଫେରେଇ ତକ୍ତପୋଷ ଉପରେ ବସିଲା । ସୂର୍ଯ୍ୟ କ୍ରମଶଃ ତଳକୁ ଖସୁଛନ୍ତି । ଚୈତ୍ରର ଧୂସର ଅପରାହ୍‍ଣ ଦିଶୁଛି ଏକାଧାରରେ ନିଷ୍ଠୁର ପୁଣି କରୁଣ । ଅଦ୍ଭୁତ ଏ ବିରୋଧାଭାସ–ଠିକ୍ ତା’ର ଜେଜେଙ୍କ ପରି ।

 

ବେଢ଼ା ପାଚିର ଚାରିପାଖେ କାହାର ଆଖିମାନ ? ଅଜସ୍ର ଆଖି । ସତେ ଯେମିତି ଆଖି ପରେ ଆଖି ଯୋଡ଼ାହୋଇ ପାଚିରିଟିଏ ଗଢ଼ାହୋଇଛି । ସେ ଆଖିମାନଙ୍କର କି ଅଗ୍ନିବର୍ଷା ଚାହାଣି-। ସେମାନଙ୍କର ଆଖିର ଉତ୍ତାପରେ ଚୈତ୍ରର ଅପରାହ୍‍ଣ କ୍ରମଶଃ ଆହୁରି ଉତ୍ତପ୍ତ ହୋଇଉଠୁଛି-। କିଏ ସେମାନେ ? କାହିଁକି ସେମାନଙ୍କର ଆକ୍ରୋଶ ?

 

ପିଆଦା ନିଧି ମଳିକ ? ରାଧୁଆ ଭଣ୍ଡାରି ? ଅତ୍ୟାଚାରିତ ଅଗଣିତ ପ୍ରଜାପାଟକ ? ଧର୍ଷିତା କୁମାରୀ-କନ୍ୟା ? ବଳପୂର୍ବକ ଲୁଣ୍ଠିତା କୁଳବଧୂ ? କରଜ ପଇଠ କରି ନ ଥିବା ଚାଷୀ ? ଖଜଣା ଦେଇପାରିନଥିବା ପ୍ରଜା ? ସାମାନ୍ୟ ପ୍ରତିବାଦ କରିଥିବା ଦୁର୍ବିନୀତ ଯୁବକ ? ନିଷ୍ପଲକ ଜ୍ଵଳନ୍ତ ଅଙ୍ଗାରର ଆଖି । ଯୋଉଠି ସେ ଚାହାଣି ପଡ଼ୁଛି ସେଇଠୁ ଜନ୍ମନେଉଛି ଅଗ୍ନିର ସ୍ଫୁଲିଙ୍ଗ ?

 

ଅସହ୍ୟ । ଦୁଲୁର ଦେହହାତରେ ଯେମିତି ନିଆଁ ଚରିଯାଉଛି । ସେ ଆଖି ଫେରେଇ, ମୁହଁ ଫେରେଇ ବସିଲା କାନ୍ଥଆଡ଼କୁ ମୁହଁ କରି । ପଲସ୍ତରା କେତେ ଜାଗାରେ ଖସିଯାଇଛି । ଚାରିକୋଣରେ ଭର୍ତ୍ତି ହୋଇଛି ଅଳନ୍ଧୁ । ତା’ ଭିତରେ ଅଗଣିତ ବୁଢ଼ିଆଣୀର ବସା । ଅପରାହ୍‍ଣ ସୂର୍ଯ୍ୟର ଦୁଇଚାରିଟି ରଶ୍ମି କୋଉ ଜଳାବାଟଦେଇ ଦୁଇଟି ଗୋଲାକାର ବୃତ୍ତରେ ଲାଖିରହିଛନ୍ତି ପଲସ୍ତରାଛଡ଼ା ନାଲି ଇଟାର କାନ୍ଥରେ । ସେଇ ଆଲୋକରେ ମନେହେଉଛି ସତେ ଯେମିତି ଇଟାଗୁଡ଼ିକ ଯୋଡ଼େଇ ହୋଇଛନ୍ତି ବହଳିଆ ନାଲି ରକ୍ତର ସୁର୍‍କିରେ ।

 

ଦୁଃସ୍ଵପ୍ନ । କେବଳ ଦୁଃସ୍ଵପ୍ନ ।

 

ପଲଙ୍କ ଉପରୁ ଓହ୍ଲେଇ ଆସି ଦୁଲୁ ସେଇ ଶୂନ୍ୟକୋଠରି ଭିତରେ ତଳକୁ ମୁହଁପୋତି ପଦଚାରଣା ଆରମ୍ଭ କଲା । ପିଠିର ବୋଝ କଷ୍ଟ ଦେଉଛି; କିନ୍ତୁ ସେ ବସିପାରୁନାହିଁ ।

 

ପ୍ରତ୍ୟେକ ଉଆସର ଇତିହାସ କ’ଣ ଏକ ? ହଜାରେ ଘର ନଭାଙ୍ଗିଲେ ଗୋଟିଏ ଉଆସ ଗଢ଼ାଯାଇପାରେନା । ହଜାରେ ନାରୀରେ ଅବଲୁଣ୍ଠିତ ନାରୀତ୍ଵର ମର୍ମବେଦନା ମହମବତି ନ ହେଲେ ଝାଡ଼ ଆଲୋକର ଉଜ୍ଜ୍ୱଳତା ପ୍ରାସାଦକୁ ଆଲୋକିତ କରେନା ? ହଜାରେ ମଣିଷର ତତଲା, ତାଜା ଲାଲ୍ ରକ୍ତର ହୋମ ନହେଲେ ଉଆସ ପ୍ରତିଷ୍ଠା ହୋଇପାରେନା ?

 

ଗଛଟିଏ ଯେତିକି ଯେତିକି ଉଚ୍ଚକୁ ବଢ଼ୁଥାଏ, ତା’ର ମୂଳ ପାଖରେ ସେତିକି ସେତିକି ଆକାରର ଛୋଟ ଛୋଟ ଗଛସବୁ ପଚିସଢ଼ି ନଷ୍ଟ ହୋଇ ଯାଉଥାନ୍ତି । ଯେଉଁ କେତୋଟି ରହନ୍ତି ସେଗୁଡ଼ାକ ସବୁ ମୁରୁକୁଟିଆ, ରୋଗୀଣା, ପଙ୍ଗୁ, ଅସମର୍ଥ, ଦୁର୍ବଳିଆ, ବର୍ଦ୍ଧନ-ଶକ୍ତିହୀନ । ତା’ର ଛାୟାରେ ଆଉ କିଛି ଉଧାଏ ନାହିଁ ।

 

ଏହା ହିଁ ବୋଧହୁଏ ପ୍ରାକୃତିକ ନିୟମ ।

 

ଦୁଲୁ ଯେ କେବେ ତା’ର ଅପର ବ୍ୟକ୍ତିତ୍ଵଟି ପ୍ରତି ବିଦ୍ରୋହ କରିନାହିଁ ସେ କଥା ନୁହେଁ । କହିବାକୁ ଗଲେ ସେ ଆଜିସୁଦ୍ଧା ବି ପ୍ରତିନିୟତ ତା’ର ବିରୁଦ୍ଧରେ ବିଦ୍ରୋହ କରି ଆସୁଛି । କିନ୍ତୁ ସବୁବେଳେ ହିଁ ପ୍ରତିପକ୍ଷ ବିଜୟୀ । ସେ କେବେଳ ଏକ ନିଷ୍ଫଳ ଆକ୍ରୋଶରେ, ପ୍ରତିହତ କ୍ରୋଧର ଜିଙ୍ଘାସାରେ ନିଜକୁ ନିଜେ କ୍ଷତବିକ୍ଷତ କରିଛି । ପୁଣି ଅସହାୟ ଭାବରେ ନିଜକୁ ସମର୍ପି ଦେଇଛି ଅପର ବ୍ୟକ୍ତିତ୍ଵର ବଳିଷ୍ଠ ବାହୁବନ୍ଧନରେ ।

 

ଏଇ ତ ଠିକ୍ ଛଅମାସ ତଳେ । ତା’ର ଠିକ୍ ମନେଅଛି ଦିନ ବାର ସବୁ । ଜୁଲାଇ ୨୫ ତାରିଖ, ମଙ୍ଗଳବାର । ବୋଉ କହିଲା, ‘‘ପ୍ରଥମ ଚାକିରି ଜାଗାକୁ ଜଏନ୍ କରିବାକୁ ଯାଉଛୁ । ବୁଧବାର ସକାଳେ ଯିବା ଭଲ: ମଙ୍ଗଳ ରାତି ବୁଧ ପାହାନ୍ତି । ଶୁଭ ଯୋଗ । ସେଇ ମଙ୍ଗଳବାର ଦିନ ସେ ତା’ର ପ୍ରତିପକ୍ଷକୁ ଭୂତଳଶାୟୀ କରି ବିଜୟଦର୍ପରେ ଶାନ୍ତିର ନିଃଶ୍ଵାସ ମାରିଥିଲା । କିନ୍ତୁ ଯେ ଅଘଟଣ ଘଟିଲା ସେଇଦିନ ରାତିରେ ।

 

ସେଇ ଚିରିଚିରା ବିକଟାଳ ରଡ଼ି । ଆଖି ତରାଟି ହୋଇଗଲା । ଗଳା ଶୁଖିଗଲା । ହାତ ମୁଠାମୁଠା ହୋଇଗଲା । ଗୋଡ଼ ଦୁଇଟା ପଥରଖମ୍ବ ପରି ଭାରି ହୋଇ ପଡ଼ିରହିଲେ । ପାଟିରୁ ଫେଣ ବାହାରିଲା । ନିଃଶ୍ଵାସ-ପ୍ରଶ୍ଵାସର ଗତି ସ୍ତବ୍‍ଧ ହୋଇଆସିଲା ।

 

ପୁଣି ସେଇ ଡାକ୍ତର । ପ୍ରତିବେଶୀ । ଭାଇଭଉଣୀ ବାପା ବୋଉ । ବନ୍ଧୁବାନ୍ଧବ ।

 

କିନ୍ତୁ ସେ ଆଉ ସକାଳୁ ଉଠିପରିଲା ନାହିଁ । ସେ ଅନୁଭବ କଲା, ତା’ ପିଠି ଉପରେ ଗୋଟାଏ ବିରାଟ କୁଜ ହୋଇଯାଇଛି । ସେ ସିଧାହୋଇ ଚାଲିପାରୁନି । ଭଲକରି ଉଠି ବସିପାରୁନି-। କୁଜଟା ଯେମିତି ଗୋଟାଏ ବିରାଟ ଲୁହାଖଣ୍ଡ ପରି ପ୍ରଚଣ୍ଡ ଭାରି । କିନ୍ତୁ ସେ କାହାରିକୁ କିଛି କହିପାରିଲା ନାହିଁ । ସମସ୍ତେ କହିଲେ, ‘‘ଦୁର୍ବଳିଆ ଦେହ, ଉଠିପାରୁନି । ବିଶ୍ରାମ ଦରକାର-।” କିନ୍ତୁ ସେ ଜାଣିଛି ତା’ର କ’ଣ ହୋଇଛି । ଅଥଚ ଆଶ୍ଚର୍ଯ୍ୟ; କେହି କେମିତି ଏତେ ବଡ଼ କୁଜଟାକୁ ଦେଖିପାରୁନାହାନ୍ତି । ଦୁଇଦିନ ପରେ ସେ ଆଉ ରହିପାରିଲା ନାହିଁ । ବୋଉକୁ କହିଲା । ବୋଉ ହାତଫାତ ମାରି କହିଲା ‘‘କାହିଁ, କିଛି ତ ନାହିଁ, ତୋ ମନର ଭ୍ରମ । ସେମିତି ଲାଗୁଛି ତୋତେ-।” ବାପା ଡାକ୍ତର ଡାକିଲେ । ନା, କିଛି ନାହିଁ । କିନ୍ତୁ ଦୁଲୁ ଜମା ଉଠିପାରିଲା ନାହିଁ । ଡାକ୍ତର କହିଲେ ସାଇକୋଲଜିକାଲ୍ ଶକ୍ । ବ୍ରୋନ୍‍କୁ ଏଫେକ୍ଟ୍ କରିଛି । ଇଲ୍ୟୁସନ୍ । ଭ୍ରମ ହେଉଛି-। ସାଇକ୍ରିଆଟ୍ରିଷ୍ଟ୍‍କୁ ଡାକ ।” ସାଇକ୍ରିଆଟ୍ରିଷ୍ଟ୍ ଆସିଲେ । କେତେ ପ୍ରଶ୍ନ । କେତେ ପ୍ରବୋଧ । କେତେ ଆଶ୍ଵାସନା । କିଛିରେ ବୋଲି କିଛି ହେଲା ନାହିଁ । ଲୋକେ କହିଲେ, ଦୁଲୁକୁ ଭୂତ, ଲାଗିଛି-। ଗୁଣିଆକୁ ଡାକ । ଗୁଣିଆ ଆସିଲେ କାହିଁ କେତେ ଦୂରରୁ । ତନ୍ତ୍ରସାଧକ; କାଳୀସାଧକ । କେତେ ଝଡ଼ାଫୁଙ୍କା । କିନ୍ତୁ ଦୁଲୁ ଆଉ ସିଧା ଚାଲିପାରିଲା ନାହିଁ ।

 

ଦୁଲୁକୁ ଏବେ ବି ଆଶ୍ଚର୍ଯ୍ୟ ଲାଗୁଛି: ‘‘ମୋ ପିଠିର ଏତେବଡ଼ କୁଜଟାକୁ ମୁଁ ଅନୁଭବ କରୁଛି; ଅଥଚ ସେମାନଙ୍କୁ ଦିଶୁନି କେମିତି ? ମୋର ଅନୁଭବଟାକୁ ମୁଁ ଅସତ୍ୟ ବୋଲି, ମିଥ୍ୟା ବୋଲି କହିବି କେମିତି ?” କିନ୍ତୁ ଅନ୍ୟମାନଙ୍କୁ ବି ମିଥ୍ୟା ବୋଲି କହିବ ବା କେମିତି ? ଏତେ ଲୋକ, ସେମାନେ କ’ଣ ମିଛ କହୁଛନ୍ତି ? ପ୍ରକୃତରେ କ’ଣ ତାକୁ ଭୂତ ଲାଗିଛି ? କିନ୍ତୁ ସେ ତ ତା’ର ଚେତନା, ତା’ ବିଚାରଶକ୍ତି, ଅନୁଭବଶକ୍ତିକୁ ହଜେଇ ଦେଇନାହିଁ ? ସେ ଠିକ୍ ଅନୁଭବ କରିପାରୁଛି ନିଜର ଅସ୍ତିତ୍ଵକୁ, ନିଜର ଚେତନାକୁ । ସେ ଭାବିପାରୁଛି–ଚିନ୍ତା କରିପାରୁଛି । ତେବେ କ’ଣ ହେଲା ତା’ର ?

 

ଏ କ’ଣ ପ୍ରହେଳିକା ?

 

ବାପା-ବୋଉଙ୍କର ଅନବରତ କାନ୍ଦ, ଭାଇଭଉଣୀମାନଙ୍କର ବିଷାଦ, ଲୋକମାନଙ୍କର ଇଚ୍ଛାକୃତ ଅନିଚ୍ଛାକୃତ ଟିପ୍‍ପଣୀ । ଦୁଲୁ ଶେଷରେ ଆଉ ସହ୍ୟ କରିପାରିଲା ନାହିଁ । କହିଲା, ‘‘ମୋତେ ନେଇ ଉଆସରେ ଛାଡ଼ିଦେଇ ଆସ ।’’

 

ଗତ ଦୁଇମାସ ହେଲା ଦୁଲୁ ଏଇ ଉଆସର ବାସିନ୍ଦା ବନ୍ଦିଶାଳାର ତୃତୀୟ ବନ୍ଦୀ; ଅଥବା ଭୂତକୋଠିର ତୃତୀୟ ଭୂତ । ଦିନବେଳେ ଯାହାଙ୍କୁ କେହି ଦେଖି ପାରନ୍ତି ନାହିଁ । ଦୁଲୁ ବାହାରେ ଗଭୀର ରାତିରେ । ଏଇ ଦୁଇ ମାସ ଭିତରେ ଦୁଲୁର କାମହେଲା ଉଆସର ପ୍ରତ୍ୟେକ କୋଠରିର ଅନୁସନ୍ଧାନ । ତା’ର ମନେହେଲା ସତେ ଯେମିତି ତା’ର ପ୍ରତିଦ୍ଵନ୍ଦ୍ଵୀ ବ୍ୟକ୍ତିତ୍ଵର ପ୍ରାଣ ଏଇ ଉଆସ ଭିତରେ କୋଉଠି ଏକ ସୁବର୍ଣ୍ଣ ଫରୁଆ ଭିତରେ ଟିକିଚଢ଼େଇଟି ପରି ଲୁଚିରହିଛି । ସେ ସେଇ ସୁବର୍ଣ୍ଣ ଫରୁଆଟି ଭିତରୁ ସେଇ ଟିକିଚଢ଼େଇଟିକି ଆଣି ରଟ୍‍ରାଟ୍‍ କରି ତା’ର ବେକମୋଡ଼ିଦେଇ ଉଦ୍ଧାର ପାଇଯିବ ।

 

ସେ ଘୋଡ଼ାର ଅସ୍ତାବଳ ଭିତରେ କେତୋଟି ପୁରୁଣା ନାଲ ରହିଛି, କେତୋଟି ପୁରୁଣା ଛିଣ୍ଡା ଜିନ୍ ରହିଛି ସବୁ କହିଦେଇ ପାରିବ । ସେ ଜାଣିଛି ପୁରୁଣା ଅଷ୍ଟିନ୍ କାର୍‍ର କେତେଟା ଫଟା ଟାୟାର୍ ରହିଛି, ଦରଭଙ୍ଗା ପାର୍ଟସ୍ ରହିଛି । ଅଧା ମୋବିଲ୍ ଟିଣ ରହିଛି । ମାଟିତଳେ ପୋତାହୋଇଥିବା ପେଟ୍ରୋଲ ଟାଙ୍କିରେ ଏବେ ବି କେତେ ଲିଟର ତେଲ ରହିଛି । ଦୋତାଲାର କଣଘରେ କେତେଟା ପୂର୍ବପୁରୁଷଙ୍କ ଅଏଲ୍ ପେଣ୍ଟିଂ ରହିଛି । ଘୋଡ଼ା ଉପରେ ବସି ଏବଂ ବାଘ ମାରି ତା’ ଉପରେ ଗୋଡ଼ ରଖି ଉଦ୍ଧତ ଭଙ୍ଗୀରେ ଛିଡ଼ାହୋଇଥିବା କେତେଜଣ ପୂର୍ବପୁରୁଷର ଫଟୋ ଅଛି, ତା’ ବି ସେ ଗଣିଛି । ସେ ଆଖିବୁଜି ଉଆସର ଏପଟ ସେପଟ ବୁଲି କୋଉ ଘରେ କ’ଣ ଅଛି ନିର୍ଭୁଲ ଭାବରେ କହିଦେଇପାରେ । କିନ୍ତୁ ସେଇ ସୁନା ଫରୁଆଟିକକ ତାକୁ ଏବେ ବି ମିଳିନି । ବନ୍ଧୁକଗୁଡ଼ା କେତେକାଳୁ ବିକାସରିଲାଣି । ବାକି ପଡ଼ିରହିଛି ଗୁଳିତିଆରିର ଉପକରଣ । ଗନ୍ଧକ, ବାରୁଦ, ସିସା ଗୋଲି । ଉଆସର ଶେଷ ଘରେ ।

 

ଦୁଲୁ ଆଉ ଖଣ୍ଡେ ବିଡ଼ି ଲଗାଇଲା: ଯାଃ ଶଳା, ଆଉ ବୋଧେ ମିଳିବନି । ଏଥର ସବୁ ଶେଷ । କିଛି ରହିବନି । ଦୁଲୁ ପଟ୍ଟନାୟକର ସର୍ବଶେଷ ପଦଧ୍ଵନି ବୋଧହୁଏ ଆଜି ମିଳାଇଯିବ ଚିରଦିନ ପାଇଁ ।

 

ଦୁଲୁ ଛଟପଟ ହେଉଛି । ନିଜର ଅସାମର୍ଥ୍ୟରେ ନିଜେ ବିସ୍ଫୋରିତ ହୋଇ ଖଣ୍ଡ ଖଣ୍ଡ ହୋଇ ଫାଟିପଡ଼ୁଛି । ସେ ରାଗରେ ନିଜ ହାତକୁ ନିଜେ କାମୁଡ଼ିପକାଇଲା । ଦୁଇ ହାତରେ ତା’ର ଲମ୍ବା ଲମ୍ବା ବାବୁରିବାଳକୁ ଟାଣି ଛିଣ୍ଡାଇ ପକାଇଲା । ନିଜକୁ ନିଜେ ବିଧାମାରିହେଲା । ଆବଡ଼ା-ଖାବଡ଼ା ଚଟାଣ ଉପରେ ଏମୁଣ୍ଡ ସେମୁଣ୍ଡ ଗଡ଼ି ଗଡ଼ି ଲହୁଲୁହାଣ ହେଲା ।

 

ଶେଷକୁ ନିଷ୍ପନ୍ଦ ହୋଇ ଚଟାଣ ଉପରେ ଗଡ଼ିପଡ଼ିଲା ।

 

ସେଇଦିନ ରାତିରେ ହଠାତ୍ ଏତେ ଆଲୁଅ ଦେଖି ଗାଁଲୋକେ ଦଉଡ଼ି ଆସିଲେ । ସେତେବେଳକୁ ଉଆସ ଅଧା ଜଳିସାରିଲାଣି । ପୁରୁଣା କବାଟ, କଡ଼ି, ବର୍ଗା ହୁ-ହୁ ହୋଇ ଜଳୁଛି । ସମଗ୍ର ଉଆସକୁ ଘେରି ଏକ ତୀବ୍ର ଲେଲିହାନ ଅଗ୍ନିଶିଖା ଯେମିତି ଅନନ୍ତ ଜିହ୍ଵା ବିସ୍ତାରକରି ଚାଟି ଚାଟି ଯାଉଛି । ଠୋ-ଠୋ ଗଣ୍ଠି ଫୁଟୁଛି । ରଡ଼୍‍ରାଡ଼୍‍ ମଡ଼୍‍ମାଡ଼୍‍ ଶବ୍ଦ । ସତେ ଯେମିତି ରୋଷଣୀ ଲାଗିଛି–ବାଣଫୁଟୁଛି ଉଆସର ଶେଷ ମହୋତ୍ସବରେ । ଉଆସ ଭିତରକୁ ପଶି କାହାରିକୁ ଉଦ୍ଧାର କରିବାର ଇଚ୍ଛା ବା ସାହସ କାହାରି ନ ଥିଲା । ସମସ୍ତ ଗ୍ରାମବାସୀ ଏକତ୍ର ହୋଇ ନିରୀକ୍ଷଣ କରି ନୀରବରେ, ସମ୍ଭ୍ରମରେ ଉପଭୋଗ କରିବାକୁ ଲାଗିଲେ ଶେଷ ମହୋତ୍ସବର ରାତ୍ରିକୁ ।

 

ଉଆସ ପଛପଟେ ଅଗଣାରେ ଥିବା ବଉଳ ଗଛମୂଳେ ଛିଡ଼ା ହୋଇ ଏକ ଆଦିମ ଉଲ୍ଲାସରେ ନାଚୁଥିଲା ଦୁଲୁ । ମଡ଼୍‍ମାଡ଼୍‍, ଧଡ଼୍‍ଧାଡ଼୍‍, ଠୋ-ଠା ବାଜଣାର ତାଳେ ତାଳେ ସେ ଆରମ୍ଭ କରିଥିଲା ତା’ର ଶେଷ ତାଣ୍ଡବ । ଯେତେବେଳେ ଉଆସର ଦୋତାଲାଟା ଏକ ପ୍ରଚଣ୍ଡ ଶବ୍ଦକରି ଏକାବେଳକେ ଭୁଷୁଡ଼ି ପଡ଼ିଲା, କ୍ଷଣକ ପାଇଁ ସ୍ତବ୍‍ଧ ହୋଇ ରହିଗଲା ଦୁଲୁ । ଆଶ୍ଚର୍ଯ୍ୟ, ତା’ର କୁଜଟା କେତେବେଳୁ ଖସିପଡ଼ି ଚୁର୍‍ମାର ହୋଇଯାଇଛି । ତା’ ଭିତରେ ଥିବା ଅନେକ ଲୋକର ଶବ ବିଛାଡ଼ି ହୋଇ ପଡ଼ିଛି ଚାରିଆଡ଼େ । ସେ ଗୋଟି ଗୋଟି ଚିହ୍ନିପାରିଲା ସେଇମାନଙ୍କୁ । ଆଭିଜାତ୍ୟ, ଅହଙ୍କାର, ଅଭିମାନ, ଦମ୍ଭ, ପୌରୁଷ, ଗର୍ବ, ପରମ୍ପରା, ସଂସ୍କାର, ସମ୍ମାନ, ପ୍ରତିପତ୍ତି, ଐତିହ୍ୟ–ସବୁଗୁଡ଼ାକ ବେକଭଙ୍ଗା ଟିକିଚଢ଼େଇ ପରି ମରି ପଡ଼ିରହିଛନ୍ତି ତା’ର ଗୋଡ଼ତଳେ । ଆଃ, କୁଜଟା ଯେ ସେଇ ସୁନା ଫରୁଆ; କିଏ ଜାଣିଥିଲା ?

 

ସେ ଗୋଟି ଗୋଟି କରି ଦୀପ୍ୟମାନ ହୋମାଗ୍ନି ଉପରକୁ ନିକ୍ଷେପ କଲା ଗୋଟାକ ପରେ ଗୋଟାଏ ଶେଷ ପୂର୍ଣ୍ଣାହୁତି ପାଇଁ ।

Image

 

ଯାଜ୍ଞସେନୀ

 

ଆଲାର୍ମ ଘଡ଼ିର ଶବ୍ଦରେ ମୁଁ ଚମକି ଉଠିପଡ଼ିଲି । ସମୟ ହୋଇଗଲା ଯିବାରୁ ।

 

ଉଜାଗରୀ ରାତ୍ରିର କ୍ଳାନ୍ତି ଏବେ ବି ଦେହରେ ବରଫ ପରି ଜମି ରହିଛି । ଡନ୍‍ଲପ୍ ପିଲୋ ଗଦିର ଉଷୁମ ଉତ୍ତାପ, ଏଆର-କାଣ୍ଡିସନ୍‍ଡ କୋଠରି ଭିତରେ ନିଃଶ୍ଵାସ ପ୍ରଶ୍ଵାସର ଉତ୍ତେଜନାର ଗରମ ଗୁମୋଟ ବାଯୁମଣ୍ଡଳ ଛାଡ଼ି ଉଠିବାକୁ ଇଚ୍ଛା ହେଉନି । ଏମିତି ସବୁଥର ହୁଏ; କିନ୍ତୁ ସବୁଥର ପରି ଏଥର ବି ଧୀର ସନ୍ତର୍ପଣରେ ବିଛଣା ଛାଡ଼ିଲି ।

 

ବେଡ଼୍ ଲାଇଟ୍ ଜଳାଇଲି । ଟେବୁଲ୍‍ ଉପରେ ଶୂନ୍ୟ ପାନ-ପାତ୍ର, ଶୂନ୍ୟଗର୍ଭ । ଜିନ୍ ବୋତଲ ଓ ସ୍କଚ୍ ହୁଇସ୍କିର ବୋତଲ ସୂଚେୟଦେଉଛି ଗତ ରାତ୍ରିର ସୁନେଲି ମେହଫିଲ । ‘‘ହର ସୁବହ କି ଆଲମ୍ ଐସି ହି ହୋତୀ ହୈ ।” ନା, ଏଥିରେ କାରୁଣ୍ୟ ନାହିଁ–ହଜେଇବାର ଦୁଃଖ ନାହିଁ । ଅଫିସ ଶେଷରେ ଟେବୁଲ୍‍ ଉପରେ ଜମା ହୋଇଥିବା ଫାଇଲଗଦା ଦେଖି କୌଣସି ଏକ କିରାଣିର ଦୁଃଖସୁଖ-ଅବସାଦମିଶ୍ରିତ ଦୀର୍ଘଶ୍ଵାସ ପରି ଏ କେବଳ ବହୁଥର ଘଟୁଥିବା ଏକ ଘଟଣାର ପୁନରାବୃତ୍ତିଜନିତ ଦୀର୍ଘଶ୍ଵାସଟିଏ ।

 

ପୁଣି ସେମିତି ଧୀରପଦରେ ଉଲଗ୍ନ ଦେହଟାକୁ ଟାଣି ଟାଣି ନେଇଗଲି ବାଥରୁମ୍ ଭିତରକୁ । ଗିଜାର ଟିପିଲି । ଗରମପାଣି ଆସୁ ଆସୁ ପାଞ୍ଚ ମିନିଟ୍ । ଥଣ୍ଡାପାଣିରେ ପରସ୍ତେ ମୁହଁ ଧୋଇନେଲି । ଆଖିରେ ଆଞ୍ଜୁଳା ଆଞ୍ଜୁଳା କରି ପାଣି ଛାଟିଲି । ଲିକୁଇଡ଼୍ ସୋପ୍‍ରୁ ମେଞ୍ଚାଏ ଢାଳିଦେଲି ବାଥ୍-ଟବରେ । ତା’ପରେ ଗରମ ଓ ଥଣ୍ଡା ପାଣିର ମିଶ୍ରଣରେ ଏକ ଉଷୁମ ଫେଣର ଶେଯ ତିଆରି କରି ପଶିଗଲି ତା’ ଭିତରେ । ମୋତେ ଏମିତି ଶୋଇରହି ମନେହୁଏ ଭଗବାନ୍ ଶ୍ରୀକୃଷ୍ଣ ବୋଧହୁଏ ଏମିତି ଏକ ଶୁଭ୍ର ଫେନାୟିତ କ୍ଷୀରସାଗର ଭିତରେ ଭାସୁଥାନ୍ତି ଚିରଦିନ ଧରି । ମୋତେ କିନ୍ତୁ ଦଶ ମିନିଟ୍ ଭିତରେ ଉଠିବାକୁ ହେବ । ଚାରିଟା ପଇଁଚାଳିଶ ମିନିଟ୍ ଭିତରେ ମୋତେ ଏ ହୋଟେଲ ଛାଡ଼ିବାକୁ ପଡ଼ିବ । ହୋଟେଲ କର୍ତ୍ତୃପକ୍ଷଙ୍କ ସହିତ ଏହା ଏକ ଅଲିଖିତ, କିନ୍ତୁ ଦୃଢ଼ ବୁଝାମଣା । ଆଃ, କି ଆରାମ୍ । ଆଖି ପୁଣି ଥରେ ମାଡ଼ି ଆସୁଛି ।

 

ନା-ନା ସମୟ ବହୁତ କମ୍ ।

 

ଗାଧୋଇ ସାରି ବାଥ୍ ଟାୱେଲରେ ଭଲ କରି ଦେହହାତ ପୋଛି ଶାୟା, ବ୍ଲାଉଜ୍ ପିନ୍ଧିଲି-। ପ୍ରେଜେଣ୍ଟ୍ ମିଳିଥିବା ବନାରସୀ ଜର୍ଜେଟ୍‍ଟା ପିନ୍ଧିବାକୁ ଇଚ୍ଛା ହେଉଥିଲା । ନା, ଥାଉ-। ସେଇ ପୁରୁଣା ଶାଢ଼ିଟାରେ କାମ ଚାଲିଯିବ । ଭେନିଟି ବେଗରେ ରହିଛି ମେକଆପ୍‍ର ସାମଗ୍ରୀ-। ନା, ସେସବୁର ବି ବର୍ତ୍ତମାନ ଦରକାର ନାହିଁ । ହାଲ୍‍କା ଭାବରେ ମୁହଁ ଉପରେ ପାଉଡ଼ର ପାଫ୍‍ଟା ବୁଲେଇ ନେଇ, ମୁଣ୍ଡଟାକୁ କୁଣ୍ଡେଇ ନେଇ ପଛଆଡ଼େ ଛୋଟ ନଟ୍‍ଟି କରିସାରିଲା ବେଳକୁ ଚାରିଟା ଚାଳିଶ । ବାସ୍, ଏ ସପ୍ତାହ ପାଇଁ ଶେଷ । ପୁଣି ଆସନ୍ତା ସପ୍ତାହର ଶନି ରବିବାର ।

 

ଏଥର ବିଦାୟ ନେବାର ପାଳି । ବ୍ୟାବସାୟିକ; କିନ୍ତୁ ଏଥିରେ ବି ଯଥେଷ୍ଟ ସତର୍କତା ଦରକାର । କ୍ଲାଏଣ୍ଟକୁ ଯେମିତି ମନେହେବନି ଯେ ମୁଁ ଟଙ୍କା ପାଇଁ ଆସିଛି ।

 

ସ୍ଵଳ୍ପାଲୋକିତ ବେଡ଼୍‍ଲାଇଟିରେ ଗୋଟାଏ ପ୍ରୌଢ଼, ମେଦବହୁଳ ପୁରୁଷର ଉଲଗ୍ନ ଶରୀରଟା ବୀଭତ୍ସ ଦେଖାଯାଉଛି । ମୁଣ୍ଡଟା ଚନ୍ଦା, ଦେହ ସାରା ଭାଲୁପରି ଭର୍ତ୍ତି ବାଳ । ସତେ ଯେମିତି ଗୋଟାଏ ପ୍ରାଗୈତିହାସିକ ଜାନୁଆର; କିନ୍ତୁ ସୌନ୍ଦର୍ଯ୍ୟ ବିଚାର ପାଇଁ ତ ସେ ଏଠିକି ଆସିନି । ସେ ବୁର୍ଜୋୟା ରୁଚିବୋଧ କେତେଦିନୁଁ ଜଳାଞ୍ଜଳି ନେଇ ସାରିଲାଣି । ତା’ଛଡ଼ା କି ସୌନ୍ଦର୍ଯ୍ୟ ବା ରହିଛି ଅନ୍ୟ ଏକ ନଗ୍ନପୁରୁଷ ଦେହରେ ?

 

ଚୁପ୍ ଚୁପ୍ କରି ଡାକିଲି, ଅଧା ଚନ୍ଦାମୁଣ୍ଡରେ ହାତବୁଲାଇ !

 

“ମିଃ ସାକସେନା । ଉଠିୟେ । ମୈ ଯା ରହୀ ହୁଁ ।’’

 

ଅଧାନିଦ, ଅଧାନିଶାରେ ଅବସାଦଗ୍ରସ୍ତ ଅର୍ଦ୍ଧନିମୀଳିତ ଚକ୍ଷୁରେ ପୁଣି ଲାଳସାର ନିଆଁ ଜଳେଇ ସାକସେନା ଉତ୍ତର ଦେଲେ :

 

“ଇତ୍‍ନା ଜଳଦି ଭି କ୍ୟା ହୈ ରାନୀ, ରାତ୍ ଔର ଭି ବାକି ହୈ ।’’

 

“ନହୀଁ ସାହେବ, ହୋଟେଲ ଅଭି ଛୋଡ଼ନୀ ହୈ । ପାଞ୍ଚବାଜନେ ସେ ପହଲେ ।’’

 

ଏଥର ଚଞ୍ଚଳ ହୋଇ ଉଠିପଡ଼ିଲେ ମି: ସାକସେନା । ସ୍ଖଳିତ ଲୁଙ୍ଗିଟିକୁ ସଜାଡ଼ି ନେଇ ଉଠି ବସିଲେ । ତକିଆ ତଳୁ ପର୍ସ କାଢ଼ି ଗଣି ଗଣି ବଢ଼େଇ ଦେଲେ ତିନୋଟି ଶହେଟଙ୍କିଆ ନୋଟ୍-

 

ମୁଁ ନେଲି ନାହିଁ । ସେମିତି ଛିଡ଼ାହୋଇ ରହିଲି । ଏ ବି ଏକ ଛଳନା, ଚାତୁରୀ । ସେ ଟଙ୍କାଟି ବଢ଼େଇ ରହିଲେ–

 

“କ୍ୟୁଁ, ପସନ୍ଦ ନହୀଁ ।’’

 

ମୁଁ ଚଞ୍ଚଳ ହୋଇଉଠିଲି । ଏ ବି ଏକ କୌଶଳ ।

 

“ନହୀଁ ନହୀଁ ସାକସେନା ସାହେବ୍ । ୟେ ତୋ ଆପ୍‍କୀ ମେହେରବାନୀ । ମେଁ ତୋ ୟେ କହନେୱାଲୀ ଥୀ କୀ ମୁଝେ ଭି ଆପକୋ ଛୋଡ଼୍‍କର୍‍ ଜାନେ ମେ–”

 

“ଆରେ ପଗ୍‍ଲୀ, ମୈ ତୋ ଫିର ଆଉଙ୍ଗା । ଆଗଲେ ମହିନେ–” ପୁଣି ଥରେ କଟି ବେଷ୍ଟନ କରି ଅସ୍ଵାଦକର, ଅଘଷାମୁହଁର ବିଚିକିଟିଆ ଗନ୍ଧର ଏକ ଉଷ୍ମ ଚୁମ୍ବନ ।

ଗୋଟେ ବନାରସୀ ଶାଢ଼ି । ତିନିଶହ ଟଙ୍କା । ମନ୍ଦ କ’ଣ ? ପିମ୍ପପର ପଚାଶ ଟଙ୍କା । ଗାଏମୋଟ ଲାଭ ଟ୨୫୦ଙ୍କା ।

 

ତୃତୀୟ-ତାରକାବିଶିଷ୍ଟ ହୋଟେଲ ଭିତରୁ ରାଜପଥ । ଦରୱାନର ବକ୍‍ସିସ୍‍ ପାଞ୍ଚଟଙ୍କା-। ନିଦୁଆ ରିକ୍‍ସାବାଲାକୁ ଉଠେଇଆଣି ଛିଡ଼ାକରେଇବାର ଦାୟିତ୍ଵର ମୂଲ୍ୟ ।

 

ସକାଳ ପାଞ୍ଚଟା । ପୂର୍ବ ଆକାଶର ସୀମାନ୍ତରେ ନାଲି ଆଭାର ସଙ୍କେତ । ପାହାନ୍ତି ପବନରେ ଗୋପ୍ୟ ଶୀତର ଫିସ୍ ଫିସ୍ ଶବ୍ଦ, ମଧ୍ୟ-ଯୁଗୀୟ କେଉଁ ଏକ କୁଳ ସୀମନ୍ତିନୀର କବାଟ ଆରପଟୁ କରୁଥିବା ରୁଣୁଝୁଣୁ ଶବ୍ଦ ପରି ।

 

ରାସ୍ତା ପ୍ରାୟ ନିର୍ଜନ । କାଁ-ଭାଁ କୋଉଠି ଗୋଟାଏ ରିକ୍‍ସା–ଶେଷ ରାତ୍ରର ପେସେଞ୍ଜରମାନଙ୍କୁ ନେଇଯାଉଛି । ପୁରୀ ଏକ୍‍ସପ୍ରେସ୍‍ ଆସିବାକୁ ଆହୁରି କିଛି ସମୟ ଅଛି । ଷ୍ଟେସନକୁ ଯିବା ସବୁଠୁ ନିରାପଦ । ଶେଷ ରାତ୍ରିର ପ୍ରହରରେ ଯୋଉଠାକୁ ଗଲେ ବି ସନ୍ଦେହର ଆଖି ମିଟ୍‍ମିଟ୍ କରେ ।

 

ଷ୍ଟେସନର ରେସ୍ତୋରାଁରେ ଟୋଷ୍ଟ୍, ଓମଲେଟ୍, ଗରମ ଚା’–ଫୂର୍ତ୍ତି ଆସିଯିବ ।

 

“ରିକ୍‍ସା, ଚାଲ ଷ୍ଟେସନ ।”

 

ନା, ସାମ୍ନା ମନ୍ଦିରରେ ଦୁଇଟି ପୁଣ୍ୟବତୀ ମହିଳା ଦେଖାଗଲେଣି । ଆଉ ଡେରି କରିବା ଉଚିତ୍ ନୁହେଁ ।

 

ବେଶ୍ ପୃଥୁଳକାୟା ମହିଳା ଦିଓଟି । ସଦ୍ୟସ୍ନାତା । ଚାଙ୍ଗୁଡ଼ିରେ ଫୁଲ, ଧୂପଦାନୀ, ଦୀପ-। ସ୍ଵାମୀସନ୍ତାନଙ୍କର ଶୁଭକାମନା ପାଇଁ ପତିବ୍ରତା, ସତୀ ସାଧ୍ୱୀ ହିନ୍ଦୁ ରମଣୀ ଏଇ ସାତସକାଳୁ ଆସିଛନ୍ତି ଭଗବାନଙ୍କ ପାଖରେ ଗୁହାରି କରିବାକୁ । ଏମିତି କରି ଦେହରେ ମେଦ ସଞ୍ଚୁଛନ୍ତି ଓ ମନରେ ପୁଣ୍ୟ ସଞ୍ଚୁଛନ୍ତି । ପୁଣ୍ୟର ପେଟରା ଧରି ସିଧାସିଧା ଚାଲିଯିବେ–ଗୋଟେ ସ୍ଵର୍ଗ ନାମକ ଏକ କାଳ୍ପନିକ ଦେଶକୁ–ଯୋଉଠି– ? ଯୋଉଠି– ? ଆଚ୍ଛା, ସ୍ଵର୍ଗରେ ନାରୀମାନଙ୍କ ପାଇଁ ଉପଭୋଗର କି ସୁବିଧା ରହିଛି ? ଅପ୍‍ସରୀ, ଅମୃତ, ନୃତ୍ୟଗୀତ, ସୋମରସ–ନା କିଛି ନାହିଁ । ସେମାନଙ୍କ ପାଇଁ ମର୍ତ୍ତ୍ୟରେ ବି କିଛି ନାହିଁ–ସ୍ଵର୍ଗରେ ବି କିଛି ନାହିଁ । ଓଃ, These Fools ମୁଁ ଡଲି ମହାନ୍ତି ଓରଫ ମାଇତି ଏମ.ଏ. ଶେଷବର୍ଷର ଛାତ୍ରୀ । କଲ୍‍ଗାର୍ଲ ।

 

ଯଦି ମଣିଷର ଆତ୍ମା ଥାଏ, ତେବେ ଓଡ଼ିଶା ଓ ବଙ୍ଗଳା ସୀମାନ୍ତର ନୟାବସାଣ ନାମକ ଏକ କ୍ଷୁଦ୍ର ଜନବସତିର ପ୍ରାନ୍ତରେ ବହିଯାଉଥିବା ସୁବର୍ଣ୍ଣରେଖା ନଦୀ କୂଳର ଶ୍ମଶାନରେ ଭସ୍ମୀଭୂତା ମୋର ପୁଣ୍ୟବତୀ ମା’ ବୋଧହୁଏ ଏଇ ଶୀତୁଆ ସକାଳରେ ଆହୁରି ବେଶୀ ଥରି ଥରି ଉଠୁଥିବେ ମୋର ଏ ସ୍ଵୀକାରୋକ୍ତିରେ । ତାଙ୍କର ବିଦେହୀ ଆତ୍ମା ହୁଏତ ସୁବର୍ଣ୍ଣରେଖାର ସ୍ଵର୍ଣ୍ଣରେଣୁସମ୍ବଳିତ ବିସ୍ତୀର୍ଣ୍ଣ ବାଲୁଚର ଉପରେ ସୂକ୍ଷ୍ମ ଶରୀରଟିକୁ ଲୁକ୍‍କାୟିତ କରିବାକୁ ଚେଷ୍ଟା କରୁଥିବ ଏକ ନିଷ୍ଫଳ ଆକ୍ରୋଶରେ । ଆଉ ମୋର ପୂଜନୀୟ ପିତୃଦେବ ? ମନୁସଂହିତା ମୁଖସ୍ଥ କରିଥିବା ଧର୍ମଧ୍ଵଜାଧାରୀ ନୈତିକତାବାଦୀ ନିଜପ୍ରତି ନିଷ୍ଠୁର, ସମାଜର ପହରାଦାର ରମଣୀମୋହନ ମାଇତିର ଦୀର୍ଘାୟିତ ଶରୀର (ସୂକ୍ଷ୍ମଶରୀର କ’ଣ ପାର୍ଥିବ ଶରୀରର ପ୍ରତିରୂପ ?) ମୋର ମାତାଆଡ଼କୁ ତର୍ଜନୀ ନିର୍ଦ୍ଦେଶ କରି ଭର୍ତ୍ସନା କରୁଥିବେ–ସତେ ଯେପରି ମୋତେ ଜନ୍ମଦେବା ମୋ ମାତାର ହିଁ କେବଳ ଅପରାଧ–ତାଙ୍କର କିଛି ନୁହେଁ । ସେ ବଞ୍ଚିଥିଲେ ହୁଏତ କହିଥାନ୍ତେ–“ଦେଖୁଛ, ସୁମିତା, ତମ ଝିଅ ବେଶ୍ୟା ହୋଇଗଲା । ବେଶ୍ୟା !” ହୁଏତ ଏ ଖବର ପାଇଲା ପରେ ଦୁଇଜଣଯାକ ଏକା ସମୟରେ ଆତ୍ମହତ୍ୟା କରିଥାନ୍ତେ ମୋରି କଳଙ୍କରୁ ନିଜକୁ ବଞ୍ଚାଇବା ପାଇଁ ।

 

ମୋର ଜନ୍ମଲଗ୍ନରେ କେହି କ’ଣ କଳ୍ପନା କରିଥିଲା ଏଇ ଝିଅଟି ଦିନେ ସୁବର୍ଣ୍ଣରେଖାର କୂଳ ଲଙ୍ଘି ହୁଗୁଳି ନଦୀ ପର୍ଯ୍ୟନ୍ତ ବହିଯିବ, ପୁଣି ଦିନେ ଫେରି ଆସିବ ବୈତରଣୀ, ମହାନଦୀ, କାଠଯୋଡ଼ି ଅତିକ୍ରମ କରି କୁଆଖାଇର ତୀରକୁ ! କିନ୍ତୁ ଇଏ ବି ତ ଶେଷ ନୁହେଁ । ହୁଏତ ସେ ମହୋଦଧିରେ ସ୍ନାନ ସାରି ଉଡ଼ିଯିବ ତ୍ରିବେଣୀକୁ, ପୁଣି ଯମୁନାର କୂଳରେ କୂଳରେ ଗଢ଼ି ଉଠୁଥିବା ନୂତନ କଂକ୍ରିଟର ତୋଟା ଭିତରେ କେଉଁ ଏକ ପଞ୍ଚମ କି ଷଷ୍ଠ-ତାରକାଖଚିତ କଦମ୍ବବୃକ୍ଷ ତଳକୁ ଏକ ନୂତନ ପ୍ରେମିକା ଭାବରେ ।

 

ସବୁ ଅକ୍ଷମତାର ଗୋଟିଏ ଗୋଟିଏ କୈଫିୟତ୍ ଅଛି । ସେ ଅକ୍ଷମତା ବ୍ୟକ୍ତିଗତ ନୁହେଁ ସମାଜଗତ; ଯୋଉଟାକୁ ସମାଜ କହେ ଘୃଣ୍ୟ, ଗର୍ହିତ, ଛୋଟ ନୀଚ–ତା’ ପୁଣି ପ୍ରକାଶ୍ୟରେ ଧରାପଡ଼ିଲେ ନହେଲେ ଅପ୍ରକାଶ୍ୟ ରହିଲେ ତା’ର କୈଫିୟତ୍ ଦେବା ଦରକାର ପଡ଼େନା, ଯେମିତି ସଫଳତାର କୈଫିୟତ୍ ଦରକାର ପଡ଼େନା । ପିଅନ୍‍ଟିକୁ ପଚାର ‘‘କିରେ, ପିଅନ କାହିଁକି ହେଲୁ ?” ସେ କୈଫିୟତ୍ ଦେବ, ତା’ର ବିଫଳତାର ଏକ ଦୀର୍ଘ ଇତିହାସ । ସେ କୈଫିୟତରେ ସେ ଏକ ନିର୍ଦୋଷ ଶହୀଦ । ଦାୟୀ ପାରିପାର୍ଶ୍ଵିକ ପରିସ୍ଥିତି ! ‘‘କିରେ, ତୁ କାହିଁକି ବେଶ୍ୟା ହେଲୁ ?” ସେ ବି ଏକ ଦୀର୍ଘ କୈଫିୟତ । ସମାଜ ଦାୟୀ । କିନ୍ତୁ ଚୋରାବେପାରି ପ୍ରଚୁର ଉପାର୍ଜନ କରିଛି । ଲାଞ୍ଚୁଆ କର୍ମଚାରୀ ବୈଷୟିକ ସମ୍ପତ୍ତିରେ ପ୍ରତିଷ୍ଠାବାନ୍, ଗୁଣ୍ଡା ଚୋର ସଫଳ ରାଜନୀତିଜ୍ଞ–କେହି ତାଙ୍କୁ ଆଙ୍ଗୁଠି ଦେଖାଇ ପଚାରି ପାରେନା ‘‘ତୁ କାହିଁକି ଏମିତି ହେଲୁ ?”

 

ଏକ ଦୁର୍ବଳ, ଭୀରୁ ଅସହାୟ ‘‘କୁବ୍‍ଜପିଠି ନବ୍‍ଜଦେହୀ” ବ୍ୟକ୍ତିଟିଏ । ସେ ସ୍ଵୀକାର କରିନିଏ ସେ ଯାହା କରିଛି ଭୁଲ ବୋଲି । ସ ସ୍ଵୀକାର କରିନିଏ ଏକ ବହୁତ୍ଵର ଅଙ୍କୁଶ । ନିଜର ଅନ୍ତରର ପ୍ରତିବାଦ ସତ୍ତ୍ୱେ ବି ସେ ଭୟରେ କାକୁସ୍ଥ ହୋଇଯାଏ–ତୁଣ୍ଡରେ ତିରଣ ଧରି ଲମ୍ବତମ୍ବ ହୋଇ ପଡ଼ିଯାଏ–କ୍ଷମା ମାଗେ ‘ସମାଜ’ ପାଖରୁ’, ‘ପାପ’ରୁ ମୁକ୍ତି ଚାହେଁ ‘ଭଗବାନ’ ପାଖରୁ । ନିଜ ପ୍ରତି ନିଜର ଅସ୍ଵୀକୃତି ହିଁ ଅସଲ ଦୁର୍ବଳତା–ଅସଲ ଭୀରୁତ୍ଵ । ‘ବହୁ’ ଖୁସି ହୁଏ । ତାକୁ ଦଣ୍ଡ ଦିଏ । ତା’ର ଦଣ୍ଡ ଯେତେ କଠୋର, ବହୁ ସେତିକି ଖୁସି ।

 

ମୁଁ କିନ୍ତୁ କୌଣସି କୈଫିୟତ ଦେବାକୁ ଚାହେଁନା I am a call-girl by my own right ଏ ମୋର ଅକ୍ଷମତା ନୁହେଁ । ଏ ମୋର କ୍ଷମତା । ମୁଁ ନତଶିର ହୋଇ ବହୁ ପାଖରେ ଏହାକୁ ଦୋଷ ବୋଲି ସ୍ଵୀକାର କରିପାରିବି ନାହିଁ । ଏହି ନିଜସ୍ୱ ବ୍ୟକ୍ତିତ୍ଵକୁ ନିଜେ ସ୍ଵୀକୃତି ଦେବାର ଶିକ୍ଷା ମୁଁ ପାଇଥିଲି ଜଣକଠୁ । ମୟୂରଭଞ୍ଜର ଘଞ୍ଚ ଜଙ୍ଗଲ ଭିତରେ ଲୁଚି ଲୁଚି ବୁଲୁଥିବା ବେଳେ, ଯାଦୁଗୁଡ଼ା ଜଙ୍ଗଲର ଅଭ୍ୟନ୍ତରରେ ଦିନ ଦିନ ଧରି ଅଖିଆଅପିଆ ରହିଥିବା ବେଳେ–ସେଇ ମୋର ପୂଜ୍ୟ ବଡ଼ଭାଇ ସନ୍ତୋଷ ମାଇତି–ଦୁର୍ଦ୍ଧର୍ଷ ନକ୍‍ସଲାଇଟ୍ ନେତାଙ୍କ ପାଖରୁ । ସେଥିପାଇଁ ଯେତେବେଳେ ପୋଲିସ ସବ୍‍-ଇନ୍‍ସ୍ପେକ୍ଟର ବୋଷ ମୋତେ ଜବରଦସ୍ତି ଧର୍ଷଣ କଲା, ମୁଁ ସେତେବେଳେ କାନ୍ଦି ନାହିଁ । ସତୀତ୍ଵ ଚାଲିଗଲା ବୋଲି, ଅପବିତ୍ର ହୋଇଗଲି ବୋଲି ଗଙ୍ଗାରେ ଝାସ ଦେଇନାହିଁ, ମୋର ଅସଂଖ୍ୟ ବାନ୍ଧବୀଙ୍କ ପରି । ରତକ୍ରିୟାରେ ଶରୀର ଅପବିତ୍ର ହୋଇଯାଏ ନାହିଁ, ଅପବିତ୍ର ହୁଏ ‘ସତୀତ୍ଵ’ ବୋଲି ଏକ କାଳ୍ପନିକ ଆଦର୍ଶକୁ ଧରି ରଖିବାରେ ଓ ସେଇ ମିଥ୍ୟା ଆଦର୍ଶ ପାଖରେ ନିଜକୁ ବଳିଦେବାରେ ।

 

ନା, ମୁଁ ବୋଷ ଉପରେ ରାଗି ବି ନାହିଁ । କାରଣ ଏ ଏକ ସ୍ଵାଭାବିକ ପ୍ରତିକ୍ରିୟା । ଯେ କୌଣସି ପୁରୁଷ ସୁଯୋଗ ପାଇଲେ ଯେ କୌଣସି ନାରୀକୁ ଧର୍ଷଣ କରିପାରେ । ଏହା ଏକ ଜ୍ଵଳନ୍ତ ସତ୍ୟ ।

 

କୀଟପତଙ୍ଗଠାରୁ ଆରମ୍ଭ କରି ମନୁଷ୍ୟ ପର୍ଯ୍ୟନ୍ତ ଏଇ ‘ପୁରୁଷଟି’ ଏକ ଭୟାନକ କ୍ରିୟାଶୀଳ ସତ୍ତା ଓ ନାରୀ ସତ୍ତାଟି ବିପରୀତ ଭାବରେ ଏକ ପେସିର୍ ଚରିତ୍ର । ସେଥିପାଇଁ ସମସ୍ତ ପ୍ରାଣିଜଗତରେ ଏଇ ପୁରୁଷ ସତ୍ତାଟି କେବଳ କ୍ରିୟାଶୀଳ ଭୂମିକା ଗ୍ରହଣ କରେ ।

 

କିନ୍ତୁ ମୁଁ ସବ୍‍-ଇନ୍‍ସ୍ପେକ୍ଟରକୁ ଗୁଳି କରିଥିଲି ସମ୍ପୂର୍ଣ୍ଣ ଅନ୍ୟ କାରଣରୁ । ସେ ଆମର ଗୁପ୍ତ ଆଡ୍‍ଡାର ସବୁ ଖବର ଜାଣି ପାରିଥିଲା ବୋଲି, ମୋତେ ତାକୁ ଶେଷ କରିଦେବାର ଆଦେଶ ଦିଆଯାଇଥିଲା ।

 

ନାଁ, ମୁଁ ନିଜକୁ ପାପୀ ବୋଲି ମନେକରୁନାହିଁ । ଗିଲ୍‍ଟି କଂପଲେକ୍‍ସ ମୋ ଜାତକରେ ନାହିଁ । ଅପରାଧବୋଧଟା ମଣିଷ ମନରେ କେବଳ ଗୋଟିଏ କାରଣରୁ–ଯୋଉ କାରଣଟି ହେଲା ତା’ର ପିଲାଦିନରୁ ଗଢ଼ିଆସିଥିବା ଜୀବନ ଉପରେ ଯୋଉ କେତୋଟି ଅର୍ଦ୍ଧସତ୍ୟକୁ ସତ୍ୟ ବୋଲି ଆରୋପ କରାଯାଇଥାଏ–ସେ ସେଇ ସତ୍ୟଗୁଡ଼ିକୁ ପରୋକ୍ଷ, ପ୍ରଚ୍ଛନ୍ନ ଭାବରେ ସ୍ଵୀକୃତି ଦେଇଥିବା ଯୋଗୁଁ । ମୁଁ ଭିତରେ ଯଦି ସେଇ ଅର୍ଦ୍ଧ-ସତ୍ୟର ଭିତ୍ତିଭୂମିକୁ ଅସ୍ଵୀକାର କରେ, ତେବେ ମୁଁ ଭିତରେ ନିଜକୁ ଦୋଷୀ ବୋଲି ଭାବିବି କାହିଁକି ବା ବାହାରେ ଲୁଚି ଲୁଚି ବୁଲିବି କାହିଁକି ?

 

ମୁଁ ‘ସତୀତ୍ଵ’କୁ ଅସ୍ଵୀକାର କରେ । ଜଣେ ତଥାକଥିତ ପତିବ୍ରତା ନାରୀ କେବଳ ଗୋଟାଏ ଚିନ୍ତାଶକ୍ତିବିହୀନା ଦାସୀ ମାତ୍ର । ଜଣେ ନାରୀ ଜଣେ ପୁରୁଷ ପାଖରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିପାରେ ନିଜସ୍ୱ ହୃଦୟର ତାଡ଼ନାରେ । ସେ ଭିନ୍ନକଥା; କିନ୍ତୁ ଜୋରଜବରଦସ୍ତି କରି ଜଣେ ନାରୀର ‘ସତୀତ୍ଵ’ର ପୁଣ୍ୟର ଲୋଭ ଦେଖାଇ, ଅସତୀତ୍ଵର ପାପର ଭୟାନକ ଦଣ୍ଡ ବିଧାନର ଭୟ ଦେଖାଇ, ପତିବ୍ରତା କରିବା ଏକ ଭଣ୍ଡାମି ଛଡ଼ା କ’ଣ ହୋଇପାରେ ? ସତୀତ୍ଵରେ ପୁଣ୍ୟ ନାହିଁ, ଅସତୀତ୍ଵରେ ପାପ ନାହିଁ । ତାରା, ମନ୍ଦୋଦରୀ, କୁନ୍ତୀ, ଅହଲ୍ୟା ଇତ୍ୟାଦି ଅସତୀମାନଙ୍କ ଚରିତ୍ର କ’ଣ ମହାସତୀ ଭାବରେ ବର୍ଣ୍ଣିତ ହୋଇନାହିଁ ? ସତୀତ୍ଵ ଏକ ଦୃଷ୍ଟିଭଙ୍ଗୀ ମାତ୍ର ।

 

ନା, ମୁଁ ଏସବୁ କିଛି ଭାବି ନାହିଁ । କେବଳ ଭାବିଛି ଗୋଟାଏ କଥା–ମୁଁ ଜଣେ ମଣିଷ । ମଣିଷ ଭାବରେ ବଞ୍ଚି ରହିବାର ମୋର ଅଧିକାର ରହିଛି । ପୁଣି ମଣିଷମାନଙ୍କ ଭିତରେ ଜଣେ ଯେମିତି ପୁରୁଷ, ଅନ୍ୟ ଜଣେ ସେମିତି ନାରୀ । ସେଇ ନାରୀ ଭାବରେ ମୋର ସ୍ଵାଭାବିକତା ପୁରୁଷର ସ୍ଵାଭାବିକତାଠାରୁ ଭିନ୍ନ । ମୋର ଏଇ ସ୍ଵାଭାବିକତାକୁ ନେଇ ମୁଁ ଦୁର୍ବଳ ଅନୁଭବ କରିନାହିଁ କିମ୍ବା ଗୌରବ ବୋଧ କରିନାହିଁ ।

 

ଜେଲରେ ଦେଢ଼ବର୍ଷ କଟାଇ ମୁକ୍ତି ପାଇ ବାହାରକୁ ଆସି ଦେଖେ ତ ମୋର ଆଉ କେହି ନାହିଁ । ଉପରେ ନିର୍ଲିପ୍ତ ଆକାଶ–ତଳେ ନିଷ୍ଠୁରା ପୃଥିବୀ । ସନ୍ତୋଷ ମାଇତିର କୋଉଦିନୁଁ ଫାଶୀ ହୋଇଗଲାଣି । କେଉଡ଼ାତଳା ଶ୍ମଶାନର ବିଦ୍ୟୁତ୍ ଚୁଲ୍ଲୀରେ ତା’ର ଦୀର୍ଘ ଶରୀରର ଭସ୍ମ କୋଉଁଦିନୁ କାହା ବଗିଚାରେ ଖତ ହୋଇସାରିଲାଣି । ଆଉ କେହି ନାହିଁ, କିଛିନାହିଁ । ଭଲପାଇବା ଓ ମମତାର ବନ୍ଧନ ନାହିଁ–ବାଧା ନାହିଁ । ଏଇ ଭୟାନକ ରିକ୍ତତା ଓ ନିଃସ୍ଵତାର ମରୁଭୂମିରେ ଛିଡ଼ା ହୋଇ ରହିଲା ବେଳେ ହିଁ ମୁଁ ସଠିକ ଭାବରେ ହୃଦୟଙ୍ଗମ କରିପରିଲି ମୋର ଏକଦା ପ୍ରଣୟୀ ସମୀର ମହାପାତ୍ରର ଅନେକଦିନ ଆଗରୁ କହିଥିବା କଥା କେଇପଦ ।

 

“ବୁଝିଲ ଡଲି, ଆମେ ଯେତେ ଆଦର୍ଶର କଥା କହୁ, ଯେତେ ନୂତନ ନିୟମର ସଂଜ୍ଞା ନିରୂପଣ କରୁ–ଏସବୁର ଉର୍ଦ୍ଧ୍ଵରେ ଆଉ ଗୋଟାଏ ସତ୍ୟ ରହିଛି ଯେ, ଆମ୍ଭେମାନେ ଭାରତୀୟ ପରମ୍ପରାରେ ପ୍ରତିପାଳିତ ସମ୍ପ୍ରଦାୟ । ଆମର ଅସ୍ତିମଜ୍ଜାଗତ ରହିଛି ସହସ୍ର-ବର୍ଷର ପୁଞ୍ଜୀଭୂତ ଅନ୍ଧବିଶ୍ଵାସ । ଆମେ ଯେତେ ଚେଷ୍ଟା କଲେ ସୁଦ୍ଧା, ଜନମାନସ ଭିତରେ ଲୁକ୍‍କାୟିତ ଭାବରେ ରହିଥିବା ଏଇ ବଦ୍ଧମୂଳ ଧାରଣାକୁ ଭାଙ୍ଗିବାର ଆତ୍ମବିଶ୍ଵାସ ଆମ ଜେନରେସନ୍‍ର ନାହିଁ । ଆମର ପୂଜ୍ୟନେତା କମ୍ରେଡ଼ ହରିପଦ ଚକ୍ରବର୍ତ୍ତୀର କଥା ଶୁଣିଛ । ଆମେ ବିଦ୍ରୋହ କରୁଛୁ, ଭାଷଣ ଦେଉଛୁ–ଭଗବାନ୍ ନାହିଁ, ଧର୍ମଧାରଣା ସବୁ ମିଛ । କିନ୍ତୁ ତମେ ଜାଣିଛ, ଆମର ଏଇ ଆନ୍ଦୋଳନର ସଫଳତା ପାଇଁ, ହରିପଦ ଚକ୍ରବର୍ତ୍ତୀର ନିରାପତ୍ତା ପାଇଁ; ତା’ର ସ୍ତ୍ରୀ କାଲିଘାଟରେ ବୋଦା ମାନସିକ କରିଛି । ହରିପଦ ଚକ୍ରବର୍ତ୍ତୀର ପଞ୍ଜାବି ଖୋଲି ଦେଖ ତା’ ବାହୁରେ ସ୍ଵାମୀ ସହସ୍ରାନନ୍ଦଙ୍କର ମାଦୁଲି ବନ୍ଧା ହୋଇଛି । ଆମେ ଯେତେବେଳେ ଛୁରୀ ବନ୍ଧୁକ ନେଇ ଯୁଦ୍ଧ କରିବାକୁ ଲମ୍ଫ ଦେଉଛୁ, ଆମ ମନଭିତରେ କିଏ ଜଣେ ଚିତ୍କାର କରୁଛି ‘ଜୟ ମା’ କାଳୀ' । We are all bloody hypocrites. ଯାହାକୁ ଆମେ ବୁଦ୍ଧି ଓ ତର୍କର ଖାତିରରେ ଗ୍ରହଣ କରିଛୁ, ତାହାର ପରିପ୍ରେକ୍ଷୀରେ ସଂଗ୍ରାମ କରୁଛୁ, ଆମ ନିଜ ଅନ୍ତର ଭିତରେ ତା’ ପ୍ରତି ନିଷ୍ଠା ନାହିଁ, ବିଶ୍ଵାସ ନାହିଁ, ଆନ୍ତରିକତା ନାହିଁ । ଆଜି ଆମେ ଚିତ୍କାର କରି କହୁଛୁ, ନାରୀର ସତୀତ୍ଵ ଏକ ଧୂଆଁବାଣ–ଏକ ଭୟଙ୍କର ମିଥ୍ୟା; କିନ୍ତୁ ତମେ ଯଦି ଆଜି ଆମ ସମସ୍ତଙ୍କ ଆଗରେ ଛିଡ଼ା ହୋଇ ସତ୍ୟ କଥା କୁହ ଯେ ‘‘ମୁଁ ଜଣେ ପୁରୁଷର ଅଙ୍କଶାୟିନୀ ହୋଇଯାଇଛି; କିନ୍ତୁ ତମମାନଙ୍କ ଭିତରୁ ମୋତେ ଜଣେ ସ୍ତ୍ରୀ ରୂପରେ ଗ୍ରହଣ କର’’ ମୁଁ ଶପଥ କରି କହିପାରେ, ଜଣେହେଲେ ବି କେହି ତମର ଏଇ ଆହ୍ୱାନରେ ଜବାବ୍ ଦେବାକୁ ଆଗେଇ ଆସିବେ ନାହିଁ । ସେଥିପାଇଁ ଏପରି ଏକ ପ୍ରଚଣ୍ଡ ନୂତନ ଆନ୍ଦୋଳୋନ ଭିତରେ, ଯୋଉଠି ଶତସହସ୍ର ଯୁବକ ଆଗେଇ ଆସିଥିଲେ ପ୍ରାଣବଳି ଦେବାକୁ, ସେଠାରେ ନାରୀମାନଙ୍କ ସଂଖ୍ୟା ନଗଣ୍ୟ ମାତ୍ର । ଥରେ ଧର୍ଷିତା ହେଲେ ସେଇ ‘ଦୋଷୀଭାବ’ ତାଙ୍କର ସାରାଜୀବନକୁ ଆଚ୍ଛନ୍ନ କରି ରଖିବ । ଧର୍ଷିତା ହେବାର ଭୟ, ଅପବିତ୍ର ହେବାର ଭୟ, ସାଂସାରିକ ଜୀବନରେ ‘ପତ୍ନୀ’ର ଗୌରବ ଓ ଆଶ୍ରୟର ନିଶ୍ଚିତତାର ଅନିଶ୍ଚିତତା ଓ ତା’ପରେ ପୁଣି ‘ପାପ’ର ଭୟ ସେମାନଙ୍କୁ ଏମିତି ଗ୍ରାସ କରି ରଖିଛି ଯେ ସେମାନେ ନିଜର ସ୍ମୃତିରୁ ପାଦେ ଘୁଞ୍ଚିବାକୁ ନାରାଜ ଓ ଆମର ତଥାକଥିତ ଅଗ୍ରଗାମୀ ବିପ୍ଳବୀମାନେ ସେଇଥିରେ ହିଁ ଖୁସି ।

 

ଧର୍ମ ହେଉ, ରାଜନୀତି ହେଉ, ବିପ୍ଳବ ହେଉ, ଏ ଦେଶର ଜନସାଧାରଣ କୌଣସି ଗୋଟାକୁ ପୂର୍ଣ୍ଣପ୍ରାଣରେ ଗ୍ରହଣ କରିନେବାକୁ ଅନିଚ୍ଛୁକ । ସନ୍ଦେହ, ଅବିଶ୍ଵାସରେ ଦୋଳାୟମାନ । ଠିକ୍ ଯେମିତି ସୁହାଇବ ସେତିକି ନେଇ ସେମାନେ ନିଶ୍ଚିନ୍ତ । ସେଥିପାଇଁ ଏକ ନୂତନ ଚେତନଶୀଳ ଗୋଷ୍ଠୀର ଆବିର୍ଭାବ ନ ଘଟିବା ଯାଏଁ ଏ ଦେଶର କୌଣସି କିଛିର ଆମୂଳ ପରିବର୍ତ୍ତନ ସମ୍ଭବ ନୁହେଁ; ଠିକ୍ ଆମର ଏ ଆନ୍ଦୋଳନ ଯେମିତି ବ୍ୟର୍ଥ ହେବାକୁ ଯାଉଛି । ଆମର ନେତାମାନେ ଯେତିକି ହିପୋକ୍ରିଟ୍–ଆମେମାନେ ମଧ୍ୟ ସେତିକି ହିପୋକ୍ରିଟ୍ ।’’

 

ହାୟରେ ସମୀର ମହାପାତ୍ର ! ପୋଲିସ୍‍ର ମାଡ଼ କ’ଣ ଏତେ ଅସହ୍ୟ ହେଲା ଯେ ତୁ ବଦଳିଗଲୁ ? ଖଣ୍ଡିଏ ଚାକିରିର ଲୋଭ ଏତେ ବେଶୀ ହେଲା ଯେ ତୁ ନିଜର ବିଶ୍ୱାସକୁ ଜଳାଞ୍ଜଳି ଦେଇଦେଲୁ ? ତୁ ପୋଲିସ୍‍ର ଗୁଳିରେ ମରିଯାଇଥିଲେ, ଫାଶୀ ପାଇଥିଲେ ସାରାଜୀବନ ମୁଁ ତୋର ପୂଜା କରିଥାନ୍ତି; କିନ୍ତୁ ବର୍ତ୍ତମାନ ତୋ ମୁହଁ ସୁଦ୍ଧା ଦେଖିବାକୁ ଚାହେଁନା । ଯୋଉ ପୁରୁଷ ନିଜର କନ୍‍ଭିନ୍‍ସନ୍‍, ନିଜର ଆଦର୍ଶକୁ ନେଇ ବଞ୍ଚିପାରେନା, ମରିପାରେନା ସେ କି ପୁରୁଷ ? ସେ କି ମଣିଷ ?

 

ତା’ପରେ ମୁଁ ଆଉ ପଛକୁ ଫେରି ଚାହିଁନି । ସଂଗ୍ରାମ କରିବାକୁ ହେବ । ବଞ୍ଚିବାକୁ ହେବ-

 

କଲିକତାରୁ ଅୟମାରମ୍ଭ । କଲିକତାରୁ ଭୁବନେଶ୍ଵର । ଏଠାରେ ସବୁ ବିଷୟରେ କଂପିଟିସନ୍ କମ୍ । ଅପେକ୍ଷାକୃତ ସହଜ ପଥ । ଆଉ ଜଣେ ସାଧାରଣ ନାରୀ ପକ୍ଷରେ (ସୁନ୍ଦରୀ ହେଲେ ତ କଥା ନାହିଁ) କେବଳ ଏଇ ‘ସତୀତ୍ଵ’ ଶବ୍ଦଟାକୁ ବିସର୍ଜନ ଦେଇଦେଲା ପରେ ସବୁ କାମଗୁଡ଼ିକ କେତେ ସହଜ ହୋଇଥାଏ ସତେ । ଯୋଉଟା ଦୂରରୁ ମନେହୋଇଥାଏ–ଅତି ଦୁରୂହ, ଅତି ଅସମ୍ଭବ–ସେଇଟା ଏକାବେଳକେ ସରଳ, ସୁନ୍ଦର, ସହଜ ଭାବରେ ହୋଇଯାଏ । କଲେଜରେ ଆଡ୍‍ମିଶନ, ପରୀକ୍ଷାରେ ପାଶ୍–କିଛିରେ କିଛି ବୋଲି ଅସୁବିଧା ରହେନା ।

 

‘ସତୀତ୍ଵ’କୁ ମୁଁ ତାତ୍ତ୍ଵିକ ଭାବରେ ଯେତିକି ଅସ୍ଵୀକାର କରେ, ‘ଅସତୀତ୍ଵ’କୁ ଠିକ୍ ସେତିକି ସ୍ଵୀକାର କରେ ଜୀବନସଂଗ୍ରାମରେ ଜୟଯୁକ୍ତ ହେବାକୁ । ମୁଁ ଜାଣେ ଯେ ଏହା ବଦଳରେ ମୋତେ ଚାକିରି ଖଣ୍ଡିଏ ମିଳିଯିବ । ଆଉ ଚାକିରିଟିଏ ମିଳିଲେ ଏକାନ୍ତ ଅନୁଗତ ପୁରୁଷଟିଏ ବି ‘ସ୍ଵାମୀ’ ଭାବରେ ମିଳିଯିବ । କେତେଜଣ ବା ପ୍ରତ୍ୟକ୍ଷ କରିଛନ୍ତି ମୋର ନୈଶ ଅଭିସାରର ଦୃଶ୍ୟ ? ଲକ୍ଷ ଲକ୍ଷ ଲୋକ ଭିତରୁ କିଏ ବା ମନେରଖିଛି ଗୋଟାଏ ମୁହଁକୁ ? ଆଉ ‘ସ୍ଵାମୀ’ଟିଏ ନ ମିଳିଲେ ବି ଦୁଃଖ କ’ଣ ? କ୍ଷତି କ’ଣ ? ଚାକିରି ହିଁ ଏକମାତ୍ର ନିଶ୍ଚିତତା । ଦିନକୁ ଦୁଇବେଳା ଖାଦ୍ୟ ମିଳିବାର ନିର୍ଭର ପ୍ରତିଶ୍ରୁତି । ସ୍ଵାମୀ, ସନ୍ତାନ–ଏକ ପରିପୂର୍ଣ୍ଣ ସୁଖୀ ପରିବାରର ମଧୁର ସ୍ଵପ୍ନ ଭାରତୀୟ ନାରୀମାନଙ୍କ ଗଭୀର ଅନ୍ତଃସ୍ଥଳରେ ଯୁଗ ଯୁଗ ଧରି–ସୁଖର ଏକମାତ୍ର ପରିପୂର୍ଣ୍ଣତା ବୋଲି ବଦ୍ଧମୂଳ ଧାରଣା ଓ ବିଶ୍ଵାସ ରହିଆସିଛି । ସେ ବିଶ୍ଵାସ ମୋର ନାହିଁ । ମୁଁ ଏକ ନୂତନ ଯୁଗର ପ୍ରତିଭୂ–ଯୋଉ ଯୁଗ କହେ ‘ବ୍ୟକ୍ତି’ ହିଁ ସ୍ଵୟଂସମ୍ପୂର୍ଣ୍ଣ । ଏକ ସମନ୍ୱିତ ବ୍ୟକ୍ତିତ୍ଵ ହିଁ ସୁଖୀ ସମାଜର ମୂଳଭିତ୍ତି । ଏହିପରି ସୁସଂହତ, ସମନ୍ୱିତ ନିଜପ୍ରତି ବିଶ୍ଵସ୍ତ, ନିଷ୍ଠାପର ବ୍ୟକ୍ତିମାନଙ୍କୁ ନେଇ ହିଁ ଗଠିତ ହୁଏ ଏକ ଉନ୍ନତତର ସମାଜ । ଦୁର୍ବଳ, ଭୀରୁ, ହୀନମନ୍ୟ, କାପୁରୁଷ, ନିଷ୍ଠାହୀନ, ସରୀସୃପୀୟ ବ୍ୟକ୍ତିମାନଙ୍କୁ ନେଇ ଏକ ଦୃଢ଼ ସମାଜ ଗଠନ କରିହୁଏନା ବରଂ ସ୍ୱୈରତନ୍ତ୍ରର ବିକାଶ ଘଟେ ।

 

ମୁଁ ନିଜର ବିଶ୍ୱାସରେ ଦୀପ୍ତ ଏକ ଅଲିଭା ଶିଖା । ଗୋଟିଏ ପୁରାତନ ଶତାବ୍ଦୀର ମାନଦଣ୍ଡରେ ନୂତନ ଶତାବ୍ଦୀର ବିଚାର ଚଳେନା । ପୁରାତନ ସଭ୍ୟତାର ବିଚାରରେ ନୂତନ ସଭ୍ୟତାକୁ ନିରୂପିତ କରାଯାଇ ପାରେନା । ପୁରୁଣା ମୂଲ୍ୟବୋଧକୁ ନେଇ ନୂତନ ମୂଲ୍ୟବୋଧକୁ ତଉଲି ଦେଖାଯାଇପାରେନା ।

 

ମୋତେ ବିଚାର କରିବ ମୋ ଯୁଗର ବିଚାରପତି ।

 

ପ୍ରତ୍ୟେକ ଯୁଗର ମଣିଷ ନିଜ ପାଇଁ ଏକ ଆଦର୍ଶ ଗଢ଼େ । ସେ ଆଦର୍ଶ ପରବର୍ତ୍ତୀ ଯୁଗରେ ଅଚଳ । ବୈଦିକ ଯୁଗରେ ନାରୀ ସ୍ଵାଧୀନତା ଥିଲା ପ୍ରଚୁର । ତେଣୁ ସେ ଯୁଗର ନାରୀ ସମସ୍ତ ବିଦ୍ୟାରେ ଥିଲା ପାରଙ୍ଗମ । ସେଥିପାଇଁ ଜ୍ଞାନ, ଶିକ୍ଷା, ସଙ୍ଗୀତ, କଳା, ସାହିତ୍ୟର ପ୍ରତିମୂର୍ତ୍ତି କେବଳ ଜଣେ ନାରୀ–ସରସ୍ଵତୀ । ସତ୍ୟଯୁଗରେ ନାରୀ ସ୍ଵାଧୀନତା କ୍ରମଶଃ ସଙ୍କୁଚିତ ହୋଇଆସିଛି–ତଥାପି ସେ ଥିଲା ଅପେକ୍ଷାକୃତ ସ୍ଵାଧୀନ । ଯୁଦ୍ଧବିଦ୍ୟା, ଧନୁର୍ବିଦ୍ୟାରେ ନିପୁଣ ସେଇ ନାରୀ ନିଜ ଇଚ୍ଛାରେ ନିଜର ପତି ବରଣ କରିପାରେ, ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ କରିପାରେ, ସୈନ୍ୟଚାଳନା କରିପାରେ । ସେ ଯୁଗର ଆଦର୍ଶରେ ନାରୀ ‘ଅବଳା’ ନ ଥିଲା, ଥିଲା ମହୀୟସୀ, ଶକ୍ତିଶାଳୀ, ସାମ୍ରାଜ୍ଞୀ–ମହାଶକ୍ତି ‘ଦୁର୍ଗା’ । ତ୍ରେତୟା ଯୁଗରେ ନାରୀର ଭୂମିକାକୁ କ୍ରମଶଃ ସଙ୍କୁଚିତ କରି, ତାକୁ କେବଳ ସାମାଜିକ ରକ୍ଷଣଶୀଳତାର ପ୍ରତିମା ଭାବରେ, ସତୀର ସ୍ଵାର୍ଥତ୍ୟାଗ ପତିବ୍ରତାର ଦ୍ଵାହିଦେଇ ତାକୁ ଏକ ପତିପ୍ରାଣଗତା, ନିର୍ଯ୍ୟାତିତା, ସ୍ଵାର୍ଥତ୍ୟାଗୀ ‘ବଧୂ’ ରୂପରେ ଆଦର୍ଶ କରି ଗଢ଼ାଯାଇଛି । ସୀତା ପତିପ୍ରାଣଗତା, ସ୍ଵଇଚ୍ଛାରେ ନିଜକୁ ଆତ୍ମବିସର୍ଜନ ଦେଇଥିବା କରୁଣାମୟୀ ନାରୀ ନୁହେଁ–ପ୍ରତିବାଦହୀନା, ମୂକ, ସମାଜବ୍ୟବସ୍ଥାର କ୍ରୀଡ଼ନକ, ଶୋଷିତ ନିର୍ଯ୍ୟାତିତ, ଆତ୍ମସଚେତନହୀନ, ନିରୀହା ନାରୀଟିଏ ମାତ୍ର । ସେକାଳର ସମାଜବ୍ୟବସ୍ଥା ପାଇଁ ହୁଏତ ଏପରି ଏକ ଆଦର୍ଶର ଦରକାର ଥିଲା । କିନ୍ତୁ ତା’ର ପରବର୍ତ୍ତୀ ଦ୍ଵାପର ଯୁଗରେ ପ୍ରତିଷ୍ଠିତ ହେଲା ଏକ ନୂତନ ଆଦର୍ଶ । ସେ ‘ନାରୀ’ ବଧୂ ଭାବରେ ନୁହେଁ, ପ୍ରେମିକା ଭାବରେ ହେଲା ପୂଜ୍ୟ । ‘ପତି’ ପୂଜ୍ୟ କିନ୍ତୁ ‘ଉପପତି’ ଯଦି ପତିଠାରୁ ହୁଏ ମହାନ୍, ତେବେ ତାଙ୍କ ପ୍ରତି ଅନୁରାଗ ଦୋଷଣୀୟ ନୁହେଁ । ତାତ୍‍କାଳିକ ସମାଜବ୍ୟବସ୍ଥାର ‘କଳଙ୍କିନୀ ରାଈ’ ପରବର୍ତ୍ତୀ ଯୁଗର ଆଦର୍ଶ ।

 

ଯୁଗପରେ ଯୁଗ, ଏମିତି ମଣିଷର ଆଦର୍ଶ ବଦଳିଛି–ନାରୀର ଆଦର୍ଶ ବଦଳିଛି, ମଣିଷ ସମାଜର ଭୌତିକ ପରିବର୍ତ୍ତନ ସହିତ ତାଳ ମିଳାଇ । ପୁଣି ହୁଏତ ନୂତନ ସମୟ, ନୂତନ ଯୁଗରେ ସେଇ ପୁରାତନ ପରିସ୍ଥିତିର ଅଭ୍ୟୁଦୟ ଘଟିଲେ, ପୁଣି ଆଉଥରେ ମଣିଷ ସେଇ ପୁରାତନ ଆଦର୍ଶଟିକୁ ପୁନର୍ଜୀବିତ କରିବ ।

 

ସୀତା ଯେତେବେଳେ ‘ସତୀ’–ଠିକ୍ ସେତିକିବେଳେ ହିଁ ମନ୍ଦୋଦରୀ, ତାରା, ଅହଲ୍ୟା ମଧ୍ୟ ସତୀ । ଯେଉଁ ସମୟରେ ଏକ ଉପପତି ଗ୍ରହଣ କରି ରାଈ ବିନୋଦିନୀ ସତୀ, ପଞ୍ଚ ଉପପତିର ଔରସରୁ ସନ୍ତାନ ଜନ୍ମ ଦେଇ କୁନ୍ତୀ ମଧ୍ୟ ସତୀ । ଦେଢ଼ଶୁର ଔରସରୁ ‘ନିଯୋଗ’ ପୁତ୍ର ଜନ୍ମ ଦେଇ ଅମ୍ବା ଓ ଅମ୍ବିକା ମଧ୍ୟ ସତୀ । ପଞ୍ଚପତି ଗ୍ରହଣ କରି ଦ୍ରୌପଦୀ ମଧ୍ୟ ସତୀ ।

 

ସେଇ ସହସ୍ରବର୍ଷ ତଳରୁ ହିଁ ଏମିତି ଭାବରେ ନିରୂପିତ ହୋଇଯାଇଛି ସତୀତ୍ଵର ସଂଜ୍ଞା-

 

ଯଦି ନୂତନ ସମୟର ଅସଂଖ୍ୟ ଘଟଣାର ସମୁଦ୍ର ମନ୍ଥନରୁ ଉଦ୍ଭୂତ ହଳାହଳ ପିଇ, ପରସ୍ପର ବିବଦମାନ ଆଦର୍ଶଗତ ସଂଘର୍ଷର ହୋମାନଳ ଭିତରୁ ସ୍ଵୟଂଭୂ ପ୍ରତିମା ରୂପରେ ଆବିର୍ଭୂତ ଯାଜ୍ଞସେନୀ ପଞ୍ଚପତି ଗ୍ରହଣ କରି ଜଣେ ସତୀ–ମୁଁ ବି ଏଇ ନୂତନ ଯୁଗର ହିଂସା, ଦ୍ଵେଷ, କପଟତା, ପରଶ୍ରୀକାତରତା, ସ୍ଵୈରାଚାରିତା, କାପୁରୁଷତା, ହୀନମନ୍ୟତା, ଶଠଚାରିତା ଓ ଅହଂକାର ପ୍ରଭୃତି ବିଭିନ୍ନ ପ୍ରତିକୂଳ ଶକ୍ତିର ପ୍ରତିନିୟତ ଘୂର୍ଣ୍ଣନର ବିସ୍ଫୋରଣର ବିଷକୁ ଆକଣ୍ଠ ପାନ କରି, ଦ୍ଵିତୀୟ ବିଶ୍ଵଯୁଦ୍ଧର ଆଣବିକ ମହାଯଜ୍ଞର ପ୍ରଜ୍ଜ୍ୱଳିତ ଅଗ୍ନ୍ୟୁତ୍ସବ ଭିତରୁ ଉଦ୍ଭୂତ ନୀଳକଣ୍ଠୀ ନାୟିକା–ତୃତୀୟ ବିଶ୍ଵଯୁଦ୍ଧରେ ନିଜକୁ ନିଜେ ଧ୍ଵଂସ କରିବାର ଭୟାନକୀ ଇଚ୍ଛାର ମୁଦ୍‍ଗର ଧାରଣ କରି ଅପେକ୍ଷମାଣା–ଏ ଯୁଗର ପ୍ରତିଭୂ–ମୁଁ ଡଲି ମହାନ୍ତି–ସହସ୍ର ଉପପତି ଗ୍ରହଣ କରି, ଆଗାମୀ, ଅନାଗତ, ବହୁ ଲକ୍ଷ ଯୁଗର ଆଦର୍ଶ ନାୟିକା–ମହାସତୀ–ନୂତନ ଯାଜ୍ଞସେନୀ ।

Image

 

ସନ୍ଧି

 

ସକାଳ ନଅଟା ବେଳକୁ ବି ସାରା ଘରଟା ଖାଁ ଖାଁ ଲାଗୁଛି । ଟାଇପ୍ ଏଇଟ୍ ଘର । ସାତୁଟା ନାଁ ଆଠୁଟା କୋଠରି । ଏପଟରେ କିଏ ଯଦି ତା’ର ତଣ୍ଟିଚିପି ଦେବ ତ, କେହି ଖବର ପାଇବେ ନାହିଁ । ପଛ ପାଖ ସର୍ଭେଣ୍ଟ କ୍ଵାଟରରେ ରହୁଥିବା ପିଅନ ଦୀନବନ୍ଧୁ ବି ତା’ ପିଲାଛୁଆଙ୍କୁ ଘରେ ଛାଡ଼ିଦେଇ ଆସିଛି । ସେଥିପାଇଁ ପଛ ପାଖ କିଚିରି ମିଚିରି ଚେଁ ଚାଁ ଶବ୍ଦ ବି ଆଜି ନାହିଁ । ପଛ ପାଖଟା ପୂରା ନିର୍ଜନ । ସାମ୍ନା ପଟ ନାନା ପ୍ରକାର ଗଛଲତାରେ ଏମିତି ଘେରି ହୋଇଯାଇଛି, ବଡ଼ ରାସ୍ତାଟା ଭଲ କରି ଦିଶେ ନାହିଁ । ଏ ପଟରେ ବି ସେମିତି ଗାଡ଼ିଘୋଡ଼ାର ଭିଡ଼ ନାହିଁ । କେତେବେଳେ କେମିତି ଗୋଟାଏ ବସ୍ କି ଜିପ୍ ଚାଲିଯାଏ । ତା’ ଶବ୍ଦ ବି ଏ ଘରକୁ ଭଲ କରି ପହଞ୍ଚିପାରେ ନାହିଁ । ରାସ୍ତାରେ ଭିଡ଼ ନ ଥିବାରୁ ତାଙ୍କର ହର୍ଣ୍ଣ ବଜାଇବା ବି ଦରକାର ପଡ଼େନା ।

 

ସକାଳ ଆଠଟା ବେଳୁ ପିଲା ଦି’ଜଣ ସ୍କୁଲ୍ ଚାଲିଯାଆନ୍ତି । ପୁଅର ଷ୍ଟୁଆର୍ଟ, ଝିଅର କନଭେଣ୍ଟ୍ । ଫେରୁ ଫେରୁ ଦିନ ତିନିଟା । ଏଇ ତାଙ୍କର ସାଢ଼େ ଆଠଟାରେ ବ୍ରେକ୍‌ଫାଷ୍ଟ୍ ସାରି ଚାଲି ଯାଆନ୍ତି ସେକ୍ରେଟେରିଆଟ୍ । ଅଫିସ୍ ସମୟରେ କୁଆଡ଼େ କିଛି କାମ କରିହୁଏ ନାହିଁ । ହଜାର ଲୋକଙ୍କ ଭିଡ଼ । ମନ୍ତ୍ରୀଙ୍କ ଡାକରା । ଅନ୍ୟ ସେକ୍ରେଟାରୀଙ୍କ ଡାକରା । କେଜାଣି ସତ କି ମିଛ । ତା’ପରେ ସବୁ ଶୂନ୍‌ଶାନ୍ । ପିଲାମାନେ ଚାଲିଗଲା ପରେ ସେ ଗାଧୋଇଯାଏ । ଗାଧୋଇ ସାରି ପୂଜାଘରେ ଟିକେ ମୁହଁମାରି ବେଶବାସହେଲାବେଳକୁ ଶୋଭେଶ ବ୍ରେକ୍‌ଫାଷ୍ଟ ଶେଷ କରିସାରିଥାନ୍ତି । ତା’ପରେ କେତେବେଳେ ଅବା ସାଙ୍ଗରେ କିନ୍ତୁ ପ୍ରାୟ ଏକୁଟିଆ ତା’ର ଜଳଖିଆ ଶେଷ କରି ସାରିଲା ପରେ, ତା’ର ଆଉ କିଛି କାମ ନାହିଁ । କେବଳ ଏକ ଅଛିଣ୍ଡା ବିଶ୍ରାମ । ଦିନ ଗୋଟାଏ ବେଳକୁ ଶୋଭେଶ ଫେରନ୍ତି । ଏକା ସାଙ୍ଗରେ ଲଞ୍ଚ୍ । ସାମାନ୍ୟ କଥାବାର୍ତ୍ତା; କାରଣ ଶୋଭେଶ ଖାଇ ସାରିଲା ପରେ ଘଣ୍ଟେ ଶୋଇପଡ଼ନ୍ତି । ତାକୁ ଆଉ ନିଦ ମାଡ଼େନା । ସେ ଦିନ ଏଗାରଟାରୁ ବାରଟା ପର୍ଯ୍ୟନ୍ତ ଶୋଇ ନେଇଥାଏ । କଥାବାର୍ତ୍ତା ବେଶୀ ହେଲେ ଶୋଭେଶ ଛିଡ଼ନ୍ତି । ଟିକିଏ ବିଶ୍ରାମ କରିବାକୁ ଦିଅ । ପରେ କଥାବାର୍ତ୍ତା ହେଲେ ଚଳିବ ନାହିଁ । ରୀନାର ଖଲଖଲ ହେଉଥିବା ପାଟିରେ ସିଲ୍ ବସିଯାଏ । ସେ ପୁଣି ଚୁପ୍‌ଚାପ୍ ତାଙ୍କରି ପାଖରେ ଗଡ଼ିପଡ଼େ । ନ ହେଲେ ଝରକା ପାଖ ଟେବୁଲ୍‍ ପାଖରେ ବସି ଉପନ୍ୟାସ ପଢ଼େ । ନ ହେଲେ ଝରକା ରେଲିଂ ଧରି ବାହାରକୁ ଚାହିଁରହେ ଉଦାସ ଆଖିରେ, ପିଲାମାନେ ଆସିଲା ପର୍ଯ୍ୟନ୍ତ । ସାଢ଼େ ତିନିଟା ବେଳକୁ ତାଙ୍କର ଖିଆପିଆ, ଡ୍ରେସ୍ ବଦଳାବଦଳିରେ ଘଣ୍ଟେ ସମୟ । ତା’ପରେ ଦି’ଜଣଯାକ ପୁଣି ପାର । ଝିଅଟା କିଛି ସମୟ ପାଖରେ ଥାଏ, କିନ୍ତୁ ସେ ବି ପଳାଏ ପାଖ ଘର ଝିଅ ସାଙ୍ଗରେ ଖେଳିବାକୁ । ରୀନା ପୁଣି ଏକୁଟିଆ ରହିଯାଏ ।

 

ଶୋଭେଶ ଫେରନ୍ତି କେବେ ସାତଟା, କେବେ ଆଠଟାରେ ।

 

ଆଜି ସେ ଗୋଟାଏ ବେଳର ସାମାନ୍ୟ ଚାଞ୍ଚଲ୍ୟ ବି ନାହିଁ । ଶୋଭେଶ ଯାଇଛନ୍ତି ଟୁରରେ ତ ଫେରୁ ଫେରୁ ତିନି ଚାରିଦିନ ହୋଇଯିବ । ଅସରନ୍ତି ସମୟ । କ’ଣ କରିବ ତାକୁ ନେଇ-? କିଏ ଜଣେ କହିଥିଲେ; ଠିକ୍ ଭାବରେ ଖର୍ଚ୍ଚ କରି ନ ଜାଣିଲେ, ସମୟ ଓ ଅର୍ଥ ମଣିଷର ଦୁର୍ବହ ଭାର ହୋଇଯାଏ । ରୀନା ଅନୁଭବ କରିଛି ଏ ସମୟ ଯେମିତି ବୋଝ ପରି ତା’ ମୁଣ୍ଡରେ ଲାଖିରହିଛି ।

 

ପୂଜାରୀକୁ କ’ଣ ତରକାରୀ ହେବ ବତେଇଦେଇ ରୀନା ପୁଣି ଫେରିଆସିଲା ଶୋଇଲା କୋଠରୀକୁ । ଟେବୁଲ୍‍ ଉପରେ ଗତ କାଲିଠାରୁ ଦରପଢ଼ା ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସଟା ମୁହଁମାଡ଼ି ପଡ଼ିଛି । ସେ ଆସ୍ତେ ଆସ୍ତେ ଯାଇ ଚେଆର ଉପରେ ବସିପଡ଼ି ବାହାରକୁ ଚାହିଁଲା । ବାହାରେ ନିର୍ଝଞ୍ଜଟ ସକାଳ । ଶରତ୍ ସକାଳର ଖରାଟା ଟାଣ ହୋଇ ପଡ଼ିଛି । ଖରାର ଧାସରେ ଆଖିପତା ବନ୍ଦ ହୋଇଯାଇଛି । ସେ ଝରକା ପଟୁ ମୁହଁ ଫେରେଇ ଦରପଢ଼ା ଉପନ୍ୟାସଟା ପଢ଼ି ବସିଲା । ନା, ମନ ଲାଗୁନି । ପୃଷ୍ଠା ଦି’ ପୃଷ୍ଠା ପରେ ସେ ପୁଣି ତାକୁ ସେମିତି ଟେବୁଲ୍‍ ଉପରେ ଓଲଟାଇ ରଖିଲା ।

 

କିଛି ଇଚ୍ଛା ହେଉନି । ନା ପଢ଼ିବାକୁ, ନା ଶୋଇବାକୁ, ନା ବୁଲିବାକୁ । କେମିତି ଗୋଟାଏ ନିଃସଙ୍ଗ ଲାଗୁଛି ତାକୁ । ଅସହାୟ, ଏକାକୀତ୍ଵ । ସବୁ ଥାଇ ବି କିଛି ନ ଥିବାର ହାହୁତାଶ-। ଜୀବନରେ ତ ତା’ର ପାଇବାର ଆଉ କିଛି ନାହିଁ । ଭଗବାନ ତାକୁ ତା’ ଜନ୍ମରୁ ସେ ଯାହା ଚାହିଁଛି ତାକୁ ଦେଇ ଆସିଛନ୍ତି । ଧନୀ ବାପର ଅଲିଅଳି କନ୍ୟା । କେଉଁଥିରେ ଅଭାବ ବୋଧ ଅନୁଭବ କରିନାହିଁ । ତା’ପରେ ସେ ବାହା ହୋଇଛି ଉଚ୍ଚପଦସ୍ଥ ସରକାରୀ କର୍ମଚାରୀଙ୍କୁ । ସୁନ୍ଦର ସୁନ୍ଦର ପୁଅଝିଅ ଯୋଡ଼ିଏ । ସ୍ଵାମୀ ସୁନ୍ଦର, ସ୍ଵାସ୍ଥ୍ୟବାନ୍, ଗୁଣବାନ୍ । ଗାଡ଼ିଘୋଡ଼ା, ଘରଦ୍ଵାର, ଶାଢ଼ିଗହଣା କିଛି ବୋଲି କିଛିରେ ତା’ର ଊଣା ହୋଇନାହିଁ । ଯାହା ବାପଘରେ ପାଇନଥିଲା, ତା’ ସ୍ଵାମୀ ପାଖରେ ପାଇଛି । ଯାହା ସ୍ଵାମୀ ପାଖରୁ ସେ ପାଇ ପାରୁ ନାହିଁ, ବାପା ତା’ର ସେ ଅଭାବ ପୂରଣ କରି ଦେଇଛନ୍ତି । ସେ ତ ଖୁବ୍ ଖୁସିରେ ରହିବାର କଥା–ଖୁବ୍ ସୁଖରେ । ସମସ୍ତେ କହନ୍ତି ସବୁଠାରୁ ସୁଖୀ ପରିବାର; ତଥାପି ଏତେ ଖୁସି, ଏତେ ସୁଖ ଏତେ ଶାନ୍ତି ଭିତରେ, ସେ ନିଃସଙ୍ଗତାର ଭୂତଟା ତାକୁ ନିଛାଟିଆ ଖରାବେଳେ ମାଡ଼ିବସେ କାହିଁକି କେଜାଣି ? କାହିଁକି ତାକୁ ମନେହୁଏ ସେ ଯେମିତି ଅଲୋଡ଼ା, ବେଦରକାରୀ ହୋଇଯାଇଛି । ସମସ୍ତେ ତାକୁ ଛାଡ଼ି ଚାଲି ଯାଉଛନ୍ତି । ସେ ଏକାକୀ ରହିଯାଇଛି ଏକ ଅରଣ୍ୟ ଭିତରେ । ପାଇବାର ଆଶାରେ ମଣିଷ ବଞ୍ଚେ–ତାର ଆଉ କିଛି ପାଇବାର ଆଶା ନାହିଁ ବୋଲି କ’ଣ ତା’ର ଏ ଦୁଃଖ, ଏ ଅଶାନ୍ତି ?

 

ଅଧ୍ୟାପିକା ରଚିତା କାନୁନଗୋ କାଲି ଖରାବେଳେ ଆସିଥିଲା । ସେ ଅନ୍ୟ କଥା କହୁଛି-। ମନୋବିଜ୍ଞାନର ଅଧ୍ୟାପିକା । ତା’ର ପିଲାବେଳର କ୍ଲାସମେଟ । ଦରବୁଢ଼ୀ ହେଲାଣି । ଆଜିଯାଏ ବାହା ହୋଇନି । ତା’ର ଭୁବନେଶ୍ଵରକୁ ବଦଳି ପାଇଁ ଶୋଭେଶକୁ କହିବାକୁ ଅନୁରୋଧ କରିଯାଇଛି । ତା’ ତୁଳନାରେ ରଚିତା କ’ଣ ବେଶୀ ଭାବରେ ନିଃସଙ୍ଗ ଅନୁଭବ କରିବା କଥା ନୁହଁ-? ଅଥଚ ରଚିତାକୁ ତ ସେମିତି ଜଣାଗଲାନି ।

 

ରଚି କହିଲା, ରୀନୁ, ତୋ କଥାରୁ ଜଣାପଡ଼ୁଛି ତୁ ଗୋଟାଏ କମ୍ପଲେକ୍‌ସରେ ଭୋଗୁଛୁ । ଏଇ ବୟସରେ ସେମିତି ହୋଇଥାଏ । ପାଖାପାଖି ଚଉତ୍ରିଶ ପଇଁତ୍ରିଶ ବର୍ଷ ହେଲାଣି ତ । ତା’ଛଡ଼ା, ଦେଖ୍, ମୁଁ ତୁ ବୋଲି କହୁଛି । ତୁ ବୋଧହୁଏ ସେକ୍‌ସୁଏଲି ସନ୍ତୁଷ୍ଟ ନୋହୁଁ ।

 

ରଚି ନିଜେ ସେମିତି ଛୋପରିଟା । ଏତେବର୍ଷ ଯାଏ ଏମିତି ବାହା ନ ହୋଇ ସବୁ କଥାରେ ସେକ୍‌ସ ସେକ୍‌ସ ହେଉଛି । ସେ କାହିଁକି ସେମିତି ହେବ । ଚଉଦ ବର୍ଷ ହେଲା ବାହାଘର ହେଲାଣି । କେବେ ସେକ୍‌ସର ପୂରା ଅଭାବ ଅନୁଭବ କରିନି । ଚାଲିଛି ସେମିତି ଗତାନୁଗତିକ ପନ୍ଥାରେ । ବାହାଘର ପ୍ରଥମ ପ୍ରଥମ ଟିକିଏ ବେଶୀ ମାତ୍ରାରେ ଥିଲା । ଏବେ ସେଇଟା କମିଯାଇ ହପ୍ତାକୁ ତିନିଥରରେ ରହିଯାଇଛି ।

 

ହପ୍ତାକୁ ତିନିଥର । ଛି, ଛି, କଥାଟା ଯେମିତି ବଜାରସଉଦା କଲା ପରି ଶୁଭୁଛି; ଅଥଚ କଥାଟା କ’ଣ ଭୁଲ ?

 

ରଚି ତାକୁ ନିଠେଇ ପଚାରିଲା, ନିହାତି ବ୍ୟକ୍ତିଗତ, ଅନ୍ତରଙ୍ଗ କଥା ସବୁ । ତା’ ପ୍ରଶ୍ନରେ ତା’ର ସମସ୍ତ ବ୍ୟକ୍ତିଗତ ଅନୁଭବଗୁଡ଼ିକ ଯେମିତି ପାଲଟିଗଲେ କଦାକାର ରୂପରେ । ଯାହାକୁ ସେ ଭାବିଥିଲା ସୁନ୍ଦର ଓ ଅନୁଭବର କଥା ସେଗୁଡ଼ା, ମନେହେଲା ଯେମିତି ରୁକ୍ଷ, କର୍କଶ, ଅଶ୍ଳୀଳ । ବ୍ୟକ୍ତିଗତ ଅନୁଭୂତି ସବୁ ହୋଇଗଲା ସାର୍ବଜନୀନ । ତା’ର ପ୍ରଶ୍ନର ବାଣରେ ତାକୁ ମନେହେଲା ବଜାର ଭିତରେ ରଚି ଯେମିତି ତାକୁ ଜୋର୍ ଜବରଦସ୍ତ ଲଙ୍ଗଳା କରି ଛାଡ଼ି ଦେଇଛି ।

 

“ତୋର କେଇଟା ଫେଭାରିଟ୍ ପୋଜ୍ ? ରତିକ୍ରିୟା କଲାବେଳେ ତମେ ଦୁହେଁ ଅଶ୍ଳୀଳ କଥା କୁହ କି ନାହିଁ ? ତୋ ସ୍ଵାମୀର କୋଉ ଅଂଶଟା ଦେଖିଲେ ତୋତେ ଉତ୍ତେଜନା ଆସେ ?” (ଛୋପରୀ । ଅଲାଜୁକୀ । ବେହିଆ । ତୋର କ’ଣ ଅଛି ସେଥିରେ ? ତୁ ତ ବାହା ହୋଇନୁ ? ତୁ କେମିତି ଜାଣିଲୁ ଏତେ କଥା ? ଏମିତି ସିଧା ସିଧା ଠେଙ୍ଗ ଠେଙ୍ଗ ଏମିତି ଗୁପ୍ତ କଥା, ଯେତେ ବନ୍ଧୁ ହେଲେ ବି ପଚାରିବାକୁ ତୋତେ ଟିକିଏ ସରମ, ଟିକିଏ ଦ୍ଵିଧା ଲାଗୁନାହିଁ ? ଛି-ଛି-ଛି । ଲାଜରେ ରୀନାର ମୁହଁ ଲାଲ୍ ହୋଇଯାଇଥିଲା ।)

 

“କେତେଥର ତୁ ପ୍ରକୃତ ଅର୍ଗାଜମ୍ ଅନୁଭବ କରିଛୁ ?”

 

ସେ ବୋକୀ ଭଳି ପ୍ରଶ୍ନ କରିଥିଲା ‘‘ଅର୍ଗାଜମ୍ କ’ଣ ?” ରଚି ଆଶ୍ଚର୍ଯ୍ୟ ହୋଇ ତା’ ମୁହଁକୁ ଘଡ଼ିଏ ଚାହିଁ ରହି ପଚାରିଲା ‘‘ଚଉଦ ବର୍ଷ ବାହାଘର ପରେ ବି ତୁ ମୋତେ ପଚାରୁଛୁ ଅର୍ଗାଜମ୍ କ’ଣ ବୋଲି ? ସତ କହୁଛୁ ନା ସେମିତି ଛୋପରୀ ହଉଛୁ ? ରୀନୁର ମୁହଁରେ ଅସହାୟତାର ଛାପ ଦେଖି ସେ ଶେଷକୁ ବିଶ୍ଵାସ କରିଥିଲା ଓ ସତକୁ ସତ ସେ ଆଶ୍ଚର୍ଯ୍ୟ ହୋଇଥିଲା ।’’

 

“ତୋ ସ୍ଵାମୀ ସାଙ୍ଗରେ ଏ ବିଷୟରେ କେବେ କଥାବାର୍ତ୍ତା ହୋଇନୁ ? ସେକ୍‌ସ ସମ୍ବନ୍ଧରେ ? ତା’ର ଅନୁଭବ ବିଷୟରେ ?”

 

(ଲାଜରେ ଝାଉଁଳି ପଡ଼ିଥିଲା ରୀନା । ରଚି ସତେ ଯେମିତି ଜଣେ ପରପୁରୁଷ । ଜବରଦସ୍ତ ତା’ ଲୁଗାପଟା ଖୋଲି ପକଉଛି, ଧର୍ଷଣ କରିବ ବୋଲି । ସେ କିଛି ଉତ୍ତର ନ ଦେଇ ଚୁପ୍‌ଚାପ୍ ମୁଣ୍ଡ ତଳକୁ ପୋତି ବସି ରହିଥିଲା କିଛି ସମୟ । ତା’ପରେ କହିଥିଲା, ‘‘ସ୍ଵାମୀ ସାଙ୍ଗରେ ଏମିତି ନିର୍ଲଜ୍ଜ ଭାବରେ କଥା କହିବାକୁ ମୋତେ ଭଲ ଲାଗେନାହିଁ । ସେ ଭାବିବେ କ’ଣ ? ମୁଁ କ’ଣ ବଜାରୀ ବେଶ୍ୟା ହୋଇଛି କି ?”)

 

ଠୋ ଠୋ ହୋଇ ହସିଉଠିଥିଲା ରଚି ।

 

“ଯିଏ ତୋର ଜନ୍ମଜନ୍ମାନ୍ତରର ସ୍ଵାମୀ, ଯିଏ ତୋର ନିହାତି ଅନ୍ତରଙ୍ଗ, ଏକାନ୍ତ ଭାବରେ ଆପଣାର, ଯାହା ପାଖରେ ତୁ ତୋର ସମସ୍ତ ଅଙ୍ଗ ଖୋଲାଖୋଲି ଭାବରେ ଅର୍ପଣ କରିଛୁ, ତା’ ପାଖରେ ପୁଣି ଲଜ୍ଜା କ’ଣ ? ତୋର ତାଙ୍କ ଭିତରେ ବ୍ୟବଧାନ ରହିବା କଥା ନୁହେଁ । ତାଙ୍କ ପାଖରେ ଯଦି ତୁ ସମସ୍ତ ମନ, ପ୍ରାଣ, ହୃଦୟ ଖୋଲି କଥାବାର୍ତ୍ତା କରି ନ ପାରିଲୁ, ତୁ ଜୀବନରେ ଆଉ କାହା ପାଖରେ କହିବୁ ? କିଏ ତୋତେ ବୁଝେଇଦେବ–ତୋର ଅବଚେତନ ମନର କଥାଗୁଡ଼ିକୁ । ତୁ ଭାବିବୁ କାଳେ ‘ମୁଁ ଏ କଥା କହିଲେ ସେ ଖରାପ ଭାବିବେ–ମୋତେ ଖରାପ ଝିଅ ବୋଲି ସନ୍ଦେହ କରିବେ’–ସେ ଭାବୁଥିବେ ‘ମୁଁ ଯଦି କହେ ସେ ହୁଏତ ମୋତେ ଚରିତ୍ରହୀନ ବୋଲି ସନ୍ଦେହ କରିବ ।’ ଏମିତି ଛକାପଞ୍ଝାରେ ତ ଜୀବନଟା ଚାଲିଯିବ ଲୋ–ତୁ ତୋର ସ୍ଵାମୀକୁ, ପ୍ରେମକୁ ଏକାନ୍ତ ଭାବରେ ଅନୁଭବ କରିବୁ କେବେ ?

 

“ଛି, ଛି ଲୋ ରୀନୁ, ତୋତେ ଦେଖି ମୋତେ ଆଜି ଆଶ୍ଵସ୍ତ ଲାଗୁଛି ଯେ ଏମିତି ଏକ ଦ୍ଵିଧାଗ୍ରସ୍ତ ଜୀବନ ନେଇ ତଥାକଥିତ ସୁଖୀ ଜୀବନ ବିତାଇବା ଅପେକ୍ଷା, ମୁଁ ଏକୁଟିଆ ମୋ ଭିତରେ ମୋ ନିଜପ୍ରତି ବିଶ୍ଵସ୍ତ ହୋଇ ବଞ୍ଚି ରହିଛି ଆନନ୍ଦରେ ବାହା ନ ହୋଇ ।”

 

(ଫୁଲେଈ, ଛତରୀ । ବାହା ତ ହୋଇପାରିଲୁନି । ତୋତେ ଅବା କିଏ ବାହା ହୋଇଥାନ୍ତା ଯେ । ଯୋଉ ତ ରୂପ । ଅଙ୍ଗୁର କୋଳି ପିତା ।)

 

“ଆଚ୍ଛା ରୀନୁ, ତୋତେ କେବେ ମନେହୋଇନି ଯେ ଯୋଉଟା ମଣିଷ ଜୀବନର ଏକ ଅବଶ୍ୟମ୍ଭାବୀ ଆବଶ୍ୟକତା, ତା’ ସମ୍ବନ୍ଧରେ କିଛି ଜାଣିବା ପାଇଁ । ବିଶେଷତଃ ନାରୀ ଜୀବନରେ ପ୍ରେମ ଓ ସେକ୍‌ସର ମୂଲ୍ୟ ଆହୁରି ବେଶୀ । ପ୍ରେମ ପୁରୁଷ ଜୀବନରେ ଗୋଟିଏ ଘଟଣା; କିନ୍ତୁ ପ୍ରେମ ନାରୀ ଜୀବନରେ ସର୍ବସ୍ଵ । ସେକ୍‌ସ ପୁରୁଷ ପାଇଁ ଏକ କ୍ଷଣିକର ଆବଶ୍ୟକତା; କିନ୍ତୁ ସେକ୍‌ସ ନାରୀର ସମସ୍ତ ଶରୀରର ସତ୍ତା । ନାରୀ, ପ୍ରେମ ଓ ସେକ୍‌ସ ଏକ ଓ ଅଭିନ୍ନ ।”

 

(ତୁ କ’ଣ ବୁଝିବୁ ଲୋ ପ୍ରେମର ମୂଲ୍ୟ କ’ଣ ? ତୋତେ ଜୀବନରେ କେହି ପ୍ରେମ କରିଛନ୍ତି ? ମୋ ପଛରେ କେତେ କେତେ ପିଲା ଗୋଡ଼େଇଥିଲେ ଜାଣିଛୁ ? କଲେଜ ଜୀବନରେ କେତେ ଛାତ୍ର, କେତେ ଶିକ୍ଷକ ମୋତେ ମନେ ମନେ ଅବା ପ୍ରକାଶ୍ୟରେ ପ୍ରେମ କରୁଥିଲେ ତା’ର ଖବର ତୁ ଜାଣୁ ? ମୁଁ ବି ସେମିତି ଭଲପାଉଥିଲି ଜଣକୁ । ଆମ ସାହିର ଶେଷ ମୁଣ୍ଡକୁ ରହୁଥିବା କବିଟିଏକୁ । ସେଇମ, ଯିଏ ଆମେ ବି.ଏ. ପଢ଼ିଲାବେଳକୁ ଏମ୍.ଏ. ପଢ଼ୁଥାଏ । ମନେପଡ଼ୁଛି ତୋର ସମୀର ମହାନ୍ତିକୁ ? ରିକ୍‌ସାରେ ଗଲାବେଳେ ମୋ ଉପରେ କବିତା ଫୋପାଡ଼େ । ପାଖକୁ ଆସିବାକୁ ଡରେ । ଦୂରରେ ରହି ମୋ ଆଡ଼କୁ ଅପଲକ ନୟନରେ ଚାହିଁ ରହିଥାଏ । ସେଇ ବୟସରେ କବି, ଲେଖକ, ଚିତ୍ରକର, ଏକ୍ଟର, ସଙ୍ଗୀତଜ୍ଞମାନଙ୍କୁ ଭଲପାଇବାକୁ ଇଚ୍ଛା ହୁଏ କାହିଁକି କେଜାଣି ?)

 

“ରୀନୁ, ତୁ ହେଭ୍‌ଲକ୍ ଏଲିସ୍ ପଢ଼ିଛୁ ?”

 

(ସେଇଟା ପୁଣି କିଏ ?)

 

“ତୁ ହେଭ୍‌ଲକ୍ ଏଲିସ୍‌ର ସାଇକୋଲଜି ଅଫ୍ ସେକ୍‌ସ ପଢ଼ିନୁ ? କିନ୍‌ସେରିପୋର୍ଟ–ସେକୁସୁଏଲଷ୍ଟିଡିଜ୍ ଅଫ୍ ଆମେରିକାନ୍ ଫିମେଲ ? ଫ୍ରଏଡ଼୍ । ଜୁଙ୍ଗ୍–ଏମିତି ବୋକୀଟା ଭଳି ଅନେଇଛୁ କ’ଣ ମ ? ତୁ ଏମ୍.ଏ. ପାଶ କରିଛୁ । ଉଚ୍ଚ ଶିକ୍ଷିତା । ବହିଗୁଡ଼ିକ ପଢ଼ିନାହୁଁ ? ଇଗେ, ଲିବିତେ, ଇନ୍‌ହିବିସନ୍–କିଛି ଜାଣିନୁ ?”

 

(ନିଆଁ ପାଉଁଶ ପଢ଼ିବି ! ତୁ ମାଷ୍ଟ୍ରାଣୀ ହୋଇଛୁ ବୋଲି ସିନା ପଢ଼ିବା ଦରକାର । ମୋର କ’ଣ ଦରକାର ସେଗୁଡ଼ିକ ପଢ଼ି ? ଭାରି ଦେଖାଉଛି ଜ୍ଞାନ । ଖାଲି ଲେଖକମାନଙ୍କ ନାଁ ମୁଖସ୍ଥ କରି ମୋ ଆଗରେ ଦେଖେଇ ହେଉଛ ବିଦ୍ୟା । ଛାଡ଼୍ ଲୋ, ସେ ପୋଥି ବାଇଗଣରୁ ମୋତେ କ’ଣ ମିଳିବ ?)

 

“ଆଚ୍ଛା ନ ହେଲା ନାହିଁ, ବାତ୍ସାୟନଙ୍କ କାମସୂତ୍ର ପଢ଼ିଛୁ ? ନ ହେଲେ ରାସ୍ତାକଡ଼ର ଦୋକାନରେ ଅଠା ମରାହୋଇ ‘କେବଳ ବିବାହିତମାନଙ୍କ ପାଇଁ’ ବୋଲି ଲେବେଲ୍ ମରାଯାଇଥିବା କୋକଶାସ୍ତ୍ର; ବିବାହ ବିଜ୍ଞାନ, କମଶାସ୍ତ୍ର–କିଛି ପଢ଼ିନୁ ?”

 

(ମୋର କ’ଣ ଦରକାର ଲୋ ସେଗୁଡ଼ିକ ପଢ଼ି–ତୋ ପରି ବାହା ନ ହୋଇଥିବା ବଜାରୁଣୀମାନଙ୍କ ପାଇଁ ସେ ସବୁ ଦରକାର ।)

 

“ତୁ ଭାବୁଛୁ–ତୁ ବାହାହୋଇ ଚଉଦ ବର୍ଷ ଘର କଲୁଣି, ତେଣୁ ତୁ ମୋଠୁ ବେଶୀ ଜାଣୁ-? ବେଶୀ ଅଭିଜ୍ଞତା ତୋର ? କିନ୍ତୁ ରୀନୁ, ଫିଟର୍ କ’ଣ ଇଞ୍ଜିନିଅର୍‌ଠୁ ବଡ଼ ? ଜୀବନର ଅଭିଜ୍ଞତାଟା କ’ଣ ଏତେ ସରଳ ଯେ ଜଣେ କିଛି ନ ପଢ଼ି, ନ ଜାଣି ସବୁ ବୁଝିଯିବ ଆପେ ଆପେ-? ତା’ହେଲେ ତ ଏତେ ବହି, ଏତେ ଶାସ୍ତ୍ର କିଛି ଲେଖା ହୁଆନ୍ତା ନାହିଁ ।”

 

(ମୁଁ କ’ଣ ଜାଣିନି ସେ କଥା ମୁଁ କାହିଁକି ସେ ଗୋପନ କଥାଗୁଡ଼ାକ ତୋ ଆଗରେ ଖୋଲିକରି କହିବି । ଲାଜ କଥାଗୁଡ଼ାକ । ବାହାଘରର ପ୍ରଥମ ବର୍ଷେ ଦି’ବର୍ଷ ଶୋଭେଶ ଏମିତି କେତେ ବହି ଆଣି ଦେଖେଇଛନ୍ତି । କେତେ ଲଙ୍ଗଳା ଫଟ । କେତେ ବିଭିନ୍ନ ବନ୍ଧାଇ ଫଟ । ଫରେନ୍ ମାଈକିନାଙ୍କର । ଚୀନାମାନଙ୍କର । ସବୁ ଦେଖିଛି । ଛି, ଛି ଲାଜରେ ଆଖି ବୁଜି ଦେଇଛି ମୁଁ-। ଶୋଭେଶ ଜବରଦସ୍ତ କରନ୍ତି–ମୁଁ ଆଖି ବନ୍ଦ କରି ବସିଥାଏ । ମାଈକିନାଏ କେତେ ନିର୍ଲଜ ନହେଲେ ଏମିତି ଫଟ ଉଠାନ୍ତି ? ବେଶ୍ୟାଗୁଡ଼ାକ । ମୁଁ କ’ଣ ବେଶ୍ୟା କି ? ଯାହା ଆପେ ଆପେ ହୋଇଯିବ–ସେଇଆ ସିନା ସୁନ୍ଦର ? ତା’ପାଇଁ ଏତେ ବହି ପଢ଼ିବା ଦରକାର କ’ଣ ?)

 

“ମଣିଷର ମନ ବଡ଼ ବିଚିତ୍ର ଲୋ ରୀନୁ । ତା’ର ନିର୍ଦ୍ଦିଷ୍ଟ ସଂଜ୍ଞା କେହି କହିପାରିବ ନାହିଁ-। ତା’ପରେ ପୁଣି ପୁରୁଷର ମନ ଓ ନାରୀର ମନ ଭିତରେ ଆକାଶ ପାତାଳ ପ୍ରଭେଦ । ତୁ ନିଜକୁ ନିଜେ ପଚାରିଛୁ, କାହିଁକି ତୁ ଏତେ ନିଃସଙ୍ଗ ଅନୁଭବ କରିଛୁ ବୋଲି ? ତୁ ହୁଏତ ପଚାରିଥିବୁ–କିନ୍ତୁ ତା’ର ଉତ୍ତର ଖୋଜି ପାଇନୁ ବୋଲି ଏମିତି ହନ୍ତସନ୍ତ ହୋଇ ମରୁଛୁ । ଅଜ୍ଞାନତା ହୁଏତ କିଛି ସମୟ ପାଇଁ ଭଲ । ସେଥିରେ ନ ଜାଣିବାର ଶାନ୍ତି ହୁଏତ ଥାଇପାରେ; କିନ୍ତୁ ଜ୍ଞାନର ଆଲୁଅରେ ନିଜକୁ ଚିହ୍ନିବା କ’ଣ ତା’ଠାରୁ ଭଲ ନୁହେଁ–ତୁ କ’ଣ କେବେ ଚେଷ୍ଟା କରିଛୁ ନିଜର ମନକୁ ଚିହ୍ନିବାରେ–ଶୋଭେଶର ମନକୁ ଚିହ୍ନିବାରେ ?”

 

(ମୋ ସ୍ଵାମୀକୁ ମୋ’ଠାରୁ ଆଉ କିଏ ବେଶୀ ଚିହ୍ନେ ? ସେ ଯୋଉ ଖାଇବା ପସନ୍ଦ କରନ୍ତି ମୁଁ ସବୁ ଜାଣେ । ସେ ଯେମିତି ଭାବରେ ରହିବାକୁ ଚାହାନ୍ତି, ଚଳିବାକୁ ଚାହାନ୍ତି ସବୁ ମୁଁ ଜାଣେ । ତାଙ୍କର ମନ ମୋର ନଖଦର୍ପଣରେ । କୋଉଥିରେ ସେ ବିରକ୍ତ ହୁଅନ୍ତି, କେଉଁଥିରେ ଖୁସି ହୁଅନ୍ତି ଯଦି ନ ଜାଣି ପାରିଥାନ୍ତି, ତେବେ ଚଉଦବର୍ଷ ଏତେ ଖୁସିରେ ଘର କରି ଆସିଲି କିପରି ? ତୁ ଆଉ ସେଗୁଡ଼ା ଭଡ଼ ଭଡ଼ ହ’ନା କହୁଛି । ବହି ପଢ଼ି ସବୁ ଜାଣି ପକେଇଲା ପରା ?)

 

“ତୁ ହୁଏତ ମନେ ମନେ ଭାବୁଛୁ, ତୁ ନିଜକୁ ଭଲ ଭାବରେ ଚିହ୍ନି ନେଇଛୁ । ଶୋଭେଶକୁ ମଧ୍ୟ ଭଲଭାବରେ ଜାଣି ସାରିଛୁ: କିନ୍ତୁ, ତୋର ଏ ସୁଖୀ ଜୀବନ ଭିତରେ ତୋର ଶୋଭେଶ ଭିତରେ ଅପ୍ରତ୍ୟାଶିତ ଭାବରେ ଏମିତି ଘଟଣା ଘଟେ, ଏମିତି ଗୋଟାଏ କଥା କଟାକଟି ମନୋମାଳିନ୍ୟ ଘଟେ, ଯାର ବାସ୍ତବରେ କୌଣସି ପୂର୍ବାପର ସମ୍ବନ୍ଧ ନ ଥାଏ । ଏଇ ଘଟଣାଗୁଡ଼ିକ ତୋର ଓ ତାଙ୍କର ଅବଚେତନର ବାହ୍ୟ ପ୍ରକାଶ ମାତ୍ର । ତମେମାନେ ତାକୁ ବୁଝି ନ ପାରି ଧନ୍ଦି ହୁଅ-। ପୁଣି ଆଉଥରେ ସାଲିସ୍ କରିନିଆ । ଆମ ସମସ୍ତଙ୍କର ଜୀବନ ଏଇ ସାଲିସ୍‌କରା ଜୀବନ ମାତ୍ର-। ପୂର୍ଣ୍ଣ ଜୀବନ ନୁହେଁ । ତୁ ଯେତେବେଳେ ପୂର୍ଣ୍ଣ ଭାବରେ ନିଜକୁ ଓଜାଡ଼ି ନ ଦେଇ ପାରିଛୁ, ତୁ କେମିତି ବିଶ୍ଵାସ କରୁଛୁ ଯେ ଶୋଭେଶ ତୋ ପାଖରେ ପୂର୍ଣ୍ଣ ଭାବରେ ନିଜକୁ ନିଃଶେଷ କରି ଦେଇଛନ୍ତି ବୋଲି । ତୋର ଇଚ୍ଛା, ଅନିଚ୍ଛା, ଦୋଷ ଦୁର୍ବଳତାକୁ ବୁଝିପାରି ପୂର୍ଣ୍ଣ ଭାବରେ ଗ୍ରହଣ କରି ନେବାର ଉଦାରତା ତାଙ୍କର ନାହିଁ–ତୋର ବି ନାହିଁ । ଆମର କାହାର ବି ନାହିଁ । ଆମେ ସମସ୍ତେ ସ୍ଵାମୀ-ସ୍ତ୍ରୀର ଖେଳ ଖେଳୁଛୁ ମାତ୍ର ।”

 

(ମଝିରେ ମଝିରେ ଶୋଭେଶର କ’ଣ ହୁଏ କେଜାଣି ? ଖାଲିଟାରେ ବିଗିଡ଼ି ଯାଆନ୍ତି । ଚିତ୍କାର କରି ଉଠନ୍ତି । ସେଦିନ ଯେମିତି ଅଯଥାଟାରେ ନ ଖାଇ ନ ପିଇ ଚାଲିଗଲେ । ଏଥର ଟୁର୍ ଗଲାବେଳେ ମୋତେ ପଚାରିଲେ ବି ନାହିଁ ଯିବ କି ନାହିଁ ବୋଲି । ସତରେ କ’ଣ ଏ ଅଲାଜୁକୀର କଥା ସତ ? ସତରେ କ’ଣ ସେ ପୂର୍ଣ୍ଣ ଭାବରେ ଶୋଭେଶ ପାଖରେ ଆତ୍ମସମର୍ପଣ କରିପାରିନାହିଁ-। କାହିଁକି ପାରିନାହିଁ ? ଭୟରେ ? କ’ଣ ପାଇଁ ଥରେ ଥରେ ଗୋଟିଏ ଅଶ୍ଳୀଳ କଥା, ମଜା କଥାଟିଏ କଣ୍ଠ ପାଖରେ ଆସି ରୁଦ୍ଧ ହୋଇଯାଇଛି ? ଭୟରେ ? ବଜାରୁଣୀ ଭବିବେ ବୋଲି-?)

 

“ସେକ୍‌ସଟା ପାପ ନୁହେଁ ଲୋ, ଘୃଣ୍ୟ ନୁହେଁ । ତା’ଛଡ଼ା ତୁ ତ ଆଇନଗତ, ସମାଜଗତ, ନୈତିକତାର ଯୌନତାରେ ଭାଗ ନେଇଛୁ । ସେଥିରେ ତୋର ଏ ଗିଲ୍‍ଟି କମ୍ପଲେକ୍‌ସ କାହିଁକି ? ତୁ ଜାଣିବୁନାହିଁ ତୋର ସ୍ଵାମୀର ମନର କେଉଁ କୋଣରେ ସ୍ପର୍ଶ କଲେ ତାଙ୍କର ମନର ଉତ୍ସ ଖେଳିଯିବ । ଶରୀରର କୋଉ ଅଙ୍ଗରେ କେମିତି ସ୍ପର୍ଶ କଲେ ସେ ଝଡ଼ ପରି ମତୁଆଲା ହୋଇ ସମ୍ପୂର୍ଣ୍ଣ ବିସର୍ଜନ ଦେବାକୁ ପ୍ରସ୍ତୁତ ହୋଇ ଉଠିବେ । ତୋ ସ୍ଵାମୀ ଜାଣିବେ ନାହିଁ ତୋର ମନର କେଉଁ ସୂକ୍ଷ୍ମତନ୍ତ୍ରୀରେ ଅଙ୍ଗୁଳିର ସ୍ପର୍ଶ ନେଲେ ତୁ ଉନ୍ମୁଖ ହୋଇ ଉଠିବୁ ବନ୍ଧ ଭାଙ୍ଗିବାର ଉନ୍ମତ୍ତତାରେ-। ସେ ଜାଣିବେନାହିଁ ତୋର ଶରୀରର କେଉଁ ଅଙ୍ଗପ୍ରତ୍ୟଙ୍ଗରେ କେଉଁ ଭାବରେ ସ୍ପର୍ଶ କଲେ ତୁ ନିଜକୁ ସମ୍ପୂର୍ଣ୍ଣ ଭାବରେ ବିସର୍ଜନ ଦେବାକୁ ଉନ୍ମତ୍ତ ହୋଇ ଉଠିବୁ । ସେଇ ସମ୍ପୂର୍ଣ୍ଣ ଆତ୍ମସମର୍ପଣ, ସମ୍ପୂର୍ଣ୍ଣ ଭାବରେ ନିଜକୁ ଅପର ଅଙ୍ଗରେ ବିସର୍ଜିତ କରିବାର ମୁହୂର୍ତ୍ତ ଟିକକ ପାଇଁ, ପ୍ରସ୍ତୁତି ପର୍ବ କ’ଣ ଏତେ ଗର୍ହିତ ? ଏତେ ଅପରାଧ ? ସେଇ ମୁହୂର୍ତ୍ତ ଟିକକ ହିଁ ତ ନିର୍ବାଣ–ଆତ୍ମ ବିଲୟ–ଆତ୍ମ ବିସ୍ମୃତି-।”

 

(ତୋ କଥା ଶୁଣି ମୋ ଦିହରେ ମନରେ ନିଆଁ ଲାଗିଯାଉଛି ଲୋ ରଚି, ତୁ କଥା ବନ୍ଦ କର । ମୋତେ ଆଉ କିଛି କହନା । ତୁ ଗଲୁ ଏଠୁ । ତୁ ଗଲୁ ଏଠୁ । ତୁ ଯା, ଚାଲିଯା ଏଇଠୁ । ମୁଁ ଖୋଲି ପାରିବିନାହିଁ ନିଜକୁ । ଶୋଭେଶ ପାଖରେ ମୋର ଦିହକୁ, ମନକୁ ଏମିତି ଲଙ୍ଗଳା କରି ଖୋଲି ଧରି ପାରିବିନାହିଁ । ଶୋଭେଶ ଯଦି ମୋତେ ଘୃଣା କରେ–ସେ ଯଦି ମୋତେ ଦୂରକୁ ଠେଲିଦିଏ–ନା, ନା, ତୁ ପଳା–ଏଇଠୁ ପଳା–ପଳା ଶୀଘ୍ର–ପଳା ।)

 

ବୋଧହୁଏ ଗୋଟାଏ ବାଜିବ । କାଲିକାର କଥାଗୁଡ଼ାକ ଭାବି ବସିଲେ ସାରା ଦେହ ତା’ର ଅବଶ ଲାଗିଯାଉଛି । ଏକ ଅଜଣା ଉତ୍ତେଜନାରେ ଦେହ ହାତ ଥରି ଉଠୁଛି । ପୁଣି ଏକ ଅଜଣା ଆଶଙ୍କାରେ ଦେହ ତା’ର ନିସ୍ପନ୍ଦ ହୋଇଯାଉଛି ପଥର ମୂର୍ତ୍ତି ପରି । କ’ଣ ଏବେ କରିବ ସେ ? ରଚି ନିଆଁଲାଗୀଟା କାହିଁକି ଆସିଲା କେଜାଣି ?

 

କିନ୍ତୁ କେତେ ସାର କଥା କହିଗଲା ରଚି । ଏଇ ଚଉଦ ବର୍ଷ ବିବାହିତ ଜୀବନ କାଳ ଭିତରେ, ସେ କେତେଥର ଏମିତି ଆତ୍ମ-ବିସର୍ଜନ ଦେଇ ପାରିଛି ? ଥରଟିଏ ପାଇଁ ବି ବୋଧହୁଏ ନୁହେଁ ? ଏଇ ଆତ୍ମ-ବିସର୍ଜନର ନାମ କ’ଣ ଅର୍ଗାଜମ୍ ? କେଜାଣି ? ଦିନ ଆଲୁଅରେ ଭାବି ବସିଲେ କେତେ ବିକୃତ ଜଣାଯାଏ ସେଇ ମୁହୂର୍ତ୍ତଟା । ଚଉଦ ବର୍ଷ ଭିତରେ ହପ୍ତାକୁ ଦଶଥରଠାରୁ ହପ୍ତାକୁ ତିନିଥର ଚାରିକାତ ମେଲେଇ ପଡ଼ିରହି ନିର୍ବିକାର ଭାବରେ ଝାଡ଼ା ପରିଶ୍ରା ଗଲାପରି ଏକ ମେକାନିକାଲ୍ କାମର ପୁନରାବୃତ୍ତି ଛଡ଼ା ଆଉ କ’ଣ ଅଛି ସେଥିରେ ? ସେଇ ହାସ୍ୟାସ୍ପଦ ଭଙ୍ଗୀଟା ସ୍ମରଣକୁ ଆସିଲାମାତ୍ରେ ଲଜ୍ଜାରେ ନିଜକୁ ନିଜେ ସଂକୁଚିତ ମାନେକରେ ରୀନୁ । ସେ ବର୍ଷାର ନଦୀ ପରି ଉନ୍ମତ୍ତ ହୋଇପାରିନି, ପୂର୍ଣ୍ଣିମାର ସାଗର ପରି ଉଦବେଳିତ ହୋଇପାରିନି ଏକନିଷ୍ଠ ଭାବରେ, ଦେହ, ମନ ଓ ପ୍ରାଣ ଦେଇ ନିଜକୁ ବିସର୍ଜିତ କରିପାରିନି ।

 

କିନ୍ତୁ ସତରେ କ’ଣ ଏହା ସମ୍ଭବ ? କିଏ ଅନୁଭବ କରିଛି ଏ କଥା ? କାହାକୁ ପଚାରିବ ସେ ? ଚାକରାଣୀ ଆଦ୍‌ମାକୁ । ଡାକ୍ତରାଣୀ ମାଉସୀକୁ ? ସାଙ୍ଗ ନୀଳିମାକୁ ? ନାଇଁ, ନାଇଁ, କ’ଣ ଭାବିବେ ସେମାନେ ? କହିବେ ରୀନୁଟା ସେକ୍‌ସି ଝିଅଟେ । ନାଇଁ, ସେ କାହାରିକୁ ପଚାରି ପାରିବ ନାହିଁ । କ୍ଲବରେ ସମସ୍ତେ ଫୁସ୍‌ଫାସ୍ ହେବେ । ଶୋଭେଶର ପୁରୁଷତ୍ଵ ଉପରେ ଟିପ୍‌ପଣୀ କାଟିବେ । ତା’ ଆଡ଼କୁ ସମସ୍ତେ ଖାଇଲା ଆଖିରେ ଅନେଇବେ–ତାକୁ କେହି ବୁଝିପାରିବେ ନାହିଁ । କେବଳ ଭୁଲ୍ ବୁଝିବା ସାର୍ ହେବ ।

 

ଏଥର ଶୋଭେଶ ଆସିଲେ କହିବି କି ତାକୁ ସେସବୁ ବହି ଆଣି ଦେବା ପାଇଁ ? ସେ ପଢ଼ି ଦେଖିବ ଏଲିସ୍ ସାହେବ କ’ଣ କହିଛନ୍ତି ? କିନସେ ସାହେବଙ୍କ ଆଗରେ ଆମେରିକାନ୍ ସ୍ତ୍ରୀ ଲୋକମାନେ କି ଜମାନବନ୍ଦି ଦେଇଛନ୍ତି ତାଙ୍କର ଯୌନଜୀବନ ବିଷୟରେ ? ସେ ଜାଣି ପାରିବ ସେ ନର୍ମାଲ୍ ନା ଆବ୍‌ନର୍ମାଲ୍ । ବାତ୍ସାୟନ ଋଷି ପରିପୂର୍ଣ୍ଣ ଯୌନଜୀବନ ପାଇଁ କ’ଣ ପନ୍ଥା ନିର୍ଦ୍ଦେଶ କରିଯାଇଛନ୍ତି ? ଛି, ଛି, ଶୋଭେଶ କ’ଣ ଭାବିବେ ? କହିବେ ରୀନାର ମସ୍ତିଷ୍କ ବିକୃତ ଘଟିଲାଣି ? ଆଉ କ’ଣ ଏ ବିଷୟରେ ଆଗ୍ରହ ଏ ବୟସରେ ଶୋଭାପାଏ ?

 

ନାଇଁ, ନାଇଁ ସେ କିଛି କରିବନାହିଁ । ଏମିତି ଭଲ । ଏମିତି ଜୀବନ ଚାଲିଥାଉ । ହଉ ପଛେ ସେ ସଲିସ୍‌କରା ଜୀବନ । ଏଥିରେ ଏତେ ଦ୍ଵନ୍ଦ୍ଵ ନାହିଁ । ଯନ୍ତ୍ରଣା ନାହିଁ । ଚାଲିଥାଉ ଏ ମିଛିମିଛିକା ଖେଳ । ଏମିତି ଭାବରେ ଜୀବନଟା କଟିଗଲେ ତ ଗଲା । ସୁଖର ଜୀବନ । ଆଉ କ’ଣ ଲୋଡ଼ା ?

 

ନିଆଁଲାଗୀ ରଚି, ତୁ ଯଦି ମୋ ଘର-ଦୁଆର ଆଉଦିନେ ମାଡ଼ିଛୁ ତ ତୋର ଦିନେ କି ମୋର ଦିନେ । ଆଉ ଭୁବନେଶ୍ଵର ଆସିବୁ । ଶୋଭେଶକୁ କହି ତୋତେ ଦେଉଛି ବଦଳି କରି କୋରାପୁଟ କି ଜୟପୁର । ତୋ ସାଙ୍ଗରେ ଆଉ ଦିନେ, ପ୍ରତିଜ୍ଞା କରି କହୁଛି, ଆଉ ଦିନେ ବି କଥା କହିବିନାହିଁ କି ତୋ ମୁହଁ ଚାହିଁବିନାହିଁ ।

Image